ଏବେ ଖୋଲିବନି ଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର,୯।୮(ବ୍ୟୁରୋ): ଶୈବକ୍ଷେତ୍ରର ପ୍ରସିଦ୍ଧ ଶ୍ରୀ ଲିଙ୍ଗରାଜ ମନ୍ଦିର। କିଛି ମାସ ହେଲା କୋଭିଡ୍‌ କଟକଣା ଯୋଗୁ ମନ୍ଦିର ବନ୍ଦ ରହିଛି। ମନ୍ଦିର କେବେ ଖୋଲିବ ତାହା ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ଯଦିଓ ମନ୍ଦିରମାଳିନୀ ସହରର ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନ ଆସନ୍ତା ୨୩ ତାରିଖରୁ ଭକ୍ତଙ୍କ ଦର୍ଶନ ଏବଂ ପୂଜାର୍ଚ୍ଚନା ପାଇଁ ଖୋଲିବ ବୋଲି ସୋମବାର ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ଧାର୍ମିକ ଅନୁଷ୍ଠାନରେ କୋଭିଡ୍‌ ଗାଇଡ୍‌ଲାଇନ ପାଳନ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଦୀପ, ଫୁଲ, ପ୍ରସାଦ ଭଳି ସାମଗ୍ରୀ ଧାର୍ମିକ ଅନୁଷ୍ଠାନକୁ ଆଣିବାକୁ ମନା କରାଯାଇଛି। ୨୫ରୁ ଅଧିକ ଭକ୍ତଙ୍କ ଏକାଠି ଦର୍ଶନ କରିବାକୁ ବାରଣ କରାଯାଇଛି। ବରିଷ୍ଠ ନାଗରିକ, ଗର୍ଭବତୀ ମହିଳା, ୧୮ବର୍ଷରୁ କମ୍‌ ବୟସ୍କଙ୍କୁ ଧାର୍ମିକ ଅନୁଷ୍ଠନ ଯିବା ଉପରେ ବି କଟକଣା ଜାରି କରାଯାଇଛି। ହେଲେ ୨୩ ପରେ ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ନିଷ୍ପତ୍ତି ନେବାକୁ ବିଏମ୍‌ସି ପକ୍ଷରୁ କୁହାଯାଇଛି।