ବଜ୍ରପାତ ବିଜ୍ଞାନ ଓ ଜୀବନ ସୁରକ୍ଷା

ରିତେଶ କୁମାର ଶିଶୁ

 

ଆଗକୁ ବର୍ଷାଋତୁ ଆସୁଛି। ଏହି ସମୟରେ ଅନେକ ଲୋକ ଚାଷ କାମ ବେଳେ ରାସ୍ତା କଡ଼ ଗଛମୂଳରେ ଛିଡ଼ାହୋଇ ବଜ୍ରପାତର ଶିକାର ହୁଅନ୍ତି। ପାଣିପାଗ ବିଜ୍ଞାନୀଙ୍କ ଆକଳନ କହେ ବିଶ୍ୱ ଜଳବାୟୁରେ ଦ୍ରୁତ ପରିବର୍ତ୍ତନ ଓ ବଶ୍ୱ ତାପନ ଯୋଗୁ ବଜ୍ରପାତ ସଂଖ୍ୟା ବଢ଼ିବ। ଏଥିରୁ ସୁରକ୍ଷା ପାଇବାକୁ ହେଲେ ବଜ୍ରପାତର ବୈଜ୍ଞାନିକ ସଂରଚନାକୁ ବୁଝିବା ଆବଶ୍ୟକ। ପାନିଆରେ ମୁଣ୍ଡ କୁଣ୍ଡାଇଲା ବେଳେ ବିଯୁକ୍ତାତ୍ମକ ଚାର୍ଜ ଓ ଯୁକ୍ତାତ୍ମକ ଚାର୍ଜ ଅଲଗା ହୋଇ ଷ୍ଟାଟିକ ବିଦ୍ୟୁତ ଶକ୍ତିର ପ୍ରଭାବରେ ଏହା ଟୁକୁରା କାଗଜକୁ ଆକର୍ଷିତ କଲାଭଳି, ବାଦଲଗୁଡ଼ିକ ମଧ୍ୟରେ ଜଳ କଣିକାଗୁଡ଼ିକ ପ୍ରବଳ ବେଗରେ ଗତି କରିବା ପ୍ରକ୍ରିୟାରେ ତୀବ୍ର ଘର୍ଷଣ ହୋଇ ବିଯୁକ୍ତାତ୍ମକ ଚାର୍ଜ ଓ ଯୁକ୍ତାତ୍ମକ ଚାର୍ଜ ଅଲଗା ହୋଇ ବିଯୁକ୍ତାତ୍ମକ ଚାର୍ଜଯୁକ୍ତ କଣିକା ବାଦଲର ତଳଭାଗରେ ଓ ଯୁକ୍ତାତ୍ମକ ଚାର୍ଜଯୁକ୍ତ କଣିକା ବାଦଲର ଉପରଭାଗରେ ଗଚ୍ଛିତ ହେବାକୁ ଲାଗନ୍ତି। ବାଦଲ ମଧ୍ୟରେ ଚାର୍ଜର ସନ୍ତୁଳନ ରକ୍ଷା ପାଇଁ ଏହି ଚାର୍ଜଯୁକ୍ତ କଣିକାଗୁଡ଼ିକ ନିକଟରେ ଥିବା ବିପରୀତ ଚାର୍ଜକୁ ଖୋଜି ତୀବ୍ର ଗତିରେ ମିଶିଯାନ୍ତି ଓ ଏହି ପ୍ରକ୍ରିୟାକୁ ଅମେ ବିଜୁଳି ବା ଲାଇଟିନିଙ୍ଗ କହିଥାଉ। ଆର୍ଥ ନେଟଓର୍କର ତଥ୍ୟ ଅନୁଯାୟୀ ସମୁଦାୟ ବିଜୁଳିର ପ୍ରାୟ ୨୦% ହେଉଛି ବାଦଲରୁ ଭୂପୃଷ୍ଠକୁ ବଜ୍ରପାତ କିନ୍ତୁ ପାଣିପାଗର ଓ ଭୌଗୋଳିକ ସ୍ଥିତିକୁ ନେଇ ଏହି ପରିମାଣ କମ୍‌ ବେଶି ହୋଇପାରେ। ତଥ୍ୟ ଅନୁଯାୟୀ ୨୦୨୦-୨୧ରେ ଓଡ଼ିଶାରେ ବାଦଲରୁ ଭୂପୃଷ୍ଠକୁ ବଜ୍ରପାତରେ ପରିଣତ ହେବାର ପ୍ରତିଶତ ୪୦% ଥିଲା ବେଳେ ଆନ୍ଧ୍ରପ୍ରଦେଶରେ ଏହା ୨୦% ଥିଲା ଯାହା ଚିନ୍ତାଜନକ।
ବାଦଲରୁ ଭୂପୃଷ୍ଠ ବିଜୁଳି ପ୍ରବାହ ପ୍ରକ୍ରିୟାରେ ବିଦ୍ୟୁତ ବିଭବର ପାର୍ଥକ୍ୟ ପାଖାପାଖି ୩୦୦ କୋଟି ଭୋଲ୍ଟ ଓ ବିଦ୍ୟୁତର ପ୍ରବାହ ପାଖାପଖି ୩୦୦୦୦ ଆମ୍ପିୟରର ସହିତ ବାଦଲରୁ ବିଯୁକ୍ତାତ୍ମକ ଚାର୍ଜ କିମ୍ବା ଯୁକ୍ତାତ୍ମକ ଚାର୍ଜର ଏକ ବିଶାଳ ସ୍ରୋତ ବିପରୀତ ଚାର୍ଜର ସନ୍ଧାନରେ ଡାଳ ମେଲାଇଲା ପରି ପାଖାପାଖି ଆଲୋକର ଗତିରେ ଭୂପୃଷ୍ଠକୁ ମାଡି ଆସନ୍ତି, ସେହି ସମୟରେ ସମାନ ଗତିରେ ଭୂପୃଷ୍ଠର କଛି ମିଟର ପରିଧିରୁ ବିପରୀତାତ୍ମକ ଚାର୍ଜଗୁଡିକ ଏକାଠି ହୋଇ ବାଦଲ ଆଡକୁ ସିଧାସଳଖ ଅତି ତୀବ୍ର ଗତିରେ ମାଡିଯାଇ ଭୂପୃଷ୍ଠରୁ କିଛି ଉଚ୍ଚତା ଉପରେ ମିଶିଯାଆନ୍ତି। ଏହାର ତୀବ୍ର ପ୍ରତିକ୍ରିୟା ସ୍ବରୂପ ଏକ ବିରାଟ ଶଦ୍ଦ ଓ ପାଖାପାଖି ୨୦୦୦୦ ଡିଗ୍ରୀ ସେଲସିୟସ ଉତ୍ତାପ ସୃଷ୍ଟି କରେ। ବାଦଲରୁ ଭୂପୃଷ୍ଠକୁ ବିଜୁଳି ପ୍ରବାହ ଦୁଇ ପ୍ରକାର। ବାଦଲର ତଳଭାଗରେ ଥିବା ବିଯୁକ୍ତାମତ୍କ ଚାର୍ଜ ଅସି ଭୂପୃଷ୍ଟରୁ ନିକ୍ଷେପିତ ଯୁକ୍ତାମତ୍କ ଚାର୍ଜ ସହିତ ମିଶି ବିଯୁକ୍ତାତ୍ମକ ବଜ୍ରପାତ ଓ ଅନ୍ୟ କ୍ଷେତ୍ରରେ ବାଦଲର ଉପର ଭାଗରୁ ଯୁକ୍ତାତ୍ମକ ଚାର୍ଜ ଆସି ବିଯୁକ୍ତାତ୍ମକ ଚାର୍ଜ ସହିତ ମିଶି ଯୁକ୍ତାତ୍ମକ ବଜ୍ରପାତ ସୃଷ୍ଟି କରେ। ବାଦଲର ଉପରଭାଗରେ ଯୁକ୍ତାତ୍ମକ ଚାର୍ଜ ରହୁଥିବାରୁ ଅଧିକ ଚାର୍ଜଯୁକ୍ତ କଣିକା ଠୁଳ ହେଲେ ଯାଇ ତାହା ଭୂମିକୁ ଆସିବାକୁ ଶକ୍ତି ଗୋଟାଇପାରେ, ତେଣୁ ଏହି କ୍ଷେତ୍ରରେ ଏକ ବଜ୍ରପାତର ଶକ୍ତି ବିଯୁକ୍ତାତ୍ମକ ବଜ୍ରପାତଠାରୁ ଅନେକ ଅଧିକ ରହେ। ଏହି କାରଣରୁ ବିଯୁକ୍ତାତ୍ମକ ବଜ୍ରପାତ ଅଧିକ ହୋଇଥାଏ ଓ ଯୁକ୍ତାତ୍ମକ ବଜ୍ରପାତ କମ୍‌ ସଂଖ୍ୟାରେ ହେଲେ ମଧ୍ୟ ବାଦଲ ଉପରୁ ଅଧିକ ଦୂରଯାଏ ଗତି କରିଥାଏ ଓ ଅଧିକ ଶକ୍ତି ସମ୍ପନ ହୋଇଥାଏ। ଆକାଶରେ ବାଦଲ କିମ୍ବା ବର୍ଷା ନ ଥାଇ ମଧ୍ୟ ବଜ୍ରପାତ ହୋଇପାରେ, ଯାହାକୁ ବୋଲ୍ଡ ଫ୍ରମ୍‌ ଦି ବ୍ଲୁ ବୋଲି କୁହାଯାଏ। ଏହି ପ୍ରକ୍ରିୟାରେ ବାୟୁରେ ବାରୁଦପରି ଗନ୍ଧ ହେଉଥିବା ଓଜନ ଅଣୁ ଏବଂ ମୃତ୍ତିକାର ଉର୍ବରତା ବଢାଉଥିବା ନାଇଟ୍ରୋଜେନ ଅକ୍ସାଇଡ ଆଦି ସୃଷ୍ଟି ହୁଏ।
ବାୟୁ ବିଜୁଳିର କୁପରିବାହୀ ହୋଇଥିବାରୁ ଅଧିକାଂଶ ସମୟରେ ଭୂପୃଷ୍ଠରୁ ଚାର୍ଜ କଣିକାଗୁଡିକ ଉପରକୁ ଗତି କରିବା ପାଇଁ ନିକଟରେ ଥିବା ଉଚ୍ଚ ସୁପରିବାହୀ ଯେପରିକି ଗଛ, ଧାତବ ଖମ୍ବ, ମଣିଷ ଶରୀର କିମ୍ବା ଅନ୍ୟ ଜୀବଜନ୍ତୁଙ୍କ ଶରୀରର ମାଧ୍ୟମ ଖୋଜନ୍ତି। ଏହି ପ୍ରକ୍ରିୟାରେ ଭୂପୃଷ୍ଠରୁ ଚାର୍ଜଗୁଡିକ କିଛି ମିଟର ପରିଧି ମାଧ୍ୟମରେ କ୍ଷିପ୍ର ଗତିରେ ଏକାଠି ହେଲା ବେଳେ ସେହି ପରିଧି ମଧ୍ୟରେ ଆସୁଥିବା ସମସ୍ତ ମଣିଷ, ବସ୍ତୁ ଓ ଜୀବ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହୁଅନ୍ତି।
ବଜ୍ରପାତର ପୂର୍ବ ସୂଚନା ମିଳିବା ପ୍ରାୟ ଅସମ୍ଭବ, କିନ୍ତୁ କେତେକ କ୍ଷେତ୍ରରେ ବଜ୍ରପାତ ହେବା ପୂର୍ବରୁ ଲୋକଙ୍କ ଚୁଟି ଛିଡା ହୋଇଯାଉଥିବାର ନଜିର ରହିଛି। ଏପରି ଆଭାସ ପାଇଲେ ତୁରନ୍ତ ସୁରକ୍ଷିତ ସ୍ଥାନକୁ ପଳାନ୍ତୁ କିମ୍ବା ମୁଣ୍ଡ ପଛରେ ଦୁଇ ହାତ ଦେଇ ଦୁଇ ଗୋଇଠିକୁ ଟେକି ଏକାଠି ଲଗାଇ ବଜ୍ରପାତ ସୁରକ୍ଷା ସ୍ଥିତିରେ ବସିପଡ଼ିବା ମଧ୍ୟ କିଛି ପରିମାଣରେ ସୁରକ୍ଷିତ। ମୋଟା ପ୍ଲାଷ୍ଟିକର ସୋଲ୍‌ ଥିବା ଆଣ୍ଠୁ ପର୍ଯ୍ୟନ୍ତ ଘୋଡାଇ ହୋଇପାରୁଥିବା ଜୋତା କିଛି ପରିମାଣରେ ବଜ୍ରପାତରୁ ସୁରକ୍ଷା ଦିଏ। ବର୍ଷାରୁ ଆଶ୍ରୟ ନେବାକୁ ଗଛ ତଳକୁ ଆଦୌ ଯିବା ଉଚିତ ନୁହେଁ। ଉଚ୍ଚ ଜାଗାକୁ ଅଧିକାଂଶ ସମୟରେ ବଜ୍ରପାତ ହୁଏ। କଳା ବାଦଲ ଘୋଟିଆସିଲେ କିମ୍ବା ପ୍ରଥମ ଘଡ଼ଘଡ଼ିର ଶବ୍ଦ ଶୁଣିଲେ, ଖୋଲା ଜାଗାରେ ଥିଲେ ଗଛ ଓ ଉଚ୍ଚ ସ୍ଥାନଠାରୁ ଦୂରରେ ରହି, ତୁରନ୍ତ ସୁରକ୍ଷିତ ଜାଗା ଯେପରି କି ଧାତବ ଛାତ ଥିବା ଗାଡ଼ି ଯଥା କାର୍‌, ବସ୍‌ ଆଦି କିମ୍ବା କଂକ୍ରିଟ ଛାତ ଥିବା ଘରେ ଆଶ୍ରୟ ନେବା ଉଚିତ। କଂକ୍ରିଟ ଛାତ ଘରେ କବାଟ, ଝରକା ନିବୁଜ କରି କାଠ ନିର୍ମିତ କୁପରିବାହୀ ବସ୍ତୁ ଉପରେ ବସି, ପାଣି ଟ୍ୟାପ, ଟେଲିଫୋନ, ବୈଦ୍ୟୁତିକ ସାମଗ୍ରୀ, ଧାତବ ପଦାର୍ଥ ଓ ବାଲକୋନି ଆଦି ଠାରୁ ଦୂରରେ ରହିବା ଉଚିତ। ଘରେ ଆର୍ଥିଙ୍ଗର ସୁବନ୍ଦୋବସ୍ତ ଓ ଘର ଉପରେ ବଜ୍ରପାତ ନିରୋଧୀ ଧାତବ ଦଣ୍ଡ ଲଗାଇବା ଶ୍ରେୟସ୍କର। ଦେଖାଯାଇଛି ସବୁଠାରୁ ମାରାତ୍ମକ ଯୁକ୍ତାତ୍ମକ ଚାର୍ଜର ବଜ୍ରପାତ ବର୍ଷା ଛାଡିବାର କିଛି ସମୟ ପରେ ମାରିଥାଏ, ତେଣୁ ବର୍ଷା ଛାଡିଗଲେ ମଧ୍ୟ ଶେଷ ଘଡ଼ଘଡ଼ିର ଶବ୍ଦ ଶୁଣିବାର ଅତିକମରେ ୨୦ ମିନିଟ ପରେ ଘରୁ ବାହାରନ୍ତୁ।
ଅନେକ କ୍ଷେତ୍ରରେ ବଜ୍ରପାତର ଶିକାର ଲୋକମାନଙ୍କର ହୃଦ୍‌ସ୍ପନ୍ଦନ ବନ୍ଦ ହୋଇଯିବା ସହିତ ଶ୍ୱାସନଳୀ ସଂକୁଚିତ ହୋଇଯାଏ। ଏହି କ୍ଷେତ୍ରରେ ତୁରନ୍ତ ପାଖରେ ଥିବା ଲୋକମାନେ ଲୋକଟିକୁ ଚିତକରି ଶୁଆଇ ଛାତିକୁ ଦବାଇ ସଂକୋଚନ ଓ ପ୍ରସାରଣ କରାଇ ସିପିଆର ଦେବା ଜାରି ରଖିବା ସହିତ ଅତି ଶୀଘ୍ର ଆମ୍ବୁଲାନ୍ସ ଡାକି ଡାକ୍ତରଖାନା ପଠାଇବାର ବ୍ୟବସ୍ଥା କରିବା ଆବଶ୍ୟକ। ଏହାଦ୍ୱାରା ଅନେକ ମୂଲ୍ୟବାନ ଜୀବନ ରକ୍ଷା କରାଯାଇପାରିବ। କିନ୍ତୁ ଲୋକଙ୍କ ମନରେ ଅନ୍ଧବିଶ୍ୱାସ ଥାଏ ଯେ ବିଜୁଳି ମାରିଥିବା ଲୋକ ଦେହରେ ହାତ ଦେଲେ ତା’ ଦେହରେ ଥିବା ବିଜୁଳି ତାଙ୍କ ଦେହକୁ ବି ମାରିବ, ଯାହା ଆଦୌ ସତ୍ୟ ନୁହେଁ।
ବଡ଼ ବଡ଼ ଗଛ ବିଜୁଳିକୁ ନିଜ ଆଡକୁ ଆକୃଷ୍ଟ କରି ଆମକୁ ବିପଦମୁକ୍ତ ରଖନ୍ତି, ତେଣୁ ଗହୀର ମଧ୍ୟରେ, ଗ୍ରାମ ତଳି ଅଞ୍ଚଳରେ, ନଦୀ ପଠାରେ ତାଳଗଛ ଓ ଅନ୍ୟାନ୍ୟ ବଡ଼ ଗଛ ଥିଲେ ସେଗୁଡ଼ିକର ସୁରକ୍ଷା କରନ୍ତୁ ଓ ଏପରି ଗଛ ଅଧିକ ଲଗାନ୍ତୁ। ପରିଶେଷରେ ଏତିକି କୁହାଯାଇପାରେ ବଜ୍ରପାତକୁ ଦୈବୀଦୁର୍ବିପାକ ବୋଲି ଭାବି ମୂଲ୍ୟବାନ ଜୀବନକୁ ବାଜି ଲଗାଇବା ଅଦୌ ଉଚିତ ନୁହେଁ, କାରଣ ଆମର ଛୋଟ ଛୋଟ ପଦକ୍ଷେପ ଦ୍ୱାରା ଏପରି ଅକାଳ ମୃତ୍ୟୁକୁ ଏଡାଯାଇପାରିବ।
ଦଧିବାବନପୁର, କଟକ
ମୋ-୮୦୧୮୮୩୪୭୩୪

 

 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri