ଵାଲଡ଼ା ନାଗେଶ୍ୱରୀ ପାହାଡ଼ରେ ଲୋକ ଅଧିକାର ଯାତ୍ରା ଦଳର ବୈଠକ, ଖଣି ଖନନ କରିବାକୁ ଦିଆଯିବନି…

ନନ୍ଦପୁର,୮।୩(ତୁଷାର କାନ୍ତ ମହାନ୍ତି): ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜନ୍ମ ପୀଠରୁ ପ୍ରାକୃତିକ ସମ୍ପଦର ସୁରକ୍ଷା ନିମନ୍ତେ ବାହାରିଥିବା ଲୋକ ଅଧିକାର ଯାତ୍ରା ଦଳ କୋରାପୁଟ ଜିଲା ନନ୍ଦପୁର ବ୍ଲକର ବାଲଡ଼ା ନାଗେଶ୍ୱରି ପାହାଡରେ ପହଞ୍ଚିଛି । ଦଳକୁ ନାଗେଶ୍ଵରୀ ମାଳି ଡଙ୍ଗର ସୁରକ୍ଷା ମଞ୍ଚ ପକ୍ଷରୁ ସ୍ଵାଗତ କରାଯାଇଛି । ପାହାଡ ପାରିପାର୍ଶିକ ଗ୍ରାମବାସୀଙ୍କ ଉପସ୍ଥିତିରେ ଲୋକ ଅଧିକାର ଯାତ୍ରା ଦଳର ସଦସ୍ୟ ମହାଗ୍ରାମସଭାର ଆୟୋଜନ କରିଥିଲେ। ସଭାର ସଭାପତିତ୍ଵ ସ୍ଥାନୀୟ ବରିଷ୍ଠ ନାଗରିକ ମଧୁସୂଦନ ତାଡ଼ିଆ କରିଥିଲେ।

ଗ୍ରାମସଭାରେ ଉପସ୍ଥିତ ବିଶିଷ୍ଟ ପରିବେଶବିତ ତଥା ଗ୍ରୀନ ନୋବେଲ ବିଜେତା ପ୍ରଫୁଲ୍ଲ ସାମନ୍ତରା ନାଗେଶ୍ଵରୀ ପାହାଡ ଲିଜ୍ ଦିଆଯିବା ଘଟଣା ସବୁଦିଗରୁ ବେଆଇନ ବୋଲି କହିଥିଲେ । ପାହାଡ ପାରିପାର୍ଶିକ ଗ୍ରାମବାସୀଙ୍କ ସହମତି ଓ ନ୍ୟାର୍ଯ୍ୟ ଗ୍ରାମସଭା କରାଯାଇ ନାହିଁ । ମୃତକ ଓ ଜାଲ ଦସ୍ତଖତ କରାଯାଇଛି। ପାହାଡରୁ ଖଣି ଖନନ ହେଲେ ଝରଣା ଗୁଡ଼ିକ ଶୁଖିଯିବ। ଜଲାପୁଟ ଜଳଭଣ୍ଡାର ଶୁଖିଯିବ। ବରିଷ୍ଠ ଆଇନଜୀବୀ ଗୁପ୍ତେଶ୍ୱର ପାଣିଗ୍ରାହୀ ସୁରକ୍ଷା ସମିତିର କୌଣସି ଅଭିଯୋଗକୁ ସ୍ଥାନୀୟ ପୋଲିସ ଓ ପ୍ରଶାସନ ଶୁଣୁ ନଥିବାରୁ ଆଗାମୀ ଦିନରେ ନ୍ୟାୟାଳୟର ଦ୍ଵାରସ୍ଥ ହେବାକୁ ବାଧ୍ୟ ହେବୁ ବୋଲି ସୂଚନା ଦେଇଛନ୍ତି। ସେହିଭଳି ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି ସମ୍ବିଧାନର ୫ମ ଅନୁସୂଚିତ ଅଞ୍ଚଳରେ ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ଯେକୌଣସି ବିକାଶ ମୂଳକ କାମ ପାଇଁ ଗ୍ରାମସଭାର ଅନୁମତି ଜରୁରୀ, ଯେଉଁ କ୍ଷମତା ପେସା ଓ ଜଙ୍ଗଲ ଅଧିକାର ଆଇନ -୨୦୦୬ ପ୍ରଦାନ କରିଛି । ତାକୁ ସରକାରୀ କଳ ସବୁବେଳେ ଉଲଂଘନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ନିଜର ଅଧିକାର ସାବ୍ୟସ୍ତ ପାଇଁ ଗଣତାନ୍ତ୍ରିକ ଆନ୍ଦୋଳନ ଜରୁରୀ ବୋଲି କହିଥିଲେ।

ଗାନ୍ଧୀବାଦୀ ତଥା ସର୍ବୋଦୟ ଆନ୍ଦୋଳନର ନେତା ଡଃ ବିଶ୍ୱଜିତ୍ ଲୋକ ଅଧିକାର ଯାତ୍ରା ହେଉଛି ସାଧାରଣ ଲୋକଙ୍କର ଅଧିକାର ହାସଲ ପାଇଁ ଯାତ୍ରା। ସେହି ଅଧିକାର ହାସଲ କରିବା ପାଇଁ ସହୀଦ ଲକ୍ଷ୍ମଣ ନାଏକଙ୍କ ବଳିଦାନ ଦିବସ ୨୯ ମାର୍ଚ୍ଚରେ ରାଜଧାନୀ ଭୁବନେଶ୍ବରରେ ଆୟୋଜନ ହେଉଥିବାରୁ ବିପୁଳ ସଂଖ୍ୟାରେ ଯୋଗ ଦେବାକୁ ଅନୁରୋଧ କରିଥିଲେ । ଗ୍ରାମସଭାରେ ଉପସ୍ଥିତ ସଦସ୍ୟ କୌଣସି ପରିସ୍ଥିତିରେ ନାଗେଶ୍ଵରୀ ଡଙ୍ଗରକୁ କମ୍ପାନୀ ହାତରେ ଟେକିଦେଇ ଖଣି ଖନନ କରିବାକୁ ଦିଆଯିବ ନାହିଁ ବୋଲି ସ୍ଥିର କରିଥିଲେ । ଗ୍ରାମସଭାରେ ବିଶିଷ୍ଟ ସମାଜବାଦୀ କଲ୍ୟାଣ ଆନନ୍ଦ, ଚାଷୀ ମୂଲିଆ ଆଦିବାସୀ ସଂଘର ନେତା ନାଚିକା ଲିଙ୍ଗା, ଗାନ୍ଧୀବାଦୀ ବିଜୟ ସିଙ୍କୁ, ସୁକାନ୍ତ ପ୍ରଧାନ, ଲକ୍ଷ୍ମଣ ନାୟକ, କିଶୋର ସାହୁ, ସୁରେନ୍ଦ୍ର ଭୂୟେ, ବିରଞ୍ଚି ମହାକୁଡ, ସମାଜବାଦୀ ଜନ ପରିଷଦର ନେତା ରାଜକିଶୋର, ସୁରେଶ ସଂଗ୍ରାମଙ୍କ ସମେତ ସୁରକ୍ଷା ସମିତିର ଅଜୟ ମୁଦୁଲି, ବିଜୟ କୁମାର, ଲକ୍ଷ୍ମୀ ସୀସା ପ୍ରମୁଖ ଉପସ୍ଥିତ ଥିଲେ ।

 

Dharitri – Odisha’s No.1 Odia Daily

Share
Tags: koraput news