ଭଲ ମଣିଷ ଖୋଜା ଚାଲିଛି

ଏକ ଓଡ଼ିଆ ମଞ୍ଚ ନାଟକର ଉପରୋକ୍ତ ନାମକରଣ ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ। ପୃଥିବୀରେ ମଣିଷ ସଂଖ୍ୟା ସିନା ବଢି ଚାଲିଛି ହେଲେ ଭଲ ମଣିଷଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଉଛି । ଭଲ ମଣିଷ କହିଲେ ସାଧାରଣତଃ ସେଇ ମଣିଷ, ଯାହା ଭିତରେ ମାନବୀୟ ଗୁଣ ଯଥା- ଦୟା, କ୍ଷମା, ପ୍ରେମ, ପରୋପକାର ମନୋଭାବ, ସାଧୁତା, ତ୍ୟାଗ ଇତ୍ୟାଦି ସୁଗୁଣ ନିହିତ ଥାଏ । ଏଇ ପ୍ରକାର ମଣିଷ ଦିନେ ଖୋଜୁଥିଲେ ଗ୍ରୀକ୍‌ ଦାର୍ଶନିକ ଡାଇଓଜିନିଜ ଏଥେନ୍ସ ନଗରୀର ରାଜରାସ୍ତାରେ ଦିବାଲୋକରେ ହାତରେ ଜଳନ୍ତା ମଶାଲ ଧରି । ଲୋକଙ୍କ ପ୍ରଶ୍ନରେ ସେ କହନ୍ତି – ଭଲ ମଣିଷ ଖୋଜୁଛନ୍ତି । ତାଙ୍କ ଉତ୍ତରର ମର୍ମକୁ ଠିକ୍‌ ଭାବେ ବୁଝି ନ ପାରି ଅନେକେ ତାଙ୍କୁ ପାଗଳ କହି ଉପହାସ କରୁଥିଲେ l କିନ୍ତୁ ଡାଇଓଜିନିଜ ଥିଲେ ବିଖ୍ୟାତ ଦାର୍ଶନିକ ଓ ଜଣେ ନୀତିନିଷ୍ଠ ବ୍ୟକ୍ତି l ସମାଜକୁ ଭଲ କରିବାକୁ ହେଲେ ଭଲ ମଣିଷ ଦରକାର ଯାହା ସେ ଖୋଜୁଥିଲେ କିନ୍ତୁ ପାଉ ନ ଥିଲେ ।
ସମ୍ପ୍ରତି ଉନ୍ନତ ବୈଜ୍ଞାନିକ ପଦ୍ଧତିରେ ଚାଷ କରି ଆମେ ଉତ୍ପାଦନ ବୃଦ୍ଧି କରିପାରିଛୁ । ବିଭିନ୍ନ ଜୀବଜନ୍ତୁ ଏବଂ ଉଦ୍ଭିଦର ଜନ୍ମ ଓ ବିକାଶ ଯେପରି ଉନ୍ନତ ହେବ ସେଥିପାଇଁ ପ୍ରଜନ୍ମ ବିଜ୍ଞାନୀମାନେ ପ୍ରୟାସ ଜାରିରଖିଛନ୍ତି । କିନ୍ତୁ ମଣିଷର ଭାବୀ ବଂଶଧର କିପରି ଭଲ ହେବେ ସେଥିପ୍ରତି କାହାରି ନିଘା ନାହିଁ । ଫଳରେ ଆଜି ମଣିଷଙ୍କ ସଂଖ୍ୟା ସିନା ବଢିଚାଲିଛି କିନ୍ତୁ ମଣିଷ ପରି ମଣିଷଙ୍କ ସଂଖ୍ୟା ହ୍ରାସ ପାଇ ଚାଲିଛି । ଭଲ ମଣିଷଙ୍କୁ ନେଇ ଭଲ ସମାଜ ଗଠନ ହୁଏ । ତେଣୁ ଭଲ ମଣିଷ ଜନ୍ମ ଦେବାର ଆବଶ୍ୟକତା ଜରୁରୀ। ସାଧୁସନ୍ଥମାନ ଆହ୍ବାନ ଦେଇଥିଲେ- ମନକୁ ସଞ୍ଜତ କରି ମନୁଷ୍ୟ ହୁଅ ଆଉ ଦେବ ସନ୍ତାନ ଜନ୍ମ କର । ସୁସନ୍ତାନ ଜାତ ପାଇଁ ବୈଧ ବିବାହ ପ୍ରୟୋଜନ । ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର କହନ୍ତି- Good breeding and upliftment are marriage’s basic stay . ତେଣୁ ଭଲ ମଣିଷ ଜନ୍ମ ଦେବା ପାଇଁ ଆବଶ୍ୟକ ପରିଶୁଦ୍ଧ ପ୍ରଜନନ। ଭାଗବତ ମଧ୍ୟ କହେ- ସ୍ତ୍ରୀ ସଙ୍ଗମ ଋତୁ ମତେ, କେବଳ ପୁତ୍ର ଜନ୍ମ ଅର୍ଥେ। ଦୁଃଖର ବିଷୟ, ଭଲ ସନ୍ତାନ ଜନ୍ମ ଦେବେ ଯେଉଁମାନେ, ସେମାନେ କୈଶୋର ବୟସରୁ ଅସଂଯମୀ ଓ ଅନିୟନ୍ତ୍ରିତ ହୋଇ ପଡୁଛନ୍ତି। ଆଜିର ପୁଅ-ଝିଅମାନେ ତାରୁଣ୍ୟର ଆବେଗରେ ପରସ୍ପର ସହିତ ଅବାଧ ମିଳାମିଶା କରି ବିକୃତ ଯୌନାଚାରରେ ଲିପ୍ତ ହେଉଛନ୍ତି।
ଫଳରେ ଯୌନ ଜୀବନର ପବିତ୍ରତା ହରାଉଛନ୍ତି।
ଅସଂଗତିପୂର୍ଣ୍ଣ ବିବାହରୁ ସୁଜାତକର ସମ୍ଭାବନା ଆଶା କରିବା ବୃଥା। ବରଂ ଅପଜାତକ ବା ବର୍ଣ୍ଣସଙ୍କର ସୃଷ୍ଟି ହୋଇ ଦେଶ ଓ ଜାତିର ଧ୍ବଂସ ସାଧନ କରନ୍ତି। ଯୌନବିକାରଗ୍ରସ୍ତ ଦମ୍ପତିଙ୍କ କଳୁଷ ଚିନ୍ତା ଓ ଚେତନାକୁ ଭିତ୍ତିକରି ନଷ୍ଟଜାତକର ଆବିର୍ଭାବ ହୁଏ। ଭଲ ସନ୍ତାନ ଜନ୍ମ ଦେଇ ଭଲ ସମାଜ ଗଠନ ପାଇଁ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର କହନ୍ତି- ”ରାଷ୍ଟ୍ର ପୂଜାର ଅର୍ଘ୍ୟ ଜାଣ ସୁପ୍ରଜନର ସୁସନ୍ତାନ/ଯେ ଐଶ୍ୱର୍ଯ୍ୟେ ଦେଶବାସୀ ସବୁ ଆପଦରୁ ପାଆନ୍ତି ତ୍ରାଣ“l ତେଣୁ ସଦ୍‌ଗୁରୁ ଗ୍ରହଣ କରି ପୁରୁଷ ଓ ନାରୀ ଆଦର୍ଶ ଜୀବନଯାପନ କରି ଭଲ ମଣିଷ ଜନ୍ମ ଦେବାପାଇଁ ସଂକଳ୍ପବଦ୍ଧ ହେବା ଆବଶ୍ୟକ l
ଅତଏବ ସୁବିବାହ, ପ୍ରୀତିପୂର୍ଣ୍ଣ ଦାମ୍ପତ୍ୟ ଜୀବନ ଏବଂ ଉପରତି ସମୟର ଉନ୍ନତ ଚିନ୍ତା ଓ ଚେତନା ଭଲ ମଣିଷ ଜନ୍ମ ଦେବାର ମୌଳିକ ଆବଶ୍ୟକତା। ହିନ୍ଦୁ ଶାସ୍ତ୍ରରେ ‘ସବର୍ଣ୍ଣ ଅନୁଲୋମ’ ବିବାହ ଆଦର୍ଶ ବିବାହ ରୂପେ ସ୍ବୀକୃତ। ଅର୍ଥାତ୍‌ ଉଚ୍ଚ ବର୍ଣ୍ଣର ପୁଅ ସହିତ ନିମ୍ନ ବର୍ଣ୍ଣର କନ୍ୟାର ବିଧିସଂଗତ ବିବାହ ବଂଶ ଓ ବୈଶିଷ୍ଟ୍ୟକୁ ଅକ୍ଷୁଣ୍ଣ ରଖେ। ଏହାର ବିପରୀତ ‘ପ୍ରତିଲୋମ ବିବାହ’(ଉଚ୍ଚ ବର୍ଣ୍ଣର କନ୍ୟା ସହିତ ନିମ୍ନ ବର୍ଣ୍ଣର ପୁଅର ବିବାହ) ଅପଜାତକ ସୃଷ୍ଟି କରେ। ମଣିଷ ପ୍ରଥମେ ଜନ୍ମ ହୁଏ ଓ ପରେ ଶିକ୍ଷାପାପ୍ତ ହୁଏ। ଶିକ୍ଷାର ବ୍ୟବସ୍ଥା ଠିକ୍‌ କରିବା ପୂର୍ବରୁ ଜନ୍ମଗତ ଶୁଦ୍ଧତା ଅଧିକ ପ୍ରୟୋଜନ। ଯୌନ ଶିକ୍ଷା ଦେବା ପରିବର୍ତ୍ତେ ନୈତିକ ଶିକ୍ଷା ଓ ବ୍ରହ୍ମଚର୍ଯ୍ୟ ପାଳନର ଶିକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ।
କାରଣ ସଂଯମ ଚଳଣି ଆଦର୍ଶ ଜୀବନଚର୍ଯ୍ୟା, ଭଲ ମଣିଷ ଜନ୍ମର ଭିତ୍ତିପ୍ରସ୍ତର ସ୍ଥାପନ କରିଥାଏ l
ଯୌତୁକବିହୀନ ବିବାହ ଓ ପ୍ରୀତିପୂର୍ଣ୍ଣ ଦାମ୍ପତ୍ୟ ଜୀବନଯାପନ ମଧ୍ୟ ଦେଇ ସୁଜାତକ ଜନ୍ମ ନିଏ। ଯୁବସମାଜ ଯୌତୁକବିହୀନ ବିବାହ କରି ଉଦାହରଣ ସୃଷ୍ଟି କରନ୍ତୁ। ଭଲ ମଣିଷ ଜନ୍ମ ଦେବାପାଇଁ ସଂକଳ୍ପବଦ୍ଧତା ଲୋଡା। ଏହା ସମୟର ଆହ୍ବାନ।

ପ୍ରା.ଶ୍ରୀକାନ୍ତ ନାୟକ
ସୁନ୍ଦରପୁର,ବିଞ୍ଝାରପୁର, ଯାଜପୁର
ମୋ: ୯୯୩୭୮୮୧୧୮୪

 

Dharitri – Odisha’s No.1 Odia Daily