ଭୁବନେଶ୍ୱର, ୫ା୭(ବନ୍ଦନା ସେଠୀ): ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଥିବା ଲଘୁଚାପ ଶନିବାର ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହା ସହିତ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୯.୪ କି.ମି. ଉଚ୍ଚତା ପର୍ଯ୍ୟନ୍ତ ଦକ୍ଷିଣ-ପଶ୍ଚିମ ଆଡ଼କୁ ଢଳି ରହିଛି। ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ହେଉଛି। ଆଗାମୀ ୩ଦିନ ମଧ୍ୟରେ ଲଘୁଚାପ ଉତ୍ତର ଓଡ଼ିଶା ଏବଂ ଉତ୍ତର ଛତିଶଗଡ଼ ଦେଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ଥିବାରୁ ବର୍ଷା ନେଇ ଓଡ଼ିଶା ସମେତ ଗୁଜରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶକୁ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ରେଡ୍ ଆଲର୍ଟ ଜାରି କରାଯାଇଛି। ଏଥିସହ ଏହି ୩ଦିନ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ରବିବାର ବରଗଡ଼, ସମ୍ୱଲପୁର ଏବଂ ନୂଆପଡ଼ା ଜିଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ଓ୍ୱାର୍ନିଂ ଦିଆଯାଇଛି। ସେହିପରି ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର ଏବଂ କଳାହାଣ୍ଡି ଜିଲାକୁ ଅରେଞ୍ଜ ଓ୍ୱାର୍ନିଂ ଏବଂ ବାଲେଶ୍ୱର, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲାକୁ ୟେଲୋ ଓ୍ୱାର୍ନିଂ ଜାରି କରାଯାଇଛି। ପାଣିପାଗ କେନ୍ଦ୍ରର ତଥ୍ୟ ଅନୁସାରେ, ଶନିବାର ସକାଳ ସାଢ଼େ ୮ଟାରୁ ଅପରାହ୍ନ ୫ଟା ୩୦ ମଧ୍ୟରେ କୋରାପୁଟ ଓ ବଲାଙ୍ଗୀରରେ ସର୍ୱାଧିକ ବର୍ଷା ରେକର୍ଡ କରାଯାଇଛି। କୋରାପୁଟରେ ୬୯.୨ ମି.ମି., ବଲାଙ୍ଗୀର ୬୭ ମି.ମି., ସୋନପୁର ୫୨ ମି.ମି, ଖୋର୍ଦ୍ଧା ୪୭ ମି.ମି., ଭୁବନେଶ୍ୱର ୪୫.୬ ମି.ମି. ଓ ଢେଙ୍କାନାଳ ୪୧ ମି.ମି. ବର୍ଷା ରେକର୍ଡ ହୋଇଛି।