ଡ. କମଳାକାନ୍ତ ଜେନା
ଆସନ୍ତା ୨୮ ତାରିଖ, ଶନିବାର ରାତିରେ ଆଂଶିକ ଚନ୍ଦ୍ରଗ୍ରହଣ ହେବ। ଏହା ଓଡ଼ିଶା ସମେତ ସାରା ଭାରତରେ ଦୃଶ୍ୟମାନ ହେବ। ପୁରୀରେ ରାତି ୧ଟା ୫ ମିନିଟ୍ ୨୩ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରିବ ଓ ରାତି ୨ଟା ୨୨ ମିନିଟ୍ ୩୮ ସେକେଣ୍ଡରେ ଶେଷ ହେବ। ତେଣୁ ମୋଟ ୧ ଘଣ୍ଟା ୧୭ ମିନିଟ୍ ୧୫ ସେକେଣ୍ଡ ଗ୍ରହଣ ରହିବ। ସମଗ୍ର ୟୁରୋପ ମହାଦେଶରେ ଏହା ଦୃଶ୍ୟମାନ ହେବ। ଏସିଆ, ଆଫ୍ରିକା, ଆମେରିକା ଓ ଅଷ୍ଟ୍ରେଲିଆର ଅଧିକାଂଶ ଅଞ୍ଚଳକୁ ମଧ୍ୟ ଦୃଶ୍ୟମାନ ହେବ। ଓଡ଼ିଶାର ସବୁ ଅଞ୍ଚଳର ଲୋକମାନେ ଏହାକୁ ଦେଖିପାରିବେ। କିନ୍ତୁ ଚନ୍ଦ୍ରଗ୍ରହଣ ଦେଖିବା ଅଶୁଭ ବୋଲି କିଛି ଲୋକ ଆମକୁ ଉପଦେଶ ଦିଅନ୍ତି। ଏହାକୁ ଦେଖିଲେ ଅନିଷ୍ଟ ହେବ ବୋଲି ଡରାନ୍ତି। ଅନ୍ୟ ପଟେ ବୈଜ୍ଞାନିକମାନେ ନିର୍ଭୟରେ ଚନ୍ଦ୍ରଗ୍ରହଣ ଦୃଶ୍ୟକୁ ଉପଭୋଗ କରିବା ପାଇଁ ଉପଦେଶ ଦିଅନ୍ତି। ସେହି ପ୍ରସଙ୍ଗରେ ଆଜିର ଏହି ଆଲୋଚନା ରହିଛି।
ଦିନ ଥିଲା, ‘ଚନ୍ଦ୍ର’କୁ ଦେବତା ରୂପରେ ପୂଜା କରାଯାଉଥିଲା। କିନ୍ତୁ ବିଜ୍ଞାନ ଯୁଗରେ ଚନ୍ଦ୍ର ବିଷୟରେ ଆମେ ଅନେକ କଥା ଜାଣିପାରିଛୁ। ଏହା ଦେବତା ନୁହେଁ, ବରଂ ମାଟି ଓ ପଥରରେ ତିଆରି ବିଶାଳ ପେଣ୍ଡୁ ବୋଲି ପ୍ରମାଣ ପାଇଛୁ। ଆଜି ସୁଦ୍ଧା ୧୨ ଜଣ ମହାକାଶଚାରୀ ଚନ୍ଦ୍ରପୃଷ୍ଠରେ ଓହ୍ଲାଇ ସାରିଛନ୍ତି। ଚନ୍ଦ୍ର କୌଣସି ଜୀବନ୍ତ ରାକ୍ଷସ ନୁହେଁ କିମ୍ବା କୌଣସି ଦେବତା ନୁହେଁ ବୋଲି ପ୍ରମାଣ ପାଇଛନ୍ତି। ତା’ ଉପରେ ସେମାନେ ଚାଲିଛନ୍ତି। ସେମାନେ ଚନ୍ଦ୍ରପୃଷ୍ଠରେ କଳା ଧୂଳି ଓ ପଥର ପାଇଛନ୍ତି। ସେଠାରେ ଗାତ ଓ ପାହାଡ଼ ଦେଖିଛନ୍ତି। ତଥାପି ଚନ୍ଦ୍ରଗ୍ରହଣକୁ ନେଇ ସମାଜରେ ଅନେକ ଅନ୍ଧବିଶ୍ୱାସ ରହିଛି। ଭୟାନକ ରାହୁ ଚନ୍ଦ୍ରକୁ ଗିଳିଦେବା ହେତୁ ଚନ୍ଦ୍ରଗ୍ରହଣ ହୁଏ ବୋଲି ଲୋକେ ଭାବୁଛନ୍ତି। ସେହି ଅନ୍ଧବିଶ୍ୱାସ ଲୋକଙ୍କୁ ଭୟଭୀତ କରୁଛି।
ଆଜି ବିଜ୍ଞାନ ପ୍ରମାଣ କରିଛି ଯେ, ଚନ୍ଦ୍ର ଉପରେ ପୃଥିବୀର ଛାଇ ପଡ଼ିଲେ ଚନ୍ଦ୍ରଗ୍ରହଣ ହୁଏ। ତେଣୁ ଚନ୍ଦ୍ରଗ୍ରହଣକୁ ଭୟ କରିବା ଅର୍ଥ ଛାଇକୁ ଡରିବା। ସ୍କୁଲ କଲେଜରେ ପଢୁଥିବା ପିଲାମାନେ ଯଦି ଜାଣିବେ ଯେ ଆମେ ଚନ୍ଦ୍ରଗ୍ରହଣକୁ ଡରୁ, ସେମାନେ ହସିବେ। କାରଣ ସେମାନେ ଜାଣିଛନ୍ତି ଯେ, ଚନ୍ଦ୍ରର ନିଜର ଆଲୋକ ନାହିଁ। ତା’ ଉପରେ ସୂର୍ଯ୍ୟ କିରଣ ପଡ଼ିଲେ ଆମେ ତାକୁ ଦେଖିପାରୁ। ସୂର୍ଯ୍ୟ ଚାରିପଟେ ପୃଥିବୀ ବୁଲୁଛି ଓ ପୃଥିବୀ ଚାରିପଟେ ଚନ୍ଦ୍ର ବୁଲୁଛି। ଯେଉଁ ପୂର୍ଣ୍ଣିମାରେ ଚନ୍ଦ୍ର, ପୃଥିବୀ ଓ ସୂର୍ଯ୍ୟ ଗୋଟିଏ ସରଳରେଖାରେ ରହନ୍ତି, ସେହି ପୂର୍ଣ୍ଣିମା ରାତିରେ ଚନ୍ଦ୍ରଗ୍ରହଣ ହୁଏ। ଚନ୍ଦ୍ର ଓ ସୂର୍ଯ୍ୟ ମଝିରେ ଠିକ୍ ସିଧାରେ ପୃଥିବୀ ରହିଥିବାରୁ ଚନ୍ଦ୍ର ଆଡ଼କୁ ଯାଉଥିବା ସୂର୍ଯ୍ୟ କିରଣକୁ ପୃଥିବୀ ଅଟକାଇ ଦିଏ। ଫଳରେ ପୃଥିବୀର ଛାଇ ଚନ୍ଦ୍ରପୃଷ୍ଠରେ ପଡ଼େ। ଚନ୍ଦ୍ରର ଯେତିକି ଅଞ୍ଚଳ ଉପରେ ପୃଥିବୀର ଛାଇ ପଡ଼େ, ସେତିକି ଅଂଶ ଆମକୁ କଳା ଦିଶେ। ପୃଥିବୀର ଛାଇ ଭିତରେ ଚନ୍ଦ୍ର ପୂରା ରହିଗଲେ ସମ୍ପୂର୍ଣ୍ଣ ଗ୍ରହଣ ଲାଗିଛି ବୋଲି କୁହାଯାଏ। ତେଣୁ ଚନ୍ଦ୍ରଗ୍ରହଣକୁ ଭୟ କରିବାର କୌଣସି କାରଣ ନାହିଁ।
ବର୍ଷକୁ ହାରାହାରି ୨ ଥର ଚନ୍ଦ୍ରଗ୍ରହଣ ହୁଏ। କିନ୍ତୁ ସବୁ ଗ୍ରହଣକୁ ପୃଥିବୀର ସମସ୍ତେ ଦେଖିପାରିବେ ନାହିଁ। ଜଣେ ୨୦ ବର୍ଷରେ ପ୍ରାୟ ୨୦ ଥର ଚନ୍ଦ୍ରଗ୍ରହଣ ଦେଖିବାର ସୁଯୋଗ ପାଏ। ତେଣୁ ଚନ୍ଦ୍ରଗ୍ରହଣ ବିରଳ ଘଟଣା। ଗ୍ରହଣ ଲାଗିବା ଆଗରୁ ଗୋଲ ଜହ୍ନକୁ ଦେଖିବା। ଧୀରେ ଧୀରେ ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡ଼ିବ। ଚନ୍ଦ୍ରର କିଛି ଅଂଶ ଦେଖାଯିବ ନାହିଁ। ଧୀରେ ଧୀରେ ଚନ୍ଦ୍ରର ଅଧିକ ଅଞ୍ଚଳ ପୃଥିବୀର ଛାଇ ଭିତରକୁ ଆସିବ। କିଛି ସମୟ ପରେ ପୃଥିବୀର ଛାଇ ଭିତରୁ ଚନ୍ଦ୍ର ବାହାରିବା ଆରମ୍ଭ କରିବ। ଶେଷରେ ଚନ୍ଦ୍ର ଉପରେ ଥିବା କଳା ଅଂଶ ପୂରା ଚାଲିଯିବ ଓ ଆମେ ପୁଣି ଗୋଲ ଜହ୍ନକୁ ଦେଖିପାରିବା। ଗ୍ରହଣ ଲାଗିବା ଓ ଛାଡିବା ଦୃଶ୍ୟ ଖୁବ୍ ସୁନ୍ଦର। ତେଣୁ, ସେଭଳି ଦୃଶ୍ୟ ଦେଖିବାର ସୁଯୋଗକୁ ହାତଛଡ଼ା କରିବା ବୋକାମି। ଅବଶ୍ୟ ଖାଲି ଆଖିରେ ଆମେ ଚନ୍ଦ୍ରକୁ ଅନେଇବା ନାହିଁ। ଆବଶ୍ୟକ ସତର୍କତା ଅବଲମ୍ବନ କରି ଚନ୍ଦ୍ରଗ୍ରହଣକୁ ଉପଭୋଗ କରିବା। ବାଇନୋକୁଲାର ଓ ଟେଲିସ୍କୋପ୍ ସହାୟତାରେ ଦେଖିପାରିବା। ଆରମ୍ଭ ଓ ଶେଷ ସମୟରେ ଚନ୍ଦ୍ର ଉପରେ ନୀଳରଙ୍ଗର ପଟି ଦେଖିହେବ। ଏଭଳି ଚିତ୍ତାକର୍ଷକ ଦୃଶ୍ୟକୁ ସାଧାରଣ ଲୋକ ଉପଭୋଗ କରିବା ସକାଶେ ପ୍ଲାନେଟାରିୟମଗୁଡ଼ିକରେ ବିଶେଷ ବ୍ୟବସ୍ଥା କରାଯାଉଛି। ଘରେ ଥାଳିରେ ହଳଦୀପାଣି ରଖି ତା’ ଭିତରେ ଚନ୍ଦ୍ରଗ୍ରହଣ ଲାଗିବା ଦୃଶ୍ୟକୁ ଆମେ ଦେଖିପାରିବା। ଆଖି ସାମନାରେ ଏକ୍ସ-ରେ ଫଟୋ-ପ୍ଲେଟ୍ ରଖି ମଧ୍ୟ ଚନ୍ଦ୍ରଗ୍ରହଣ ଦେଖିପାରିବା।
ପଦାର୍ଥ ବିଜ୍ଞାନ ପ୍ରାଧ୍ୟାପକ, ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ
ମୋ-୯୪୩୯୫୦୧୬୫୧

