ତେରେସିଂହାରେ ଧୁମ୍‌ଧାମରେ ସମ୍ପନ୍ନ ହେଲା ମା’ ପାଟଖଣ୍ଡାଙ୍କ ବଳିଯାତ୍ରା

ରିଷିଡା, ୧୬ା୧୦(ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମରେ ଆଦିଶକ୍ତି ମା’ ପାଟଖଣ୍ଡାଙ୍କ ପାରମ୍ପରିକ ବଳିଯାତ୍ରା ଗୁରୁବାର ଦିନ ଧୂମଧାମରେ ସମ୍ପନ୍ନ ହୋଇଯାଇଛି। ମାନସିକ ପୂରଣ ଆଶାରେ ଅଞ୍ଚଳ ତଥା ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ମା’ଙ୍କ ପୀଠରେ ପହଞ୍ଚି ବୋଦା ଓ କୁକୁଡ଼ା ବଳି ଦେଇଥିବା ଦେଖିବାକୁ ମିଳିଛି । ପରମ୍ପରା ଅନୁଯାୟୀ, ତେରେସିଂହା ହାଇସ୍କୁଲ ପଡ଼ିଆର ପୂର୍ବ ପାର୍ଶ୍ୱ ତେରେସିଂହା ଏବଂ ଦକ୍ଷିଣ ପାର୍ଶ୍ୱ ବେଲପଡ଼ାରେ ଏହି ଯାତ୍ରା ଆୟୋଜିତ ହୋଇଥିଲା।

ବିଶେଷ କରି ପୂର୍ବ ଓ ପଶ୍ଚିମ ବେଲପଡ଼ା ଯାତ୍ରା ଖଳାରେ ହଜାର ହଜାର ଭକ୍ତଙ୍କ ପ୍ରବଳ ଭିଡ଼ ଜମିଥିଲା। ଏହି ଯାତ୍ରା ମୂଳତଃ କେଉଟ (କୈବର୍ତ୍ତ) ସମ୍ପ୍ରଦାୟ ଦ୍ୱାରା ପରିଚାଳିତ ହେଉଥିଲେ ମଧ୍ୟ ସାମାଜିକ ସଦ୍ଭାବନାର ପ୍ରତୀକ ସ୍ୱରୂପ ବିଭିନ୍ନ ବର୍ଗର ଲୋକମାନେ ‘ବାର ଦେହେଲିଆ’ ଭାବେ ସାମିଲ ହୋଇ ରୀତିନୀତି ତୁଲାଇଥାନ୍ତି। ଯାତ୍ରାର ଆଠ ଦିନ ପୂର୍ବରୁ ‘ଗୁଡ଼ି ପ୍ରବେଶ’ ନୀତି ସମ୍ପନ୍ନ ହୋଇ ପ୍ରତିଦିନ ସନ୍ଧ୍ୟାରେ ମା’ଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଥିଲା।
ଯାତ୍ରା ପରିଚାଳନାରେ ମୁଖ୍ୟ ପୂଜକ ଦାମୋଦର ନାଏକ, ବରୁଆ ବିବେକାନନ୍ଦ ନାଏକ, ମୀନକେତନ ନାଏକ, ଛତ୍ରିଆ ଗୋପାଳ ନାଏକ ପ୍ରମୁଖ ପୂଜାକାର୍ଯ୍ୟ ତୁଲାଇଥିବା ବେଳେ ଯାତ୍ରା କମିଟି ସଭାପତି ରୁଦ୍ର ଭୋଇ ଓ ସମ୍ପାଦକ ସୁବିନ୍ଦ୍ର ରଣାଙ୍କ ସମେତ ସମସ୍ତ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ।

ସେହିପରି ବେଲପଡ଼ା ଯାତ୍ରା କମିଟି ପକ୍ଷରୁ ସଭାପତି ନୀଳମଣି ଗହିର, ସମ୍ପାଦକ କିଶୋର ଚନ୍ଦ୍ର ନାଏକ ଏବଂ ଉପସଭାପତି ଯୁଗଳ କିଶୋର ନାଏକ ଏବଂ ପୋଲିସ ପ୍ରଶାସନ ପ୍ରମୁଖ ଉପସ୍ଥିତ ରହି ସମଗ୍ର କାର୍ଯ୍ୟକ୍ରମକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

 

Dharitri – Odisha’s No.1 Odia Daily

Share