ନାଗରିକର କ୍ଷତି

ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ନେତା ତଥା ଏବେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ହୋଇଥିବା ଅଜିତ୍‌ ପାଓ୍ବାର ପ୍ରମାଣ କରିଦେଇଛନ୍ତି ଯେ, ରାଜନୀତିରେ କେହି କାହାର ସ୍ଥାୟୀ ବନ୍ଧୁ କିମ୍ବା ଶତ୍ରୁ ନୁହନ୍ତି। ଆଜି ଯାହାଙ୍କ ବିରୋଧରେ ଜଣେ ଗର୍ଜୁଥିବେ ଆସନ୍ତାକାଲି ତାଙ୍କୁ କୋଳେଇ ନେବାରେ ଦ୍ୱିଧାବୋଧ କରୁନାହାନ୍ତି। ଏମାନଙ୍କୁ ସୁବିଧାବାଦୀ ବୋଲି ସାଧାରଣରେ ଲୋକେ କହିଥାଆନ୍ତି। ତାହାର ମୁଖ୍ୟ କାରଣ ହୋଇପାରେ ଯେ, ରାଜନୈତିକ ଦଳ ଓ ବ୍ୟକ୍ତିବିଶେଷଙ୍କର ଜନସାଧାରଣଙ୍କ ହିତ ପାଇଁ କୌଣସି ଆଭିମୁଖ୍ୟ ରହୁନାହିଁ। ଏଥିସହିତ ଦେଶ ଓ ରାଜ୍ୟର ବିକାଶ ସକାଶେ କୌଣସି ଅର୍ଥନୈତିକ କାର୍ଯ୍ୟକ୍ରମରେ କେହି ସ୍ପଷ୍ଟତା ରକ୍ଷା କରୁନାହାନ୍ତି। ସବୁବେଳେ କ୍ଷମତାର ଲୋଭ ମୁଖ୍ୟ ପରିଚାଳକ ହୋଇଯାଉଛି।
ଅଜିତ ପାଓ୍ବାର ଭାରତୀୟ ରାଜନୀତିରେ ଏଭଳି ଜଣେ ବ୍ୟକ୍ତିତ୍ୱ ଭାବେ ଉଭା ହୋଇଛନ୍ତି ଯେ, ଯାହାଙ୍କର ନିଜତ୍ୱ ଥିବା ଭଳି ମନେ ହେଉନାହିଁ। କାରଣ କ୍ଷମତାର ସାମାନ୍ୟତମ ସୁଯୋଗ ମିଳିବା ମାତ୍ରେ ସେ ସେହି ଶିବିରକୁ ଡେଇଁବା ପାଇଁ ପ୍ରସ୍ତୁତ ହୋଇଥାଆନ୍ତି। ଅଳ୍ପ କିଛି ବର୍ଷର ରାଜନୈତିକ କ୍ୟାରିୟର ଦେଖିଲେ ସେ ସବୁଠାରୁ ସୁବିଧାବାଦୀ ରାଜନେତା ଭାବେ ଚର୍ଚ୍ଚାରେ ରହିଛନ୍ତି। ୨୩ ନଭେମ୍ବର ୨୦୧୯ରେ ଭାଜପା ନେତା ଦେବେନ୍ଦ୍ର ଫଡ୍‌ନବିସଙ୍କୁ ମୁଖ୍ୟମନ୍ତ୍ରୀ ଓ ଅଜିତ ପାଓ୍ବାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ତତ୍‌କାଳୀନ ରାଜ୍ୟପାଳ ଭଗତ ସିଂ କୋଶିୟାରୀ ଯେଉଁଭଳି ଭାବେ ଭୋର ସମୟରେ ଶପଥପାଠ କରାଇଥିଲେ ତାହା ଅନେକଙ୍କ ମନେଥିବ। ସେତେବେଳେ ଅଜିତ ତାଙ୍କ ଏନ୍‌ସିପିରୁ ଅଧିକାଂଶ ବିଧାୟକଙ୍କୁ ନେଇ ଦେବେନ୍ଦ୍ର ଫଡ୍‌ନବିସଙ୍କ ନେତୃତ୍ୱାଧୀନ ସରକାର ଗଢ଼ିବାରେ ସହାୟକ ହେବେ ବୋଲି ଘୋଷଣା କରିଥିଲେ। ଅଳ୍ପ କିଛି ସମୟ ମଧ୍ୟରେ କେନ୍ଦ୍ର ସରକାର ତାଙ୍କର ଏହି ଭାଜପା ସପକ୍ଷବାଦୀ ପଦକ୍ଷେପ ଦେଖି ଅଜିତଙ୍କ ବିରୋଧରେ ଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦୁର୍ନୀତି ମାମଲା ପ୍ରତ୍ୟାହାର କରି ଦେଇଥିଲେ। ମାମଲା ଉଠିଗଲା ପରେ ଅଜିତ ପୁନର୍ବାର ଭାଜପା ମେଣ୍ଟ ଛାଡ଼ି ମୂଳ ଏନ୍‌ସିପି ସହିତ ମିଶିଗଲେ। ତାଙ୍କ ଦାଦା ଶରଦ ପାଓ୍ବାର ଏହି ଖେଳ ସଫଳତାର ସହିତ କରାଇପାରିଲେ ବୋଲି ସମସ୍ତେ ଆଲୋଚନା କରିଥିଲେ। ପରବର୍ତ୍ତୀ ସମୟରେ ଉଦ୍ଧବ ଠାକ୍‌ରେଙ୍କ ଶିବସେନା ଯେତେବେଳେ ସରକାର ଗଢ଼ିବା ପାଇଁ ଏନ୍‌ସିପିର ସହାୟତା ଲୋଡ଼ିଲା ସେତେବେଳେ ଅଜିତ୍‌ ପୁଣି ଉପମୁଖ୍ୟମନ୍ତ୍ରୀ ହୋଇଥିଲେ। ଯେତେବେଳେ ଶିବସେନା ଦୁଇ ଭାଗ ହେଲା ଓ ଏକନାଥ ଶିନ୍ଦେ ନିଜ ବିଧାୟକଙ୍କୁ ନେଇ ଭାଜପା ସହିତ ମିଶି ମୁଖ୍ୟମନ୍ତ୍ରୀ ହେଲେ, ସେତେବେଳେ ଅଜିତ ବିରୋଧୀ ଦଳ ନେତା ହୋଇଥିଲେ। ମାତ୍ର ୪ ବର୍ଷ ଭିତରେ ଅଜିତ୍‌ଙ୍କ ଏଣ୍ଡୁଅ ଭଳି ରୂପ ପରିବର୍ତ୍ତନ ଭାରତୀୟ ରାଜନୀତିରେ ବ୍ରାଣ୍ଡ୍‌ ଆମ୍ବାସାଡର ହୋଇଗଲାଣି। ଶୁଣିବାକୁ ମିଳୁଛି ଯେ, ମହାରାଷ୍ଟ୍ର ବିଧାନସଭାରେ ଥିବା ୫୩ ଜଣ ଏନ୍‌ସିପି ବିଧାୟକଙ୍କ ମଧ୍ୟରୁ ୩୦ ଜଣ ଶିନ୍ଦେ ସରକାରଙ୍କୁ ସମର୍ଥନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୮ ଜଣ ମଧ୍ୟ ମନ୍ତ୍ରୀ ପଦ ପାଇଯାଇଛନ୍ତି।
୨୦୨୪ ଲୋକ ସଭା ନିର୍ବାଚନ ପାଖେଇ ଆସୁଥିବାରୁ ରାଜନୈତିକ ଦଳଗୁଡ଼ିକ ଅଧିକ ଆସନ ଲାଭ କରିବା ସକାଶେ ରଣନୀତି ପ୍ରସ୍ତୁତ କରିଚାଲିଛନ୍ତି। ଏକ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ନଷ୍ଟଭ୍ରଷ୍ଟ କରି ଯେନତେନ ପ୍ରକାରେଣ କେବଳ କ୍ଷମତା ଅକ୍ତିଆର କରିବା ହୋଇଯାଇଛି ଭାରତୀୟ ରାଜନୀତିର ନିୟମ। ଭାଜପା ମହାରାଷ୍ଟ୍ରକୁ ତାହାର ପ୍ରୟୋଗଶାଳା କରିଦେଇଛି। ଏହା ଯେଉଁଭଳି ଭାବେ ଶିବସେନାକୁ ଭାଙ୍ଗି ଏକନାଥଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଅଭିଷିକ୍ତ କରିଥିଲା, ଏନ୍‌ସିପିରେ ଫାଟ ସୃଷ୍ଟି ହେବାର ଗନ୍ଧ ପାଇବା ପରେ ଏବେ ସମାନ ଢଙ୍ଗରେ ତାହାକୁ ଭାଙ୍ଗିଦେଇଛି। ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ଶରଦ ପାଓ୍ବାର ଦଳର ମୁଖ୍ୟ ପଦବୀରୁ ଓହରି ଯାଇଥିଲେ। ସେତେବେଳେ ସମସ୍ତେ ଅନାଇ ରହିଥିଲେ ପୁତୁରା ଅଜିତ ପାଓ୍ବାର କିମ୍ବା ତାଙ୍କ ଝିଅ ସୁପ୍ରିୟା ସୁଲେ କାହାକୁ ସେ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏଭଳି ଚର୍ଚ୍ଚା ଚାଲିଥିଲା ବେଳେ ଦଳୀୟ ନେତା ଓ କର୍ମୀମାନେ ବାଧ୍ୟ କରିବାରୁ ଶରଦ ପାଓ୍ବାର ଏନ୍‌ସିପିର ମୁଖ୍ୟ ଭାବେ ପୁନଶ୍ଚ ଅବସ୍ଥାପିତ ହୋଇଥିଲେ। କିନ୍ତୁ ସେତିକି ବେଳୁ ଜଣାପଡ଼ିଯାଇଥିଲା ଯେ ପାର୍ଟି ଭିତରେ ସବୁକିଛି ଠିକ୍‌ଠାକ୍‌ ଚାଲିନାହିଁ। ଅଜିତ ପାଓ୍ବାର ମଧ୍ୟ ଏନ୍‌ସିପିର ରାଜ୍ୟ ଶାଖା ସଭାପତି ହେବା ପାଇଁ ଇଚ୍ଛୁକ ବୋଲି ଖୋଲାଖୋଲି ପ୍ରକାଶ କରିଥିଲେ। ଅନ୍ୟପଟେ ଶରଦ ପାଓ୍ବାର ତାଙ୍କ ଝିଅଙ୍କ ରାଜନୈତିକ ଉତ୍ଥାନ ଚିନ୍ତା କରୁଥିବା ନେଇ ଗୋଟେ ‘ଘୋ’ ସୃଷ୍ଟି ହୋଇଯାଇଥିଲା। ଭାଜପା ସମ୍ଭବତଃ ଏହି ଗୋଳିଆପାଣିରୁ ମାଛ ମାରିପାରିଛି।
ଗୋଟେ ସମୟ ଥିଲା ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ଜିତିବା ଲାଗି ବିପକ୍ଷଙ୍କ ବିରୋଧରେ ରଣକୌଶଳ ପ୍ରସ୍ତୁତ କରୁଥିଲେ। ହେଲେ ଏବର ନୂଆ ରଣକୌଶଳ ହେଲା ବିରୋଧୀଙ୍କୁ ବଶୀଭୂତ କରି ନିଜ ଆଡ଼କୁ ଟାଣିଆଣିପାରିଲେ ନିର୍ବାଚନ ପଡ଼ିଆରେ ଖଣ୍ଡିଆଖାବରା ହେବାର ଆବଶ୍ୟକତା ପଡ଼ିବ ନାହିଁ। ଦୁର୍ବଳ ବିରୋଧୀ ମଧ୍ୟ ଲଢ଼ିବାକୁ ନ ଚାହିଁ ଶାସକଙ୍କ ପାଖରୁ ପୁଳାଏ ପକାଇ ଦେବାକୁ ଅଧିକ ପସନ୍ଦ କଲାଭଳି ମନେହେଉଛି। ଭାଜପାର ନୂଆ ପ୍ରକାର ରଣକୌଶଳ କାଳକ୍ରମେ ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ ହୋଇଯାଉଛି। ଅର୍ଥାତ୍‌ ଗଣତାନ୍ତ୍ରିକ ପ୍ରକ୍ରିୟାରେ ବିରୋଧୀଙ୍କ ସ୍ବର କ୍ଷୀଣ ହୋଇଗଲେ ଶାସକ ବର୍ଗ ମନଇଚ୍ଛା କାର୍ଯ୍ୟ କରିବାକୁ ସୁଯୋଗ ପାଇବେ। ଏଥିରେ ସର୍ବାଧିକ କ୍ଷତି ନାଗରିକଙ୍କ ହେବ।
ଅଜିତ୍‌ ପାଓ୍ବାରଙ୍କ କାହାଣୀ ଇଙ୍ଗିତ କରିଦେଉଛି ଯେ, ଆଗାମୀ ଦିନରେ ଜାତୀୟ ରାଜନୀତି କେଉଁ ମୋଡ଼ ନେବ। ୨୦୨୪ ପୂର୍ବରୁ ନିଜର ସ୍ଥିତି ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ଦୁର୍ନୀତିଗ୍ରସ୍ତ ନେତାଙ୍କୁ କୋଳେଇ ନେବାପାଇଁ ଚେଷ୍ଟା କରିବା ମହାରାଷ୍ଟ୍ରର ଏହି ଘଟଣାରୁ ବୁଝାପଡୁଛି। ତାମିଲନାଡୁର ମନ୍ତ୍ରୀ ସେନ୍ଥିଲଙ୍କୁ ସଚିବାଳୟରୁ ଗିରଫ କରାଗଲା ଏବଂ ପରବର୍ତ୍ତୀ ସମୟରେ ରାଜ୍ୟପାଳ ତାଙ୍କୁ ବହିଷ୍କାର କରିବାକୁ ଅସଫଳ ଚେଷ୍ଟା କଲେ। ଦିଲ୍ଲୀରେ ଶାସନ କରୁଥିବା ଆପ୍‌ର ନେତା ତଥା ଉପମୁଖ୍ୟମନ୍ତ୍ରୀ ଥିବାବେଳେ ମନୀଷ ସିସୋଡିଆ ଏବଂ ଅନ୍ୟ ମନ୍ତ୍ରୀମାନଙ୍କୁ ଗିରଫ କରାଯାଇ ଜେଲ୍‌ରେ ରଖାଯାଇଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ବିରୋଧରେ ଦୁର୍ନୀତି ମାମଲା ସ୍ଥଗିତ ରଖାଯାଇଛି। ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍‌ଙ୍କ ଝିଅ କେ.କବିତାଙ୍କ ବିରୋଧରେ ମଦ ଦୁର୍ନୀତି ଅଭିଯୋଗ ଅଣାଯିବା ଭଳି ଅନେକ ଉଦାହରଣ ରହିଛି, ଯେଉଁଗୁଡ଼ିକୁ ବ୍ୟବହାର କରି ଫାଇଦା ଉଠାଇବ କେନ୍ଦ୍ରରେ ଶାସନ କରୁଥିବା ଭାଜପା। ଯିଏ ଯେତେ ଯାହା କହୁ ଭାଜପା ହୋଇଗଲାଣି ସବୁ ଦୁର୍ନୀତିଗ୍ରସ୍ତଙ୍କ ଆଶ୍ରୟସ୍ଥଳ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri