ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୧୫ରେ ଅବପାତ, ବାତ୍ୟା ଆକଳନ କଲା ବିଦେଶୀ ମଡେଲ

ଭୁବନେଶ୍ୱର, ୧୩ା୧୧:ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ଶୁକ୍ରବାର ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ପରବର୍ତ୍ତୀ ସମୟରେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତିକରି ଶନିବାର ବେଳକୁ ସ୍ପଷ୍ଟ ଲଘୁଚାପ ଏବଂ ୧୫ ତାରିଖ ରବିବାର ଦିନ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ସୂଚନା ଦେଇଛି। ତେବେ ଏହି ଅବପାତ ପରବର୍ତ୍ତୀ ସମୟରେ ବାତ୍ୟା ରୂପ ନେଇପାରେ ଏବଂ ଏହାର ନାମ ‘ଅକ୍ୱାନ’ ରଖାଯାଇପାରେ ବୋଲି ବିଦେଶୀ ପାଣିପାଗ ମଡେଲ ଆକଳନ କରିଥିଲେ ମଧ୍ୟ ଏନେଇ ଆଇଏମ୍‌ଡି ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ଆଇଏମ୍‌ଡିର ସୂଚନାନୁସାରେ, ବଙ୍ଗୋପସାଗରରେ ଲଘୁଚାପ ଓ ପରବର୍ତ୍ତୀ ସମୟରେ ଅବପାତ ସମ୍ଭାବନା ଥିଲେ ମଧ୍ୟ ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ପଡ଼ିବ ନାହିଁ। ଏପଟେ ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି, ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ବର୍ଷା ସମ୍ଭାବନା ନ ଥିବା ବେଳେ କିଛି ସ୍ଥାନରେ ଆକାଶ ମେଘାଚ୍ଛନ୍ନ ରହିପାରେ। ତେବେ ଗତ ୨ମାସ ଭିତରେ ପଛକୁ ପଛ ଦୁଇଟି ବାତ୍ୟା ଆସିବା ପରେ ଏବେ ପୁଣି ବାତ୍ୟା ନଁା ଶୁଣି ଲୋକଙ୍କ ମନରେ ଛନକା ପଶିଛି।

ଅନ୍ୟପକ୍ଷରେ ଗୁରୁବାର ଉପକୂଳ ଓଡ଼ିଶାରେ ପାରଦ ବଢିବା ସହିତ ଅଧିକାଂଶ ସ୍ଥାନରେ ୨୦ ଡିଗ୍ରୀ ଉପରେ ତାପମାତ୍ରା ରହିଥିଲା। ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳରେ ୧୬ ଡିଗ୍ରୀ ତଳେ ପାରଦ ରହିବା ସହିତ ଶୀତ ଅନୁଭୂତ ହୋଇଛି। ସେମିଳିଗୁଡାରେ ୧୨.୧ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରହିଥିବାବେଳେ ସମତଳ ଅଞ୍ଚଳ ଭାବେ ଝାରସୁଗୁଡାରେ ସର୍ବନିମ୍ନ ତାପମାତ୍ରା ୧୪.୨ ଡିଗ୍ରୀ ରହିଥିଲା। ସେହିପରି ନବରଙ୍ଗପୁରରେ ୧୪.୬ ଡିଗ୍ରୀ, ଦାରିଙ୍ଗିବାଡ଼ିରେ ୧୫ ଡିଗ୍ରୀ, କୋରାପୁଟରେ ୧୫ ଡିଗ୍ରୀ, ଜି. ଉଦୟଗିରିରେ ୧୫.୩ ଡିଗ୍ରୀ, ଭବାନୀପାଟଣାରେ ୧୫.୫ ଡିଗ୍ରୀ, ରାଉରକେଲାରେ ୧୫.୭ ଡିଗ୍ରୀ, କିରେଇ ୧୫.୯ ଡିଗ୍ରୀ, ବଲାଙ୍ଗୀରରେ ୧୬ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି।

 

Dharitri – Odisha’s No.1 Odia Daily

 

Share