Categories: ଖେଳ

ହାମିଲଟନଙ୍କୁ ସ୍ପାନିଶ ଗ୍ରାଁ ପ୍ରି ଟାଇଟଲ

ମଣ୍ଟ୍‌ମେଲୋ (ସ୍ପେନ୍‌), ୧୭ା୮-ମର୍ସିଡିଜ୍‌ର ଲୁଇସ୍‌ ହାମିଲଟନ ସ୍ପାନିଶ୍‌ ଫର୍ମୁଲା ଓ୍ବାନ୍‌ ଗ୍ରାଁ ପ୍ରି ମୋଟର ରେସ୍‌ ଜିତିଛନ୍ତି। ଚଳିତ ବର୍ଷ ସେ ଭାଗ ନେଇଥିବା ୬ଟି ରେସ୍‌ ମଧ୍ୟରୁ ଏହା ହେଉଛି ତାଙ୍କର ଚତୁର୍ଥ ବିଜୟ। ରବିବାର ସେ ରେଡ୍‌ବୁଲ୍‌ର ମାକ୍ସ ଭର୍ଷ୍ଟାପେନଙ୍କଠାରୁ ୨୪ ସେକେଣ୍ଡରେ ଆଗରେ ରହି ଏଠାରେ ଟାଇଟଲ ଜିତିଛନ୍ତି। ତାଙ୍କ ଟିମ୍‌ମେଟ ଭାଲଟେରି ବୋଟାସ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ପୂର୍ବ ୩ଟି ସ୍ପାନିଶ ଗ୍ରାଁପ୍ରି ମେ ମାସରେ ଅନୁଷ୍ଠିତ ହୋଇଥିଲା। ସେତେବେଳେ ତାପମାତ୍ରା କମ୍‌ ରହିଥିବାରୁ ଟାୟାର ପ୍ରତି ବିପଦ କମ୍‌ ଥିଲା। ମାତ୍ର ଏଥର ବାର୍ସିଲୋନାରେ ଯେଉଁ ସମୟରେ ରେସ୍‌ ଅନୁଷ୍ଠିତହୋଇଥିଲା ସେତେବେଳେ ତାପମାତ୍ରା ଅଧିକ ରହିଥିଲା। ହାମିଲଟନଙ୍କ କ୍ୟାରିୟରର ଏହା ହେଉଛି ୮୮ତମ ଟାଇଟଲ। କିମ୍ବଦନ୍ତୀ ମାଇକେଲ ସୁମାକରଙ୍କ ରେକର୍ଡଠାରୁ ସେ ଆଉ ମାତ୍ର ୩ ବିଜୟ ପଛରେ ରହିଛନ୍ତି। ତେବେ ୧୫୬ତମ ପୋଡିୟମ ଫିନିଶ ଦ୍ୱାରା ସେ ସୁମାକରଙ୍କ ଅନ୍ୟ ଏକ ରେକର୍ଡକୁ ଭଙ୍ଗ କରିଦେଇଛନ୍ତି। ରବିବାର ଏହି ବିଜୟ ଦ୍ୱାରା ସେ ବିଶ୍ୱ ଚାମ୍ପିୟନଶିପ୍‌ରେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭର୍ଷ୍ଟାପେନ୍‌ଙ୍କଠାରୁ ୩୭ ପଏଣ୍ଟରେ ଅଗ୍ରଣୀ ଲାଭ କରିଛନ୍ତି। ରେସିଂ ପଏଣ୍ଟର ଦୁଇ ଡ୍ରାଇଭର ଲାନ୍ସ ଷ୍ଟ୍ରୋଲ୍‌ ଓ ସର୍ଗିଓ ପେରେଜ ୪ର୍ଥ ଓ ୫ମ ସ୍ଥାନରେ ରହିଥିଲେ। ୬ଷ୍ଠରୁ ୧୦ମ ସ୍ଥାନ ପର୍ଯ୍ୟନ୍ତ ଯଥାକ୍ରମେ କାର୍ଲୋସ ସେଞ୍ଜ ଜୁନିୟର (ମ୍ୟାକ୍‌ଲରେନ), ସେବାଷ୍ଟିଆନ ଭେଟେଲ (ଫେରାରି), ଆଲେକ୍‌ଜାଣ୍ଡର ଆଲବନ (ରେଡ୍‌ବୁଲ୍‌), ପିଏରେ ଗାସ୍‌ଲି(ଆଲ୍‌ଫା ତାଉରି) ଏବଂ ଲାଣ୍ଡୋ ନୋରିସ୍‌ (ମ୍ୟାକ୍‌ଲରେନ) ଅଧିକାର କରିଥିଲେ।

Share