ପ୍ରେମ: ଏକ ସତ୍ୟଶୀଳ ଉପଲବ୍ଧି

ଡ.ପ୍ରଫୁଲ୍ଲ କୁମାର ସାହୁ

ମାନବୀୟ ବିଚାରବୋଧରୁ ବିକଶିତ ସାମାଜିକ ଜୀବନଧାରାକୁ କୁହାଯାଏ ସଂସ୍କୃତି। ଧର୍ମକର୍ମ, ପର୍ବପର୍ବାଣି, ଖାଦ୍ୟପେୟ, ବେଶପୋଷାକ ଆଦି ତା’ର ଅଙ୍ଗୀଭୂତ ବିଷୟ। ପ୍ରତ୍ୟେକ ଦେଶର ପରିବେଶ ଓ ପରିସ୍ଥିତି ଅନୁଯାୟୀ ପ୍ରତିଷ୍ଠା ଲଭେ ସେଠାକାର ସାମାଜିକ ଚଳଣି। ତେଣୁ ଗୋଟିଏ ଦେଶର ସଂସ୍କୃତି ଅନ୍ୟ ଦେଶର ସଂସ୍କୃତିଠାରୁ ଫରକ ହେବା ସ୍ବାଭାବିକ। ସମୟକ୍ରମେ ସଂସ୍କୃତି କେତେକାଂଶରେ ବଦଳେ, ମାତ୍ର ଅନ୍ୟ କୌଣସି ବାହ୍ୟ ସଂସ୍କୃତି ଭାରି ପଡ଼ିବା କାରଣରୁ ଯଦି ତାକୁ ବଦଳାଇବାକୁ ଚେଷ୍ଟା କରାଯାଏ, ତେବେ ବିଳପି ଉଠେ ସଂସ୍କୃତିର ଅବକ୍ଷୟୀ ଆତ୍ମା। କାରଣ ସଂସ୍କୃତି ହେଉଛି ଗୋଟିଏ ଜାତିର ଜୀବନନାଟିକା। ମୌଳିକ ମୂଲ୍ୟବୋଧ ଅନୁପ୍ରେରିତ ଜୀବନଶୈଳୀ। ତାକୁ ଅବଜ୍ଞା କରି ଅନ୍ୟ କୌଣସି ସଂସ୍କୃତିକୁ ଗ୍ରହଣ କଲେ ଭାଙ୍ଗିଯାଏ ଆପଣା ସଂସ୍କୃତିର ମୌଳିକତା। ଇତିହାସ କହେ ଭାରତବର୍ଷ ଥିଲା ସଂସ୍କୃତି, ସଂସ୍କାର ଓ ସାଧନାର ଦିବ୍ୟ ଭୂଖଣ୍ଡ। କିନ୍ତୁ ଏବେ ତା’ର ସେ ଐତିହ୍ୟ ଉପରେ ଭାରି ପଡ଼ିଲାଣି ଆଧୁୁନିକ ଶିକ୍ଷାର ପ୍ରସାର ତଥା ପଶ୍ଚିମା ସଂସ୍କୃତିକୁ ଆପଣେଇ ନେବାର ଦୁସ୍ଥ ମାନସିକତା। ଆମର ପ୍ରଚଣ୍ଡ ଆଧ୍ୟାତ୍ମିକ ସଂସ୍କୃତିଟିଏ ଅଛି ବୋଲି ଆମେ ଯେତେ ଦାବି କଲେ ବି ତା’ର ବିଭଙ୍ଗ ଚେହେରା ପ୍ରତିଫଳିତ ହେଉଛି ଆମ ପର୍ବପର୍ବାଣି ଓ ସାମାଜିକ ଜୀବନଧାରାରେ। ବହୁ ପୂର୍ବରୁ ଆମ ସମାଜ ଜୀବନ ସହିତ ଯୋଡି ହୋଇ ରହିଛି ବାର ମାସରେ ତେର ପର୍ବ। କୃଷି ପର୍ବ ହେଉ କି ଆଧ୍ୟାତ୍ମିକ ପର୍ବ, ଏସବୁ ଆମ ସଂସ୍କୃତିର ମୌଳିକ ବିଭବ। ଅଥଚ ସେସବୁ ପ୍ରତି ଆମ ଯୁବପିଢ଼ିର ଭାରି ହତାଦର ଭାବ। ଏପରିକି ଅଧିକାଂଶ ଯୁବତୀଯୁବକଙ୍କୁ ଜଣା ନଥିବ ଆମ ରାଜ୍ୟରେ କେବେ ପାଳନ କରାଯାଏ ଓଡ଼ିଆ ନୂଆବର୍ଷ। ଆପଣା ସଂସ୍କୃତିକୁ ଅଣଦେଖା କରି ସେମାନେ ଏବେ ଖୁବ୍‌ ଆନନ୍ଦ ଓ ଉଲ୍ଲାସର ସହିତ ପାଳନ କରୁଛନ୍ତି ଇଂରାଜୀ ନୂଆବର୍ଷ ଓ ବଡ଼ଦିନ ଇତ୍ୟାଦି ଅନେକ ବିଦେଶୀ ଉତ୍ସବ। ବିଶେଷକରି ସେମାନଙ୍କୁ ଏବେ ଘାରିଛି ‘ଭାଲେଣ୍ଟାଇନ ଡେ’ ବା ପ୍ରେମ ଦିବସ ପାଳନ କରିବାର ଉତ୍କଟ ନିଶା। ଭାଲେଣ୍ଟାଇନ ଡେ’ର ଇତିହାସ କହେ ଏକଦା ରୋମ୍‌ର ତତ୍କାଳୀନ ସମ୍ରାଟ କ୍ଲାଡିୟସଙ୍କର ଧାରଣା ହେଲା ଯୁବକମାନେ ଯଦି ବିବାହ କରନ୍ତି ବା ପ୍ରେମ ବ୍ୟାପାରରେ ଲିପ୍ତ ରହନ୍ତି,ତେବେ ଯୁଦ୍ଧ କ୍ଷେତ୍ରରେ ସେମାନେ କେବେ ବି ପ୍ରୟୋଗ କରିପାରିବେନି ପୂର୍ଣ୍ଣ ସାମର୍ଥ୍ୟ। ତେଣୁ ସେମାନଙ୍କୁ ବିବାହ ଓ ପ୍ରେମ ବ୍ୟାପାରଠାରୁ ଦୂରେଇ ରଖିବା ଆବଶ୍ୟକ। ଏଭଳି ଏକ ଉଦ୍ଭଟ ଧାରଣାର ବଶବର୍ତ୍ତୀ ହୋଇ ସେ ଦେଶର ଯୁବକମାନଙ୍କ ବିବାହ ଓ ପ୍ରଣୟ ବ୍ୟାପାର ଉପରେ ଜାରି କଲେ କଠୋର କଟକଣା। ଯୁବକମାନଙ୍କ ପ୍ରତି ଏହା ଘୋର ଅନ୍ୟାୟ ବୋଲି ଅନୁଭବ କରି ତା’ର ପ୍ରତିବାଦ କଲେ ସନ୍ଥ ଭାଲେଣ୍ଟାଇନ। ପରିଣାମ ସ୍ବରୂପ ସେ ବନ୍ଦୀ ହେଲେ ଏବଂ ତାଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କରାଗଲା ରାଜଦ୍ରୋହ ଅପରାଧରେ।
ଯୁବକମାନଙ୍କ ପ୍ରତି ତାଙ୍କର ଏହି ଆତ୍ମବଳି ପାଇଁ ତାଙ୍କୁ ପ୍ରେମର ପ୍ରତୀକ ଭାବେ ଗ୍ରହଣ କରି ତାଙ୍କ ବଳିଦାନ ଦିବସକୁ(୧୪ ଫେବୃୟାରୀ) ଭାଲେଣ୍ଟାଇନ ଡେ ବା ପ୍ରେମ ଦିବସ ଭାବରେ ପାଳନ କରାଗଲା ରୋମ୍‌ ଓ ବିଶ୍ବର ଅନ୍ୟ କେତେକ ଦେଶରେ। ବିଗତ ଶତାବ୍ଦୀର ନବେ ଦଶକରେ ଏହା ଭାରତକୁ ସଂକ୍ରମିତ ହେଲା ଏବଂ ସେବେଠାରୁ ତା’ ପ୍ରତି ଲଗାତର ଭାବରେ ବଢ଼ିଚାଲିଛି ଆମ ଯୁବ ସମାଜର ଆକର୍ଷଣ। ସନ୍ଥ ଭାଲେଣ୍ଟାଇନଙ୍କ ପ୍ରେମ ପଛରେ ଭୋଗର ବାସନା ନଥିଲା, ବରଂ ଥିଲା ତ୍ୟାଗ ଓ ତପସ୍ୟା। ପ୍ରେମ ତାଙ୍କ ହୃଦୟରେ ଏକ ମହାଭାବ ବିକଶିତ କରିଥିଲା, ଯାହା ତାଙ୍କୁ ବାଟ କଢ଼େଇ ନେଇଥିଲା ଏକ କଲ୍ୟାଣକାରୀ ମାର୍ଗରେ। ତେଣୁ ତାଙ୍କୁ ପ୍ରେମର ପ୍ରତୀକ ଭାବରେ ଗ୍ରହଣ କରିବା ଓ ତାଙ୍କ ବଳିଦାନ ଦିବସକୁ ପ୍ରେମ ଦିବସ ଭାବରେ ପାଳନ କରିବା କିଛି ଭୁଲ କଥା ନୁହେଁ ସତ, କିନ୍ତୁ ଏ ଦିବସ ପାଳନ ଅବସରରେ ଆମ ଯୁବକ ଓ ଯୁବତୀଙ୍କ ମଧ୍ୟରେ ଯେଉଁ ଉଚ୍ଛୃଙ୍ଖଳତା ପ୍ରକାଶ ପାଉଛି ତାହା ହିଁ ଆମ ମହାନ ସଂସ୍କୃତି ପାଇଁ ଚିନ୍ତାର କାରଣ। ହଂସ ପରି କାହାଠାରୁ କ୍ଷୀର ଗ୍ରହଣ କରିବାରେ କାହାରି ଆପତ୍ତି ନାହିଁ, ମାତ୍ର କ୍ଷୀରକୁ ଛାଡି ଖାଲି ପାଣି ଆହରଣରେ କି ମୂଲ୍ୟ? ପ୍ରାଚ୍ୟ ମୂଲ୍ୟବୋଧରେ ପ୍ରେମ ହେଉଛି ମିଳନ ପାଇଁ ଆତ୍ମାର ଆକୁଳତା। ମାତ୍ର ପାଶ୍ଚାତ୍ୟ ମୂଲ୍ୟବୋଧରେ ଏହା ଜାନ୍ତବ ଜୈବିକ ବ୍ୟାପାର। ତେଣୁ ସେ ଦେଶର ଲୋକେ ଲଙ୍ଗଳା ମୁକୁଳା ହୋଇ ପ୍ରେମ ଦିବସ ପାଳନ କରିପାରନ୍ତି, ମାତ୍ର ତାକୁ ଅନୁକରଣ କରିବାରେ ଆମର ଏତେ ବ୍ୟାକୁଳତା କାହିଁକି?
ଯୌବନରେ ପ୍ରାଣର ଧର୍ମ ହେଉଛି ପ୍ରେମ। ଭାରତୀୟ ଦର୍ଶନ କହେ ପ୍ରେମ ହେଉଛି ଏକ ଶୁଦ୍ଧ ସାତ୍ତ୍ୱିକ ସୌନ୍ଦର୍ଯ୍ୟବୋଧ। ଏକ ସତ୍ୟଶୀଳ ଉପଲବ୍ଧି। ପ୍ରେମର ପୁଲକ ଓ ତଲ୍ଲୀନ ଭାବମୁଦ୍ରା ଏକ ବିରଳ ଅନୁଭବ। ଏହା ହୋଇପାରେ ଜୈବିକ ଆକର୍ଷଣ ଜନିତ ସମ୍ମୋହନ ବା ଏକ ଆନନ୍ଦମୟୀ ସୂକ୍ଷ୍ମ ଆବେଗ। ମାତ୍ର ଆଦିମ କାଳରୁ ନିଜକୁ ହଜାଇ ଦେବାର ସେ ଆଦିମ ଆକାଂକ୍ଷା ଓ ରହସ୍ୟମୟ ଅନୁଭବ ଯୋଗୁ ନାରୀ ପୁରୁଷର ସମ୍ପର୍କ ସଞ୍ଜ ସକାଳ ପରି ସତ୍ୟ। ଏହି ଶକ୍ତିଶାଳୀ ଜୀବଧର୍ମ ଉଭୟ ମାନସିକ ଓ ତଜ୍ଜନିତ ଶାରୀରିକ ପୁଲକମୟ ଉପଲବ୍ଧିର ବିଷୟ ହୋଇଥିବାରୁ ତାହା ଆମ ଅନ୍ତକରଣରେ ସୃଷ୍ଟି କରେ ଗଭୀର ସ୍ପନ୍ଦନ। ହୃଦୟର ସେ ସ୍ପନ୍ଦନକୁ ପ୍ରକାଶ କରିବାକୁ ଯାଇ କବି ଅଭିମନ୍ୟୁ ସାମନ୍ତସିଂହାର ଲେଖିଛନ୍ତି ”ଅନଳ ନୁହଁଇ ଦେହ ଦହଇ,ଅସ୍ତ୍ର ନୁହଁଇ ମରମ ଭେଦଇ, ନୁହଁଇ ତ ଜଳ ବୁଡ଼ାଏ କୁଳ, ନୁହଁଇ ମାଦକ କରେ ବିହ୍ବଳ“। ସୁତରାଂ ପ୍ରେମ ଜୀବନର ସର୍ବୋତ୍ତମ ସତ୍ୟର ଏକ ମୁଗ୍ଧ ଉଚ୍ଚାରଣ ଏବଂ ତା’ର ପରବର୍ତ୍ତୀ ପର୍ଯ୍ୟାୟ ହେଉଛି ଦେହଧର୍ମ, ଯାହା ଖୁବ୍‌ ତୁଚ୍ଛ ମନେହୁଏ ପ୍ରେମର ପ୍ରାଣ ପ୍ରାଚୁର୍ଯ୍ୟତା ପାଖରେ।
ସବୁ ଧର୍ମ ଦର୍ଶନ ଓ ସଂସ୍କୃତିରେ ପ୍ରତିପାଦିତ ହୋଇଛି ପ୍ରେମର ମହତ୍ତ୍ୱ। ଭାରତୀୟ ସାହିତ୍ୟରେ ରାଧା-କୃଷ୍ଣ, ହର-ପାର୍ବତୀ, ରାମ-ସୀତା, ରତି-କାମଦେବ,ସାବିତ୍ରୀ-ସତ୍ୟବାନ ଓ ଦୁଷ୍କନ୍ତ-ଶକୁନ୍ତଳା ଆଦି ପ୍ରେମ କାହାଣୀରେ ରହିଛି ପ୍ରେମର ସର୍ବୋଚ୍ଚ ଉପଲବ୍ଧି। ଆମ ଇତିହାସ ଓ ଲୋକକଥାରେ ମଧ୍ୟ ଅମର ହୋଇ ରହିଛି ପୃଥ୍ବୀରାଜ-ସଂଯୁକ୍ତା, ମମତାଜ୍‌-ଶାହାଜାହାନ୍‌, କେଦାର-ଗୌରୀଙ୍କ ପ୍ରେମ କାହାଣୀ। ଏସବୁ ପ୍ରେମ କାହାଣୀରେ ପ୍ରେମର ଉପସ୍ଥିତି ନୁହେଁ, ତା’ର ଅବର୍ତ୍ତମାନ ହିଁ ଅଧିକ ବୈଚିତ୍ର୍ୟମୟ। ଶେଷହୀନ ବିରହ ବାଧା ଓ ବେଦନା ଭିତରେ ଶୁଦ୍ଧ ସୁବର୍ଣ୍ଣ ପରି ଆହୁରି ସୁନ୍ଦର ଓ ସ୍ନିଗ୍ଧ ହୋଇଛି ପ୍ରାଣର ଉଚ୍ଛ୍ବାସ। ଅର୍ଥାତ୍‌ ମିଳନରେ ନୁହେଁ, ବିରହର ବିଦଗ୍ଧତାରେ, ସମ୍ଭୋଗରେ ନୁହେଁ, ବିପ୍ରଲମ୍ଭର ବିଶ୍ୱସନୀୟତାରେ ମୁଦ୍ରିତ ପ୍ରେମର ମହନୀୟତା।
ଭାରତୀୟ ମୂଲ୍ୟବୋଧରେ ପ୍ରେମ ଶାଶ୍ବତ, ଯାହା ମାନବ ଜୀବନର ସାରବସ୍ତୁ ବା ସର୍ବୋତ୍ତମ ସତ୍ୟର ଭାବସତ୍ତା। ଆମ ବିଶ୍ବାସରେ ପ୍ରେମ ଏକ ମହାଜାଗତିକ ଶକ୍ତି, ଯେଉଁ ଶକ୍ତି ଦ୍ବାରା ନିୟନ୍ତ୍ରିତ ହୁଏ ବିଶ୍ବ ବ୍ରହ୍ମାଣ୍ଡର ସମସ୍ତ କ୍ରିୟାକଳାପ। ପ୍ରେମର ନିଜର ଅମାପ ଶକ୍ତି ବଳରେ ଭୀରୁକୁ ସାହସୀ କରେ, ମୂକକୁ ବାଚାଳ କରେ ଓ ଆତ୍ମା ଆତ୍ମା ମଧ୍ୟରେ ସଂସ୍ଥାପନ କରେ ମହାଯୋଗ ବା ମହାମିଳନ। ଜଗତ ଓ ଜୀବନକୁ ବୁଝିବା ପାଇଁ ଖୋଲିଦିଏ ଦିବ୍ୟ ଚକ୍ଷୁ। ଏଭଳି ଉତ୍ସର୍ଗୀକୃତ ପ୍ରେମକୁ କବଳିତ କରି ପାରେନି ମୃତ୍ୟୁ। ସେଥିପାଇଁ ତ କୁହାଯାଏ ପ୍ରେମ ହେଉଛି କାଳକୁ ଜିଣିବାର ଏକ କଳା। ସେଥିରେ ନିହିତ ଯେ କୌଣସି ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିବାର ଉତ୍ସାହ ଓ ପ୍ରେରଣା। ପ୍ରେମର କୋମଳ ସ୍ପର୍ଶ ଜଣକୁ କବି କରିଦେଇପାରେ, ତେଣୁ ବସ୍ତୁ ଜଗତର ହଜାରେ ଅଭାବ ସତ୍ତ୍ବେ ନିଜକୁ ଧନୀ ସୌଦାଗର ମନେକରେ ପ୍ରେମମନସ୍କ ମଣିଷ। ବିଶ୍ବକବି ରବୀନ୍ଦ୍ରନାଥଙ୍କ ମତରେ ପ୍ରେମ ଏକ ଅନ୍ତହୀନ ରହସ୍ୟ, ଯାହା କେହି କାହାକୁ ବୁଝେଇ ପାରେନି ଭାଷାରେ। ସ୍ବାମୀ ବିବେକାନନ୍ଦ କହନ୍ତି, ଜୀବନର ସବୁ ସତ୍ୟ ଓ ସନ୍ତୋଷର ଚାବିକାଠି ବା ଶାନ୍ତିପୂର୍ଣ୍ଣ ସହାବସ୍ଥାନର ଆଧାରଶିଳା ହେଉଛି ପ୍ରେମ । ଯେଉଁଠି ପ୍ରେମ, ସେଇଠି ଜ୍ଞାନ ଓ ପବିତ୍ରତା। ଯେଉଁଠି ପ୍ରେମ ସେଇଠି ବାଧ୍ୟତା ଓ କର୍ତ୍ତବ୍ୟନିଷ୍ଠା। ଅର୍ଥାତ ପ୍ରେମ ଆମ ଜୀବନଯାତ୍ରାର ଅଙ୍ଗ ଓ ଅଙ୍ଗୀକାର। ସେଥିପାଇଁ କୁହାଯାଏ ଏ ପୃଥିବୀ ହେଉଛି ପ୍ରେମର ପୃଥିବୀ। ଏଠି ଶିଶୁଟିଏ ଜନ୍ମ ହେବା ମାତ୍ରେ ତା’ ଭିତରେ ଜନ୍ମଦାତ୍ରୀ ପ୍ରତି ଭରିଯାଏ ଭଲପାଇବା। ଏହା ଏକ ପ୍ରକୃତିଦତ୍ତ ପ୍ରକ୍ରିୟା। ସତରେ ପ୍ରେମ ଏମିତି ଏକ ମଞ୍ଜି, ଯାହା ଦ୍ରୁମାୟିତ ହେବା ପାଇଁ ଲୋଡା ମଣିଷର ହୃଦୟ। ଥରେ ପ୍ରେମର ପ୍ରବାହ ସୃଷ୍ଟି ହେଲେ ମଣିଷ ଏମିତି ବିନୀତ ହୋଇଯାଏ ଯେ କାହାକୁ ଘୃଣା କରିବାକୁ ସେ ହରାଇ ବସେ ସାମର୍ଥ୍ୟ। କାରଣ ଭଲ ପାଇବାର ଭାବଜଗତରେ ନ ଥାଏ ଶତ୍ରୁତାର ବିଚାର ଓ ବିଭେଦ। ଅନ୍ୟପକ୍ଷରେ ପ୍ରେମଶୂନ୍ୟ ହୃଦୟ ପ୍ରେତ ପିଶାଚର ଲୀଳାଭୂମି। ତେଣୁ ପ୍ରକୃତ ପ୍ରେମର ପ୍ରସାର ଘଟିଲେ ବଦଳି ଯାଆନ୍ତା ପୃଥିବୀର ଚିତ୍ର। ଆଉ ରହନ୍ତାନି ଯୁଦ୍ଧର ବିଭୀଷିକା ଏବଂ ସନ୍ତ୍ରାସବାଦର ଭୟ ଓ ଆତଙ୍କ। କିନ୍ତୁ ସେ ଅସଲ ପ୍ରେମ ଆଜି କାହିଁ! ହୃଦୟରେ ସେ ପ୍ରେମର ଅଭାବ କାରଣରୁ ଆମ ପାଇଁ ଅପହଞ୍ଚ ଏବେ ପ୍ରେମର ପୃଥିବୀ! ଆମେ ଯାହାକୁ ପ୍ରେମ ବୋଲି କହୁଛୁ ତାହା ପ୍ରେମ ନୁହେଁ, ପଣ୍ୟ। ତୁଚ୍ଛା ଦେବା ନେବାର ସମ୍ପର୍କ। ଲାଭ କ୍ଷତିର ସଉଦା। ଅଥଚ ପ୍ରେମ କେବେ ଦେହର କ୍ଷୁଧା ନୁହେଁ, ଏହା ଏକ ସମ୍ବେଦାତ୍ମକ ବିଷୟ।
ଅଧ୍ୟକ୍ଷ, ଫୁଲମତୀ ହେମ୍ବ୍ରମ ମହାବିଦ୍ୟାଳୟ ପଡ଼ିଆବେଡ଼ା, ମୟୂରଭଞ୍ଜ
ମୋ- ୯୪୩୮୮୫୫୦୮୮


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri