ସର୍ବେ ଭବନ୍ତୁ ଦାର୍ଶନିକାଃ

ରଞ୍ଜନ କୁମାର ଦାସ

 

ଆଜିକୁ ଶହଶହ ବର୍ଷ ତଳେ ପ୍ରସିଦ୍ଧ ଗ୍ରୀକ୍‌ ଦାର୍ଶନିକ ପ୍ଲାଟୋ ତାଙ୍କ ରଚିତ କାଳଜୟୀ ଗ୍ରନ୍ଥ ‘ରିପବ୍ଲିକ’ରେ ଏକ ୟୁଟୋପିଆର ପରିକଳ୍ପନା କରିଥିଲେ, ଯାହା ଆମ ଭାରତୀୟ ଜନଚେତନାରେ କଳ୍ପିତ ରାମରାଜ୍ୟର ପ୍ରତିରୂପ କହିଲେ ଅତ୍ୟୁକ୍ତି ହେବ ନାହିଁ। ସେହି ୟୁଟୋପିଆର ପରିକଳ୍ପନା ସମୟରେ ପ୍ଲାଟୋ ଦିନେ ସ୍ବପ୍ନରେ ଈଶ୍ବରଙ୍କୁ ଦେଖିଲେ ଏବଂ ତାଙ୍କୁ ୟୁଟୋପିଆର ସ୍ବପ୍ନ ଚରିତାର୍ଥ କରିବାକୁ ବର ମାଗିଲେ। ଈଶ୍ବର ତୁରନ୍ତ ରାଜିହୋଇ ବରଦାନ ବି ଦେଇଦେଲେ। ଏବେ ପ୍ରଶ୍ନ ଉଠିଲା, ୟୁଟୋପିଆ ହେଉ ବା ଆଇଡିଆଲ ଷ୍ଟେଟ ଅଥବା ରାମରାଜ୍ୟ ଯାହା ବି ସେ ହେଉ, ସେଥିରେ ରାଜା କିଏ ହେବେ। ସ୍ବପ୍ନରେ ପ୍ଲାଟୋ ସବୁବେଳେ ଭାବୁଥିଲେ ଯେ ରାଜ୍ୟର ରାଜା ଯିଏ ହେବ ସେ ଜଣେ ବିଚାରବନ୍ତ, ବୁଦ୍ଧିଜୀବୀ ବା ଦାର୍ଶନିକ ହେବା ଉଚିତ। ଯେ ପର୍ଯ୍ୟନ୍ତ ଜଣେ ରାଜା ଦାର୍ଶନିକ ହୋଇନାହିଁ ବା ଜଣେ ଦାର୍ଶନିକ ରାଜା ହୋଇନାହିଁ ସେ ଯାଏ ଶାସନ ସୁସଂଗଠିତ ହୋଇପାରିବ ନାହିଁ ବୋଲି ପ୍ଲାଟୋ ଭାବୁଥିଲେ। ଈଶ୍ବର କହିଲେ ତଥାସ୍ତୁ, ମାତ୍ର ୟୁଟୋପିଆର ରାଜା କିଏ ହେବ? ସେ ପ୍ରଶ୍ନରେ ପ୍ଲାଟୋ ନିଜକୁ ସେ ସ୍ଥାନରେ ରଖିବାକୁ ପ୍ରାର୍ଥନା କଲେ। ଈଶ୍ବର ଈର୍ଷାନ୍ବିତ ହୋଇ ପରିହାସରେ କହିଲେ, ଏତେ ସୁନ୍ଦର ରାଜ୍ୟଟିଏ ଯଦି ମୁଁ ଗଢିପାରେ, ତେବେ ତା’ର ରାଜା ମୁଁ ନିଜେ ନ ହୋଇ ତମକୁ କାହିଁକି ସେ ରାଜପଦ ଛାଡିବି? କହିବାର ଉଦ୍ଦେଶ୍ୟ ହେଲା, ଈଶ୍ବର ହୁଅନ୍ତୁ ବା ରାଜା ସବୁବେଳେ ସୁଜଳା, ସୁଫଳା, ଶସ୍ୟଶ୍ୟାମଳା, ସ୍ବର୍ଣ୍ଣପ୍ରସୂ, ଶାନ୍ତି ଓ ମୈତ୍ରୀରେ ଭରା ଏଭଳି ରାଜ୍ୟରେ ଶାସନ କରିବାକୁ ଚାହାନ୍ତି। ପ୍ରଜାମାନେ ତ ସ୍ବାଭାବିକ ଭାବେ ଏଭଳି ଏକ ରାମରାଜ୍ୟ ସ୍ଥାପନ ପାଇଁ ନିତି ଦୀପ ଜାଳି ବସନ୍ତି। ବିଭିନ୍ନ ବିଶ୍ବ ସାହିତ୍ୟରେ ଏଭଳି ୟୁଟୋପିଆ ହେଉ, ରାମରାଜ୍ୟ ହେଉ ବା ଏଲଡୋରାଡୋ ହେଉ ତା’ର ଅବତାରଣା କରାଯାଇଛି। ସବୁଥିରେ ସାରାଂଶ ହେଲା ସୁଶାସନ।
ସୁଶାସନ କହିଲେ, ସାଧାରଣ ଜନତା ବୁଝନ୍ତି ଆଇନର ଶାସନ, ନିଃସ୍ବାର୍ଥପର ବ୍ୟବସ୍ଥା ପରିଚାଳନା ଓ ଏକ ଦୂରଦର୍ଶୀ ଜନନାୟକର ନେତୃତ୍ୱ। ଯେଉଁଠି ଶାସନ ପରିଚାଳନା ‘ମୋର-ତୋର’ର ଭେଦଭାବରେ ସୀମିତ ନ ଥାଏ, ନୀତିନିଷ୍ଠ ଭାବେ ପରିଚାଳିତ ହୁଏ। ସେଥିପାଇଁ ମହାତ୍ମା ଗାନ୍ଧୀ ମଧ୍ୟ କହିଲେ, ରାଜନୀତି ଯଦି ଧର୍ମ ଓ ଦର୍ଶନ ଦ୍ବାରା ପରିଚାଳିତ ନ ହୋଇଥାଏ ତାହା ପତିତ ଜନର ଉଦ୍ଧାର କରିପାରିବ ନାହିଁ। ଏଠାରେ ଧର୍ମ ବୁଝାଏ ନୀତିନିଷ୍ଠତାକୁ ଓ ଦର୍ଶନ ବୁଝାଏ ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ବିଚାର ଧାରାକୁ। ତେଣୁ ଶାସକ ନୀତିନିଷ୍ଠ ହେବା ସହ ପ୍ରଜା କଲ୍ୟାଣ ପାଇଁ ନିର୍ଦ୍ଦିଷ୍ଟ ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ବିଚାରବୋଧକୁ ନେଇ ସଂକଳ୍ପବଦ୍ଧ ହୋଇଥିବା ବିଧେୟ। ପ୍ଲାଟୋଙ୍କ ଦର୍ଶନରେ ଏଭଳି ରାଜାଙ୍କୁ ଫିଲୋସୋଫର କିଙ୍ଗ୍‌ ବା ଦାର୍ଶନିକ ରାଜା କୁହାଯାଇଥିଲା। ରାଜା ବା ରାଷ୍ଟ୍ରମୁଖ୍ୟ ତାଙ୍କ ଶାସନରେ ଛୋଟ-ବଡ, ପୁରୁଷ-ନାରୀ ବା ନିଜ-ପର ଏଭଳି ନୂ୍ୟନ ବିଚାରଧାରାରେ ସୀମିତ ହୋଇ ନ ଥିବେ। ଜନକଲ୍ୟାଣ ହିଁ ହେବ ଶାସନର ମୂଳମନ୍ତ୍ର। ଦେଶକୁ ଯିଏ ଦିଗ୍‌ଦର୍ଶନ ଦେବ ତା’ର ଜ୍ଞାନ, ଅନୁଭବ ଓ ଅଭିଜ୍ଞତା ମଧ୍ୟ ଅନୁରୂପ ଭାବେ ବିଶାଳ ହୋଇଥିବା ଦରକାର। ମାତ୍ର ବିଡ଼ମ୍ବନାର କଥା ହେଲା ବିଂଶ ଶତାବ୍ଦୀରେ ଗଣତନ୍ତ୍ରର ଆଗମନ ପରେ ଦାର୍ଶନିକମାନେ ଶାସନକୁ ଆସିବା ଦୂରର କଥା, ଏପରି କି ସାଧାରଣ ଦର୍ଶନ ଶକ୍ତି ନ ଥିବା ଲୋକ ବି ଶାସନକୁ ଆସି ଯାଉଛନ୍ତି। ଶାସନତନ୍ତ୍ରରେ ଚିନ୍ତକମାନେ ରହିବା ତ ଦୂରର କଥା, ଜନସାଧାରଣଙ୍କ ଭିତରେ ଥିବା ଦାର୍ଶନିକ, ଚିନ୍ତକ ଓ ବୁଦ୍ଧିଜୀବୀମାନଙ୍କୁ ମଧ୍ୟ ସହ୍ୟ କରିପାରୁନାହାନ୍ତି ଶାସକବର୍ଗ। ଭିନ୍ନ ମତବାଦ ପୋଷଣ କରୁଥିବା ଲୋକମାନଙ୍କୁ କେମିତି ଦୂର କରାଯାଇ ପାରିବ ସେକଥା ଚିନ୍ତା କରାଯାଉଛିି। ଗଣତନ୍ତ୍ରର ସଂଖ୍ୟା ଖେଳରେ ଯିଏ ଅଧିକ ଖୁଚୁରା ଗୋଟେଇ ପାରିଲା ସେ ଅଧିକ ସମ୍ପନ୍ନ। ପ୍ଲାଟୋ ତ କହିଥିଲେ, ଯେଉଁଠି ରାଜା ଦାର୍ଶନିକ ନ ହେଲେ ନାଇଁ, ଜନତାଙ୍କ ଭିତରେ କିନ୍ତୁ ଦାର୍ଶନିକ, ଚିନ୍ତକ ରହିଲେ ବି ସେମାନେ ରାଜାଙ୍କୁ ବାଟ ଦେଖେଇ ପାରନ୍ତେ। ମାତ୍ର ତାହା ଅସହ୍ୟ ହୋଇପଡୁଛି ଦିନକୁ ଦିନ। ତେଣୁ ସାଧାରଣ ଲୋକେ ଦେଖିଲେ ବୁଦ୍ଧିଜୀବୀ ବା ଦାର୍ଶନିକ ହେବାରେ ଯେହେତୁ ବିପତ୍ତି ରହୁଛି, ବରଂ ଛେଳି, ମେଣ୍ଢା ବା ଘୁଷୁରି ହୋଇଯିବା ଭଲ। ଛେଳି, ମେଣ୍ଢା ହେବାରେ କିଛି ଅସୁବିଧା ନ ଥାଏ। କିଛି ଭାବିବାକୁ ପଡେନା। ଯୁଆଡେ ଗୋଠ ଯାଉଛନ୍ତି, ସେଇ ରାସ୍ତାରେ ମାଡି଼ଚାଲ। ଗୋଠ ଯୋଉଠି ପହଞ୍ଚିବେ ଆମେ ବି ସେଇଠି। ଯାହା ସମସ୍ତଙ୍କ ଭାଗ୍ୟରେ ଥିବ, ଆମ ଭାଗ୍ୟରେ ବି ସେୟା ହେବ।
ଏଭଳି ଚିନ୍ତାଧାରା ପୋଷଣ କରୁଥିବା ଏକ ସମାଜର ସ୍ଥିତି କେତେ ଦୟନୀୟ ତାହା ସହଜେ ଅନୁମେୟ। ଯୋଉ ସମାଜରେ ରାଜାର ବୁଦ୍ଧି ବିବେକ ନ ଥାଏ କି ପ୍ରଜାର ନିରୀକ୍ଷଣ ଓ ନିର୍ଣ୍ଣୟ ଶକ୍ତି ନ ଥାଏ, ସେ ସମାଜ ଶେଷରେ କୋଉଠି ଯାଇ ପହଞ୍ଚିବ? ସମାଜର କୋଉ ଗୋଟିଏ ଦିଗ ଯଦି ସକଳ, ସଶକ୍ତ ଓ ଦୃଢ଼ ଥାଏ, ତେବେ ଭାରସାମ୍ୟ ରହିଯିବ। ମାତ୍ର ଯଦି ଉଭୟ ଆଡୁ ଦୁର୍ବଳ ଥିବ ତେବେ ତ କଥା ସରିଲା। ବେଳେବେଳେ ଲାଗେ ଗୋଟେ ରାଜ୍ୟ ପାଇଁ ବୁଦ୍ଧି ଓ ବିବେକ ଥିବା ରାଜା ଯେତେ ଦରକାର ତା’ଠୁ ବେଶି ଦରକାର ବୁଦ୍ଧି, ବିବେକ, ନିରୀକ୍ଷଣ ଓ ନିର୍ଣ୍ଣୟ ଶକ୍ତି ଥିବା ପ୍ରଜାକୁଳ। ରାଜାର ଯଦି ବୁଦ୍ଧି ଓ ବିବେକ ଥାଏ, ତେବେ ଶାସନ ଠିକ୍‌ରେ ଚାଲିବ ଏକଥା ଅନସ୍ବୀକାର୍ଯ୍ୟ। ମାତ୍ର ପ୍ରଜା ଯଦି ବିବେକ, ବୁଦ୍ଧି, ନିରୀକ୍ଷଣ ଓ ନିର୍ଣ୍ଣୟ ଶକ୍ତିସମ୍ପନ୍ନ ତେବେ ତ ପ୍ରଶାସନର ଆଉ ଆବଶ୍ୟକତା ହିଁ ପଡିବ ନାହ। ସେମାନେ ନିଜ ସମସ୍ୟା ନିଜେ ସୁଧାରିପାରିବେ। ସମାଜ ଆପେ ଆପେ ସୁଧୁରିଯିବ। ଯେଉଁ ସମାଜ ଆପେ ଆପେ ନିଜକୁ ସୁଧାରିବାର କ୍ଷମତା ରଖେ ସେ ସମାଜ ନିଶ୍ଚିତ ଭାବେ ଦୀର୍ଘଜୀବୀ ହେବ ଏ ବିଶ୍ବାସ କାଳେ କାଳେ ରହିଥିଲା। ଏବେ ବି ସେ ଆଶା ରଖିଛି। ସମାଜର ପ୍ରତିଟି ମଣିଷ ଯଦି ବିଚାରବନ୍ତ ହେବ, ବିବେକ-ନିର୍ଦ୍ଦେଶିତ ପଥରେ ଚାଲିବ, ଠିକ୍‌ ନିର୍ଣ୍ଣୟ ନେଇପାରିବ, ନିଜେ ଜଣେ ଦାର୍ଶନିକ ନାଗରିକ ହେବ ତେବେ ତ ସମାଜରୁ ବିଲକ୍ଷଣ ସବୁ କମିଯିବ। ୟୁଟୋପିଆ ବା ରାମରାଜ୍ୟ ମନକୁ ମନ ଗଢିଉଠିବ। ସବୁ ନ ହେଲେ ବି ଅନ୍ତତଃ ସଂଖ୍ୟାଗରିଷ୍ଠ ନାଗରିକ ଯଦି ଜଣେ ଜଣେ ଦାର୍ଶନିକ ପାଲଟିଯିବେ, ହଉ ପଛେ କିଛି କ୍ଷଣ ପାଇଁ, ଆଉ କୋଉ ଦାର୍ଶନିକ-ରାଜାର ଆବଶ୍ୟକତା ମଧ୍ୟ ପଡ଼ି ନ ପାରେ।
ମୁଖ୍ୟ ପ୍ରଶାସକ, ଶ୍ରୀମନ୍ଦିର
ମୋ:୯୪୩୭୨୮୬୫୧୨


Enter your email to get our daily news in your inbox.

All Right Reserved By Dharitri.Com

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

ଗୋଟିଏ ଲାଉର ଦୁଇଟି ମଞ୍ଜି

ଯାଯାବର ମଣିଷ ନଦୀକୂଳରେ ବସତି ସ୍ଥାପନ କରି କୃଷିକୁ ଜୀବିକାଭାବେ ଗ୍ରହଣ କଲା। କୃଷି ବଂଶାନୁକ୍ରମିକଭାବେ ଜୀବିକା-ନିର୍ବାହର ସ୍ରୋତ ପାଲଟିଗଲା। ସମୟକ୍ରମେ କୃଷି ସହ ଅନ୍ୟାନ୍ୟ କର୍ମକୁ…

ଟିକା ବିରୋଧୀ ଦୃଷ୍ଟିକୋଣ

୨୦୨୫ରେ ଆମେରିକାରେ ଦୁଇ ପିଲାଙ୍କ ସମେତ ୩ ଜଣ ମିଳିମିଳାରେ ମୃତ୍ୟୁବରଣ କରିଥିଲେ। ସେମାନଙ୍କ ମୃତ୍ୟୁକୁ ରୋକାଯାଇପାରିଥାଆନ୍ତା। ଗତବର୍ଷ ଆମେରିକାରେ ୨,୨୬୭ ଲୋକ ମିଳିମିଳାରେ ଆକ୍ରାନ୍ତ ହୋଇଥିଲେ,…

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri