ଅମାନବୀୟ: ପଥରରେ ଛେଚି ପ୍ରେମିକାଙ୍କ ଗର୍ଭପାତ, ବିବାହିତ ଥିବା କଥା ଲୁଚାଇଥିଲେ

ପରଜଙ୍ଗ, ୧୩।୬(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ ଫାଣ୍ଡି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମିକଙ୍କ ମରଣାନ୍ତକ ଆକ୍ରମଣରେ ୯ମାସର ଗର୍ଭବତୀ ଥିବା ପ୍ରେମିକାଙ୍କ ଗର୍ଭପାତ ହୋଇଛି। ଗତ ୩ତାରିଖରେ ଏଭଳି ଅମାନବୀୟ ଘଟଣା ଘଟିଛି। ତେବେ ମାମଲା ରୁଜୁ ହୋଇ ନ ଥିବାରୁ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିଲା। ଡାକ୍ତରଖାନାରେ ମୃତ୍ୟୁ ସହିତ ସଂଘର୍ଷ କରୁଥିବା ଯୁବତୀଙ୍କ ବୟାନ ରେକର୍ଡ ପରେ ପୋଲିସ ଶନିବାର ଅଭିଯୁକ୍ତଙ୍କୁ ଗିରଫ କରିଛି।

ପୋଲିସ ସୂଚନା ଅନୁଯାୟୀ, ପଙ୍ଗାତୀରା ଗ୍ରାମର ସତ୍ୟାନନ୍ଦ ନାଏକ (୩୬) ବିବାହିତ। ତାଙ୍କର ୨ ସନ୍ତାନ ଅଛନ୍ତି। ଏହି କଥା ଲୁଚାଇ ସେ ଅନୁଗୋଳ ଜିଲା ବଅଁରପାଳ ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ସହ ସମ୍ପର୍କ ବଢ଼ାଇଥିଲେ। ବିବାହ ପ୍ରତିଶ୍ରୁତି ଦେଇ ତାଙ୍କୁ ଆନ୍ଧ୍ରପ୍ରଦେଶର କାକିନାଡ଼ା ନେଇଯାଇଥିଲେ। ସେଠାରେ ଦୁହେଁ ଏକାଠି ରହୁଥିଲେ। ଇତିମଧ୍ୟରେ ଯୁବତୀ ଜଣକ ୯ ମାସର ଗର୍ଭବତୀ ଥିଲେ। ତେବେ ସତ୍ୟାନନ୍ଦଙ୍କ ବାପାଙ୍କ ଦେହାନ୍ତ ହୋଇଯିବାରୁ ଶୁଦ୍ଧିକ୍ରିୟା ପାଇଁ ସେ ଯୁବତୀଙ୍କ ସହ ଟ୍ରେନ୍‌ରେ ଗତ ୩ ତାରିଖରେ ଆସି ତାଳଚେର ଷ୍ଟେଶନରେ ଓହ୍ଲାଇଥିଲେ। ସେଠାରୁ ଏକ ଅଟୋରିକ୍ସାରେ ପଙ୍ଗାତୀରା ଆସୁଥିଲେ। ତେବେ ଯୁବତୀଙ୍କ ସହିତ ସମ୍ପର୍କ କଥା ପ୍ରଘଟ ହେବା ଭୟ ଘାରିଥିଲା। ତେଣୁ ତାଙ୍କୁ ହତ୍ୟା କରିବାକୁ ସେ ଯୋଜନା କରିଥିଲେ। ଗାଡ଼ିରୁ ଓହ୍ଲାଇବା ପରେ ଗଁା ନିକଟ ଗତରେଇ ଜଙ୍ଗଲରେ ସତ୍ୟାନନ୍ଦ ଯୁବତୀଙ୍କୁ ପଥରରେ ଆକ୍ରମଣ କରିବା ସହ ପେଟକୁ ଗୋଇଠା ମାରି ହତ୍ୟା ଉଦ୍ୟମ କରିଥିଲେ। ଯୁବତୀ ଜଣକ ସଂଜ୍ଞାହୀନ ହୋଇ ପଡ଼ିଯିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ଭାବି ଅଭିଯୁକ୍ତ ଘରକୁ ପଳାଇ ଯାଇଥିଲେ। ତେବେ ଚେତା ଫେରିପାଇବା ପରେ ଯୁବତୀ ଜଣକ ଗ୍ରାମରେ ପହଞ୍ଚତ୍ ସମସ୍ତ ଘଟଣା ବଖାଣିଥିଲେ। ସୂଚନା ପାଇ ପରଜଙ୍ଗ ପୋଲିସର ଏକ ଟିମ୍‌ ପହଞ୍ଚତ୍ ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ସେଠାରେ ଯୁବତୀଙ୍କ ଚିକିତ୍ସା ଜାରିରହିଛି। ପେଟରେ ଆଘାତ ଯୋଗୁ ଯୁବତୀଙ୍କ ଗର୍ଭ ନଷ୍ଟ ହୋଇଯାଇଛି ଏବଂ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଡାକ୍ତରୀଟିମ୍‌ କହିଛନ୍ତି। ପରଜଙ୍ଗ ପୋଲିସ ଯୁବତୀଙ୍କ ବୟାନ ରେକର୍ଡ କରିଛି। ମହାବିରୋଡ ଫାଣ୍ଡି ପୋଲିସ ଶନିବାର ସତ୍ୟାନନ୍ଦଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ପରେ ତାଙ୍କୁ କାମାକ୍ଷାନଗର ଜେଲକୁ ପଠାଇ ଦିଆଯାଇଛି। ଏ ନେଇ ନଂ. ୨୨୧/୨୧ରେ ଏକ ମାମଲା ରୁଜୁ ହୋଇଛି।