ଧାମନଗର,୧୧ା୭(କାଳନ୍ଦି ବେହେରା): ଭଦ୍ରକ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ତଥା ଲୋକଙ୍କ ଭାବାବେଗର ପ୍ରତୀକ ‘ସହିଦ ପୀଠ’ ନିକଟରେ ମଦ ଦୋକାନ ଖୋଲିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଜନଅସନ୍ତୋଷ ପ୍ରକାଶ ପାଇଛି। ମଙ୍ଗଳପୁରରୁ ସହିଦ ପୀଠ ମଧ୍ୟଭାଗରେ ଥିବା ସହିଦ ମଣ୍ଡପ, ସହିଦ ମେଡିକାଲ ଓ ସହିଦ ମହାବିଦ୍ୟାଳୟ ନିକଟସ୍ଥ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଏହି ଦୋକାନ ଚାଲୁଥିବାରୁ ଏହାକୁ ସହିଦମାନଙ୍କ ସ୍ମୃତି ପ୍ରତି ଅପମାନ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।
ସୂଚନା ଅନୁସାରେ, ଅସୁରାଳି ପଞ୍ଚାୟତ ପାଇଁ ସରକାରଙ୍କ ଦ୍ଵାରା ଅନୁମୋଦିତ ଏହି ମଦ ଦୋକାନଟି ବର୍ତ୍ତମାନ ବେଆଇନ ଭାବେ ଖପରପଦା ପଞ୍ଚାୟତ ଅଞ୍ଚଳରେ ଚାଲୁଛି। ଏହା ଏକ ‘ଠିପି ବନ୍ଦ’ ମଦ ଦୋକାନ ହୋଇଥିଲେ ମଧ୍ୟ ନିୟମ ଉଲ୍ଲଂଘନ କରି ସେଠାରେ ଟେଣ୍ଟ ପକାଯାଇ ଖୋଲାଖୋଲି ମଦ୍ୟପାନ ଓ ଚାଖଣା ବିକ୍ରିର ବ୍ୟବସ୍ଥା କରାଯାଇଛି। ଫଳରେ ସନ୍ଧ୍ୟା ହେଲେ ଏହି ବ୍ୟସ୍ତବହୁଳ ରାସ୍ତାରେ ମଦ୍ୟପଙ୍କ ଭିଡ଼ ଜମୁଛି, ଯାହା ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ମହିଳା ଓ ସାଧାରଣ ପଥିକମାନଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି।
ଏହି ପ୍ରସଙ୍ଗରେ ଉଭୟ ଅସୁରାଳି ଓ ଖପରପଦା ପଞ୍ଚାୟତର ସରପଞ୍ଚ କୌଣସି ପ୍ରକାର ଅନୁମତି ବା ଏନଓସି ଦେଇ ନ ଥିବା ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ, ଅବକାରୀ ବିଭାଗର ଏସ୍ପି ନରୋତ୍ତମ ମିଶ୍ର କହିଛନ୍ତି ଯେ ଘଟଣାର ତଦନ୍ତ କରାଯିବ ଏବଂ ନିୟମ ଉଲ୍ଲଂଘନ ପ୍ରମାଣିତ ହେଲେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅଞ୍ଚଳର ସାମାଜିକ ଶୃଙ୍ଖଳା ରକ୍ଷା ପାଇଁ ଏହି ମଦ ଦୋକାନକୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ବୁଦ୍ଧିଜୀବୀ ଓ ମହିଳା ସଂଗଠନ ପକ୍ଷରୁ ପ୍ରଶାସନ ନିକଟରେ ଦୃଢ଼ ଦାବି ହୋଇଛି।