ଲେଖକ ସୃଷ୍ଟି ପାଇଁ ସାହିତ୍ୟ କର୍ମଶାଳା

ଡ. ଛାୟାକାନ୍ତ ଷଡ଼ଙ୍ଗୀ

 

କିଛିଦିନ ତଳେ ଖବରକାଗଜରେ ପ୍ରକାଶିତ ଏକ ଖବର ‘ବିଦ୍ୟାଳୟରୁ ସୃଷ୍ଟି ହେବେ ଲେଖକ’ ମୋତେ ବିସ୍ମିତ କରିଥିଲା। ଖବର ଅନୁସାରେ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ‘ମୁଁ ବି ଲେଖକ ହେବି’ ନାମରେ ଏକ କାର୍ଯ୍ୟକ୍ରମ ଆୟୋଜନ ହେବ। ଗଳ୍ପ, କବିତା, ଉପନ୍ୟାସ ଇତ୍ୟାଦି କିପରି ଲେଖାହେବ, ସେ ସମ୍ପର୍କରେ ତାଲିମ ଦେବା ପାଇଁ କର୍ମଶାଳା ଅନୁଷ୍ଠିତ ହେବ। ପୁରସ୍କାରପ୍ରାପ୍ତ ଲେଖକମାନେ ଏହି କର୍ମଶାଳାରେ ପ୍ରଶିକ୍ଷଣ ଦେବେ। ଏହି ଖବରଟି ମୋତେ ମନେପକାଇ ଦେଇଥିଲା ବିଶିଷ୍ଟ ସ୍ତମ୍ଭକାର ମନୋରଞ୍ଜନ ମହାନ୍ତିଙ୍କ ପ୍ରବନ୍ଧ ”ସାହିତ୍ୟରେ କର୍ମଶାଳା“। ସେ ସ୍ପଷ୍ଟ ଭାବରେ କହିଥିଲେ, ଜୀବନକୁ ଅନ୍ତରଙ୍ଗ ଭାବରେ ଅନୁଶୀଳନ କରି ନ ଥିଲେ ଓ ନିଜର ଅନ୍ତର୍ଦୃଷ୍ଟି ନ ଥିଲେ ଚାପ ପକାଇ ବା ତାଲିମ ଦେଇ କବି ବା ଲେଖକ ସୃଷ୍ଟି କରିବା ସମ୍ଭବ ନୁହେଁ। ଲେଖକ ହେବାପାଇଁ ସ୍ବତଃସ୍ଫୂର୍ତ୍ତତା ଓ ଅଭିବ୍ୟକ୍ତି ପାଇଁ ଆବେଗ ଥିବା ଦରକାର। ଅଭିମନ୍ୟୁ ସାମନ୍ତସିଂହାର ପିଲାଥିଲାବେଳେ ଗୋଟିଏ କରମଙ୍ଗା ଗଛତଳେ ବସି ଲେଖିଥିଲେ ‘କରମଙ୍ଗା ଗଛର ଛାଇ ଗୋ, କରମ ଯାହାର ସଫଳ ହୋଇବ, କୃଷ୍ଣଙ୍କୁ ପାଇବ ସେହି ଗୋ’। ଏହି ଆବେଗ ପରବର୍ତ୍ତୀ ସମୟରେ ତାଙ୍କ ଲେଖନୀ ମୁନରୁ ସୃଷ୍ଟି କଲା ‘ବିଦ୍‌ଗଧ ଚିନ୍ତାମଣି’ ଓ ‘ପ୍ରେମ ଚିନ୍ତାମଣି’ ଭଳି ଦୁଇଟି ରସମୟ କାବ୍ୟ। ଇଂରେଜ କବି ଆଲେକ୍‌ଜାଣ୍ଡାର ପୋପ୍‌ ପିଲାଦିନେ କବିତା ଲେଖୁଥିଲେ ବୋଲି ତାଙ୍କ ବାପା ତାଙ୍କୁ ମାଡ଼ ମାରିଥିଲେ। ସେ ମାଡ଼ ଖାଇବାବେଳେ କହିଥିଲେ, ”ପାପା ପାପା ପିଟି ଟେକ୍‌, ଭର୍ସେସ ସାଲ୍‌ ଆଇ ନେଭର ମେକ୍‌“। ତାଙ୍କର ଏହି ଉତ୍ତର ବାହାରି ଆସିଥିଲା କବିତା ଭାବରେ। ପରବର୍ତ୍ତୀ ସମୟରେ ସେ ହେଲେ ଅଷ୍ଟାଦଶ ଶତାବ୍ଦୀର ପ୍ରଭାବଶାଳୀ କବି। ଏମାନେ କେହି କେବେ କୌଣସି କର୍ମଶାଳାରେ ଲେଖିବା କଳା ସମ୍ପର୍କରେ ପ୍ରଶିକ୍ଷଣ ନେଇନଥିଲେ। ସେକ୍ସପିଅର, ମିଲ୍‌ଟନ୍‌, ୱାଡ୍ସୱର୍ଥ, କାଳିଦାସ, ଭବଭୂତି, ଫକୀର ମୋହନ ସେନାପତି, ରାଧାନାଥ, ଗଙ୍ଗାଧର ପ୍ରମୁଖ ପ୍ରତିଷ୍ଠିତ କବି ଓ ଲେଖକ କେହି ଲେଖିବା କଳା ଶିଖିବା ପାଇଁ ତାଲିମ ନେଇ ନ ଥିଲେ। ଲେଖକ ହେବା ପାଇଁ ଆବଶ୍ୟକ ଜୀବନର ଅନୁଶୀଳନ ଓ ଅଭିବ୍ୟକ୍ତି ପାଇଁ ଆବେଗ। ତା’ ସାଙ୍ଗକୁ ଅନ୍ୟମାନଙ୍କ ପ୍ରେରଣା ଓ ପୃଷ୍ଠପୋଷକତା ଲେଖକ ସୃଷ୍ଟି କରିବାରେ ସାହାଯ୍ୟ କରିପାରେ। ବିଶିଷ୍ଟ ବଙ୍ଗଳା ଲେଖକ ମନୋରଞ୍ଜନ ବ୍ୟାପାରୀଙ୍କ ସାହିତି୍ୟକ ଜୀବନ ଏହି ପ୍ରସଙ୍ଗରେ ଏକ ଦୃଷ୍ଟାନ୍ତ।
ମନୋରଞ୍ଜନ ବ୍ୟାପାରୀ କେବେ ସ୍କୁଲରେ ପାଦ ଦେଇନାହାନ୍ତି। ମାତ୍ର ତାଙ୍କର ଉପନ୍ୟାସ ଓ ଗଳ୍ପ ସଂକଳନ ଏତେ ପ୍ରଭାବଶାଳୀ ଯେ, ତାହା ଇଂଲିଶ୍‌ ଭାଷା ସହିତ ବିଭିନ୍ନ ଭାରତୀୟ ଭାଷାରେ ଅନୂଦିତ ହୋଇ ବହୁ ଲୋକପ୍ରିୟତା ହାସଲ କରିଛି। ସେ ଥିଲେ ଜଣେ ସାଧାରଣ ରିକ୍ସାଚାଳକ। ଭାରତ ସ୍ବାଧୀନ ହେଲା, ମାତ୍ର ବିଭାଜିତ ହେଲା। ପୂର୍ବବଙ୍ଗରୁ ଶହ ଶହ ପରିବାର ନିଜ ମାତୃଭୂମି ମୋହ ଛାଡ଼ି ଆଶ୍ରୟ ନେଲେ ଭାରତର ଶରଣାର୍ଥୀ ଶିବିରଗୁଡ଼ିକରେ। ସେତେବେଳେ ମନୋରଞ୍ଜନ ବ୍ୟାପାରୀଙ୍କୁ ମାତ୍ର ତିନି ବର୍ଷ। ତାଙ୍କୁ ପାଞ୍ଚବର୍ଷ ହେଲାବେଳକୁ କ୍ଷୁଧା ମେଣ୍ଟାଇବା ପାଇଁ ସେ ଜଣେ ଭଦ୍ରଲୋକଙ୍କ ଗୋରୁ ଚରାଇବା କାର୍ଯ୍ୟରେ ନିଯୁକ୍ତ ହେଲେ। ପରବର୍ତ୍ତୀ ସମୟରେ ସେ ହୋଟେଲରେ କପ୍‌ପ୍ଲେଟ ଧୋଇଲେ ଓ ଜଣେ କନଷ୍ଟେବଳଙ୍କ ଘରେ ରୋଷେଇଆ କାମ କଲେ। କେବଳ ସେତିକି ନୁହେଁ, ସେ ପେଟ ପୋଷିବା ପାଇଁ ଟ୍ରକରେ ଖଲାସି କାମ ଓ ଯାଦବପୁର ଷ୍ଟେଶନରେ କୁଲି କାମ ବି କଲେ। ପରେ ନକ୍ସଲ ଆନ୍ଦୋଳନରେ ଯୋଗ ଦେଇ ଗିରଫ ହେଲେ। ଜେଲ ଭିତରେ ଥିବାବେଳେ ଜଣେ ଉଚ୍ଚଶିକ୍ଷିତ ବନ୍ଦୀଙ୍କ ସଂସ୍ପର୍ଶରେ ଆସି ତାଙ୍କଠାରୁ ଲେଖିବା ଓ ପଢ଼ିବା ଶିଖିଲେ। ଜେଲରୁ ମୁକ୍ତ ହେବାପରେ ସେ ରିକ୍ସା ଚଳାଇ ଜୀବିକା ନିର୍ବାହ କଲେ। ଏହାରି ମଧ୍ୟରେ ସେ ପାଲଟି ଯାଇଥିଲେ ଜଣେ ପଠନପ୍ରିୟ ବ୍ୟକ୍ତି।
ଦିନେ ସେ ଜ୍ୟୋତିଷ ରାୟ କଲେଜ ବାହାରେ ଅପେକ୍ଷାରେ ଥାଆନ୍ତି। ସମୟ କାଟିବା ପାଇଁ ପଢ଼ୁଥାନ୍ତି ଗୋଟିଏ ବହି। ସେହି ବହିଟି ଥିଲା ‘ଅଗ୍ନିଗର୍ଭ’। ଏହି ସମୟରେ ଜଣେ ଭଦ୍ର ମହିଳା ତାଙ୍କ ରିକ୍ସରେ ଆସନ୍ତି ବସ୍‌ଷ୍ଟେଶନ ପର୍ଯ୍ୟନ୍ତ। ରାସ୍ତାରେ ଯିବାବେଳେ ସେ ଭଦ୍ର ମହିଳାଙ୍କୁ ପଚାରିଲେ, ‘ଦିଦି! ଆପଣଙ୍କ ପାଖରୁ ମୁଁ ଗୋଟିଏ କଥା ଜାଣିବାକୁ ଚାହୁଁଛିା ଜିଜୀବିଷାର ଅର୍ଥ କ’ଣ?’ ଭଦ୍ରମହିଳା କହିଲେ, ‘ବଞ୍ଚତ୍ବାର ଇଚ୍ଛା। ମାତ୍ର ତୁମେ ଏହି ଶବ୍ଦଟି ପାଇଲ କେଉଁଠୁ?’ ମନୋରଞ୍ଜନ କହିଲେ, ‘ବହିରୁ’। ତୁମେ କେତେ ପାଠ ପଢ଼ିଛ ପ୍ରଶ୍ନର ଉତ୍ତରରେ ସେ ପୁଣି କହିଲେ, ‘ମୁଁ ସ୍କୁଲ ଯାଇନାହିଁ। ମାତ୍ର ଜେଲରେ ଥିବାବେଳେ ଜଣେ ଶିକ୍ଷିତ ବନ୍ଦୀଙ୍କଠାରୁ ଲେଖିବା ପଢ଼ିବା ଶିଖିଛି।’ ଭଦ୍ରମହିଳା ପଚାରିଲେ, ‘ତୁମେ କ’ଣ ସବୁ ବହି ପଢ଼ିଛ?’ ମନୋରଞ୍ଜନ ପ୍ରାୟ କୋଡ଼ିଏ ଖଣ୍ଡ ବହିର ନାମ କହି ଦିଅନ୍ତେ ସେହି ଭଦ୍ରମହିଳା ବିସ୍ମିତ ହେଲେ। ସେ ଥିଲେ ‘ଅଗ୍ନିଗର୍ଭ’ ଉପନ୍ୟାସର ଲେଖିକା ମହାଶ୍ୱେତା ଦେବୀ। ସେ ସେହି ରିକ୍ସାଚାଳକ ମନୋରଞ୍ଜନକୁ ନିଜର ଠିକଣା ଦେଇ ତାଙ୍କ ଘରକୁ ଆମନ୍ତ୍ରଣ କଲେ। ମହାଶ୍ୱେତା ଦେବୀ କହିଲେ, ‘ତୁମେ ତୁମର ଜୀବନ କାହାଣୀକୁ ନିଜ ଭାଷାରେ ଲେଖି ମୋତେ ଦିଅ।’ ସେ ଲେଖିଲେ ଓ ତାହା ନିୟମିତ ଭାବରେ ମହାଶ୍ୱେତା ଦେବୀଙ୍କ ଦ୍ୱାରା ସଂପାଦିତ ‘ବର୍ତ୍ତିକା’ ପତ୍ରିକାରେ ପ୍ରକାଶ ପାଇଲା। ପରବର୍ତ୍ତୀ ସମୟରେ ତାଙ୍କର ଆମତ୍ଜୀବନୀ ‘ଇତିବୃତ୍ତେ ଚଣ୍ଡାଳ ଜୀବନ’ ସାହିତ୍ୟ ଏକାଡେମୀ ପୁରସ୍କାର ଲାଭକଲା। ସେ ଏବେ ଅନୂ୍ୟନ କୋଡ଼ିଏ ଖଣ୍ଡ ବହିର ଜନାଦୃତ ଲେଖକ। ପଶ୍ଚିମବଙ୍ଗ ସରକାର ତାଙ୍କୁ ଦଳିତ ସାହିତ୍ୟ ଏକାଡେମୀର ସଭାପତି ଭାବରେ ନିଯୁକ୍ତ କରି ସମ୍ବର୍ଦ୍ଧିତ କରିଛନ୍ତି। ପୁନଶ୍ଚ ସେ ଏବେ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି। ଏହି ବିଶିଷ୍ଟ ଲେଖକ ମନୋରଞ୍ଜନ ବ୍ୟାପାରୀ କୌଣସି ପ୍ରତିଷ୍ଠିତ ଲେଖକଙ୍କ ପାଖରୁ ସାହିତ୍ୟ ସୃଷ୍ଟି କରିବାର କଳା ଶିକ୍ଷା କରିବାର ତାଲିମ ନେଇନାହାନ୍ତି। ମାତ୍ର ସେ ଆଜି ଜଣେ ପ୍ରତିଷ୍ଠିତ ପ୍ରଭାବଶାଳୀ ଲେଖକ। ତାଙ୍କର ଥିଲା ଜୀବନକୁ ଅନୁଶୀଳନ କରିବାରେ ଜିଜ୍ଞାସା ଓ ଅଭିବ୍ୟକ୍ତି ପାଇଁ ଆବେଗ, ଯାହାକୁ ପ୍ରେରିତ କରିଥିଲେ ବିଶିଷ୍ଟ ଲେଖିକା ମହାଶ୍ୱେତା ଦେବୀ। ସେଥିପାଇଁ ଲୋଡ଼ା ନ ଥିଲା କୌଣସି କର୍ମଶାଳା ବା ତାଲିମ କେନ୍ଦ୍ର।
ସାହିତ୍ୟ କର୍ମଶାଳା ଆୟୋଜନ କରି ତାଲିମ ଦେଇ ଲେଖକ ସୃଷ୍ଟି କରିବା ଏକ ବ୍ୟର୍ଥାଭିମୁଖୀ ପ୍ରୟାସ ଭଳି ମନେହୁଏ। କୌଣସି ଜଣେ ଲେଖକକୁ ଅନୁକରଣ କରି କେହି କେବେ ସଫଳ ଲେଖକ ହେବା ସମ୍ଭବ ନୁହେଁ। ଥିଲେ ଜଣେ ନିଃସନ୍ତାନ ମହିଳା। ସନ୍ତାନ କାମନା କରି ସେ ପହଞ୍ଚତ୍ଲେ ଜଣେ ମହାପୁରୁଷଙ୍କ ପାଖରେ। ଲୋଡ଼ିଲେ ତାଙ୍କର ଆଶୀର୍ବାଦ। ମହାପୁରୁଷ କହିଲେ, ”ମୋ ମାଆ ବି ଦିନେ ନିଃସନ୍ତାନ ଥିଲେ। ସେ ଏକ ସନ୍ତାନ ଆଶାରେ ତାଙ୍କ ଗୁରୁଙ୍କ ଆଶୀର୍ବାଦ ଲୋଡ଼ିଲେ। ଗୁରୁ କହିଲେ, ‘ତୁମେ ଏକ ରୁପାମୁଦ୍ରା ଧରି ଆସ ଓ ମୋତେ ଦେଖାକର। ମୋ ମାଆ ଗରିବ ଥିବାରୁ ରୁପାମୁଦ୍ରାଟିଏ ଯୋଗାଡ଼ କରିବାକୁ ତାଙ୍କୁ ଅନେକ ଦିନ ଲାଗିଗଲା। ତା’ରି ଭିତରେ ଗୁରୁ ଶହେ କୋଶ ଦୂରବର୍ତ୍ତୀ ଏକ ସ୍ଥାନକୁ ଚାଲିଯାଇଥିଲେ। ମୋ ମାଆ ଚାଲି ଚାଲି ସେ ସ୍ଥାନରେ ପହଞ୍ଚତ୍ବା ବେଳକୁ ଗୁରୁ ସେହି ସ୍ଥାନ ପରିତ୍ୟାଗ କରି ଆହୁରି ପଚାଶ କୋଶ ଦୂରରେ ତାଙ୍କ ତମ୍ବୁ ପକାଇଥିଲେ। ମୋ ମାଆ ସନ୍ତାନ ପ୍ରାପ୍ତି ପାଇଁ ଏତେ ବିକଳ ଥିଲେ ଯେ ସେ ପୁଣି ପଚାଶ କୋଶ ପାଦରେ ଅତିକ୍ରମ କରି ସେହି ସ୍ଥାନରେ ପହଞ୍ଚିଲେ। ଗୁରୁଙ୍କୁ ରୌପ୍ୟମୁଦ୍ରାଟି ଦେଇ ସେ ତାଙ୍କ ଆଶୀର୍ବାଦ ଭିକ୍ଷା କଲେ। ଗୁରୁ ପ୍ରୀତ ହେଲେ ଓ ଆଶୀର୍ବାଦ ଦେଲେ। ଯଥା ସମୟରେ ମୁଁ ଜନ୍ମ ହେଲି।’ ଏହା ଶୁଣି ପୂର୍ବୋକ୍ତ ସନ୍ତାନକାମୀ ମହିଳା କହିଲେ, ‘ମହାଭାଗ! ମୁଁ ବି ଆପଣଙ୍କ ମା’ ପରି ଗୋଟିଏ ରୁପାମୁଦ୍ରା ସଂଗ୍ରହ କରି ଆଣିବି। ଆପଣ ଯେତେ ଦୂରକୁ ଚାଲିଯାଇଥିଲେ ବି ମୁଁ ସେଠାରେ ପହଞ୍ଚତ୍ବି ଓ ଆପଣଙ୍କୁ ରୁପାମୁଦ୍ରାଟିଏ ଦେବି। ଆପଣ ମୋତେ ଆଶୀର୍ବାଦ ଦେବେ।’ ସେହି ମହାପୁରୁଷ କହିଲେ, ‘ଦେଖ! ମୋ ମାଆ ପାଖରେ କୌଣସି ଦୃଷ୍ଟାନ୍ତ ନଥିଲା। ସେ ଥିଲେ ସ୍ବତଃସ୍ଫୂର୍ତ୍ତ ପ୍ରେରଣା ଚାଳିତ ମାତ୍ର ତୁମେ ଦୃଷ୍ଟାନ୍ତ ଚାଳିତ। ଅନତିକ୍ରମ୍ୟ ଏ ପାର୍ଥକ୍ୟ।’ ବିଶିଷ୍ଟ ଲେଖକ ମନୋଜ ଦାସଙ୍କ ଦ୍ୱାରା କଥିତ ଏହି କାହାଣୀର ତାତ୍ପର୍ଯ୍ୟ ହେଲା, ପ୍ରେରଣା ଚାଳିତ ସାହିତ୍ୟରେ ଯେଉଁ ମୌଳିକତା ଥାଏ, ଅନୁକୃତ ସାହିତ୍ୟରେ ତାହା ନ ଥାଏ। ଏଣୁ ଲେଖକକୁ ଅନ୍ତଃପ୍ରେରଣା ଚାଳିତ ହେବାକୁ ଦିଆଯାଉ ଓ ସେହି ଅନ୍ତଃପ୍ରେରଣାରୁ ସୃଷ୍ଟି ହେଉ ସାହିତ୍ୟ। ସରକାର ବା ସାହିତ୍ୟ ଏକାଡେମୀ ଲେଖକ ସୃଷ୍ଟି କରିବା ପାଇଁ ତାଲିମ ଦେବା ଲାଗି କର୍ମଶାଳା ଆୟୋଜନ ନ କରି ସେହି ପ୍ରେରଣା ଚାଳିତ ସାହିତି୍ୟକମାନଙ୍କୁ ଖୋଜି ତାଙ୍କର ପୃଷ୍ଠପୋଷକତା କଲେ ସେମାନେ ଉତ୍ସାହିତ ହୋଇ ଲେଖନୀ ଚାଳନା କରିବେ ଓ ସାହିତ୍ୟଜଗତ ସେମାନଙ୍କ କୃତିରେ ସମୃଦ୍ଧ ହେବ।
ପ୍ରାକ୍ତନ କଲେଜ ଅଧ୍ୟକ୍ଷ, ଟିଟିଲାଗଡ଼
ମୋ: ୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri