ଏମ୍‌. ଆଇ. ହେଲିକପ୍ଟର

ନିକଟରେ ଭାରତର ପୂର୍ବତନ ସେନାଧ୍ୟକ୍ଷ ବିପିନ ରାୱତଙ୍କ ସମେତ ସେନାର କିଛି କର୍ମଚାରୀଙ୍କୁ ନେଇ ଯାଉଥିବା ସେନାର ଏକ ହେଲିକପ୍ଟର ତାମିଲନାଡୁ ନୀଳଗିରିର ଦୁର୍ଗମ ଜଙ୍ଗଲ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହେବା ଦ୍ୱାରା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟି ଭାରତୀୟ ବାୟୁସେନାର ଏକ Mi-୧୭V-୫ ପରିବହନ ବାୟୁଯାନ ବୋଲି ଜଣାପଡ଼ିଛି। ଏହି ହେଲିକପ୍ଟର ସମ୍ପର୍କରେ କିଛି ସୂଚନା ନିମ୍ନରେ ଦିଆଗଲା।
ବହୁ-ଉପଯୋଗୀ ଦୁର୍ଦ୍ଧର୍ଷ ହେଲିକପ୍ଟର: ଏହା ମୁଖ୍ୟତଃ ଏକ ପରିବହନ ହେଲିକପ୍ଟର ହେଲେ ସୁଦ୍ଧା ଶତ୍ରୁ ସେନା ଉପରେ ଆକ୍ରମଣ କରିବା ଏବଂ ପ୍ରତିକୂଳ ପରିସ୍ଥିତିରେ ଆକ୍ରମଣ ତଥା ଗୋଇନ୍ଦାଗିରି ନିମନ୍ତେ ସେନା ଓ ସାମଗ୍ରୀ ତୁରନ୍ତ ପରିବହନ କରି ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚାଇବା ପାଇଁ ଏଥିରେ ଯଥେଷ୍ଟ ସୁବିଧା ରହିଛି I ଏହା ବିଶ୍ୱର ଏକ ଅତ୍ୟାଧୁନିକ ତଥା ବହୁ-ଉପଯୋଗୀ ଦୁର୍ଦ୍ଧର୍ଷ ହେଲିକପ୍ଟର। ଏଥିରେ ବିମାନଚାଳନା ନିମନ୍ତେ ଅତ୍ୟାଧୁନିକ ଯନ୍ତ୍ରମାନ ଖଞ୍ଜାଯାଇଛି; ଯାହା ସାହାଯ୍ୟରେ ଏହା ଦିନରାତି ସବୁ ସମୟରେ ପୃଥିବୀର ଯେକୌଣସି ଭୌଗୋଳିକ ତଥା ଜଳବାୟୁ ପରିସ୍ଥିତିରେ ଏବଂ ଏପରି କି ଖରାପ ପାଗରେ ମଧ୍ୟ କାର୍ଯ୍ୟ ସମ୍ପାଦନ କରିପାରିବ। ଏହି ହେଲିକପ୍ଟରକୁ ମଧ୍ୟ ବନ୍ୟା, ବାତ୍ୟା ଭଳି ଆପଦକାଳୀନ ପରିସ୍ଥିତିରେ ଯୋଗାଣ ଓ ଉଦ୍ଧାର କାର୍ଯ୍ୟରେ ବିନିଯୋଗ କରାଯାଇପାରିବ। ଏହା ଯେକୌଣସି ସ୍ଥାନରେ ବିନା ହେଲିପ୍ୟାଡରେ ଏବଂ ଏପରି କି ରାତ୍ରି ସମୟରେ ମଧ୍ୟ ଅବତରଣ କରିବା ପାଇଁ ସକ୍ଷମ। ଏହା ଉଭୟ ଯାତ୍ରୀକକ୍ଷ ଓ ତଳପଟେ ଝୁଲୁଥିବା ଝୁଲାରେ ମାଲ ପରିବହନ କରିପାରେ।
ଉତ୍ପାଦନ ଏବଂ ଇତିହାସ: Mi-୧୭ V-୫ ହେଲିକପ୍ଟର ବିଶ୍ୱରେ ନିଜର ବହୁ-ଉପାଦେୟତା, ବିଶ୍ୱସନୀୟତା ଏବଂ କାର୍ଯ୍ୟଦକ୍ଷତା ପାଇଁ ବେଶ୍‌ ଜଣାଶୁଣା। Mi-୮/୧୭ ଶ୍ରେଣୀ ବାୟୁଯାନର ସାମରିକ ପରିବହନ ଉପଯୋଗ ନିମନ୍ତେ ବ୍ୟବହୃତ ଏକ ପରିବର୍ତ୍ତିତ ରୂପ। ଏହା ରୁଷର କାଜାନ୍‌ ହେଲିକପ୍ଟର କମ୍ପାନୀ ଦ୍ୱାରା ନିର୍ମିତ। ଆମ ଦେଶର ପ୍ରତିରକ୍ଷା ବିଭାଗ ଗତ ୨୦୦୮ ମସିହାରେ ଭାରତୀୟ ବାୟୁସେନା ନିମନ୍ତେ ୮୦ଟି ହେଲିକପ୍ଟର ଯୋଗାଣ ପାଇଁ ରୁଷୀୟ କମ୍ପାନୀ ନିକଟରେ ଚୁକ୍ତି କରିଥିଲା। ଭାରତକୁ ଏହି ହେଲିକପ୍ଟରର ଯୋଗାଣ ୨୦୧୧ ମସିହାରେ ଆରମ୍ଭ ହୋଇ ୨୦୧୮ ମସିହାରେ ସମାପ୍ତ ହୋଇଥିଲା I
ଇଞ୍ଜିନ : ଏଥିରେ ଦୁଇଟି ଶକ୍ତିଶାଳୀ ଟର୍ବୋ ସାଫ୍ଟ ଇଞ୍ଜିନ ଖଞ୍ଜାଯାଇଛି; ଫଳରେ କୌଣସି କାରଣରୁ ଗୋଟିଏ ଇଞ୍ଜିନ ଅଚଳ ହୋଇଗଲେ ଅନ୍ୟ ଇଞ୍ଜିନକୁ କାର୍ଯ୍ୟକ୍ଷମ କରି ଗନ୍ତବ୍ୟସ୍ଥଳରେ ନିରାପଦରେ ପହଞ୍ଚତ୍ ହେବ। ଏହି ଇଞ୍ଜିନଗୁଡ଼ିକ ହେଲା- TV୩-୧୧୭VM ଏବଂ VK-୨୫୦୦। ସେଥିମଧ୍ୟରୁ TV୩-୧୧୭VM ଇଞ୍ଜିନଟି ସର୍ବାଧିକ ୨୧୦୦ hp କ୍ଷମତା ପ୍ରଦାନ କରିପାରୁଥିଲାବେଳେ VK-୨୫୦୦ ଇଞ୍ଜିନ ୨୭୦୦hp କ୍ଷମତା ପ୍ରଦାନ କରିବାକୁ ସକ୍ଷମ। ଏହି ବିମାନର ସର୍ବାଧିକ ବେଗ ୨୫୦ କି.ମି./ଘଣ୍ଟା ଏବଂ ଏହା ଥରକେ ୫୮୦ କି.ମି. ଦୂରତା ପର୍ଯ୍ୟନ୍ତ ଉଡାଣ ଭରି ପାରିବ। ଏଥିରେ ଦୁଇଟି ଅତିରିକ୍ତ ଇନ୍ଧନ ଟାଙ୍କି ଖଞ୍ଜାଗଲେ ଏହାର ଅତିକ୍ରାନ୍ତ ପରିସରକୁ ୧୦୬୫ କି.ମି. ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇ ପାରିବ। ଏହା ଆକାଶରେ ସର୍ବାଧିକ ୬୦୦୦ ମିଟର ଉଚ୍ଚତାରେ ଉଡ଼ିପାରିବ I
ଯାତ୍ରୀ ପ୍ରକୋଷ୍ଠ: ଏହି ହେଲିକପ୍ଟରର କ୍ୟାବିନ୍‌ ଅପେକ୍ଷାକୃତ ପ୍ରଶସ୍ତ ଏବଂ ଏହା ମଧ୍ୟକୁ ପହଞ୍ଚିବା ନିମନ୍ତେ ଯାତ୍ରୀମାନଙ୍କ ପାଇଁ ମୁଖ୍ୟ ପାର୍ଶ୍ୱ-ପ୍ରବେଶଦ୍ୱାର ବ୍ୟତୀତ ତୁରନ୍ତ ସେନା ଏବଂ ସାମଗ୍ରୀ ପ୍ରବେଶ ଓ ପ୍ରସ୍ଥାନ ନିମନ୍ତେ ପଛପଟରେ ମଧ୍ୟ ଏକ ରାମ୍ପ୍‌ (Ramp)ର ବ୍ୟବସ୍ଥା ଅଛି। ଏହା ଏକ ୩ ଜଣିଆ ଚାଳକଦଳଙ୍କ ସମେତ ସମୁଦାୟ ୩୬ଜଣ ସଶସ୍ତ୍ର ସୈନିକଙ୍କୁ ଆକାଶମାର୍ଗରେ ବହନ କରିନେଇପାରେ। ଏହି ହେଲିକପ୍ଟର ସର୍ବାଧିକ ୧୩,୦୦୦ କି.ଗ୍ରା. ଓଜନର ସାମଗ୍ରୀ ଉଠାଇ ଉଡାଣଭରିବା ସହିତ ନିଜ ତଳଭାଗରୁ ଲମ୍ବିଥିବା ଝୁଲା (Sling)ରେ ମଧ୍ୟ ୪୫୦୦ କି.ଗ୍ରା. ଓଜନର ଅତିରିକ୍ତ ଭାର ବହନ କରିପାରେ। ଏହି ହେଲିକପ୍ଟର କ୍ରାନ୍ତିମଣ୍ଡଳୀୟ, ସାମୁଦ୍ରିକ କିମ୍ବା ମରୁଭୂମି ଭଳି ବିଭିନ୍ନ ପ୍ରକାରର ପ୍ରତିକୂଳ ପରିସ୍ଥିତି ମଧ୍ୟରେ ସୂଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରିବାକୁ ସକ୍ଷମ I
ଚାଳକ କକ୍ଷ (Cockpit): ଏହି ହେଲିକପ୍ଟରର ଚାଳକ କକ୍ଷରେ ଉଡାଣ ଓ ବିମାନଚାଳନା ସମ୍ପର୍କିତ ଅତ୍ୟାଧୁନିକ ଯନ୍ତ୍ରାବଳୀ ଯଥା ଚାରୋଟି ବହୁ-ଉପାଦେୟୀ ପ୍ରଦର୍ଶନ ପରଦା (Multi Function Display-MFD), ରାତିରେ ଦୃଶ୍ୟ ନିମନ୍ତେ ଉପକରଣ, ପାଣିପାଗ ସମ୍ପର୍କିତ ସୂଚନା ପ୍ରଦାନ ନିମନ୍ତେ ବିମାନସ୍ଥ ରାଡାର ଏବଂ ଅଟୋ-ପାଇଲଟ ଆଦି ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ସ୍ଥାନିତ ହୋଇଛି I
ଅସ୍ତ୍ରଶସ୍ତ୍ର: ଏହା କେବଳ ଏକ ପରିବହନ ହେଲିକପ୍ଟର ନୁହେଁ; ଏଥିରେ ମଧ୍ୟ ଅନେକ ପ୍ରକାରର ମାରଣାସ୍ତ୍ର ଖଞ୍ଜା ଯାଇପାରିବ। ଏହି ବିମାନରେ ସ୍ଥାନିତ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ଶତ୍ରୁ ସେନା, ଟ୍ୟାଙ୍କ, ଭୂମିଗତ ଲକ୍ଷ୍ୟସ୍ଥଳୀ, ଶତ୍ରୁର ଦୁର୍ଗ, ସ୍ଥିର କିମ୍ବା ଗତିଶୀଳ ବସ୍ତୁକୁ ଆଘାତ କରିହେବ। ଏହି ହେଲିକପ୍ଟରରେ ଥିବା ମାରକ ଅସ୍ତ୍ରମାନ ହେଲା Shturm-V କ୍ଷେପଣାସ୍ତ୍ର, S-୮ ରକେଟ, ୨୩mm ମେଶିନ୍‌ ଗନ୍‌, PKT ମେଶିନ୍‌ଗନ୍‌ ଏବଂ AKM ସବ୍‌-ମେଶିନ୍‌ଗନ୍‌। ରୁଷ୍‌ ଦ୍ୱାରା ବିକଶିତ Shturm-V ବ୍ୟବସ୍ଥା ବେତାର ତରଙ୍ଗ ଦ୍ୱାରା ମାର୍ଗନିର୍ଦ୍ଦେଶିତ ଏକ କ୍ଷେପଣାସ୍ତ୍ର, ଯାହାକୁ ଆକାଶମାର୍ଗରୁ ପ୍ରହାର କରି ଶତ୍ରୁପକ୍ଷର କୌଣସି ଟ୍ୟାଙ୍କକୁ ଧ୍ୱଂସ କରାଯାଇପାରିବ। ସେହିପରି, S-୮ ଏକ ସ୍ବଳ୍ପ ଦୂରଗାମୀ ରକେଟ୍‌, ଯାହା ୩.୬ କି.ଗ୍ରା. ଓଜନର ବିସ୍ଫୋରକ ସାମଗ୍ରୀ ବହନ କରି ନିର୍ଭୁଲ ରୂପେ ଶତ୍ରୁ ଶିବିରରେ ପ୍ରବେଶ କରିପାରିବ I ଏହାର ସ୍ବଳ୍ପ ଓଜନ ହେତୁ ଏହାକୁ ସହଜରେ ହେଲିକପ୍ଟରରେ ଖଞ୍ଜି ଏକାଥରକେ ଅନେକ ରକେଟକୁ ଲକ୍ଷ୍ୟସ୍ଥଳୀ ଉଦ୍ଦେଶ୍ୟରେ ନିକ୍ଷେପ କରିହେବ। ଆହୁରି ମଧ୍ୟ, ୭.୬୨ mm ନଳୀ ବ୍ୟାସ ଓ ୭୭୨ mm ନଳୀ ଲମ୍ବ ବିଶିଷ୍ଟ PKT ମେଶିନ୍‌ ଗନ୍‌ ଏକ ସ୍ବୟଂଚାଳିତ ବନ୍ଧୁକ ଯେଉଁଥିରୁ ଏକ ମିନିଟରେ ପ୍ରାୟ ୫୦୦ ରାଉଣ୍ଡ ଗୁଳି ଅନବରତ ବର୍ଷଣ କରି ୪ କି.ମି. ଦୂରତାରେ ଥିବା ଲକ୍ଷ୍ୟସ୍ଥଳୀକୁ ଆଘାତ କରିହେବ। ଏହି ହେଲିକପ୍ଟରରୁ ଏକକାଳୀନ ୮ଟି ଲକ୍ଷ୍ୟସ୍ଥଳୀ ଉପରେ ଆକ୍ରମଣ କରିହେବ।
ସୁରକ୍ଷା ବ୍ୟବସ୍ଥା: ଶତ୍ରୁର ଗୁଳିଗୋଳା ଓ କ୍ଷେପଣାସ୍ତ୍ର ମାଡ଼ରୁ ରକ୍ଷା କରିବା ପାଇଁ ଏହି ହେଲିକପ୍ଟରର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯଥା ଚାଳକ କକ୍ଷ, ଇନ୍ଧନ ଟାଙ୍କି ଓ ଅସ୍ତ୍ରଶସ୍ତ୍ର ଭଣ୍ଡାର ଇତ୍ୟାଦି ଚାରିପଟେ ମୋଟା ଧାତବ ଚାଦର ସୁରକ୍ଷା ବଳୟର ଆବରଣ ଅଛି I ଏଥିରେ ଥିବା ଯୁଗ୍ମ ଇଞ୍ଜିନ୍‌ (Twin engine) ବ୍ୟବସ୍ଥା ଜରିଆରେ ଗୋଟିଏ ଇଞ୍ଜିନ୍‌ ଅଚଳ ହୋଇଗଲେ ସୁଦ୍ଧା ଅନ୍ୟ ଇଞ୍ଜିନକୁ କାର୍ଯ୍ୟକ୍ଷମ କରି ବାୟୁଯାନକୁ ନିରାପଦସ୍ଥଳୀରେ ପହଞ୍ଚାଇ ହେବ। ଏଥିରେ ସ୍ଥାନିତ ଅଟୋ-ପାଇଲଟ (Autopilot) ବ୍ୟବସ୍ଥା ବିନା ତ୍ରୁଟିରେ ଚାଳକକୁ ବିମାନଚାଳନା ସମ୍ପର୍କିତ ଅନେକ ଜଟିଳ କାର୍ଯ୍ୟ ସ୍ବୟଂଚାଳିତ ଉପାୟରେ ସମ୍ପାଦନ କରିବା ଦିଗରେ ମାର୍ଗନିର୍ଦ୍ଦେଶିତ କରିଥାଏ। ଏଥିରେ ମଧ୍ୟ ଏକ ଅତିରିକ୍ତ ସ୍ଲାଇଡିଙ୍ଗ ପ୍ରବେଶଦ୍ୱାର, ପାରାସୁଟ୍‌ ଅବତରଣ ବ୍ୟବସ୍ଥା, ସର୍ଚ୍ଚଲାଇଟ୍‌ ଏବଂ ଜଳରେ ଭାସିବା ଭଳି ସହାୟକ ଉପକରଣମାନ ସ୍ଥାନିତ ଅଛି। ଏଥିରେ ଥିବା ଜାମର୍‌ ବ୍ୟବସ୍ଥା ଇଞ୍ଜିନରୁ ନିର୍ଗତ ଇନଫ୍ରା-ରେଡ୍‌ ବିକିରଣକୁ ପ୍ରତିହତ କରେ; ଯାହାଦ୍ୱାରା ଶତ୍ରୁର କୌଣସି କ୍ଷେପଣାସ୍ତ୍ର ଏହି ଇନଫ୍ରା-ରେଡ୍‌ ସଙ୍କେତକୁ ଅନୁସରଣ କରି ବିମାନକୁ ଆଘାତ କରିବାକୁ ସମର୍ଥ ହୋଇ ନ ଥାଏ।

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ୍‌ ଅଫିସର
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ
ମୋ: ୮୦୧୮୭୦୮୮୫୮


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୂଷଣରୁ ଦୂରେଇ ରହିବା ପାଇଁ…

ଏବେ ସାରା ଦେଶରେ ପ୍ରଦୂଷଣ ସମସ୍ତଙ୍କୁ ଏକ ପ୍ରକାର ଚିନ୍ତାରେ ପକାଇ ଦେଇଛି। ହେଲେ ଏଥିରୁ କିପରି ଆମେ ନିଜକୁ ରକ୍ଷା କରିପାରିବା ସେ ବିଷୟରେ...

ଲ୍ୟାବ୍‌ରେ ତିଆରି ହେଲା ମା’ କ୍ଷୀର …

ଓ୍ବାଶିଂଟନ,୨।୬: ଶିଶୁ ଜନ୍ମ ପରେ ମା’ କ୍ଷୀର ପିଇବା ଦ୍ୱାରା ଶାରୀରିକ ସହିତ ମାନସିକ ବିକାଶ ହୋଇଥାଏ। ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ...

ସମ୍ପର୍କକୁ ମଜଭୁତ କରେ ଉପହାର

ସମ୍ପର୍କକୁ ବି ମଜବୁତ କରିଥାଏ ଉପହାର। ତେବେ ଏହି ଉପହାର କିଭଳି ହେବା ଆବଶ୍ୟକ ଜାଣନ୍ତୁ ସେ ସମ୍ପର୍କରେ କିଛି କଥା.. ବନ୍ଧୁଙ୍କୁ ଖୁସିରେ ଦେଖିବାକୁ...

ଅଏଲି ସ୍କିନ୍‌ କେୟାର

ଅଏଲି ସ୍କିନ୍‌ ହୋଇଥିଲେ ସାଧାରଣତଃ ଅଧିକ ଯତ୍ନ ନେବାକୁ ହୋଇଥାଏ। ଆଉ ଏଥିପାଇଁ ରାସାୟନିକ ସାମଗ୍ରୀ ବଦଳରେ ଘରୋଇ ଉପାୟ ଆପଣେଇବା ଅଧିକ ଫଳପ୍ରଦ… ସାଧାରଣତଃ...

ସମ୍ପର୍କର ଡୋରି ସେବେ ଦୁର୍ବଳ ହୋଇଯାଏ…

ନୀରବତା ଓ ଧୈର୍ଯ୍ୟଠାରୁ ବଡ଼ କୌଣସି ଗୁଣ ନାହିଁ। ନୀରବତା ଦ୍ୱାରା ସମସ୍ତ ପରିସ୍ଥିତିକୁ ସାମ୍ନା କରାଯାଇପାରେ ଓ ଧୈର୍ଯ୍ୟ ଦ୍ୱାରା ସମସ୍ତ ବିପଦକୁ ପାରି...

ଜାଣନ୍ତୁ ଏପରି କିଛି ଟିପ୍ସ, ଯାହା ରାଗୀ ସ୍ବାମୀଙ୍କୁ ମନାଇବାରେ କରିବ ସାହାଯ୍ୟ

ବୈବାହିକ ଜୀବନରେ ସାମାନ୍ୟ କଥାକୁ ନେଇ ସୃଷ୍ଟି ହେଉଥିବା ମନୋମାଳିନ୍ୟ ଏକ ସାଧାରଣ କଥା। ତେବେ ଏହି କାରଣ ନେଇ ଯଦି ସ୍ବାମୀ ରାଗିଯାଆନ୍ତି ଆଉ...

ମୁଣ୍ଡ ବିନ୍ଧୁଥିଲେ…

ମୁଣ୍ଡ ବିନ୍ଧିବା ପଛରେ କେତେକ କାରଣ ରହିଛି। ଗ୍ୟାଷ୍ଟ୍ରିକ୍‌ ସମସ୍ୟା ଥିଲେ ମୁଣ୍ଡ ବିନ୍ଧିଥାଏ। ଶରୀରରେ ଜଳୀୟ ଅଂଶ କମିଗଲେ ମୁଣ୍ଡ ବିନ୍ଧେ। ଥଣ୍ଡାଜନିତ ସମସ୍ୟା...

ପୃଥିବୀ ବାହାରେ ଜୀବଜଗତ

ପୃଥିବୀ ହେଉଛି ସୌରଜଗତର ଆଠଟି ଗ୍ରହ ମଧ୍ୟରୁ ଗୋଟିଏ। ସୂର୍ଯ୍ୟ ଚାରିପଟେ ସମସ୍ତ ଗ୍ରହ ପରିକ୍ରମଣ କରୁଛନ୍ତି। ସୂର୍ଯ୍ୟ ହେଉଛି ଆକାଶଗଙ୍ଗା ଗାଲାକ୍ସିର ଗୋଟିଏ ନକ୍ଷତ୍ର।...

Advertisement
Archives

Model This Week