ନିର୍ଦ୍ଦୋଷ ଦଣ୍ଡିତ ନ ହେଉ

ଭାରତ ସମ୍ବିଧାନର ଧାରା ୨୧ ପ୍ରତ୍ୟେକ ଭାରତୀୟଙ୍କୁ ବଞ୍ଚତ୍ବାର ଅଧିକାର (ରାଇଟ୍‌ ଟୁ ଲାଇଫ୍‌) ପ୍ରଦାନ କରିଛି। ଯେତେବେଳେ ସେହି ଅଧିକାର ଉପରେ ଆଘାତ ଲାଗେ, ସେତେବେଳେ ବ୍ୟକ୍ତିର ମାନବିକ ଅଧିକାର କ୍ଷୁଣ୍ଣ ହୁଏ ବୋଲି ବିବେଚନା କରାଯାଏ। ମାନବିକ ଅଧିକାର କ’ଣ ଓ ଏହାର ସୁରକ୍ଷା କିପରି ବଳବତ୍ତର ରହିବ, ତାହା ବର୍ତ୍ତମାନ ସମୟର ଏକ ବିତର୍କ। କାରଣ ମାନବିକ ଅଧିକାର ସଂଜ୍ଞା ଅସ୍ପଷ୍ଟ। ଦେଖାଯାଉଛି ଯେ ସମାନ ଅପରାଧ ପାଇଁ ଜଣେ ବିଚାରପତି ଫାଶୀ ଦଣ୍ଡାଦେଶ ପ୍ରଦାନ କରୁଥିବା ସମୟରେ ଅନ୍ୟଜଣେ ବିଚାରପତି ଆଜୀବନ ଜେଲ ଦଣ୍ଡାଦେଶ ପ୍ରଦାନ କରନ୍ତି। ଜଣେ ନ୍ୟାୟାଧୀଶ ଫାଶୀଦଣ୍ଡକୁ ମାନବିକ ଅଧିକାରର ହନନ ରୂପେ ବିବେଚନା କରୁଥିବାବେଳେ ଆଉ ଜଣେ ବିଚାରପତି ବିରଳରୁ ଅତିବିରଳ ଅପରାଧ ପାଇଁ ଫାଶୀଦଣ୍ଡ ଏକ ସମୁଚିତ ବିକଳ୍ପ ରୂପେ ବିବେଚନା କରନ୍ତି। ବିଚାରପତିଙ୍କର ବିଚାରଧାରା ପରସ୍ପରଠାରୁ ଭିନ୍ନ। ଉଦାହରଣ ସ୍ବରୂପ ବିମୁଦ୍ରୀକରଣ ବିପକ୍ଷରେ ସର୍ବୋଚ୍ଚ ନ୍ୟାୟାଳୟରେ ୫୮ଟି କେସ୍‌କୁ ୫ଜଣିଆ ଖଣ୍ଡପୀଠ ବିଚାର କଲାବେଳେ ୪ଜଣ ଏହାର ସପକ୍ଷରେ ମତ ଦେଉଥିବା ବେଳେ ଖଣ୍ଡପୀଠର ଏକମାତ୍ର ମହିଳା ବିଚାରପତି ଜଷ୍ଟିସ ବି.ଭି. ନାଗରତ୍ନା ଏହା ବିପକ୍ଷରେ ମତ ଦେଇଥିଲେ। ସେ କହିଲେ, ବିମୁଦ୍ରୀକରଣ ପରି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପାର୍ଲାମେଣ୍ଟର ବିନା ସ୍ବୀକୃତିରେ ଗ୍ରହଣ କରିବା ଆଦୌ ଉଚିତ ହୋଇନାହିଁ। ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଜଣେ ବ୍ୟକ୍ତି ଯେତେ କ୍ଷମତାଶାଳୀ ହୋଇଥାନ୍ତୁ ନା କାହିଁକି ସେ କେବେ ବି ପାର୍ଲାମେଣ୍ଟର ଊଦ୍ଧର୍‌ବରେ ନୁହନ୍ତି।
ମାନବିକ ଅଧିକାରର ହନନକୁ ଏକ ଦଣ୍ଡରୂପେ ବିବେଚନା କରାଯାଇପାରେ। ମାନବିକ ଅଧିକାର ହନନ ସ୍ବରୂପ ବିନା ଦୋଷରେ ଦୀର୍ଘଦିନ ଧରି କାରାଦଣ୍ଡ ଭୋଗ କରିବା ଆମ ଦେଶରେ ଏକ ପ୍ରଚଳିତ ଧାରାର ରୂପ ନେଇସାରିଲାଣି। ତଦନ୍ତ ଅଧିକାରୀଙ୍କ ଯଥେଚ୍ଛାଚାରିତାରୁ ହେଉ ଅଥବା ଜେଲ କର୍ତ୍ତୃପକ୍ଷଙ୍କ ଅଦୂରଦର୍ଶିତା ଓ ସରକାରଙ୍କ ନିଷ୍ଠାର ଅଭାବରୁ ହେଉ ବିନା ଦୋଷରେ କିଛିବ୍ୟକ୍ତି ଦୀର୍ଘଦିନ ଧରି ଜେଲଦଣ୍ଡ ଭୋଗ କରୁଛନ୍ତି। ଏହା କୌଣସି ସାଧାରଣ ବ୍ୟକ୍ତିର ମତ ନୁହେଁ। ନିକଟରେ ଭାରତର ସମ୍ବିଧାନ ଦିବସ ପାଳନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଲେ ଯେ ଆମ ଦେଶର ଜେଲମାନଙ୍କରେ ଏମିତି ଅନେକ କଏଦୀ ଅଛନ୍ତି ଯେଉଁମାନେ ବିନା ଦୋଷରେ ୧୦ବର୍ଷ, ୨୦ବର୍ଷ, ଏପରି କି ୩୦ବର୍ଷ ଧରି ଜେଲଦଣ୍ଡ ଭୋଗୁଛନ୍ତି। ସେମାନେ ସାଧାରଣତଃ ସେମାନଙ୍କ ଜେଲଦଣ୍ଡର କାରଣ ସମ୍ବନ୍ଧରେ ଅଜ୍ଞ। ସେମାନେ ନିରପରାଧ ଓ କିଂକର୍ତ୍ତବ୍ୟବିମୂଢ଼। ରାଷ୍ଟ୍ରପତିଙ୍କ ମତରେ, ଏହା ମୂଳରେ ଦୁଇଟି କାରଣ ନିହିତ। ପ୍ରଥମତଃ ତଦନ୍ତକାରୀ ସଂସ୍ଥାର ତ୍ରୁଟିପୂର୍ଣ୍ଣ ତଦନ୍ତ ଏବଂ ଦ୍ୱିତୀୟତଃ ଆମ ବିଚାର ବ୍ୟବସ୍ଥାର ନ୍ୟାୟ ପ୍ରଦାନରେ ଅହେତୁକ ବିଳମ୍ବ। ନିଜସ୍ବ ଅନୁଭୂତିରୁ ରାଷ୍ଟ୍ରପତି କହିଲେ ଯେ ସେ ବିଧାୟିକା ଥିବା ସମୟରେ ହୋମ୍‌ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଥିଲେ ଓ ସେ ଓଡ଼ିଶାର ପ୍ରାୟ ସମସ୍ତ କାରାଗାର ପରିଦର୍ଶନର ସୁଯୋଗ ପାଇଥିଲେ। ସେହି ସମୟରେ ସେ ଏହା ଜ୍ଞାତ ହୋଇଥିଲେ ଯେ କାରାଗାରଗୁଡ଼ିକରେ ଏପରି କେତେକ ନିରୀହ ବ୍ୟକ୍ତି ଅଛନ୍ତି ଯେଉଁମାନେ ବିନା ଦୋଷରେ ଦୀର୍ଘଦିନ ଧରି କାରାଦଣ୍ଡ ଭୋଗୁଛନ୍ତି। କେବଳ ସେମାନେ ନୁହନ୍ତି ତାଙ୍କ ପରିବାର ମଧ୍ୟ ବିନା କାରଣରେ ସମାଜରେ ଲାଞ୍ଛିତ, ଅପମାନିତ ହୋଇ ଘୋର ମାନସିକ ଅବସାଦ ମଧ୍ୟରେ କାଳାତିପାତ କରୁଛନ୍ତି। ବଡକଥା ହେଲା ଏହି ନିରପରାଧ କଏଦୀଙ୍କ ପାଇଁ କୈାଣସି ବ୍ୟକ୍ତି ବିଶେଷ, ସାମାଜିକ ସଂଗଠନ, ରାଜନେତା, ବୁଦ୍ଧିଜୀବୀ କେହିହେଲେ ଆଗେଇ ଆସୁନାହାନ୍ତି। ଯେତେବେଳେ ସାଧାରଣ ନିରପରାଧ ବ୍ୟକ୍ତି ତ୍ରୁଟିପୂର୍ଣ୍ଣ ତଦନ୍ତର ଶିକାର ହୋଇ ଦୀର୍ଘଦିନ ଜେଲରେ ରହେ, ସେତେବେଳେ କେବଳ ସମାଜ ନୁହେଁ, ତା’ ସ୍ତ୍ରୀ ପିଲା ମଧ୍ୟ ସନ୍ଦେହ ପ୍ରକାଶ କରନ୍ତି ଯେ ତାଙ୍କ ନିଜ ଲୋକ କ’ଣ ସତରେ ଅପରାଧୀ!
ଏ ସମ୍ବନ୍ଧରେ ପ୍ରସିଦ୍ଧ ରୁଷୀୟ ଲେଖକ କାଉଣ୍ଟଲିଓ ଟଲଷ୍ଟୟଙ୍କର ଏକ ହୃଦୟ ବିଦାରକ କାହାଣୀ ଏଠାରେ ପ୍ରାସଙ୍ଗିକ ମନେହୁଏ। ରୁଷର ଭ୍ଲାଦିମିର ସହରରେ ରହୁଥିଲେ ଇଭାନ ଆକ୍ସିନୋଭ ନାମକ ଜଣେ ପ୍ରତିଷ୍ଠିତ ଯୁବ ବଣିକ। ଦିନେ ସେ ବ୍ୟବସାୟିକ କାର୍ଯ୍ୟରେ ଦୂର ସହର ନିଜନୀକୁ ଯାତ୍ରା ଆରମ୍ଭ କଲେ। ମଝିବାଟରେ ତାଙ୍କର ଜଣେ ଦୂର ପରିଚିତ ବଣିକ ସହ ଦେଖାହେଲା ଓ ଦୁହେଁ ସାଥି ହୋଇ ଏକ ପଥପ୍ରାନ୍ତ ଧର୍ମଶାଳାରେ ରାତ୍ରିଯାପନ କଲେ। ପରଦିନ ପ୍ରତ୍ୟୁଷରୁ ଇଭାନ ତାଙ୍କ ଯାତ୍ରା ଆରମ୍ଭ କରିଦେଲେ। କିଛିବାଟ ଗଲା ପରେ ତାଙ୍କୁ ପୋଲିସ ଅଟକାଇଲେ ଓ ତାଙ୍କ ସାଙ୍ଗ ବଣିକଙ୍କୁ ହତ୍ୟା କରି ତାଙ୍କ ଧନରତ୍ନ ଲୁଣ୍ଠନ କରିଥିବା ଅଭିଯୋଗ ବାଢିଲେ। ଇଭାନଙ୍କ ଗଣ୍ଠିଲି ମଧ୍ୟରୁ ପୋଲିସ ଏକ ରକ୍ତଲଗା ଛୁରି ମଧ୍ୟ ପାଇଲେ। ଇଭାନଙ୍କୁ ସେମାନେ ବନ୍ଦୀକରି ସୁଦୂର ସାଇବେରିଆ ଜେଲକୁ ପଠାଇଦେଲେ। ଜେଲରେ ଜଣେ ଜଘନ୍ୟ ହତ୍ୟାକାରୀର ଆଖ୍ୟା ବହନ କରି ଇଭାନଙ୍କୁ ରହିବାକୁ ହେଲା। ଏପରି କି ତାଙ୍କ ପତ୍ନୀ ଜେଲରେ ତାଙ୍କୁ ସାକ୍ଷାତ କରିବା ଅବସରରେ କହିଲେ, ଇଭାନ! ତୁମେ ମୋ ମୁଣ୍ଡ ଛୁଇଁ କୁହ ତୁମେ କ’ଣ ଏ କାମ କରିଛ? ଇଭାନ ଦେଖିଲେ ଶେଷରେ ଧର୍ମପତ୍ନୀ ମଧ୍ୟ ତାଙ୍କୁ ସନ୍ଦେହ କଲେ। ତେଣୁ ସେ ନୀରବ ରହିଲେ। ଇତି ମଧ୍ୟରେ ଜେଲରେ ତାଙ୍କୁ ୨୬ବର୍ଷ ବିତେଇବାକୁ ହେଲା। ନିଜର ଅମାୟିକ ବ୍ୟବହାର, ସତ୍ୟ ଏବଂ ପ୍ରିୟବାଦିତା ଯୋଗୁ ଜେଲ କର୍ତ୍ତୃପକ୍ଷ ଓ ସାଥୀ ବନ୍ଦୀଙ୍କ ନିକଟରେ ସେ ହୋଇ ଉଠିଲେ ଜଣେ ସମ୍ମାନସ୍ପଦ ବ୍ୟକ୍ତି। ପ୍ରତ୍ୟହ ଜେଲ ପ୍ରକୋଷ୍ଠରେ ଈଶ୍ୱର ଆରାଧନା ସମୟରେ ସେ ପ୍ରାର୍ଥନା କରନ୍ତି, ହେ ପରମାମତ୍ା ! ମୋ ପରି ବିନା ଦୋଷରେ କାହାକୁ ଏପରି ଦଣ୍ଡ ଭୋଗିବାକୁ ନ ହେଉ। ଜେଲ କର୍ତ୍ତୃପକ୍ଷ ଏକଥା ମଧ୍ୟ ଶୁଣିପାରିଲେ। ଆଉ ଦିନେ ସନ୍ଧ୍ୟା ସମୟରେ ସମସ୍ତ ବନ୍ଦୀ ଏକତ୍ରିତ ହୋଇ ଇଭାନଙ୍କ ଅଧ୍ୟକ୍ଷତାରେ ଏକ ସଭାକଲେ, ଯେଉଁଥିରେ ସମସ୍ତେ ନିଜ ନିଜର ଦୋଷ ସ୍ବୀକାର କରିବେ। ଜଣେ ବନ୍ଦୀ କହିଲେ, ଆଜକୁ ପ୍ରାୟ ୨୬ବର୍ଷ ତଳେ ଭ୍ଲାଦିମିର ଓ ନିଜନୀର ସଂଯୋଗ ରାସ୍ତାର ଏକ ଧର୍ମଶାଳାରେ ଜଣେ ବଣିକକୁ ହତ୍ୟାକରି ତା’ର ଧନରତ୍ନ ଲୁଣ୍ଠନ କଲି ଓ ତା’ ସାଙ୍ଗ ଗଣ୍ଠିଲିରେ ରକ୍ତଲଗା ଛୁରିଟିକୁ ରଖିଦେଇ ଆସିଲି। ଏହାପରେ ମୁଁ ଅନେକ ଅପରାଧ କରିଥିଲେ ମଧ୍ୟ ପରିଶେଷରେ ଏକ ଛୋଟ ଭୁଲ ପାଇଁ ମୁଁ ବନ୍ଦୀ ହେଲି । ଏହା ଶୁଣି ଇଭାନ କହିଲେ ମୁଁ ସେହି ହତଭାଗ୍ୟ ଯେ ତୁମ ଅପରାଧର ଦଣ୍ଡ ଭୋଗୁଛି।
ଜେଲ କର୍ତ୍ତୃପକ୍ଷ ଏକଥା ଶୁଣିଲେ। ଇଭାନ ଯେ ନିରପରାଧ ଏ ବିଶ୍ୱାସ ତାଙ୍କର ସୁଦୃଢ ହେଲା। ପରଦିନ ଜେଲ ଅଧୀକ୍ଷକ ଇଭାନଙ୍କ ମୁକ୍ତିପତ୍ର ନେଇ ତାଙ୍କ ପ୍ରକୋଷ୍ଠରେ ପହଞ୍ଚତ୍ଲା ବେଳକୁ ଇଭାନ ଆଉ ଇହ ଜଗତରେ ନ ଥିଲେ। ପ୍ରାର୍ଥନା କରୁଥିବା ସମୟରେ ହିଁ ତାଙ୍କ ପ୍ରାଣବାୟୁ ଉଡିଗଲା।
ଆଜି ମଧ୍ୟ ଅନେକ ଇଭାନ ମିଥ୍ୟା ଅପରାଧରେ ଆରୋପିତ ହୋଇ ବିଭିନ୍ନ ଜେଲରେ କଏଦୀ ଜୀବନ ଅତିବାହିତ କରୁଛନ୍ତି। ଅନୁସନ୍ଧାନ ଦାୟିତ୍ୱ ନିର୍ବାହ କରୁଥିବା ଅଧିକାରୀ, ସରକାର, କାରାଗାର ଅଧୀକ୍ଷକ କିମ୍ବା ସର୍ବୋପରି ବିଚାର ବ୍ୟବସ୍ଥା ଏଥିପାଇଁ ସମ୍ବେଦନଶୀଳ ଥିବା ପରି ମନେହେଉନି। କୈାଣସି ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିବିଶେଷଙ୍କୁ ବଞ୍ଚାଇବାକୁ ଯାଇ ଜଣେ ନିରୀହ ବ୍ୟକ୍ତିକୁ ଦଣ୍ଡିତ କରିବା ହୁଏତ ପୃଥିବୀରେ ସମ୍ଭବ, ମାତ୍ର ଈଶ୍ୱରଙ୍କ ଦରବାରରେ ଏହା ସମ୍ଭବ ନୁହେଁ। ତେଣୁ ତଦନ୍ତକାରୀ ଅଧିକାରୀ, ନ୍ୟାୟପାଳିକା ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ଦରକାର ଯେ ଶହେ ଦୋଷୀ ପଛେ ଖସିଯାନ୍ତୁ ମାତ୍ର ଜଣେ ହେଲେ ନିର୍ଦ୍ଦୋଷ ଯେପରି ଦଣ୍ଡ ନ ପାଉ।

  • ବୈକୁଣ୍ଠନାଥ ମିଶ୍ର
    ସିଦ୍ଧଳ, ଜଗତ୍‌ସିଂହପୁର
    ମୋ: ୯୯୩୭୪୫୦୫୪୦

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri