ଆନ୍ତଃରାଜ୍ୟ ତିକ୍ତତା ଦୂର ହେଉ

ପ୍ରକାଶ ତ୍ରିପାଠୀ

ଗତ ଜୁଲାଇ ୨୬ରେ ଆସାମ ଓ ମିଜୋରାମ ସୀମାରେ ଘଟିଥିବା ରକ୍ତାକ୍ତ ସଂଘର୍ଷ କୌଣସି ଏକ ସଭ୍ୟ, ଗଣତାନ୍ତ୍ରିକ ଓ ସଂଘୀୟ ବ୍ୟବସ୍ଥା ଥିବା ରାଷ୍ଟ୍ର ପାଇଁ ଆଦୌ ସ୍ପୃହଣୀୟ ନୁହେଁ। ଏହା ଦେଶର ଏକତା ଓ ଅଖଣ୍ଡତା ପ୍ରତି ନିଶ୍ଚିତ ଅଶୁଭ ସଙ୍କେତ। ପୂର୍ବୋତ୍ତର ରାଜ୍ୟଗୁଡ଼ିକରେ ଭୌଗୋଳିକ ଅସମାନତା ଓ ସାଂସ୍କୃତିକ ବିଭିନ୍ନତା ଅନେକ ରହିଛି। ବାରାକ ଘାଟି ଓ ବ୍ରହ୍ମପୁତ୍ର ଘାଟି ମଧ୍ୟରେ ବାଣ୍ଟି ହୋଇ ରହିଥିବା ଏହି ରାଜ୍ୟଗୁଡ଼ିକ ବିଭିନ୍ନ ସମୟରେ ରକ୍ତରଞ୍ଜିତ ସଂଘର୍ଷ ଯୋଗୁ ଅଶାନ୍ତ ରହିବା ସହ ଦେଶର ସୁରକ୍ଷା ପ୍ରତି ମଧ୍ୟ ବିପଦ ସୃଷ୍ଟି କରୁଛି। ରାଜ୍ୟ ରାଜ୍ୟ ମଧ୍ୟରେ ଥିବା ସୀମା ବିବାଦକୁ ରାଜନୈତିକ ଦଳଗୁଡ଼ିକ ସମାଧାନ ବଦଳରେ ଅଧିକ ଜଟିଳ କରିବାରେ ଲାଗିଛନ୍ତି। ଦୁଃଖର କଥା ହେଲା ଯେ ଉଭୟ ରାଜ୍ୟର ସୀମା ବିବାଦକୁ ନେଇ ରହିଥିବା ଅଶାନ୍ତ ବାତାବରଣକୁ ଶାନ୍ତ କରିବା ପାଇଁ ମୁତୟନ ଥିବା ପୋଲିସ ବଳ ହିଁ ନିଜ ନିଜ ମଧ୍ୟରେ ସଂଘର୍ଷ କରିଛନ୍ତି ଓ ଫଳ ସ୍ବରୂପ ଛଅ ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ସହ ପଚାଶରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଏହା ଠାରୁ ଅଧିକ ଦୁଃଖର କଥା ହେଲା ଯେ ଏହି ସଂଘର୍ଷରେ ମୃତ ପୋଲିସ କର୍ମୀଙ୍କୁ ଆସାମ ସରକାର ଶହୀଦ ଭାବେ ବର୍ଣ୍ଣନା କରିବା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଉତ୍ତରପୂର୍ବ ରାଜ୍ୟ ଗସ୍ତକରି ଫେରିବାର କିଛି ସମୟ ପରେ ଏହି ଅଞ୍ଚଳରେ ଏପରି ରକ୍ତରଞ୍ଜିତ ସଂଘର୍ଷ ଘଟିବା ପ୍ରମାଣ ଦିଏ ଯେ ଏହି ସବୁ ଅଞ୍ଚଳରେ ସବୁକିଛି ଠିକ୍‌ ନାହିଁ।
ଭାରତର ଉତ୍ତରପୂର୍ବରେ ଥିବା ରାଜ୍ୟ ଆସାମକୁ ପ୍ରଶାସନିକ ଦୃଷ୍ଟିରୁ ଭଙ୍ଗା ଯାଇ ଅନ୍ୟାନ୍ୟ ରାଜ୍ୟ ଗଠିତ ହୋଇଛି; ଯାହାକୁ କି ସାତଭଉଣୀର ରାଜ୍ୟ କୁହାଯାଏ। ଏହି ସବୁ ରାଜ୍ୟଗୁଡ଼ିକରେ ମୁଖ୍ୟତଃ ଜନଜାତି ସମ୍ପ୍ରଦାୟର ଅଧିବାସୀ ରହୁଥିବାରୁ ସେମାନଙ୍କ ସାଂସ୍କୃତିକ ପରମ୍ପରାକୁ ନେଇ ସେମାନେ ଅଧିକ ସମ୍ବେଦନଶୀଳ ହୋଇଥାନ୍ତି। ଆସାମର ଉତ୍ତରରେ ଅରୁଣାଚଳ ପ୍ରଦେଶ, ପୂର୍ବରେ ନାଗାଲାଣ୍ଡ ଓ ମଣିପୁର, ଦକ୍ଷିଣରେ ମିଜୋରାମ ଓ ପଶ୍ଚିମରେ ପଶ୍ଚିମବଙ୍ଗ ଅବସ୍ଥିତ। ୨୦୧୯ରେ ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ହେବା ପରେ ଆଶଙ୍କା ସୃଷ୍ଟି ହୋଇଥିଲା ଯେ ଏହି ସବୁ ରାଜ୍ୟଗୁଡ଼ିକରେ ଥିବା ବିଶେଷ ଅଧିକାରକୁ ମଧ୍ୟ ଉଠାଇ ଦିଆଯାଇପାରେ, ମାତ୍ର ଏହି ଆଶଙ୍କା ଅମୂଳକ ଥିଲା ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଉ ନ ଥିବା ସ୍ପଷ୍ଟୀକରଣ ଦିଆଯାଇଥିଲା। ସମ୍ବିଧାନର ଧାରା-୨୧ ଅନୁଯାୟୀ ରାଜ୍ୟଗୁଡ଼ିକୁ ସ୍ବତନ୍ତ୍ର ସୁବିଧା ପ୍ରଦାନ କରାଯାଇଛି। ଆସାମଠାରୁ ଅତୀତରେ ଅଲଗା ହୋଇଥିବା ରାଜ୍ୟଗୁଡ଼ିକ ମଧ୍ୟରେ ସୀମା ବିବାଦ ଅତି ପୁରୁଣା। ଏହାକୁ ନେଇ ବିଭିନ୍ନ ସମୟରେ ଛୋଟ ବଡ଼ ସଂଘର୍ଷ ଘଟି ଆସୁଛି; ଫଳରେ ଏହି ସବୁ ଅଞ୍ଚଳରେ ଏହା ଅନୁପ୍ରବେଶକୁ ପ୍ରଶ୍ରୟ ଦେବା ସହ ସାମ୍ପ୍ରଦାୟିକ ସମସ୍ୟା ସୃଷ୍ଟି କରୁଛି। ପ୍ରକାଶଯୋଗ୍ୟ ଯେ, ପୂର୍ବୋତ୍ତର ରାଜ୍ୟଗୁଡ଼ିକରେ ଥିବା ସୀମାବିବାଦ ସହ ଭାରତ- ବାଂଲା ଦେଶର ପ୍ରାୟ ୪ ହଜାର କିଲୋମିଟର ସୀମା ମଧ୍ୟ ଯୋଡ଼ି ହୋଇ ରହିଛି। ଆସାମ, ତ୍ରିପୁରା, ପଶ୍ଚିମବଙ୍ଗ, ମେଘାଳୟ ଓ ମିଜୋରାମ ଆଦି ରାଜ୍ୟ ସହ ବାଂଲା ଦେଶର ସୀମା ଲାଗିରହିଛି ଓ ସ୍ବାଧୀନତା ପରଠାରୁ ତତ୍କାଳୀନ ପୂର୍ବ ପାକିସ୍ତାନ ଓ ପରବର୍ତ୍ତୀ ବାଂଲାଦେଶଋ ଅନୁପ୍ରବେଶ ଏହି ସୀମାରେ ଅବ୍ୟାହତ ରହିଛି। ଅନୁପ୍ରବେଶ ବୃଦ୍ଧି ଯୋଗୁ ଏହିସବୁ ସୀମାନ୍ତ ଅଞ୍ଚଳରେ ମୂଳ ଜନଜାତି ବାସିନ୍ଦାଙ୍କ ସଂଖ୍ୟା କମି କମି ଆସୁଛି ଓ ଏଥିଯୋଗୁ ବିଭିନ୍ନ ସମୟରେ ସେଠାରେ ଅଶାନ୍ତି ଲାଗି ରହୁଛି।
ଆନ୍ତଃରାଜ୍ୟ ସୀମା ବିବାଦରେ ହରିୟାଣା-ହିମାଚଳ ପ୍ରଦେଶ, ଲଦାଖ କେନ୍ଦ୍ରଶାସିତ- ହିମାଚଳ ପ୍ରଦେଶ, ମହାରାଷ୍ଟ୍ର-କର୍ନାଟକ, ଆସାମ-ଅରୁଣାଚଳ ପ୍ରଦେଶ, ଆସାମ- ନାଗାଲାଣ୍ଡ, ଆସାମ-ମେଘାଳୟ ଓ ଆସାମ- ମିଜୋରାମ ଅନ୍ତର୍ଭୁକ୍ତ। ତେବେ ଏହିସବୁ ବିବାଦ ମଧ୍ୟରେ ଆସାମ ସହ ଯୋଡ଼ିହୋଇଥିବା ସୀମା ବିବାଦ ସର୍ବଦା ଶୀର୍ଷରେ ରହିଆସିଛି। ତଥ୍ୟ କୁହେ ଆସାମ- ମିଜୋରାମ ସୀମା ବିବାଦ ଦେଢ଼ଶହ ବର୍ଷର ପୁରୁଣା। ବ୍ରିଟିଶ ଶାସନ ଦ୍ୱାରା ୧୮୭୫ ଓ ୧୯୩୩ରେ ପ୍ରକାଶିତ ଦୁଇଟି ବିଜ୍ଞପ୍ତିର ଏହା ଫଳ। ୧୮୭୫ରେ ବ୍ରିଟିଶ ଅମଳର ସୀମା ନିର୍ଦ୍ଧାରଣକୁ ଏବେ ବି ମିଜୋରାମ ମାନି ଥାଏ। ୧୯୭୨ରେ କେନ୍ଦ୍ରଶାସିତ ଅଞ୍ଚଳ ଓ ୧୯୮୭ରେ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇବା ପରେ ମଧ୍ୟ ସ୍ବାଧୀନତା ପୂର୍ବ ସୀମା ନିର୍ଦ୍ଧାରଣକୁ ମିଜୋରାମ ମନରୁ ଦୂରେଇପାରୁନାହିଁ। ମିଜୋରାମ ମତରେ ବେଙ୍ଗଲ ଇଷ୍ଟର୍ନ ଫ୍ରାଣ୍ଟି ରେଗୁଲେସନ ଆକ୍ଟ ଅନୁଯାୟୀ ୧୮୭୫ରେ ନିର୍ଦ୍ଧାରଣ ହୋଇଥିବା ଆଭ୍ୟନ୍ତରୀଣ ରେଖା ସର୍ବମାନ୍ୟ ହେବା ଉଚିତ। କାରଣ ୧୯୮୬ରେ ସ୍ବାକ୍ଷରିତ ଚୁକ୍ତିନାମା ଏକତରଫା ଓ ସେତେବେଳେ ମିଜୋରାମ ସିଭିଲ ସୋସାଇଟିର ମତାମତ ନିଆଯାଇ ନ ଥିଲା। ଅନ୍ୟପକ୍ଷରେ ଏହାକୁ ଆସାମ ଗ୍ରହଣ କରିପାରୁନାହିଁ। ବ୍ରିଟିଶ ଅମଳର ସୀମା ପରିବର୍ତ୍ତେ ୧୯୮୬ରେ ହୋଇଥିବା ସୀମା ନିର୍ଦ୍ଧାରଣକୁ ଆସାମ ସମର୍ଥନ କରୁଛି। ଏଠାରେ ସୁଚାଇ ଦେବା ଉଚିତ ହେବ ଯେ ଯଦି ମିଜୋରାମର ଦାବିକୁ ଗ୍ରହଣ କରାଯିବ ତେବେ ଆସାମକୁ ତା’ର ଦକ୍ଷିଣରେ ଥିବା କେତେକ ଅଞ୍ଚଳକୁ ମିଜୋରାମକୁ ଦେବାକୁ ପଡ଼ିବ। ସେହିପରି ଯଦି ଆସାମ ପ୍ରସ୍ତାବକୁ କାର୍ଯ୍ୟକାରୀ କରାଯାଏ ତେବେ ମିଜୋରାମକୁ ସେହି ଅଞ୍ଚଳରୁ ତା’ର ଅଧିକାର ହରାଇବାକୁ ପଡ଼ିବ। ମିଜୋରାମ ତୁଳନାରେ ଆସାମରେ ଅଧିକ ସମତଳ ଅଞ୍ଚଳ, ଯାହା କି କୃଷି କାର୍ଯ୍ୟ ପାଇଁ ଅନୁକୂଳ। ସମତଳ ଅଞ୍ଚଳ ପାଇବା ପାଇଁ ମିଜୋରାମ ଦାବି କରିଆସୁଛି। ଉଭୟ ରାଜ୍ୟର ସୀମାକୁ ନୋ ମ୍ୟାନ୍ସ ଲ୍ୟାଣ୍ଡ ଘୋଷଣା ହୋଇଥିଲେ ହେଁ ଏହି ସବୁ ଅଞ୍ଚଳରେ ସର୍ବଦା ବିବାଦ ଲାଗି ରହିଛି। ଉଭୟ ରାଜ୍ୟ କେହି କାହାକୁ ଇଞ୍ଚେ ଜାଗା ଛାଡ଼ିବେ ନାହିଁ ବୋଲି ଜିଦ୍‌ ଧରିବା ସମ୍ପୃକ୍ତ ରାଜ୍ୟ ମଧ୍ୟରେ ସଂଘର୍ଷ ଓ ଅଶାନ୍ତ ପରିବେଶକୁ ଉଜ୍ଜୀବିତ କରି ରଖିଛି।
ଜୁଲାଇ ୨୬ରେ ଘଟିଥିବା ରକ୍ତାକ୍ତ ସଂଘର୍ଷ ପରେ ବିବାଦକୁ ନେଇ ଉଭୟ ରାଜ୍ୟର ବିବୃତି ରାଜନୈତିକ ଅପରିପକ୍ୱତାର ପରିଚୟ ଦିଏ। ସୀମା ସମସ୍ୟାକୁ ଉଜ୍ଜୀବିତ ରଖିବା ସେମାନଙ୍କର ଉଦ୍ଦେଶ୍ୟ ବୁଝାପଡ଼େ। ସୀମାକୁ ନେଇ ଦୁଇ ପଡ଼ୋଶୀ ରାଷ୍ଟ୍ର ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଅତି ପୁରୁଣା। ସୀମାରେ ପାକିସ୍ତାନର ନିୟମିତ ଶାନ୍ତିଭଙ୍ଗକୁ ନେଇ ଭୂତପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ମନ୍ତବ୍ୟ ମନେପଡ଼େ। ହୁଏତ ଆମେ ଆମ ବନ୍ଧୁକୁ ବଦଳେଇ ପାରିବା, କିନ୍ତୁ ପଡ଼ୋଶୀଙ୍କୁ ବଦଳେଇ ପାରିବା ନାହିଁ। ତେଣୁ ଭଲ ସମ୍ପର୍କ ସ୍ଥାପନ କରି ବନ୍ଧୁ ଭାବେ ରହିବା ନଚେତ୍‌ ପରସ୍ପର ମଧ୍ୟରେ ଲଢ଼ି ବିଶ୍ବ ନଜରରେ ଉପହାସର ପାତ୍ର ହେବା। ପଡ଼ୋଶୀ ପାକିସ୍ତାନ ଓ ଚାଇନା ସହ ସୀମା ବିବାଦ ବିଭିନ୍ନ ସମୟରେ ଭାରତ ପାଇଁ ମୁଣ୍ଡବ୍ୟଥାର କାରଣ ହେଉଛି। ଅତୀତରେ ଏଥିପାଇଁ ଭାରତକୁ ବହୁମୂଲ୍ୟ ବି ଦେବାକୁ ପଡ଼ିଛି। ବାଜପେୟୀଙ୍କ ମନ୍ତବ୍ୟ ପଡ଼ୋଶୀ ଦେଶ ପ୍ରତି ଥିଲା, ମାତ୍ର ଏହି ମନ୍ତବ୍ୟ ଏବେ ଆମ ଦେଶର ଦୁଇ ପ୍ରଦେଶ ପାଇଁ ମଧ୍ୟ ପ୍ରଯୁଜ୍ୟ ହେଉଛି । ଦୁଇ ରାଜ୍ୟ ମଧ୍ୟରେ ଥିବା ସୀମାକୁ ନେଇ ସଂଘର୍ଷ ଅତି ଲଜ୍ଜାଜନକ ଓ ଦେଶର ଏକତା ଏବଂ ସଂଘୀୟ ବ୍ୟବସ୍ଥା ପ୍ରତି ମଧ୍ୟ ଏକ ପ୍ରଶ୍ନବାଚୀ। ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ଏହା ଦୀର୍ଘ ସମୟଧରି ଉଜ୍ଜୀବିତ ହୋଇ ରହିଛି। ଏବେ ଏହାକୁ ଅଧିକ ରାଜନୈତିକ ରଙ୍ଗ ଦିଆ ନ ଯାଇ ଏକ ଚିରସ୍ଥାୟୀ ସମାଧାନ କରାଯିବା ଆବଶ୍ୟକ। ଦେଶର ସୀମାନ୍ତବର୍ତ୍ତୀ ଦୁଇ ରାଜ୍ୟ ମଧ୍ୟରେ ଆନ୍ତଃସୀମାକୁ ନେଇ ଏପରି ଉତ୍ତେଜନା ଲାଗିରହିବା ଦେଶର ନିରାପତ୍ତା ପାଇଁ ବିପଦ ହୋଇପାରେ। ତେଣୁ ଆନ୍ତଃ ରାଜ୍ୟ ତିକ୍ତତା ଓ ଶତ୍ରୁତାକୁ ଭୁଲି ଏକ ସ୍ଥାୟୀ ସମାଧାନ ଦିଗରେ ଉଭୟ ରାଜ୍ୟ ସହ କେନ୍ଦ୍ର ମଧ୍ୟ ପ୍ରୟାସ କରନ୍ତୁ।
ମୋ-୯୪୩୭୨୩୨୪୬୩


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri