ଲିଭିଂ ଲାବ୍‌

ଜଳବାୟୁ ପରିବର୍ତ୍ତନ ଯୋଗୁ ଏବେ ବନ୍ୟା, ବାତ୍ୟା, ଭୂସ୍ଖଳନ ଓ ଜଙ୍ଗଲ ନିଆଁର ପ୍ରାବଲ୍ୟତା ଯେଉଁଭଳି ବୃଦ୍ଧି ପାଉଛି, ତାହା ଏବେ ଦେଶବ୍ୟାପୀ ସମସ୍ତେ ହୃଦ୍‌ବୋଧ କରୁଛନ୍ତି। ଓଡ଼ିଶାରେ ପୂର୍ବରୁ ମଧ୍ୟ ଏହିଭଳି ବାତ୍ୟା, ବନ୍ୟା ଓ ଠାଏ ଠାଏରେ ମରୁଡ଼ି ହୋଇ ଆସୁଛି। ସେ ସମ୍ପର୍କରେ ଆମେ ସମସ୍ତେ ଅଙ୍ଗେ ନିଭାଇ ଚାଲିଛୁ। ବିଶେଷକରି ସହରରେ ବର୍ଷାଜନିତ ବନ୍ୟା ସାଙ୍ଗକୁ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ମନୁଷ୍ୟକୃତ ବିପର୍ଯ୍ୟୟର ଭୟାବହତାକୁ ସୂଚିତ କରିଛି। ନିକଟ ଅତୀତରୁ କେରଳଠାରୁ ଆରମ୍ଭ କରି ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ, ନାଗାଲାଣ୍ଡ, ମଣିପୁର ଭଳି ରାଜ୍ୟ ଏବଂ ଜମ୍ମୁ ଓ କଶ୍ମୀରରେ ନିୟମିତ ଭୂସ୍ଖଳନ ଯୋଗୁ ବ୍ୟାପକ ଧନଜୀବନ ହାନି ହେଉଛି। ଚଳିତ ମାସର ବିଗତ ୧୫ ଦିନକୁ ଦେଖିଲେ ୫ ଅଗଷ୍ଟରେ ଉତ୍ତରାଖଣ୍ଡର ଧରାଳି ପରେ ଜମ୍ମୁ ଓ କଶ୍ମୀରରେ ଗତ ସପ୍ତାହରେ ଦୁଇଥର ଭୂସ୍ଖଳନ ଘଟି ବ୍ୟାପକ କ୍ଷୟକ୍ଷତି ଘଟାଇଛି। ତେବେ ପ୍ରାକୃତିକ ବିପର୍ଯ୍ୟୟ ନେଇ ଆଗୁଆ ସୂଚନା ଦେବା ସହିତ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ କେରଳର କୁନ୍ନୁର ଜିଲା କାନିଚାର ଗ୍ରାମ ପଞ୍ଚାୟତ ପକ୍ଷରୁ ଏବେ ନିଆଯାଇଥିବା ଏକ ଅଭିନବ ପ୍ରୟାସ ଅନେକଙ୍କ ଦୃଷ୍ଟି ଆକର୍ଷଣ କରିଛି। ଭାରତରେ ପ୍ରଥମେ ଏହି ଗ୍ରାମ ପଞ୍ଚାୟତରେ ‘ଲିଭିଂ ଲାବ୍‌’ ବ୍ୟବସ୍ଥା କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ୨୦୨୨ରେ ଘଟିଥିବା ଭୂସ୍ଖଳନରେ ଏହି ଗ୍ରାମ ପଞ୍ଚାୟତର ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଶହ ଏକର ଚାଷଜମି ଉପରେ ପଥର ଓ ମାଟି ମାଡ଼ିଯାଇ ଲୋକଙ୍କ ଜୀବିକାକୁ ଘୋର ପ୍ରଭାବିତ କରିଥିଲା। ତେବେ ଜଳବାୟୁ ସମ୍ବେଦନଶୀଳତା ଓ ପ୍ରାକୃତିକ ବିପର୍ଯ୍ୟୟଜନିତ ଜଟିଳ ସ୍ଥିତିକୁ ମୁକାବିଲା କରିବା ସକାଶେ ଲୋକଙ୍କୁ ପୂର୍ବରୁ ସତର୍କ ସୂଚନା ଦେବାରେ ଲିଭିଂ ଲାବ୍‌ ବିଶେଷ ସହାୟକ ହେବ। ଗବେଷଣା ଓ ଅନୁଧ୍ୟାନ ଆଧାରରେ ନିର୍ଦ୍ଦିଷ୍ଟ ଅଞ୍ଚଳର ଭୌଗୋଳିକ ଓ ପାଣିପାଗଜନିତ ସ୍ଥିତି ସମ୍ପର୍କିତ ତଥ୍ୟ ସ୍ଥାନୀୟ ଅଧିବାସୀଙ୍କୁ ଜଣାଇବା ସହିତ ଅସ୍ବାଭାବିକତାକୁ କିଭଳି ମୁକାବିଲା କରାଯାଇପାରିବ, ସେ ସଂକ୍ରାନ୍ତରେ ଲିଭିଂ ଲାବ୍‌ କାମ କରୁଥିବା ଜଣାପଡ଼ିଛି। ନେଦରଲାଣ୍ଡ୍‌ସରେ ଏହି ବ୍ୟବସ୍ଥା ପ୍ରଥମେ ବିକଶିତ କରାଯାଇଥିଲା। ସେହି ଅନୁଯାୟୀ କେରଳ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (କେଏସ୍‌ଡିଏମ୍‌ଏ) ଲିଭିଂ ଲାବ୍‌କୁ କାର୍ଯ୍ୟକାରୀ କରୁଛି। ଏଥିରେ ସରକାରୀ ସଂସ୍ଥା, ବିଶେଷଜ୍ଞ, ଘରୋଇ ସଙ୍ଗଠନ ଓ ଭଦ୍ର ସମାଜକୁ ସାମିଲ କରାଯାଇଛି। ଫଳରେ ଗ୍ରାମ ପଞ୍ଚାୟତରେ ସ୍ଥାପିତ ଏହି ସ୍ବୟଂଚାଳିତ ପାଣିପାଗ କେନ୍ଦ୍ରରୁ ସମ୍ପୃକ୍ତ ଅଞ୍ଚଳର ଲୋକେ ପ୍ରତ୍ୟେକ ଦିନ ବର୍ଷା ଓ ପବନର ବେଗ ସମ୍ପର୍କରେ ତଥ୍ୟ ଜାଣିପାରୁଛନ୍ତି। ଭାରତ ପାଣିପାଗ କେନ୍ଦ୍ର (ଆଇଏମ୍‌ଡି)ର ଆଞ୍ଚଳିକ କାର୍ଯ୍ୟାଳୟ କେରଳରେ ଥିଲେ ମଧ୍ୟ ପଞ୍ଚାୟତ ସ୍ତରରେ ଏଭଳି ଅଭିନବ ପଦକ୍ଷେପ ନିଶ୍ଚିତ ଭାବେ ନିର୍ଦ୍ଦିଷ୍ଟ ଅଞ୍ଚଳର ଲୋକଙ୍କୁ ପାଣିପାଗଜନିତ ସଦ୍ୟତମ ସୂଚନା ଦେବାରେ ଅଧିକ ପ୍ରଭାବଶାଳୀ ହେଉଥିବା ଦେଖାଯାଉଛି। ବିଶେଷକରି ୬୦ ସଦସ୍ୟ ବିଶିଷ୍ଟ ଏକ ଟିମ୍‌କୁ ଜରୁରିକାଳୀନ ସ୍ଥିତିର ମୁକାବିଲା ପାଇଁ ସର୍ବଦା ଜାଗତିଆର ରଖାଯାଇଛି।
ଏଥିରୁ ବୁଝିବାକୁ ହେବ ଯେ, କେବଳ ପାଣିପାଗ ସୂଚନା ମିଳିଗଲେ ତାହାକୁ କିଭଳି ଭାବେ ବାସ୍ତବ ଜୀବନରେ ଉପଯୋଗ କରିହେବ, ସେ ସମ୍ପର୍କରେ ସାଧାରଣ ନାଗରିକ ସଚେତନ ନାହାନ୍ତି। ତେଣୁ ଖାଲି ସୂଚନା ନୁହେଁ, ତାହାର ବ୍ୟବହାରିକତା ଅଧିକ ଗୁରୁତ୍ୱ ବହନ କରୁଛି। ଏଥିସହିତ ଯେଉଁ ଅଞ୍ଚଳ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରହିଛି, ସେସବୁ ସ୍ଥାନରେ ଯେଭଳି ମନୁଷ୍ୟକୃତ ବିପଦ ସୃଷ୍ଟି ନ ହେବ ସେହି ଦିଗରେ ସ୍ଥାନୀୟ ଅଧିବାସୀଙ୍କୁ ସମ୍ପୃକ୍ତ କରାଇବାର ସମୟ ଆସିଲାଣି। ଏକ ପରିସଂଖ୍ୟାନ କୁହେ, ୨୦୧୫ରୁ ୨୦୨୨ ମଧ୍ୟରେ ସମଗ୍ର ଭାରତରେ ଦେଖାଦେଇଥିବା ଭୂସ୍ଖଳନର ପାଖାପାଖି ୬୦ ପ୍ରତିଶତ କେରଳରେ ଘଟିଥିଲା। ମନେପକାଇ ଦିଆଯାଇପାରେ ଯେ, ୨୦୨୪ ଜୁଲାଇ ୩୦ରେ କେରଳର ଓ୍ବାୟନଡାର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟି ୨୫୪ ଜଣଙ୍କ ମୃତ୍ୟୁ ହେବା ସହ ୧୧୮ ଲୋକ ନିଖୋଜ ହୋଇଥିଲେ। ଏଥିରେ ୩୯୭ ଆହତ ହୋଇଥିଲେ। ଏଭଳି ଭୂସ୍ଖଳନର କାରଣ ଖୋଜାଯିବା ପରେ ଜଣାପଡ଼ିଥିଲା ପଶ୍ଚିମଘାଟ ପର୍ବତମାଳା ଅଞ୍ଚଳରେ ପ୍ରଚୁର ବର୍ଷାଜନିତ ବନ୍ୟାକୁ ରୋକିବା ପାଇଁ ଥିବା ଜଙ୍ଗଲ ସମୟକ୍ରମେ ମନୁଷ୍ୟକୃତ କ୍ଷତିକାରକ କାର୍ଯ୍ୟ ଯୋଗୁ ହ୍ରାସ ପାଇବାରେ ଲାଗିଛି। ଏଥିସହିତ ଯେଉଁଠିପାରେ ସେଇଠି ଅନିୟନ୍ତ୍ରିତ ନିର୍ମାଣ ଯୋଗୁ ପ୍ରାକୃତିକ ଜଳଉତ୍ସ ସଙ୍କୁଚିତ ହୋଇଯାଉଥିବା ବେଳେ ବର୍ଷା ଜଳ ଠିକ୍‌ ଭାବେ ନିଷ୍କାସନ ନ ହୋଇ ବିପର୍ଯ୍ୟୟ ସୃଷ୍ଟି କରୁଛି। ସେହିପରି ପର୍ବତର କଠିନ ସ୍ତର ଦୁର୍ବଳ ହୋଇଯିବାରୁ ମାଟି ଅତଡ଼ା ଧସି ଜନଜୀବନକୁ ବିପଦରେ ପକାଉଛି। ଏହିଭଳି ବହୁବିଧ କାରଣ ଭୂସ୍ଖଳନ ସୃଷ୍ଟି କରୁଥିବାରୁ ସେଥିରୁ କିଭଳି ତ୍ରାହି ମିଳିବ, ସେଥିଲାଗି ସ୍ଥାନୀୟ ପ୍ରଶାସନ ନିଦ୍ଦିର୍ର୍ଷ୍ଟ ଅଞ୍ଚଳର ଅଧିବାସୀଙ୍କୁ ବିକାଶ ଯୋଜନାରେ ଯୋଡ଼ିବା ଦରକାର। ପ୍ରାକୃତିକ ଅବସ୍ଥିତି ବିଷୟରେ ସେହିମାନେ ହିଁ ଭଲ ଭାବେ ଅବଗତ ଥାଆନ୍ତି। ତେଣୁ ସେମାନେ ସେମାନଙ୍କ ଅଞ୍ଚଳରେ ପରିସଂସ୍ଥାନକୁ କ୍ଷତି ନ ପହଞ୍ଚାଇଲା ଭଳି କେଉଁଠି ସଡ଼କ, ଶିଳ୍ପ ତଥା ଅନ୍ୟାନ୍ୟ ନିର୍ମାଣ ହୋଇପାରିବ ସେହି ଦିଗରେ ପ୍ରସ୍ତାବ ଦେଇପାରନ୍ତେ। ସେଗୁଡ଼ିକୁ ବିଶେଷଜ୍ଞ ଓ ପ୍ରଶାସନ ତର୍ଜମା କରି ଆଗକୁ ବଢ଼ିଲେ ବିପର୍ଯ୍ୟୟ ହ୍ରାସ ପାଇପାରନ୍ତା। ବର୍ଷାଜନିତ ଭୂସ୍ଖଳନ ଓ ଅନ୍ୟାନ୍ୟ ବିପର୍ଯ୍ୟୟ ନେଇ କାନିଚାର ଗ୍ରାମ ପଞ୍ଚାୟତରେ ସ୍ଥାପନ କରାଯାଇଥିବା ‘ଲିଭିଂ ଲାବ୍‌’ ବ୍ୟବସ୍ଥା ଓଡ଼ିଶାରେ କାର୍ଯ୍ୟକାରୀ କରାଯାଇପାରନ୍ତା। ଭୂସ୍ଖଳନ ନ ହେଲେ ମଧ୍ୟ ଓଡ଼ିଶାରେ ଅନେକ ଅତ୍ୟନ୍ତ କ୍ଷତିକାରକ ପ୍ରାକୃତିକ ବିପର୍ଯ୍ୟୟ ଦୀର୍ଘବର୍ଷ ଧରି ଘଟିଆସୁଛି। ଏବେ ଆଇଏମ୍‌ଡି ତରଫରୁ ମିଳୁଥିବା ତଥ୍ୟ ପୂର୍ବାପେକ୍ଷା ପାଖାପାଖି ଠିକ୍‌ ଆସିଲାଣି। ଏଭଳି ସ୍ପଷ୍ଟ ତଥ୍ୟ ସହିତ ‘ଲିଭିଂ ଲାବ୍‌’ ବ୍ୟବସ୍ଥା ମାଧ୍ୟମରେ ଜନସାଧାରଣଙ୍କୁ ନିଜର ସୁରକ୍ଷା ପାଇଁ ସମ୍ପୃକ୍ତ କରାଯାଇପାରନ୍ତା, ତାହା ହେଲେ ଏହି ରାଜ୍ୟର ଅନେକ ମଙ୍ଗଳ ଘଟିପାରନ୍ତା। ଏଥିସହିତ ହିମାଳୟ ସଂଲଗ୍ନ ରାଜ୍ୟରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ସହିତ ମନୁଷ୍ୟକୃତ ବିପଦ କିଭଳି ନ ହେବ ସେଥିଲାଗି ଆଗୁଆ ପଦକ୍ଷେପ ନେବାର ମଧ୍ୟ ସମୟ ଆସିଲାଣି। ଏଠାରେ ବିକାଶକୁ ବିରୋଧ କରାଯାଉ ନାହିଁ, କିନ୍ତୁ ପରିବେଶ ଅନୁକୂଳ ଉନ୍ନତି ଘଟିଲେ ପରିସଂସ୍ଥା ଅର୍ଥାତ୍‌ ଉଭୟ ଉଦ୍ଭିଦ ଓ ପ୍ରାଣିଜଗତ ତିଷ୍ଠି ରହନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ଫୁଟବଲ ଜଗତରୁ ଅବସର ନେଲେ କ୍ରିଷ୍ଟିଆନୋ ରୋନାଲ୍ଡୋ: ସ୍ବର୍ଣ୍ଣିମ ଅଧ୍ୟାୟର ଅନ୍ତ

ନୂଆଦିଲ୍ଲୀ,୫।୧୧: ଫୁଟବଲ ଜଗତରେ ଏକ ସ୍ବର୍ଣ୍ଣିମ ଅଧ୍ୟାୟର ଅନ୍ତ ଘଟିଛି। ପର୍ତ୍ତୁଗାଲର ମହାନ ଫୁଟବଲର୍‌ କ୍ରିଷ୍ଟିଆନୋ ରୋନାଲ୍ଡୋ ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କରିଛନ୍ତି। ଗୁରୁବାର ସୋସିଆଲ…

ଆଇଏଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ କଲେ ସରକାର, ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗର ଦାୟିତ୍ୱ

ଭୁବନେଶ୍ୱର,୫ା୧୧: ରାଜ୍ୟରେ ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ଗତିଶୀଳ ଏବଂ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଗୁରୁବାର ଏକ ବଡ଼ଧରଣର ଆଇଏଏସ୍ ସ୍ତରୀୟ ଅଦଳବଦଳ କରିଛନ୍ତି। ବିଭିନ୍ନ…

ଟ୍ରମ୍ପଙ୍କୁ ନିର୍ବାଚନୀ ଝଟ୍‌କା: ହାରୁ ହାରୁ ଇରାନୀ ତୈଳ ନେଟୱର୍କ ଉପରେ ନେଲେ ଆକ୍ସନ, ଭାରତୀୟ କମ୍ପାନୀକୁ କଲେ ବ୍ୟାନ୍‌

ଓ଼୍ବାଶିଂଟନ,୫।୧୧: ଆମେରିକା ଇରାନ ବିରୋଧରେ ପୁଣି ଥରେ ନିଜର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ଦେଇଛି। ଏଥର ସେମାନଙ୍କର ତୈଳ ନେଟୱର୍କ ବିରୁଦ୍ଧରେ କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ ଭାରତରେ ଅବସ୍ଥିତ…

ପର୍ବରେ ଆଞ୍ଚଳିକ ଭିନ୍ନତା

ଉତ୍ତର ଭାରତରେ ଦୀପାବଳି ରାମଚନ୍ଦ୍ରଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନକୁ ସ୍ମରଣ କରି ପାଳନ କରାଯାଏ। କିନ୍ତୁ ଦକ୍ଷିଣ ଭାରତରେ ଦୀପାବଳି ପାଳନର ପରମ୍ପରା ଭିନ୍ନ। ସେଠାରେ ଏହା ଭଗବାନ୍‌…

ଡେମୋକ୍ରାଟ୍‌ଙ୍କ ବିଜୟ, ଟ୍ରମ୍ପ୍‌ ପ୍ରତ୍ୟାଖ୍ୟାତ

ୱାଶିଂଟନ, ୫ା୧୧ (ରଏଟର୍ସ/ଏପି): ଆମେରିକାରେ ମଧ୍ୟବର୍ତ୍ତିକାଳୀନ ନିର୍ୱାଚନର ଫଳାଫଳ ବୁଧବାର ପ୍ରାୟତଃ ଆସିଯାଇଥିବାବେଳେ ଦେଶର ରାଜନୈତିକ ସମୀକରଣ ସମ୍ପୂର୍ଣ୍ଣ ବଦଳିଯାଇଛି। ଆମେରିକୀୟ ଭୋଟର ମଙ୍ଗଳବାର ଅନୁଷ୍ଠିତ ଏହି…

ଟ୍ରମ୍ପଙ୍କ ପରାଜୟରେ ଭାରତରେ ବଡ଼ ପ୍ରଭାବ: ପେଟ୍ରୋଲ ଠାରୁ ଆରମ୍ଭ କରି ସୁନା ପର୍ଯ୍ୟନ୍ତ ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ?

ନୂଆଦିଲ୍ଲୀ,୪।୧୧: ସୁପରପାୱାର ଆମେରିକାର ରାଜନୀତିରେ ଏକ ବଡ଼ଧରଣର ଭୂକମ୍ପ ସୃଷ୍ଟି ହୋଇଛି। ଆମେରିକୀୟ (ମଧ୍ୟବର୍ତ୍ତୀକାଳୀନ) ନିର୍ୱାଚନର ଯେଉଁ ଫଳାଫଳ ସାମ୍ନାକୁ ଆସିଛି, ତାହା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ…

ଅଗ୍ନିବୀରଙ୍କ ପାଇଁ ଖୁସିଖବର: ୪ ବର୍ଷ ପରେ ମଧ୍ୟ ସେନାରେ ରହିବେ ଯବାନ

ନୂଆଦିଲ୍‌ଲୀ,୪।୧୧: ଭାରତୀୟ ସେନା, ନୌସେନା ଏବଂ ବାୟୁସେନାରେ ନିଯୁକ୍ତି ପାଇଁ 2022 ମସିହାରେ ଆରମ୍ଭ କରାଯାଇଥିବା ‘ଅଗ୍ନିପଥ ଯୋଜନା’ରେ ବଡ଼ଧରଣର ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଚାଲିଛି। ଚାରି…

ଧନ ମାଗୁଅଛି-ଜନ ମାଗୁଅଛି

ଜୀବନ ପ୍ରବାହର ଗତିପଥକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ପାଇଁ ମଣିଷ ଅନେକ କିଛି ଆପଣେଇ ନେଇଥାଏ, ଭୁଲ ଠିକ୍‌ର ନିର୍ଣ୍ଣୟ କରି ସମୟୋଚିତ ପଦକ୍ଷେପ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?