ଆସ ରାସ୍ତାରୋକୋ କରିବା

ଡ. ଚିନ୍ତାମଣି ପଣ୍ଡା

 

ସକାଳୁ ଉଠି ଦେଖିବାବେଳକୁ ପଞ୍ଝାଏ ତଥାକଥିତ ଅତି ସଚେତନ ନାଗରିକ ମୁଖ୍ୟ ରାସ୍ତାଟିକୁ ଅବରୋଧ କରି ସର୍ବସାଧାରଣଙ୍କ ଯାତାୟାତକୁ ସମ୍ପୂର୍ଣ୍ଣ ଠପ୍‌ କରିଦେଇଛନ୍ତି। ଘଟଣା କ’ଣ ବୁଝୁବୁଝୁ ଜଣାପଡ଼ିଲା ଯେ, ବର୍ଷା ଠିକ୍‌ ଭାବରେ ନ ହୋଇ ଫସଲ ମରୁଥିବାରୁ ବାଘ ଦଳର ମୁଖିଆ ବନ୍ଦ ଡାକରା ଦେଇଛନ୍ତି। ସେଦିନ ସନ୍ଧ୍ୟାବେଳକୁ ଟାୟାର ଜଳା, ରାସ୍ତାରୋକୋ, ସର୍ବସାଧାରଣଙ୍କୁ ଆକ୍ରମଣ ଇତ୍ୟାଦିକୁ ଟିଭି ମାଧ୍ୟମରେ ପ୍ରଚାର କରାଇ ଦଳପତି ମହୋଦୟ ବୀର ଦର୍ପରେ ଗଳାଫଟାଇ ଗର୍ଜୁଥାନ୍ତି ”ଠିକ୍‌ ସମୟରେ ବର୍ଷା ହେଉନି। ଚାଷୀକୁଳ ହନ୍ତସନ୍ତ। ଏ ସରକାର ରହି ଲାଭ କ’ଣ ? ତେଣୁ ଶତକଡ଼ା ଅଶୀଭାଗ ଜନତା ଆମକୁ ସ୍ବତଃସ୍ଫୂର୍ତ୍ତ ସମର୍ଥନ ଜଣାଇ ଏ ବନ୍ଦ ପାଳନକୁ ସମ୍ପୂର୍ଣ୍ଣ ସଫଳ କରାଇଛନ୍ତି।
ପରଦିନ ସକାଳବେଳକୁ ପୁଣି ରାସ୍ତାବନ୍ଦ, ଶୋଭାଯାତ୍ରା, ସ୍ଲୋଗାନ ଇତ୍ୟାଦିରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ। କଥା’କଣ ବୁଝିଲାବେଳକୁ ଜଣାପଡ଼ିଲା, ଗତକାଲି ଏକ ନିର୍ଦ୍ଦିଷ୍ଟ ଦଳର ନେତାମାନେ (ବାଘଦଳ) ଆମ ଦଳର କିଛି ଆଗଧାଡ଼ିଆ ଛାମୁଆଁ କର୍ମୀଙ୍କୁ ପ୍ରଲୋଭିତ କରି ବିଷାକ୍ତ ମଦ୍ୟପାନ ଦ୍ୱାରା ହତ୍ୟା ଉଦ୍ୟମ କରିଛନ୍ତି। ତେଣୁ ଆମ୍ଭେ ସରକାରରେ ଥାଇ କି ଲାଭ? ଅତଏବ ପ୍ରତିଶୋଧ ସ୍ବରୂପ ଆଜି ଆମେ ଛଅ ଘଣ୍ଟିଆ ଚକାଜାମ୍‌ ଆନ୍ଦୋଳନ କରି ସନ୍ଧ୍ୟାବେଳକୁ ସମସ୍ତ ଆନ୍ଦୋଳନକାରୀଙ୍କୁ ଆକଣ୍ଠ ବିଶୁଦ୍ଧ ସୁରାପାନରେ ଆପ୍ୟାୟିତ କରିବୁ। କାରଣ ଆମେ ଦଳପ୍ରେମୀ।
ତହିଁ ପରଦିନ ଦେଖିବାବେଳକୁ ପୁଣି ରାସ୍ତାରୋକୋ। ଏଥର କିନ୍ତୁ ପଞ୍ଝାଏ ତେଲ ବ୍ୟବସାୟୀ ଆନ୍ଦୋଳନ କରି ରାଜରାସ୍ତାକୁ ଓହ୍ଲାଇ ଥାଆନ୍ତି। ଚାଲିଥାଏ ରାଜପଥର ଛାତିରେ ଗଣଧାରଣା। କାରଣ ତେଲ ଦର ହୁ ହୁ ହୋଇ ବଢ଼ୁଥିବାରୁ ଜନସାଧାରଣ ଆକ୍‌ତା ମାକ୍‌ତା ହୋଇଗଲେଣି, ଆମେ ସେମାନଙ୍କୁ ସେବା ଯୋଗାଇ ପାରୁନାହଁୁ। ରନ୍ଧନ ଗ୍ୟାସ ଓ ଖାଇବା ତେଲର ଅହେତୁକ ଦରବୃଦ୍ଧି। ଗୃହିଣୀମାନେ ରୋଷେଇ ଘରେ ଏକପ୍ରକାର ସନ୍ତୁଳି ହେଉଛନ୍ତି। ତେଣୁକରି ସେମାନଙ୍କ ସମର୍ଥନରେ ଆମର ଏ ଦରଦୀ ରାସ୍ତାରୋକୋ। କହିବା ବାହୁଲ୍ୟ ଯେ, ଏହି ଅଦିନ ଦରଦୀ ବନ୍ଧୁଗଣ ଦେଶ ସେବା ପରିପ୍ରେକ୍ଷୀରେ ନିଜ ନିଜ ପେଟ୍ରୋଲ ପମ୍ପ ତରଫରୁ ଯୋଗାଇ ଦିଆଯାଉଥିବା ‘ମାଗଣା ସେବା’ ଯଥା ପାଣି (ପିଇବା ପାଣି), ପବନ (ଚକାହାଓ୍ବା) ଓ ଶୌଚାଳୟ ସୁବିଧାସବୁ କେବେଠୁ ଅକାମୀ କରି ପକାଇଛନ୍ତି। କିନ୍ତୁ ଏବେ ଠିକଣା ବେଳକୁ ଜନସାଧାରଣଙ୍କ ସେବାର ନଁା ନେଇ ଯେଉଁ ଆନ୍ଦୋଳନର ଡାକରା ଦେଇଛନ୍ତି ତା’ ପ୍ରତି ତାଙ୍କର ଅକୁଣ୍ଠ ସମର୍ଥନ ରହିଥିବାର ବାହୁସ୍ଫୋଟ ମାରି ବନ୍ଦକୁ ସଫଳ କରାଉଛନ୍ତି। କାରଣ ଏମାନେ ଦେଶପ୍ରେମୀ।
ତା’ ପରଦିନ ଦେଖିବାବେଳକୁ ପରିବେଶପ୍ରେମୀ ବୋଲାଉଥିବା ପଞ୍ଝାଏ ଉଦ୍‌ଭ୍ରାନ୍ତ ଯୁବକ ରାସ୍ତାରୋକୋ କରି ଗମନାଗମନ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି। କାରଣ ଓଡ଼ିଶାର ସବୁ ପ୍ରାନ୍ତରେ ବନାଗ୍ନି ଲକ୍ଷ ଲକ୍ଷ ହେକ୍ଟର ପରିମିତ ଜଙ୍ଗଲ ସମ୍ପଦକୁ ଜାଳି ପୋଡ଼ି ଭସ୍ମ କରିଦେଲାଣି। ବିଚରା ସାଧାରଣ ଜନତା ଆଉ ଯାଏ କୁଆଡେ? ନିତିଦିନିଆ ବନ୍ଦ ପାଳନରେ ଅତିଷ୍ଠ ହୋଇ ନିଜର ଜୀବନ ଜୀବିକା ହରାଇ ଦେଶାନ୍ତର ଗମନ କରିବା ଛଡ଼ା ଆଉ ଗତି ନାହିଁ ବୋଲି ଭାବୁଥିବା ବେଳେ ସ୍ବେଚ୍ଛାସେବୀ ବାହିନୀର ହାବୁଡ଼ରେ ପଡ଼ିଯାଏ। ସେମାନେ ମାଓବାଦୀଙ୍କ ପରି ତାକୁ ଘରୁ ଟାଣି ନେଇ ହାତୀଘୋଡ଼ା ଦେବାର ପ୍ରଲୋଭନରେ ସାଦାକାଗଜରେ ତା’ର କିଛି ଦସ୍ତଖତ ସହ ଆଧାର କାର୍ଡ କି ଭୋଟର ପରିଚୟ ପତ୍ର ନେଇ ଯା’ନ୍ତି। କିଛି ଦିନ ପରେ ସେ ଶୁଣେ ତା’ ନଁାରେ କୋଟି କୋଟି ଟଙ୍କାର ଟିକସ ଫାଙ୍କି ନୋଟିସ ଆସେ। ସେ ପାନ ଦୋକାନରେ କିମ୍ବା ପରିବା ଦୋକାନରେ ବସି ଏହା କିପରି ସମ୍ଭବ ହେଲା ଭାବୁଥାଏ। ସେ ବୁଝିପାରେନି ଏତେ ସ୍ବେଚ୍ଛାସେବୀ, ଯୁବକର୍ମୀ ପ୍ରତି ଦଳରେ ଭରି ରହିଥିବା ବେଳେ ଏମାନେ ଭୋଟ ସରିଗଲେ ଯା’ନ୍ତି କୁଆଡେ? କରନ୍ତି କ’ଣ? କାହିଁ କେଉଁ ବାତ୍ୟା, ବନ୍ୟା କି ଭୂକମ୍ପ ପରି ଦୈବିଦୁର୍ବିପାକ ବେଳେ ତ ଏମାନଙ୍କର ଦେଖା ନ ଥାଏ। ଏମାନେ ପରା ମାନବପ୍ରେମୀ! ପ୍ରତି ବର୍ଷ ଆମ ରାଜ୍ୟରେ ବିଭିନ୍ନ ସାମାଜିକ ଅପରାଧ ଯଥା ଯୌତୁକ ହତ୍ୟା, ନାରୀ ନିର୍ଯାତନା, ଲିଙ୍ଗ ବୈଷମତା ଇତ୍ୟାଦି ତଥା ଭୋଟର ସଚେତନତା, ପରିବେଶ ସୁରକ୍ଷା, ବନ୍ୟପ୍ରାଣୀ ସୁରକ୍ଷା ଆଦି ବିବିଧ ଦାୟିତ୍ୱ ଓ କର୍ତ୍ତବ୍ୟର ଠିକ୍‌ ସମ୍ପାଦନା ନିମିତ୍ତ ଅନେକ ଶୋଭାଯାତ୍ରା, ରାସ୍ତାବନ୍ଦ, ଆନ୍ଦୋଳନ ଇତ୍ୟାଦି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଏ। ଏହାଠାରୁ ଆଉ ପାଦେ ଆଗକୁ ଯାଇ ଜନସାଧାରଣଙ୍କ ଅର୍ଥରେ ପରିପାଳିତ ସରକାରୀ ତଥା ବେସରକାରୀ ସଂସ୍ଥାମାନେ ବିଭିନ୍ନ ତାରକା ହୋଟେଲରେ କର୍ମଶାଳା, ସଚେତନତା ଶିବିର ଆୟୋଜିତ କରି ଅଜସ୍ର ସରକାରୀ ଅର୍ଥ ଶ୍ରାଦ୍ଧ କରିଥାନ୍ତି। କିନ୍ତୁ ଏହାର ସୁଫଳ କେତେ ପରିମାଣରେ ସର୍ବସାଧାରଣଙ୍କ ପାଖରେ ପହଞ୍ଚିଥାଏ। ତା’ର ହିସାବ କେହି ରଖେ ନାହିଁ। ବରଂ ପୁଣି ପରବର୍ତ୍ତୀ ବର୍ଷକୁ ଅଧିକ ଜାକଜକମରେ ସଚେତନତା ଶିବିର ଆୟୋଜନରେ ଲାଗିଯାନ୍ତି। ଯେଉଁ ରାଜ୍ୟରେ ଏବେ ବି ଡାହାଣୀ ସନ୍ଦେହରେ ନରହତ୍ୟା କରାଯାଏ, ଯେଉଁଠି ଚା’ରେ ନିଶା ଦେଇ ଲୁଟେରାମାନେ ପଥଚାରୀଟିର ସର୍ବସ୍ବ ଲୁଟିବାକୁ ପଛାନ୍ତି ନାହିଁ, ଆଉ ଯେଉଁଠି ସମାଜର ଉଚ୍ଚସ୍ତରରେ ଥିବା ବୁଦ୍ଧିଜୀବୀଟିଏ ସାଇବର ଠକମାନଙ୍କ ଦ୍ୱାରା ନିଜର କଷ୍ଟୋପାର୍ଜିତ ସମ୍ପତ୍ତି ହରାଇ ସର୍ବସ୍ବାନ୍ତ ହୋଇଥାଏ ସେଠି ସଚେତନତା ନାଁରେ ରାସ୍ତାରୋକୋ, ଆନ୍ଦୋଳନ ଇତ୍ୟାଦି ଏକ ପ୍ରହସନ ପରି ଲାଗେ ନାହିଁ କି? ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଟିକୁ ସହାୟତା କରିବା ବଦଳରେ ଆମେ ତା’ ସହିତ ସେଲ୍ଫି ଉଠାଇ ଗର୍ବରେ ସୋସିଆଲ ମିଡ଼ିଆରେ ପ୍ରସାରିତ କରାଉ। ଖାଲଖମାରେ ଭର୍ତ୍ତି ରାସ୍ତାରେ ହମ୍ପସ ତିଆରି କରିବା ପାଇଁ ଗୋଡ଼ିବାଲି ଯୋଗାଡ଼ କରୁ ଆଉ ଜଙ୍ଗଲରେ ଲାଗିଥିବା ନିଆଁକୁ ଲିଭାଇବା ପରିବର୍ତ୍ତେ ଏଥିପାଇଁ ଆନ୍ଦୋଳନ କରୁ। ଏପ୍ରକାର ମାନସିକତା କ’ଣ ଜଣେ ସଚେତନ ନାଗରିକର କି? ଅତଏବ ନିଜର ଅସ୍ମିତାକୁ ବଜାୟ ରଖିବାକୁ ଯାଇ ଯଦି ଆମେ ଏସବୁର ପ୍ରକୃତ କାରଣକୁ ନିଜେ ସଚେତନ ହୋଇ ଖୋଜି ପାରନ୍ତେ ତେବେଯାଇ ତା’ର ନିରାକରଣ ସହଜ ସୁଗମ ହେବା ସହ ଦେଶ ଓ ଦଶର ମଙ୍ଗଳ ସାଧିତ ହୋଇପାରନ୍ତା।
ପ୍ରାଧ୍ୟାପକ, କୃଷି ମହାବିଦ୍ୟାଳୟ, ଭୁବନେଶ୍ୱର
ମୋ: ୯୪୩୭୧୮୫୧୭୫


Enter your email to get our daily news in your inbox.

All Right Reserved By Dharitri.Com

ସାତ ପିଢ଼ି ଅପେକ୍ଷା କରିବାକୁ ପଡ଼ିବ

ଡ. ସନ୍ତୋଷ କୁମାର ମହାପାତ୍ର   ସମ୍ପ୍ରତି ସରକାରଙ୍କ ତରଫରୁ ଏପରି ପ୍ରଚାର କରାଯାଉଛି ଯେ ଜଣେ ଭାବିବ ଲୋକ ଘିଅ ମହୁରେ ଭାସୁଛନ୍ତି। ୧୩୦କୋଟି...

ପ୍ରଥମ ସୋପାନ

କେନ୍ଦ୍ର ଦ୍ୱାରା ଲାଗୁ କରାଯାଇଥିବା ୩ଟି କୃଷି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ଦାବିରେ କୃଷକମାନେ ଦୁଇମାସରୁ ଊର୍ଦ୍ଧ୍ୱ ହେବ ଆନ୍ଦୋଳନ ଜାରି ରଖିଛନ୍ତି। ତେବେ...

ଏଇ ଭାରତରେ

ମହାମାରୀ ସମୟରେ ଲକ୍‌ଡାଉନ ଅନେକଙ୍କୁ ନୂଆ ବାଟ ଦେଖାଇଥିବାବେଳେ ଏଥିରୁ ବାଦ୍‌ ପଡ଼ିନାହାନ୍ତି ଲାଲ୍‌ ବହାର। ସେ ତାଙ୍କ ସାଙ୍ଗମାନଙ୍କ ସହାୟତାରେ ଲାଇବ୍ରେରି ଖୋଲିଛନ୍ତି। ପ୍ରଥମେ...

ଧର୍ମୀୟ ଭାବାବେଗ ଓ ରାଜନୀତି

ଡ. ଛାୟାକାନ୍ତ ଷଡ଼ଙ୍ଗୀ ୧୯୫୦ ମସିହାରେ ଯେତେବେଳେ ଭାରତୀୟ ସମ୍ବିଧାନ କାର୍ଯ୍ୟକାରୀ ହେଲା, ସେତେବେଳେ ଏହାର ମୁଖବନ୍ଧରେ ‘ସେକ୍ୟୁଲାର’ ଶବ୍ଦଟି ନ ଥିଲା। ୧୯୭୬ରେ ୪୨ତମ...

ଅବଧାରିତ ଅପରାହ୍ନ

ବିମଳ ପ୍ରସନ୍ନ ଦାସ ୧୯୧୪ ମସିହା ମାର୍ଚ୍ଚ ୨୯ ତାରିଖ ପ୍ରାୟ ତିନିଟା ତିରିଶ ମିନିଟ – ଏକ ଅବଧାରିତ ଅପରାହ୍ନ, ଶ୍ରୀମା ଶ୍ରୀଅରବିନ୍ଦଙ୍କୁ ପ୍ରଥମେ...

ସାହିତ୍ୟ ଓ ଅର୍ଥନୀତି

ମଣୀନ୍ଦ୍ର କୁମାର ମେହେର   ୧୯୪୭ ରୁ ଆଜିପର୍ଯ୍ୟନ୍ତ ଯଦି ଆମେ କୌଣସି ଅର୍ଥନୀତି ବିଶାରଦଙ୍କ ଦୃଷ୍ଟି ନେଇ ନୁହେଁ, ସାଧାରଣ ବିବେଚନା ଶକ୍ତିସମ୍ପନ୍ନ ମଣିଷ...

ଅଯୋଧ୍ୟା ରାୟ

ଆକାର ପଟେଲ ଅଯୋଧ୍ୟା ରାୟ ଏକ ନ୍ୟାୟିକ ଇତିହାସକୁ ସ୍ମରଣ କରାଇଦେଉଛି। ଭାରତୀୟ ଉପମହାଦେଶରେ ନ୍ୟାୟପାଳିକା ଆବଶ୍ୟକତାର ଡାକରାକୁ ଗ୍ରହଣ କରିଛି। ପାକିସ୍ତାନରେ ଏହା ୬୫...

ବାସ ଚିନ୍ତା

ଡ. ସୁଜିତ କୁମାର ନାଥ   ବିଶ୍ୱ ଅର୍ଥନୈତିକ ସଂସ୍ଥାର ଆକଳନ ଅନୁସାରେ ଭାରତରେ ପ୍ରାୟ ଚଉଦ କୋଟି ପ୍ରବାସୀ ଶ୍ରମିକ ରହିଛନ୍ତି। ଅଧିକ ରୋଜଗାର...

Advertisement
Archives

Model This Week