Categories: ଖେଳ

୩୦ ବର୍ଷ ପରେ ପ୍ରଥମ ପ୍ରିମିୟର ଲିଗ୍‌ ଟାଇଟଲ ଜିତିଲା ଲିଭରପୁଲ

ଲିଭରପୁଲ,୨୭।୬(ଏପି): ଦୀର୍ଘ ୩୦ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ଲିଭରପୁଲ ପ୍ରଥମଥର ପାଇଁ ଇଂଲିଶ୍‌ ପ୍ରିମିୟର ଲିଗ୍‌ (ଇପିଏଲ୍‌) ଟାଇଟଲ ହାସଲ କରିଛି। ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଚେଲସି ୨-୧ ଗୋଲରେ ଗତଥରର ଚାମ୍ପିୟନ ତଥା ଦ୍ୱିତୀୟ ସ୍ଥାନରେ ଥିବା ମାଞ୍ଚେଷ୍ଟର ସିଟିକୁ ପରାସ୍ତ କରିବା ପରେ ଲିଭରପୁଲ ଚାମ୍ପିୟନ ହେବା ସ୍ପଷ୍ଟ ହୋଇଥିଲା। ଲିଗ୍‌ରେ ୩୧ଟି ମ୍ୟାଚ୍‌ ଖେଳି ଲିଭରପୁଲ ୨୮ ବିଜୟ, ୨ ଡ୍ର ଓ ଗୋଟିଏ ପରାଜୟ ସହ ମୋଟ ୮୬ ପଏଣ୍ଟ ପାଇଁ ତାଲିକାର ଶୀର୍ଷରେ ରହିଛି। ଅନ୍ୟପଟେ ମାଞ୍ଚେଷ୍ଟର ସିଟି ୩୧ଟି ମ୍ୟାଚ୍‌ ଖେଳି ୨୦ ବିଜୟ, ୩ ଡ୍ର ଓ ୮ ପରାଜୟ ସହ ମୋଟ ୬୩ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। ଆହୁରି ୭ଟି ଗେମ୍‌ ବାକି ଥିଲେ ମଧ୍ୟ ଲିଭରପୁଲ ୨୩ ପଏଣ୍ଟ ଆଗରେ ରହିଥିବାରୁ ଚାମ୍ପିୟନ ହେବା ନିଶ୍ଚିତ ହୋଇଛି। ଏହା ପରେ ସାରା ଲିଭରପୁଲ ସହରରେ ଖୁସିରେ ଝୁମି ଉଠିଥିଲା ଓ ଜବରଦସ୍ତ ଆତସବାଜି ଦେଖିବାକୁ ମିଳିଥିଲା। ପ୍ରଶଂସକମାନେ ଏକାଠି ହୋଇ ଖୁସି ମନାଇବା ବେଳେ ସୀମା ଅତିକ୍ରମ କରିଥିଲେ। ପ୍ରଶଂସକଙ୍କ ଏଭଳି ବ୍ୟବହାରକୁ ଲିଭରପୁଲ ତରଫରୁ ସମାଲୋଚନା କରାଯାଇଛି।

Share