Categories: ଖେଳ

ମାଡ୍ରିଡ ଓପନ ଟେନିସ ଦ୍ୱିତୀୟ ରାଉଣ୍ଡ: ପୁରସ୍କୃତ କରିଥିବା ଖେଳାଳିଙ୍କୁ ଭେଟିବେ ନାଡାଲ

ମାଡ୍ରିଡ, ୫।୫(ଏପି)- କିଛିଦିନ ତଳେ ଏକ ସ୍ଥାନୀୟ ଟୁର୍ନାମେଣ୍ଟରେ ଜଣେ ପ୍ରତିଭା ସମ୍ପନ୍ନ ଟେନିସ ଖେଳାଳିଙ୍କୁ ପୁରସ୍କୃତ କରିଥିଲେ ସ୍ପାନିଶ ଗ୍ରେଟ୍‌ ରାଫାଲ ନାଡାଲ। ମାତ୍ର ଏଠାରେ ଚାଲିଥିବା ମାଡ୍ରିଡ ଓପନ ଟେନିସ ଟୁର୍ନାମେଣ୍ଟରେ ସେହି ଖେଳାଳି ଏବେ ନାଡାଲଙ୍କ ପ୍ରତିଦ୍ୱନ୍ଦ୍ୱି। ଉଦୀୟମାନ ଟେନିସ ଖେଳାଳି ଜଣକ ହେଲେ କାର୍ଲୋସ ଆଲକାରେଜ। ୧୭ ବର୍ଷୀୟ ଆଲକାରେଜ ଓ ନାଡାଲଙ୍କ ମଧ୍ୟରେ ଏଠାରେ ଦ୍ୱିତୀୟ ରାଉଣ୍ଡ ମୁକାବିଲା ହେବ। ପ୍ରଥମ ରାଉଣ୍ଡରେ ଆଡ୍ରିଆନୋ ମାନାରିନୋଙ୍କୁ ୬-୪, ୬-୦ ସେଟ୍‌ରେ ହରାଇ ଆଲକାରେଜ ୨୦ ଥର ଗ୍ରାଣ୍ଡସ୍ଲାମ ବିଜେତାଙ୍କ ବିପକ୍ଷରେ ନିଜ ସ୍ବପ୍ନର ମ୍ୟାଚ ଖେଳିବାକୁ ଯାଉଛନ୍ତି। ବୁଧବାର ଆଲକାରେଜଙ୍କ ଜନ୍ମଦିନ। ସେ ଦିନ ସେ ମ୍ୟାଜିକ ବକ୍ସ ସେଣ୍ଟର କୋର୍ଟରେ ନିଜ ଆଦର୍ଶ ଖେଳାଳି ନାଡାଲଙ୍କ ବିପକ୍ଷରେ ଖେଳିବେ। ”ରାଫାଙ୍କ ବିପକ୍ଷରେ ଖେଳିବା ସ୍ବପ୍ନ ବାସ୍ତବ ରୂପ ନେବାପରି କଥା। ମୁଁ ପିଲା ଦିନରୁ ତାଙ୍କ ବିପକ୍ଷରେ ଖେଳିବାକୁ ଇଚ୍ଛା ରଖିଛି। ୧୮ତମ ଜନ୍ମଦିନ ପାଳନ କରିବାପାଇଁ ଏହାଠାରୁ ଆଉ ବଡ଼ କଥା କିଛି ନାହିଁ“ ବୋଲି ଆଲକାରେଜ କହିଛନ୍ତି। ୨୦୧୮ରେ ପେସାଦାର ଟେନିସ ଜୀବନ ଆରମ୍ଭ କରିଥିବା ଆଲକାରେଜ ଏକ ଓ୍ବାଲ୍ଡ କାର୍ଡ ମାଧ୍ୟମରେ ମାଡ୍ରିଡ ଓପନରେ ଏଣ୍ଟ୍ରି କରିଥିଲେ। ତାଙ୍କୁ ୩୪ ବର୍ଷୀୟ ନାଡାଲଙ୍କର ଉତ୍ତରାଧିକାରୀ ବିବେଚନା କରାଯାଉଛି। ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମ ଅବସରରେ ଦୁହେଁ ସାଥିହୋଇ ଅଭ୍ୟାସ କରିଥିଲେ। ସେଠାରେ ଆଲକାରେଜ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଥିଲେ। ଆଗାମୀ ମ୍ୟାଚରୁ ତାଙ୍କୁ ଅନେକ କିଛି ଶିଖିବାକୁ ମିଳିବ ବୋଲି ସେ କହିଛନ୍ତି।

Share