ଭୁବନେଶ୍ୱର, ୨୨।୨: ବଦଳିପାରେ ରାଜ୍ୟର ପାଣିପାଗ। ଭାରତ ମହାସାଗର ଓ ସଲଂଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଆଜି ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ। ଲଘୁଚାପ ସୃଷ୍ଟି ହେବା ପରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ସମ୍ଭାବନା ରହିଛି। ଏହାର ପ୍ରଭାବରେ କାଲିଠୁ ରାଜ୍ୟରେ ଦୁଇ ଦିନ ବର୍ଷା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
କିଛି ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ରହିଛି। କାଲି ପାଇଁ ୮ ଜିଲ୍ଲା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ଏଥିସହ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।
ସେହିପରି ୨୪ ତାରିଖ ପାଇଁ ଯାଜପୁର, କଟକ ଓ ମୟୂରଭଞ୍ଜ ଜିଲ୍ଲାକୁ ପାଣିପାଗ ବିଭାଗ ଦେଇଛି ୟେଲୋ ସତର୍କତା। ତାପରେ ରାଜ୍ୟରେ ପାଗ ଶୁଖିଲା ରହିବ। ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ।

