ଭୁବନେଶ୍ୱର,୨ା୭: ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଉତ୍ତରପଶ୍ଚିମ ବଙ୍ଗୋପସାଗର ଏବଂ ତତ୍ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ନେଇ ଆଇଏମ୍ଡି ପକ୍ଷରୁ ସୂଚନା ଦିଆଯାଇଛି। ଘୂର୍ଣ୍ଣିବଳୟ ପ୍ରଭାବରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଏବଂ ଆଉ କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଏହି ବର୍ଷା ୩ ଦିନ ପର୍ଯ୍ୟନ୍ତ ଜାରି ରହିବ।
IMD ଅନୁଯାୟୀ, ବଙ୍ଗୋପସାଗରରୁ ଜମ୍ମୁ-କାଶ୍ମୀର ପର୍ଯ୍ୟନ୍ତ ପ୍ରାୟ ୧୫୦୦ କିଲୋମିଟର ଲମ୍ବା ଏକ ମୌସୁମୀ ଟ୍ରଫ୍ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ଉତ୍ତର ଭାରତ ସମେତ ଦେଶର ଅଧାରୁ ଅଧିକ ଅଞ୍ଚଳରେ ୩ ଦିନ ଅର୍ଥାତ୍ ଆଜିଠାରୁ ୪ ଜୁଲାଇ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ଏହି ଟ୍ରଫ୍ ହିମାଳୟର ପାଦଦେଶରେ ରହିଛି, ଯାହା ଧୀରେ ଧୀରେ ଦକ୍ଷିଣ ଆଡ଼କୁ ଗତି କରିବ। ମୌସୁମୀ ଟ୍ରଫ୍ ହେଉଛି ଏକ ଲଘୁଚାପ କ୍ଷେତ୍ର, ଯାହାକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ମେରୁଦଣ୍ଡ କୁହାଯାଏ। ଏହି ଟ୍ରଫ୍ ଆରବ ସାଗର ଏବଂ ବଙ୍ଗୋପସାଗରରୁ ଜଳୀୟବାଷ୍ପ ପୂର୍ଣ୍ଣ ପବନ ଆଣିଥାଏ, ଯାହାଦ୍ୱାରା ଦେଶରେ ବର୍ଷା ହୋଇଥାଏ।