ମାଗି ଓଳଗି

ରଞ୍ଜନ କୁମାର ଦାସ

ଅନ୍ନମୟ ପ୍ରାଣ। ବିନା ଖାଦ୍ୟରେ ଦେହ ଧାରଣ କରି ରହିବା ଅସମ୍ଭବ। ତେଣୁ ମଣିଷ ହେଉ ବା ପ୍ରାଣୀ ତାକୁ ବଞ୍ଚତ୍ବାକୁ ହେଲେ ଖାଦ୍ୟ ଗ୍ରହଣ କରିବାକୁ ପଡ଼େ। ମାତ୍ର ଯିଏ ଯେତେ ସମ୍ଭ୍ରମ ଭାବରେ ଖାଦ୍ୟ ଗ୍ରହଣ କରେ ସେ ସେତେ ସଭ୍ୟ ଓ ଶିକ୍ଷିତ ରୂପେ ପରିଗଣିତ ହୁଏ। ଆଦିମ ମଣିଷ କଞ୍ଚାମାଂସ ଖାଉଥିଲା। ବାଘ,ସିଂହଠାରୁ ଆରମ୍ଭକରି ଶୃଗାଳ, କୁକୁର, କଟାଶ ଯାଏ ସମସ୍ତେ ଅନ୍ୟକୁ ମାରି ମାଂସ ଖାଇଯାଆନ୍ତି। ତେଣୁ ସେମାନଙ୍କ ପଶୁତୁଲ୍ୟ ବ୍ୟବହାର ପାଇଁ ସେମାନେ ଘୃଣ୍ୟ ବିବେଚିତ ହୁଅନ୍ତି। ଯେଉଁ ମଣିଷ ଏମାନଙ୍କ ଭଳି ଆଚରଣ କରେ ସେ ବି ଘୃଣ୍ୟ ବିବେଚିତ ହୁଅନ୍ତି। ଋଷିଙ୍କର ଖାଦ୍ୟ ଦରକାର, ପଶୁର ବି ଖାଦ୍ୟ ଦରକାର। ମାତ୍ର ଋଷି ଗଛକୁ ମାରି ଫଳ ଖାଆନ୍ତିନାହିଁ। ଅତି ଯତ୍ନରେ ଫଳ ତୋଳି ଖାଆନ୍ତି। ଗଛକୁ ବଞ୍ଚେଇ ରଖିବାକୁ ସେଥିରେ ଖତ, ସାର, ମାଟି, ପାଣି ସବୁ ଦିଅନ୍ତି। ତେଣୁ ଗଛ ତାଙ୍କ ପାଇଁ ଶ୍ରଦ୍ଧାରେ ଆହୁରି ଆହୁରି ଫଳ ଫଳାଏ। ମାତ୍ର ହିଂସ୍ର ପଶୁଟିଏ ଅନ୍ୟ ଏକ ପଶୁକୁ ମାରି ଖାଇଯାଏ। ଖାଦ୍ୟ ଗ୍ରହଣ ପ୍ରକ୍ରିୟାରେ ତା’ର ଶ୍ରଦ୍ଧା, ସମବେଦନା ବା ସମ୍ଭ୍ରତା ନ ଥାଏ। ତେଣୁ ସେ କେବେ ଆଦରଣୀୟ ହୁଏନା। ଘରେ ସେମିତି ଯିଏ ହାତ ପୂରେଇ ହାଣ୍ଡିରୁ ଖାଏ ସେ ଚୋର ଭଳି ବିଚାର୍ଯ୍ୟ ହୁଏ। ତାକୁ ସମସ୍ତେ ଛେଇଛେଇ କରନ୍ତି। ମାତ୍ର ଯେଉଁ ଅତିଥି ନାହିଁ ନାହିଁ କରୁଥାଏ ଆମେ ତାକୁ ବଳେଇ ବଳେଇ ଖୁଆଉ। ଜଣେ ନାହିଁ ନାହିଁ କରୁଥିବ, ତାକୁ ବଳେଇ ବଳେଇ ଖୁଆଉଥିବ ସେଥିରେ ଯେଉଁ ମଜା, ମାଗି ଖାଇବାରେ, ଛଡ଼େଇ ଖାଇବାରେ ସେ ମଜା ନ ଥାଏ। ଆଗେ ଗାଁଗହଳରେ ଭୋଜିରେ ସମସ୍ତେ ଧାଡ଼ିକରି ପଙ୍ଗତରେ ବସୁଥିଲେ। ଖାଦ୍ୟ ସମ୍ମାନର ସହ ବାଢ଼ି ଦିଆହେଉଥିଲା। ଅନେକ ଲୋକଙ୍କୁ ଭୋଜିରେ ନିଜ ପାଇଁ ମାଗିବାକୁ ଲାଜ ଲାଗିଥାଏ ବା ଭଲ ଲାଗି ନ ଥାଏ। ତାଙ୍କ ପାଇଁ ପାଖଲୋକ କେହି ମାଗି ଦେଉଥିଲା। ମାତ୍ର ଭୋଜି ଭାତରେ ବଫେ ସିଷ୍ଟମ ଆରମ୍ଭ ହେଲା ଦିନଠୁ ସେ ମୁଖଲଜ୍ଜା ଆମେ ଛାଡ଼ି ସାରିଛେ। ଖାଇବା ପାଇଁ ଥାଳି ପତେଇ ଲାଇନ କରି ଠିଆହେବାକୁ ପଡୁଛି। ଏବେ ବି ଗାଁ ଗହଳରେ ଅନେକ ସ୍ବାଭିମାନୀ ବୟସ୍କ ଲୋକ ଅଛନ୍ତି ଯେଉଁମାନେ ଏ ବଫେ ଭୋଜିରେ ଖାଇବାକୁ ସମ୍ମାନହାନି କାରକ ବୋଲି ଭାବନ୍ତି। ମାଗିଖିଆ ଭଳି କିଏ ଯାଇ ଥାଳି ଧରି ଠିଆ ହୋଇ ଖାଇବାକୁ ମାଗିବ ବୋଲି ସେମାନେ ଆଧୁନିକ ଭୋଜିକୁ ଯାଆନ୍ତି ନାହିଁ।
ଦେହ ପାଇଁ ଯେମିତି ଖାଦ୍ୟ ଦରକାର ମନ ପାଇଁ ମଧ୍ୟ ସେମିତି ଖାଦ୍ୟ ଦରକାର। ମନ ପାଇଁ ଖାଦ୍ୟ ହେଲା ଶାନ୍ତି, ସମ୍ମାନ, ସୌଜନ୍ୟତା, ସୌହାର୍ଦ୍ଦ୍ୟ ଓ ଶିଷ୍ଟାଚାର। ଏସବୁ ମିଳିଲେ ମଣିଷର ମନ ଭଲ ରହେ, ମାନସିକ ତୃପ୍ତି ମିଳେ। କେହି ଜଣେ ଆପଣଙ୍କୁ ସ୍ନେହ ଦେଲେ ଆଦର ଓ ପ୍ରଶଂସା କଲେ ଖୁସି ଲାଗେ। କଳାକାରଟିଏ ଅର୍ଥ ପାଉ ନ ପାଉ କରତାଳି ଟିକେ, ପୁରସ୍କାରଟିଏ, ଉପଢୌକନଟିଏ, ସମ୍ମାନ ଟିକେ ପାଇଲେ ତା’ର ରସନା ତୃପ୍ତ ହୁଏ। ମାତ୍ର ମାଗିଖିଆ ଏ ସମୟରେ ପୁରସ୍କାର ମାଗିବା, ସମ୍ମାନ ଭିକ୍ଷା କରିବା, ପ୍ରଶଂସା ଦାବି କରିବା ଏକ ନିର୍ଲଜ ପରମ୍ପରାରେ ପରିଣତ ହୋଇଗଲାଣି। ଲୋକେ ନିଜ ପାଇଁ ନିଜେ ଦାବି କରୁଛନ୍ତି, ମୁଁ ହିଁ ଶ୍ରେଷ୍ଠ, ମୋଠୁ ଆଉ କେହି ଭଲ ନାହାନ୍ତି। ମତେ ଦିଅ ସବୁ ପୁରସ୍କାର, ଉପଢୌକନ ଓ ମାନପତ୍ର। ମୁଁ ନେଇ ସଜେଇଦେବି ମୋ ଡ୍ରଇଁରୁମ୍‌ ଓ ଲାଇବ୍ରେରି। ଯିଏ ଘରକୁ ଆସିବ ତାକୁ ଛାତି ଫୁଲେଇ ଦେଖେଇବି ମୋ କୃତି ସମୂହଙ୍କୁ। କେଡ଼େ ବେହିଆ ଓ ନିଲଠା ହୋଇଗଲେଣି ଆମେ। କେହି ଜଣେ ସିନା ଆମକୁ ଆସି କହନ୍ତା, ହେ ଶ୍ରେଷ୍ଠ ସାଧକ ଆମେ ଆପଣଙ୍କ ପ୍ରତିଭା ଓ ସାଧନାରେ ମୁଗ୍ଧହୋଇ ଏ ପୁରସ୍କାର ପାଇଁ ଆପଣଙ୍କୁ ଚୟନ କରୁଛୁ। ଆପଣ ତାକୁ ଗ୍ରହଣ କରି ଆମକୁ ଧନ୍ୟ କରନ୍ତୁ। ଏଥିରେ ପୁରସ୍କାର ମହତ୍ତ୍ୱ ରହନ୍ତା। ପ୍ରାପକର ସମ୍ମାନ ବି ରହନ୍ତା। ମାତ୍ର ମାଗିଖିଆ ଧାରାରେ ସେ ମଜା କ’ଣ ମିଳେ?
ଈଶ୍ୱର ଆମକୁ କେବେ ପୂଜା ମାଗି ନ ଥାନ୍ତି। ଆମେ ତାଙ୍କୁ ପୂଜାକରୁ। ଶ୍ରଦ୍ଧା ଓ ସମ୍ମାନର ସହ ଭୋଗ ନୈବେଦ୍ୟ ଅର୍ପଣକରୁ। ମାତ୍ର ସଇତାନ ଓ ଅପଦେବତା ଆମକୁ ବଳି ମାଗେ, ରକ୍ତ ମାଗେ। ନ ଦେଇପାରିଲେ ଆମକୁ ଦୁର୍ଭାଗ୍ୟ ଭୋଗିବାକୁ ପଡ଼େ। ତେଣୁ ଆମେ ତାକୁ ସନ୍ତୁଷ୍ଟ କରିବାକୁ ବଳି ଦେଉ, ଭୋଗରାଗ ଦେଉ। ମାତ୍ର ସେସବୁ ଭୟଜନିତ କାରଣରୁ ଦେଉ। ମନ ଭିତରେ ଶ୍ରଦ୍ଧା ବା ସମ୍ମାନ ଥାଏ। ରାସ୍ତାରେ ଗଲାବେଳେ ଆମକୁ ଭିକାରୀ ବି ଭିକ ମାଗେ, କିନ୍ନରଟେ ତାଳି ବଜେଇ ବଟି ମାଗେ। କାପାଳିକ, ତାନ୍ତ୍ରିକଟିଏ ଅଦୃଷ୍ଟର ଭୟ ଦେଖେଇ ପ୍ରାପ୍ୟ ମାଗେ। ଆମେ ଦେଉ ମାତ୍ର ମନରେ ଶ୍ରଦ୍ଧା ନ ଥାଇ। କେବେକେବେ ଦେଲାବେଳେ ମନ ଭିତରେ ଘୃଣା ବି ଥାଏ। ସେ ଦେବାରେ ଦାତବ୍ୟପଣ ନ ଥାଏ। ଦେବାଲୋକ ସେ ଫିଙ୍ଗାଫୋପଡ଼ା ଦାନ ବା ଦକ୍ଷିଣାକୁ ନେଇ କେତେ ସୁଖ ପାଏ, ସେକଥା ସେ ହିଁ କହିପାରିବ। ହୁଏତ ତାହା କେବଳ ତା’ର ଆସୁରିକ ଆବଶ୍ୟକତାର ପୂରଣ ପାଇଁ ଯଥେଷ୍ଟ ହେଉଥିବ। ମାତ୍ର ସେଥିରେ କିଛି ଆଧ୍ୟାତ୍ମିକ, ପୂର୍ଣ୍ଣ ପ୍ରାପ୍ତି ହେଉଥିବ କି ନାହିଁ ଜଣାନାହିଁ। ଯେଉଁ ଦାନରେ ଦାତା ଓ ଗ୍ରହୀତା ଉଭୟେ ଉପକୃତ ନ ହୁଅନ୍ତି ସେ ଦାନ ଦାନ ନୁହେଁ ଆଉ କିଛି। ଯେଉଁ ପ୍ରେମରେ ପ୍ରେମିକ ଓ ପ୍ରେମିକା ଉଭୟ ତୃପ୍ତ ହୁଅନ୍ତି ନାହିଁ, ସେ ପ୍ରେମ ପ୍ରେମ ନୁହେଁ ବରଂ ଧୋକା କହିଲେ ଅତ୍ୟୁକ୍ତି ହେବ ନାହିଁ। ଯେଉଁ ଖାଦ୍ୟରେ ଖାଦ୍ୟ ଓ ଖାଦକ ଉଭୟ ଧନ୍ୟ ହୁଅନ୍ତି ନାହିଁ ତାହା ଖାଦ୍ୟ ନୁହେଁ ଅଖାଦ୍ୟ। ସେହିଭଳି ଯେଉଁ ସମ୍ମାନ ଦାବିକରି ନିଆଯାଏ ତାକୁ ଆମ ଲୋକକଥାରେ ମାଗି ଓଳଗି ବୋଲି କୁହାଯାଏ। ଯାଚି କଲ୍ୟାଣ କରୁଥିବା ଲୋକ ଓ ମାଗି ଓଳଗି ସାଉଁଟୁଥିବା ଉଭୟ ଉପହସିତ ହୁଅନ୍ତି। ଏକଥା କାଳେ କାଳେ କୁହାହୋଇ ଆସିଛି ।
ନିର୍ଦ୍ଦେଶକ, ସଂସ୍କୃତି ବିଭାଗ
ମୋ-୯୪୩୭୨୮୬୫୧୨


Enter your email to get our daily news in your inbox.

All Right Reserved By Dharitri.Com

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri