ସିବିଆଇ ଷଡ଼ଯନ୍ତ୍ରକାରୀଙ୍କୁ ଖୋଜୁ

ଭୁବନେଶ୍ୱର, ୨୩।୨ (ବ୍ୟୁରୋ): ଅଞ୍ଜନା ମିଶ୍ର ଗଣବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଗିରଫ ହେବା ପରେ ନିଜ ଅନ୍ତରର କଷ୍ଟକୁ ବଖାଣିଛନ୍ତି ନିଜେ ପୀଡିତା। ଖବରଦାତା ସମ୍ମିଳନୀରେ ଅଞ୍ଜନା କହିଛନ୍ତି, ଦୀର୍ଘ ୨୨ବର୍ଷ ହେବ ମୁଁ ମରି ମରି ବଞ୍ଜିଛି। ପ୍ରତି ମୁହୂର୍ତ୍ତରେ ମାନସିକ ସ୍ତରରେ ମୁଁ ଯନ୍ତ୍ରଣା ପାଉଛି। ଅଭିଯୁକ୍ତ ଓ ସମ୍ପୃକ୍ତ ଅନ୍ୟମାନେ ମୋତେ କେବେ ଶାନ୍ତିରେ ଏକାକୀ ଛାଡିନାହାନ୍ତି। ମୋତେ ଜୀବନରୁ ମାରିଦେବାକୁ ଚେଷ୍ଟା କରାଯାଇଛି। ମୋ ପାଟି ବନ୍ଦ କରିବାକୁ ଯଥା ସମ୍ଭବ ଉଦ୍ୟମ କରାଯାଇଛି। ମୁଁ ଯନ୍ତ୍ରଣା ସହିଛି, ହେଲେ ଡରିଯାଇନାହିଁ। କିଏ କହୁଥିଲା ବିବନ ମରିଯାଇଛି, କିଏ କହୁଥିଲା ତାଙ୍କୁ ଦେଶ ବାହାରକୁ ପଠାଇ ଦେଇଛନ୍ତି। ମୁଁ ଭାବି ନ ଥିଲି ସେ ଧରା ପଡିବ ବୋଲି। ହେଲେ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଅସମ୍ଭବକୁ ସମ୍ଭବ କରିଦେଲେ। ତେବେ ଗିରଫ ହୋଇଥିବା ଏମାନେ ସମସ୍ତେ ହେଲେ ମୋତେ ବଳାତ୍କାର କରିଥିବା ଅଭିଯୁକ୍ତ। ୟା’ ପଛରେ ଥିବା ଷଡଯନ୍ତ୍ରକାରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଇନ୍ଦ୍ରଜିତ ରାୟ, ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନାମରେ ମୁଁ ଅଭିଯୋଗ କରିଥିଲି ସେମାନେ ହିଁ ଏପରି ଷଡ଼ଯନ୍ତ୍ର କରିଥିଲେ। ସେମାନଙ୍କ ବିରୋଧରେ କିଛି ହୋଇପାରିଲା ନାହିଁ। ସିବିଆଇ କିଛି ନ କରି ଚୁପ୍‌ ହୋଇଯାଇଥିଲା। ମୁଖ୍ୟ ଅଭିଯୁକ୍ତ ବିବନ ଧରାପଡିବା ପରେ ମୁଁ ଆଶା କରୁଛି ସିବିଆଇ ଏହା ପଛରେ ଲୁଚି ରହିଥିବା ଷଡଯନ୍ତ୍ରକାରୀଙ୍କୁ ଖୋଜି ବାହାର କରୁ। ତେବେ ବହୁତ ଡେରି ହୋଇଗଲା ବିବନଙ୍କୁ ଧରିବା। ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ.ବି. ପଟ୍ଟନାୟକ ବଞ୍ଚତ୍ଥିବା ସମୟରେ ବିବନ ଧରାପଡ଼ିଥିଲେ ଭଲ ହୋଇଥାନ୍ତା ବୋଲି କହିଛନ୍ତି ଅଞ୍ଜନା। ଅନ୍ୟପକ୍ଷେ ସୁଶ୍ରୀ କାନୁନ୍‌ଗୋ ବାରମ୍ବାର ମୋତେ ପାଟି ଚୁପ୍‌ କରି ବସିବାକୁ ଧମକ ଦେଉଥିଲେ ବୋଲି ଅଞ୍ଜନା କହିଛନ୍ତି। ସୁଶ୍ରୀଙ୍କ ସ୍ବାମୀ ଆର୍ମିରେ ଥିବାରୁ ସେ ଯବାନମାନଙ୍କୁ ଲଗାଇ ମୋ ଘର ଓ ମୋ ଉପରକୁ ପଥର ଫିଙ୍ଗିଥିଲେ। ଏପରି ସ୍ଥିତି ହୋଇଥିଲା ମୁଁ ଘର ଛାଡିବାକୁ ବାଧ୍ୟ ହୋଇଥିଲି ବୋଲି ଅଞ୍ଜନା କହିବା ସହ କମିଶନର ସୁଧାଂଶୁ ଷଡଙ୍ଗୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଥିଲେ।

‘ଭାଙ୍ଗି ନ ପଡ଼ି ଲଢ଼େଇ କର’  ପୀଡ଼ିତାଙ୍କୁ ଦେଲେ ସାହସ

ଆମ ଦେଶରେ ଆଇନ ବ୍ୟବସ୍ଥା ବହୁତ କଷ୍ଟଦାୟକ। ଏହା ଏକ ଲମ୍ବା ପ୍ରକ୍ରିୟା। ଅପରାଧୀ ଦଣ୍ଡ ପାଇବା ସମୟ ମଧ୍ୟରେ ଆମ ସମାଜ ପୀଡିତାଙ୍କୁ ଏମିତି ନଜରରେ ଦେଖେ ଯେ କେହିବି ହେଲେ ମାନସିକ ସ୍ତରରେ ଭାଙ୍ଗିପଡିବ। ତେଣୁ ମୋର ସମସ୍ତଙ୍କୁ କହିବାର ଅଛି ଜୀବନରେ ଡର ନାହିଁ କି ଭାଙ୍ଗି ପଡନି। ନ୍ୟାୟ ପାଇଁ ଲଢେଇ କର ବୋଲି ଅଞ୍ଜନା ରାଜ୍ୟର ଅନ୍ୟ ପୀଡିତାଙ୍କୁ ସାହସ ଦେଇ ଏପରି କହିଛନ୍ତି।

 

ସେ ସମୟରେ ‘ଧରିତ୍ରୀ’ ହିଁ ଏକମାତ୍ର ଗଣ ମାଧ୍ୟମ ଯିଏ ମୋ ସହ ଠିଆ ହୋଇଥିଲା। ମୋ ପାଇଁ ଲଢେଇ କରିଥିଲା। ଏଭଳି କର୍ତ୍ତବ୍ୟ ନିଷ୍ଠ ଗଣମାଧ୍ୟମ ରହିଲେ ବହୁତ ପୀଡିତା ନ୍ୟାୟ ପାଇବେ ।

୧୯୯୯ ଜାନୁୟାରୀ ୯ ରାତି – ବାରଙ୍ଗ ନିକଟରେ ଅଞ୍ଜନାଙ୍କୁ କାର୍‌ ଭିତରେ ଗଣବଳାତ୍କାର
୧୯୯୯ ଜାନୁୟାରୀ ୧୦ – ପୀଡିତାଙ୍କ ଅଭିଯୋଗକ୍ରମେ କଟକ ମହିଳା ଥାନାରେ ମାମଲା
୧୯୯୯ ଜାନୁୟାରୀ ୧୧ – ସହଯୋଗୀ ଅଭିଯୁକ୍ତ ପ୍ରଦୀପ ସାହୁ ଓରଫ ପଦିଆ ଗିରଫ
୧୯୯୯ ଜାନୁୟାରୀ ୧୨ – ମାମଲାର ତଦନ୍ତ ଭାର ରାଜ୍ୟ କ୍ରାଇମବ୍ରାଞ୍ଚକୁ ଦିଆଗଲା
୧୯୯୯ ଜାନୁୟାରୀ ୨୫ – ଅନ୍ୟତମ ଅଭିଯୁକ୍ତ ଧୀରେନ୍ଦ୍ର ମହାନ୍ତି ଓରଫ ଟୁନିଆ ଗିରଫ
୧୯୯୯ ଫେବୃୟାରୀ ୨୬ – ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତଦନ୍ତ ଆରମ୍ଭ କଲା ସିବିଆଇ
୧୯୯୯ ଏପ୍ରିଲ ୪ – ସିବିଆଇ ପକ୍ଷରୁ ଚାର୍ଜଶିଟ୍‌ ଦାଖଲ
୨୦୦୨ ଏପ୍ରିଲ ୨୯ – ଖୋର୍ଦ୍ଧା ଜିଲା ଦୌରା ଜଜ୍‌ ମହେନ୍ଦ୍ରନାଥ ପଟ୍ଟନାୟକ ପ୍ରଦୀପ ଓ ଧୀରେନ୍ଦ୍ରଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ସଜା ଶୁଣାଇଲେ
୨୦୧୦ ଜୁନ୍‌ ୨୪ – ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କୁ ଗିରଫ କରି ନ ପାରିବାରୁ ସିବିଆଇର ବିଫଳତାକୁ ନେଇ ହାଇକୋର୍ଟଙ୍କ କ୍ଷୋଭ
୨୦୨୦ ଜାନୁୟାରୀ ୨୪ – ଚିକିତ୍ସାଧୀନ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଅଭିଯୁକ୍ତ ପଦିଆଙ୍କ ମୃତ୍ୟୁ
୨୦୨୧ ଫେବୃୟାରୀ ୧୮ – ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ବାଦାମବାଡ଼ି ଥାନାଧିକାରୀ ରଶ୍ମିରଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ଏକ ସ୍ପେଶାଲ ଟିମ୍‌ର ମୁମ୍ବାଇ ଗସ୍ତ
୨୦୨୧ ଫେବୃୟାରୀ ୨୦ – ଓଡ଼ିଶା ପୋଲିସ ଓ ନଭି ମୁମ୍ବାଇ ପୋଲିସକୁ ନେଇ ସ୍ବତନ୍ତ୍ର ଟିମ୍‌ ଗଠନ
୨୦୨୧ ଫେବୃୟାରୀ ୨୧ – ପୁଣେର ଆମ୍ବି ଭ୍ୟାଲିରୁ ମୁଖ୍ୟ ଅଭିଯୁକ୍ତ ବିବନଙ୍କୁ ଗିରଫ ପରେ ବିମାନରେ ଓଡ଼ିଶା ଅଣାଗଲା
୨୦୨୧ ଫେବୃୟାରୀ ୨୨ – ସାକ୍ଷୀମାନେ ଚିହ୍ନଟ ପରେ ବିବନଙ୍କୁ ଭୁବନେଶ୍ୱର ସିବିଆଇ କୋର୍ଟରେ ହାଜର, ଜାମିନ ନାମଞ୍ଜୁର ହେବାରୁ ଝାରପଡ଼ା ଜେଲ୍‌କୁ ପଠାଗଲା

ବିବାଦରେ ପୂର୍ବତନ ଆଡ୍‌ଭୋକେଟ ଜେନେରାଲ

ଅଞ୍ଜନା ମିଶ୍ରଙ୍କ ସ୍ବାମୀ ସୁବାସ ଚନ୍ଦ୍ର ମିଶ୍ର ଭାରତୀୟ ବନ ବିଭାଗ ସେବା ଅଧିକାରୀ ଥିଲେ। ପାରିବାରିକ ବିବାଦ କାରଣରୁ ଅଞ୍ଜନା ସ୍ବାମୀଙ୍କ ଠାରୁ ଅଲଗା ରହୁଥିଲେ। ୧୯୯୭ ଜୁଲାଇ ୧୧ରେ ଅଞ୍ଜନା ତତ୍କାଳୀନ ଆଡ୍‌ଭୋକେଟ ଜେନେରାଲଙ୍କୁ ଭେଟିବାକୁ ଯାଇଥିଲେ। ସେହି ସମୟରେ ରାୟ ତାଙ୍କୁ ଶୟନ କକ୍ଷକୁ ଡାକି ବଳାତ୍କାର ଉଦ୍ୟମ କରିଥିବା ଅଞ୍ଜନା ଅଭିଯୋଗ କରିଥିଲେ। ହେଲେ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ କିଛି ମହିଳା ସଂଗଠନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଥିଲେ। ହେଲେ ମୁଖ୍ୟମନ୍ତ୍ରୀ ଘଟଣାର ଆପୋସ ସମାଧାନ କରିବାକୁ ପ୍ରସ୍ତାବ ଦେଇଥିଲେ, ଯାହାକୁ ଅଞ୍ଜନା ପ୍ରତ୍ୟାଖ୍ୟାନ କରିଥିଲେ। ଏନେଇ ସେ କଟକ କ୍ୟାଣ୍ଟନମେଣ୍ଟ ଥାନାରେ ରାୟଙ୍କ ବିରୋଧରେ ଏତଲା ଦେଇଥିଲେ। ଅଞ୍ଜନା ମଧ୍ୟ ଅଭିଯୁକ୍ତ ରାୟଙ୍କୁ ମୁଖ୍ୟମନ୍ତ୍ରୀ ଘଣ୍ଟ ଘୋଡ଼ାଉଛନ୍ତି ବୋଲି ଅଭିଯୋଗ ଆଣିଥିଲେ। ଏହାପରେ ସାଧାରଣରେ ରାୟଙ୍କ ଏଭଳି କାର୍ଯ୍ୟକଳାପକୁ ବିରୋଧ କରାଯିବାପରେ ସେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ପରେ ୨୦୦୦ ଫେବୃୟାରୀରେ ବଳାତ୍କାର ଉଦ୍ୟମ ଅଭିଯୋଗରେ ସିବିଆଇ କୋର୍ଟ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୩ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଥିଲେ। ହେଲେ ପରେ ସେ ଜାମିନ ପାଇଥିଲେ।

ମାମଲାର ଅନ୍ତରାଳେ…

ପୂର୍ବତନ ଆଡ୍‌ଭୋକେଟ ଜେନେରାଲ ଇନ୍ଦ୍ରଜିତ ରାୟଙ୍କ ବଳାତ୍କାର ଉଦ୍ୟମର ଶିକାର ହୋଇ ନ୍ୟାୟ ଅପେକ୍ଷାରେ ଥିବା ଅଞ୍ଜନା ମିଶ୍ରଙ୍କୁ ୧୯୯୯ ଜାନୁୟାରୀ ୯ ରାତିରେ ଗଣବଳାତ୍କାର କରାଯାଇଥିଲା। ସାମ୍ବାଦିକ ବନ୍ଧୁଙ୍କ ସହ ଏକ କାର୍‌ରେ ଭୁବନେଶ୍ୱରରୁ କଟକ ଯାଉଥିବାବେଳେ ବାରଙ୍ଗ ନିକଟରେ ୩ଜଣ ଅଭିଯୁକ୍ତ ଗାଡ଼ି ଅଟକାଇବା ସହ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଅଞ୍ଜନାଙ୍କୁ ଗଣ ବଳାତ୍କାର କରିଥିଲେ। ସେ ସମୟରେ ଏହି ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ଏପରି କି ଏହି ଘଟଣାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ଏବଂ ତାଙ୍କ ବନ୍ଧୁ ପୂର୍ବତନ ଆଡ୍‌ଭୋକେଟ ଜେନେରାଲ ଇନ୍ଦ୍ରଜିତ୍‌ ରାୟଙ୍କ ଭୂମିକାକୁ ନେଇ ଉଠିଥିଲା ଅନେକ ପ୍ରଶ୍ନ। ରାଜନୈତିକ ବିରୋଧ ଏଭଳି ସ୍ଥିତି ସୃଷ୍ଟି କଲାଯେ, ଶେଷରେ ଜାନକୀଙ୍କୁ ଇସ୍ତଫା ଦେବାକୁ ଦଳୀୟ ହାଇକମାଣ୍ଡ ନିର୍ଦ୍ଦେଶ ଦେଇଥିଲେ। ଜାନକୀଙ୍କ ବଦଳରେ ଗିରିଧର ଗମାଙ୍ଗ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଅଞ୍ଜନାଙ୍କୁ ବଳାତ୍କାର କରିଥିବା ୩ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ପ୍ରଦୀପ ସାହୁ ଓରଫ ପଦିଆଙ୍କୁ ଜାନୁୟାରୀ ୧୧ରେ ଗିରଫ କରାଯାଇଥିବାବେଳେ ଅନ୍ୟତମ ଅଭିଯୁକ୍ତ ଧୀରେନ୍ଦ୍ର ମହାନ୍ତି ଓରଫ ଟୁନିଆଙ୍କୁ ସେହିମାସ ୨୫ତାରିଖରେ ଗିରଫ କରାଯାଇଥିଲା। ହେଲେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଫେରାର ଥିବାରୁ ତାଙ୍କୁ ଗିରଫ କରାଯାଇପାରି ନ ଥିଲା। ରାଜ୍ୟ ସରକାର ଉକ୍ତ ଘଟଣାର ତଦନ୍ତ ଦାୟିତ୍ୱ ପ୍ରଥମେ କ୍ରାଇମ୍‌ବ୍ରାଞ୍ଚକୁ ଦେଇଥିଲେ। ହେଲେ ଉକ୍ତ ଘଟଣାରେ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ସମ୍ପୃକ୍ତି ଥିବାରୁ ତଦନ୍ତ ଦାୟିତ୍ୱ ସିବିଆଇକୁ ଦିଆଯାଇଥିଲା। ସିବିଆଇ ଉକ୍ତ ମାମଲାର ତଦନ୍ତ ରିପୋର୍ଟ ସେହିବର୍ଷ ଏପ୍ରିଲ୍‌ ୧୪ରେ ହାଇକୋର୍ଟରେ ଦାଖଲ କରିବା ସହ ମୁଖ୍ୟ ଅଭିଯୁକ୍ତ ବିବନଙ୍କୁ ଫେରାର ଦର୍ଶାଇଥିଲା। ଉକ୍ତ ମାମଲାର ଶୁଣାଣି କରି ଖୋର୍ଦ୍ଧା ଜିଲା ଦୌରାଜଜ୍‌ ୨୦୦୨ ଏପ୍ରିଲ ୨୯ରେ ୨ ଅଭିଯୁକ୍ତ ଧୀରେନ୍ଦ୍ର ଏବଂ ପ୍ରଦୀପଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ ଦଣ୍ଡାଦେଶ ଶୁଣାଇଥିଲେ। ଇତିମଧ୍ୟରେ ପ୍ରଦୀପଙ୍କ ମୃତ୍ୟୁ ଘଟିଥିବାବେଳେ ଧୀରେନ୍ଦ୍ର ଏବେବି ଜେଲରେ ବନ୍ଦୀ ଜୀବନ କଟାଉଛନ୍ତି।

ଯୋଗାଡ଼ ଚାଲିଥିଲା ବିବନଙ୍କ ମୃତ୍ୟୁ ପ୍ରମାଣପତ୍ର

ଘଟଣା ପରଠାରୁ ମୁଖ୍ୟ ଅଭିଯୁକ୍ତ ବିବନ ଫେରାର ହୋଇଯାଇଥିଲେ। ସିବିଆଇ ଦୀର୍ଘବର୍ଷ ଧରି ଖୋଜାଖୋଜି କରିବା ପରେ ପଳାତକ ଘୋଷଣା କରିଥିଲା। ହେଲେ ବର୍ଷ ବର୍ଷ ଧରି ତାଙ୍କର ଆଉ କିଛି ଖବର ନ ମିଳିବାରୁ ତାଙ୍କର ମୃତ୍ୟୁ ହୋଇଯାଇଥିବା ଚର୍ଚ୍ଚା ହୋଇଥିଲା। ଘଟଣା ସହ ରାଜନୈତିକ ଲିଙ୍କ୍‌ ଥିବାରୁ ତାଙ୍କୁ ମାରିଦିଆଯାଇଥିବା ମଧ୍ୟ ଶୁଣିବାକୁ ମିଳିଥିଲା। ଏହାକୁ ବିବନ ଆଉଏକ ସୁଯୋଗ ଭାବି ସତ୍ୟତାରେ ପରିଣତ କରିବା ପାଇଁ ଯୋଜନା କରିଥିଲେ। ସେ ନିଜ ପରିଚୟ ବଦଳାଇ ପୁଣେ ଆମ୍ବି ଭ୍ୟାଲିରେ ଜଳନ୍ଧର ସ୍ବାଇଁ ନାମରେ ଚାକିରି କରିଥିଲେ। ବେଆଇନ ଭାବେ ଆଧାରକାର୍ଡ, ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଖୋଲିଥିଲେ। ନିଜକୁ ମୃତ ବୋଲି ପ୍ରମାଣ କରିବାକୁ ପରିବାର ଲୋକଙ୍କୁ କହିଥିଲେ। ପରିବାର ଲୋକେ ତାଙ୍କର ମୃତ୍ୟୁ ପ୍ରମାଣପତ୍ର କାଢିବାକୁ ଲାଗି ପଡିଥିଲେ।

ପୀଡ଼ିତାଙ୍କୁ ନ୍ୟାୟ ମିଳିଥିବାରୁ ଖୁସି ଲାଗୁଛି

ସତ୍ୟ ଦିନେ ନା ଦିନେ ପଦାକୁ ଆସିଥାଏ। ଦୀର୍ଘ ୨୨ବର୍ଷ ପରେ ଅଞ୍ଜନା ଗଣବଳାତ୍କାର ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ଗିରଫ ହେବା ଶୁଣି ବହୁତ ଖୁସି ଲାଗୁଛି। ୨୦୧୦ରେ ଏହି ଘଟଣାର ଅପିଲ୍‌ ମୁଁ ଓ ଜଷ୍ଟିସ୍‌ ପରିଜା ଶୁଣୁଥିଲୁ। ଏଥିରେ ଦୁଇଜଣ ଗିରଫ ହୋଇଥିବାବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ଥିଲେ। ଏହା ଜାଣିବା ପରେ ମୁଁ କ୍ଷୋଭ ପ୍ରକାଶ କରିଥିଲି। ମୁଖ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଧରିବା ପାଇଁ ମୁଁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲି। ତେବେ ଏତେଦିନ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିବାରୁ ପୋଲିସକୁ ଧନ୍ୟବାଦ ଦେବି।
-ଜଷ୍ଟିସ୍‌ ଏ. ଏସ୍‌. ନାଇଡୁ, ପୂର୍ବତନ ବିଚାରପତି

କମିଶନରେଟ ପୋଲିସର ଚମତ୍କାରିତ

ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ଅଞ୍ଜନା ମିଶ୍ର ଗଣବଳାତ୍କାର ମାମଲାର ତଦନ୍ତ କରି ବଳିଷ୍ଠ ସାକ୍ଷ୍ୟ ପ୍ରମାଣ ଯୋଗାଡ କରିଥିଲା। ଫଳରେ ସମ୍ପୃକ୍ତ ୨ ସହଯୋଗୀ ଅଭିଯୁକ୍ତଙ୍କୁ ଆଜୀବନ ସଜା ହୋଇଥିଲା। ହେଲେ ମୁଖ୍ୟ ଅଭିଯୁକ୍ତଙ୍କୁ ସିବିଆଇ ଗିରଫ କରିବାକୁ ସମର୍ଥ ନ ହେବାରୁ ପଳାତକ ଘୋଷଣା କରିଥିଲା। ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କ ତତ୍ତ୍ୱାବଧାନରେ ଟିମ୍‌ ବେଶ୍‌ ଚମକତ୍ାରିତା ଦେଖାଇଛି। ମୁଖ୍ୟ ଅଭିଯୁକ୍ତ ବିବନଙ୍କୁ ଗିରଫ ଘଟଣା ରାଜ୍ୟ ପୋଲିସ ଉପରେ ଲୋକଙ୍କ ଆସ୍ଥା ଭରସା ଓ ମନୋବଳ ବଢାଇଛି।
-ବିପିନ ବିହାରୀ ମିଶ୍ର, ଅବସରପ୍ରାପ୍ତ ଡିଜିପି

 

କୋର୍ଟ ଟ୍ରାଏଲରେ ସାକ୍ଷୀ ପ୍ରମାଣ ଉପସ୍ଥାପନା ଗୁରୁତ୍ୱପୂର୍ଣ୍ଣ

ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି କମିଶନରେଟ ପୋଲିସ୍‌ ବେଶ୍‌ ପ୍ରଶଂସନୀୟ କାର୍ଯ୍ୟ କରିଛି। ହେଲେ ମାମଲାରେ ଯେଉଁମାନେ ସାକ୍ଷୀ ରହିଛନ୍ତି, ସେମାନେ ଯେପରି ପ୍ରଭାବିତ ନ ହେବେ ତାହା ପୋଲିସ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କୁ ଉପଯୁକ୍ତ ସୁରକ୍ଷା ଦେବା ସହ ବଳିଷ୍ଠ ତଥ୍ୟ ପ୍ରମାଣ ଉପସ୍ଥାପନା କରି ଅଭିଯୁକ୍ତଙ୍କୁ ଉପଯୁକ୍ତ ଦଣ୍ଡ ଦେବା ପୋଲିସର ମୁଖ୍ୟ କାର୍ଯ୍ୟ।

-ଗୋପାଳ ଚନ୍ଦ୍ର ନନ୍ଦ, ଅବସରପ୍ରାପ୍ତ ଡିଜିପି

ନ୍ୟାୟିକ ବ୍ୟବସ୍ଥା ଉପରେ ଆସ୍ଥା ବଢ଼ିବ

୧୯୯୯ରେ ମୁଁ କଟକ ଏସ୍‌ପି ଥିବାବେଳେ ଅଞ୍ଜନା ଗଣବଳାତ୍କାର ଘଟଣାର ସୁପରଭିଜନ କରୁଥିଲି। ୨ଜଣଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ବିବନ ଫେରାର ଥିଲେ। କିନ୍ତୁ ଆଇନର ଲମ୍ବା ହାତରୁ କେହି ବର୍ତ୍ତି ପାରିବେ ନାହିଁ। ବିବନଙ୍କୁ ଗିରଫ କରିଥିବାରୁ କମିଶନରେଟ ପୋଲିସକୁ ଶୁଭେଚ୍ଛା ଜଣାଉଛି। ୨ ଦଶନ୍ଧି ପରେ ମାମଲାର ବିଚାର କରି ଦଣ୍ଡ ବିଧାନ କରାଯିବା ନ୍ୟାୟିକ ବ୍ୟବସ୍ଥା ଉପରେ ଲୋକଙ୍କ ଅସ୍ଥା ବଢାଇବ।
-ସତ୍ୟଜିତ ମହାନ୍ତି, ତତ୍କାଳୀନ ଏସ୍‌ପି ତଥା ରାଜ୍ୟ ଅଗ୍ନିଶମ ଡିଜି

 

୧ପୀଡ଼ିତାଙ୍କ ମନରେ ଆଶା ସଞ୍ଚାର କରିଛି

ଅଞ୍ଜନା ସହ ମୋର ୨୦ରୁ ୨୧ ବର୍ଷର ସୁସମ୍ପର୍କ। ତାଙ୍କୁ ଅସଦାଚାରଣ କରିଥିବା ଇନ୍ଦ୍ରଜିତ ରାଏଙ୍କୁ ୩ବର୍ଷ ଦଣ୍ଡ ସଜା ମିଳିଥିଲେ ମଧ୍ୟ ସେ ଜେଲ ନ ଯିବା ତାଙ୍କୁ ବହୁତ କଷ୍ଟ ଦେଇଥିଲା। ବଳାକତ୍ାର ଶିକାର ହେବା ପରେ ମୁଖ୍ୟ ଅଭିଯୁକ୍ତ ଫେରାର ରହିବା ଆହୁରି କଷ୍ଟ ଦେଇଥିଲା। ଡେରିରେ ହେଉପଛେ ଅଭିଯୁକ୍ତ ବିବନ ଗିରଫ ହୋଇଥିବାରୁ ଅଞ୍ଜନାଙ୍କୁ ନ୍ୟାୟ ମିଳିଛି। ଏହା ନ୍ୟାୟ ଅପେକ୍ଷାରେ ଥିବା ବହୁ ପୀଡିତାଙ୍କ ମନରେ ଆଶା ସଞ୍ଚାର କରିଛି।
-ନମ୍ରତା ଚଢା, ସମାଜସେବିକା

 

ଯେତେ ଚେଷ୍ଟା କଲେ ବି ଅପରାଧୀ ଖସିପାରିବ ନାହିଁ

ଦୀର୍ଘ ୨୨ବର୍ଷ ଧରି ଫେରାର ଥିବା ଜଣେ ଅପରାଧୀଙ୍କୁ ଗିରଫ କରିବା ପୋଲିସ ପାଇଁ ଏକ ବଡ଼ ସଫଳତା। ଅପରାଧୀ ଯେତେ ଚେଷ୍ଟା କଲେ ମଧ୍ୟ ପୋଲିସ ହାତରୁ ଖସି ପାରିବେ ନାହିଁ। ସିବିଆଇ ଏତେ ବର୍ଷ ଧରି ଯେଉଁ କାମ କରିପାରି ନ ଥିଲା, ତାହା କମିଶନରେଟ ପୋଲିସର ସ୍ବତନ୍ତ୍ର ଟିମ୍‌ କରି ଦେଖାଇଛି ।
– ଦେବାଶିଷ ପଣ୍ଡା, ବରିଷ୍ଠ ଆଇନଜୀବୀ


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri