Categories: ଖେଳ

ଲିଭରପୁଲକୁ ମାଞ୍ଚେଷ୍ଟର ସିଟି ଗାର୍ଡ ଅଫ୍‌ ଅନର ଦେବ

ଲଣ୍ଡନ,୨୮।୬(ଏପି): ଦୀର୍ଘ ୩୦ ବର୍ଷପରେ ଇଂଲିଶ୍‌ ପ୍ରିମିୟର ଲିଗ୍‌ ଟାଇଟଲ ହାସଲ କରିଥିବା ଲିଭରପୁଲ କ୍ଲବକୁ ମାଞ୍ଚେଷ୍ଟର ସିଟି ଗାର୍ଡ ଅଫ୍‌ ଅନର ଦେବ। ଏ ନେଇ ସିଟି ମ୍ୟାନେଜର ପେପ୍‌ ଗୁଆର୍ଡିଓଲା ସୂଚନା ଦେଇଛନ୍ତି। ଆସନ୍ତା ଗୁରୁବାର ଏହି ଦୁଇ ଦଳ ପରସ୍ପରକୁ ଭେଟିବେ। ଏହି ଅବସରରେ ସିଟି ଗାର୍ଡ ଅଫ୍‌ ଅନର ପ୍ରଦାନ କରିବ।
ଗତ ଦୁଇବର୍ଷ ହେବ ସିଟି ପ୍ରିମିୟର ଲିଗ୍‌ ଟାଇଟଲ ହାସଲ କରିଥିଲା। କୋଭିଡ୍‌-୧୯ ମହାମାରୀ ସତ୍ତ୍ୱେ ଦୀର୍ଘ ୩ ମାସ ପରେ ପ୍ରିମିୟର ଲିଗ୍‌ ଆରମ୍ଭ ହୋଇଥିଲା। ଲିଗ୍‌ରେ ଦମ୍‌ଦାର ପ୍ରଦର୍ଶନ କରି ପଏଣ୍ଟ ତାଲିକାରେ ଶୀର୍ଷରେ ରହିଥିଲା। ଆହୁରି ୭ଟି ଗେମ୍‌ ବାକିଥିଲେ ମଧ୍ୟ ଚେଲସିଠାରୁ ସିଟି ପରାସ୍ତ ହେବା ପରେ ଲିଭରପୁଲ ଚାମ୍ପିୟନ ହେବା ନିଶ୍ଚିତ ହୋଇଥିଲା। ନୂଆ ଚାମ୍ପିୟନ ସମ୍ମାନର ହକ୍‌ଦାର ବୋଲି ଗୁଆର୍ଡିଓଲା କହିଛନ୍ତି। ଲିଭରପୁଲ୍‌କୁ ସମ୍ମାନ ଦେବା ହେଉଛି ପ୍ରକୃତ ଖେଳୁଆଡ ମନୋବୃତ୍ତି। ତେଣୁ ଆମେ ଲିଭରପୁଲକୁ ଗାର୍ଡ ଅଫ୍‌ ଅନର ଦେବାକୁ ନିଷ୍ପତ୍ତି ନେଇଛୁ। ଲିଭରପୁଲ ଚାମ୍ପିୟନ ହେବାର ହକ୍‌ଦାର। ଦ୍ୱିତୀୟ ସ୍ଥାନରେ ଥିବା ସିଟିଠାରୁ ଲିଭରପୁଲ ୨୩ ପଏଣ୍ଟ ଅଧିକ ପାଇ ଶୀର୍ଷରେ ରହିଛି।

Share