ସୁନାବେଶରେ ଶ୍ରୀଜୀଉ

ପୁରୀ ଅଫିସ,୨୧।୭: ତିନି ରଥରେ ତିନି ଠାକୁର ତାଙ୍କର ଅପୂର୍ବ ସୁନାବେଶରେ ବିଶ୍ୱବାସୀଙ୍କୁ ଦର୍ଶନ ଦେଉଛନ୍ତି। ମାଉସୀମା’ ଘରେ ପୋଡ଼ପିଠା ଖାଇ ଫେରିବା ପରେ ବୁଧବାର ସନ୍ଧ୍ୟାରେ ମହଣ ମହଣ ସୁନାରେ ସୁସଜ୍ଜିତ ହୋଇଛନ୍ତି ଶ୍ରୀଜୀଉମାନେ।

ରତ୍ନଭଣ୍ଡାରରୁ ଶ୍ରୀଜୀଉଙ୍କ ଆଭୂଷଣ ଆସିବା ପରେ ସେବାୟତମାନେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ କରିଥିଲେ। ଆଷାଢ଼ ଶୁକ୍ଳ ଏକାଦଶୀରେ ସିଂହଦ୍ୱାର ସମ୍ମୁଖରେ ୩ ରଥ ଉପରେ ମହାପ୍ରଭୁ ସୁନାବେଶରେ ସଜ୍ଜିତ ହୋଇ ଦର୍ଶନ ଦେଇଥାନ୍ତି। ସେହିପରି ଶ୍ରୀମନ୍ଦିରସ୍ଥ ରତ୍ନସିଂହାସନ ଉପରେ ଶ୍ରୀଜୀଉ କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଓ ଦଶହରା ପବିତ୍ର ପର୍ବଗୁଡିକରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି।

ସୂଚନାଯୋଗ୍ୟ, ଶ୍ରୀଜୀଉଙ୍କ ସୁନାବେଶ ଅବସରରେ ବୁଧବାର ସକାଳ ୬ଟାରୁ ୬ଟା ୩୦ ମଧ୍ୟରେ ଆଳତି କରାଯାଇଥିଲା । ୭ଟାରେ ମଇଲମ, ୮ଟାରେ ଅବକାଶ, ୯ଟାରେ ବେଶ ଶେଷ, ୧୦ଟାରୁ ୧୦ଟା ୩୦ ଗୋପାଳବଲ୍ଲଭ, ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ସକାଳ ଧୂପ ନୀତି ଅନୁଷ୍ଠିତ ହୋଇଥିଲା । ସେହିପରି ଅପରାହ୍ନ ୧ଟାରେ ମହାସ୍ନାନ ଓ ସର୍ବାଙ୍ଗ, ୧ଟା ୩୦ରେ ବେଶଶେଷ, ୨ଟାରୁ ୩ଟା ପର୍ଯ୍ୟନ୍ତ ମଧ୍ୟାହ୍ନ ଧୂପ, ୩ଟା ୩୦ରୁ ମଇଲମ, ୪ଟାରେ ମେକାପ ସର୍ବାଙ୍ଗ ନୀତି ସମ୍ପନ୍ନ ହୋଇଥିଲା।

ସୁନାବେଶ ପରେ ରାତି ୮ଟାରୁ ୯ଟା ମଧ୍ୟରେ ସାଧୂପ, ରାତି ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ସୁନାବେଶ ମଇଲମ, ରାତି ଚନ୍ଦନଲାଗି, ୧ଟାରେ ବଡ଼ସିଂହାର ବେଶ, ୧ଟା ୩୦ରେ ବଡ଼ସିଂହାର ଭୋଗ, ୨ଟାରେ ଶ୍ରୀଗରୁଡ଼ ଶୟନ ଓ ରାତ୍ର ପହୁଡ଼ ନୀତି ଅନୁଷ୍ଠିତ ହେବ।