Categories: ଖେଳ

ଅଲିମ୍ପିକ୍ସରେ ଅଂଶଗ୍ରହଣ କରିପାରିବେନି ଲିପେର

ମୋନାକୋ,୨୮।୪(ଏପି): ଆମେରିକୀୟ ପାରା ଅଲିମ୍ପିକ ଧାବକ ବ୍ଲାକ ଲିପେରଙ୍କୁ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ବାରଣ କରାଯାଇଛି। ଏ ନେଇ ସେ ଆବେଦନ କରିଥିଲେ। ତେବେ ତାଙ୍କ ଆବେଦନକୁ ଓ୍ବାଲର୍‌ଡ ଆଥ୍‌ଲେଟିକ୍ସ ପ୍ରତ୍ୟାଖ୍ୟାନ କରିଛି। ତାଙ୍କର ଦୁଇଟି ନକଲି ବା କୃତ୍ରିମ ଗୋଡ ଅସାଧାରଣ ଭାବେ ଲମ୍ବା ରହିଛି। ତେଣୁ ସେ ଅନ୍ୟ ପ୍ରତିଯୋଗୀଙ୍କଠାରୁ ଅପେକ୍ଷାକୃତ ସୁବିଧା ହାସଲ କରିବାର ସମ୍ଭାବନା ଥିବାରୁ ଓ୍ବାଲର୍‌ଡ ଆଥ୍‌ଲେଟିକ୍ସ ତାଙ୍କ ଆବେଦନକୁ ଗ୍ରହଣ କରିନାହିଁ।
ଲିପେର ଅସାଧାରଣ ଭାବେ ଡେଙ୍ଗା ଧାବକ ଭାବେ ଦୌଡୁଛନ୍ତି ବୋଲି ଓ୍ବାଲର୍‌ଡ ଆଥ୍‌ଲେଟିକ୍ସ ମେକାନିକାଲ ଏଡ୍ସ ରିଭ୍ୟୁ ପ୍ୟାନେଲ ସୋମବାର ସ୍ପଷ୍ଟ କରିଛି। ଲିପର ତାଙ୍କ ଷ୍ଟାଣ୍ଡିଂ ଉଚ୍ଚତା ୧୮୪ ସେଣ୍ଟିମିଟରରେ ଦୌଡ଼ିବେ ବୋଲି ଆବେଦନ କରିଥିଲେ। ତେବେ ନିୟମ ଅନୁସାରେ ସେ ୧୭୪.୪ ସେଣ୍ଟିମିଟରରୁ ଅଧିକ ଉଚ୍ଚତାରେ ଦୌଡ଼ିପାରିବେ ନାହିଁ ବୋଲି ସ୍ପଷ୍ଟ କରାଯାଇଛି।
ଆଣ୍ଠୁ ତଳକୁ ବିନା ଗୋଡରେ ଲିପେର ଜନ୍ମଗ୍ରହଣ କରିଥିଲେ। ତେଣୁ ସେ କୃତ୍ରିମ ଗୋଡ ନେଇ ଓ୍ବାଲର୍‌ଡ ଆଥ୍‌ଲେଟିକ୍ସର ମେଜର ଇଭେଣ୍ଟ ଓ ଅଲିମ୍ପିକ୍ସରେ ଅଂଗ୍ରହଣ କରିପାରିବେ ନାହଁି ବୋଲି କୁହାଯାଇଛି।
ଦକ୍ଷିଣ ଆଫ୍ରିକା ପାରା ଆଥ୍‌ଲେଟ ଓସ୍କାର ପିଷ୍ଟୋରିୟସଙ୍କ ମାମଲା ମଧ୍ୟ ସମାନ ଥିଲା। ତାଙ୍କ କୃତ୍ରିମ ଗୋଡ ଅନ୍ୟମାନଙ୍କ ତୁଳନାରେ ତାଙ୍କୁ ସୁବିଧା ପହଞ୍ଚାଉ ନ ଥିବା ନେଇ କୋର୍ଟ ଅଫ୍‌ ଅର୍ବିଟ୍ରେସନ ଫର ସ୍ପୋଟର୍‌ସ (କାସ) ହୃଦୟଙ୍ଗମ କରିଥିଲା। ଫଳରେ ତାଙ୍କୁ ବଡ଼ ଇଭେଣ୍ଟରେ ଅଂଶଗ୍ରହଣ କରିବାର ସୁଯୋଗ ଦେଇଥିଲା। ପିଷ୍ଟୋରିୟସ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଭାଗ ନେଇଥିଲେ ଓ ୪୦୦ ମି. ଦୌଡ଼ର ସେମିଫାଇନାଲରେ ପ୍ରବେଶ କରିଥିଲେ। ପାରାଅଲିମ୍ପିକ୍ସରେ ଲିପେର ପିଷ୍ଟୋରିୟସଙ୍କ ପଛରେ ରହି ୪୦୦ମି. ରେ ରୌପ୍ୟ ପଦକ ହାସଲ କରିଥିଲେ।

Share