ଭୁବନେଶ୍ୱର,୨୪।୧୧(ସୁଚିସ୍ମିତା ସାହୁ): ଧରିତ୍ରୀ ଯୁବ ସମ୍ମିଳନୀ ଷଷ୍ଠ ସଂସ୍କରଣ ପ୍ରଥମ ଦିନ ସୋମବାର ସ୍ବସ୍ତି ପ୍ରିମିୟମ ହୋଟେଲଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଦ୍ୱିତୀୟ ‘ଧରିତ୍ରୀ କ୍ଲାଇମେଟ୍ ଫିଲ୍ମ ଫେଷ୍ଟ’ ଆୟୋଜିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଅଭିନେତା ତଥା ବିଧାୟକ ସିଦ୍ଧାନ୍ତ ମହାପାତ୍ର ଯୋଗଦେଇ କହିଲେ, ଜୀବନରେ ପ୍ରତ୍ୟେକ ଜିନିଷକୁ ଦେଖି ଶିଖିବା ଓ ଭଲ କାର୍ଯ୍ୟକୁ ଅନୁକରଣ କରିବା ଆବଶ୍ୟକ। ପ୍ରାକୃତିକ ବିପର୍ଯ୍ୟୟ ହେଉ କି ଅନ୍ୟ କୌଣସି ସମସ୍ୟା, ପ୍ରତ୍ୟେକ ଘଟଣାର ଡକ୍ୟୁମେଣ୍ଟେଶନ ହେବା ଉଚିତ। ଏହା ଭବିଷ୍ୟତରେ ପୂର୍ବ ଘଟଣାକୁ ତୁଳନା କରିବା ସହ ସମାଧାନର ଦିଗ ଖୋଜିବାରେ ସହାୟକ ହେବ। ପ୍ରକୃତି ଓ ପରିବେଶର ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ପ୍ରତ୍ୟେକ ପରିବେଶବିତ୍ ଜଣେ ଜଣେ ବ୍ରାଣ୍ଡ୍ ଆମ୍ବାସାଡର। ଆମକୁ ସବୁବେଳେ ପାଞ୍ଚଟି ‘ଜ’ ଯଥା ଜଙ୍ଗଲ, ଜମି, ଜଳ, ଜନ୍ତୁ ଓ ଜନର ସୁରକ୍ଷାକୁ ପ୍ରାଥମିକତା ଦେବାକୁ ହେବ ବୋଲି ସିଦ୍ଧାନ୍ତ କହିଛନ୍ତି। ସେହିପରି ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକକୁ କମାଇବା ସହ ଅଳିଆ ଆବର୍ଜନା ଏଣେତେଣେ ନ ପକାଇ ପରିବେଶକୁ ସ୍ବଚ୍ଛ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ। ପରିବେଶ ପ୍ରଦୂଷଣ ଯୋଗୁ କେବଳ ପ୍ରକୃତି ନୁହେଁ, ମନୁଷ୍ୟକୃତ ବିପର୍ଯ୍ୟୟ ମଧ୍ୟ ଦେଖାଦେଉଛି। ତେଣୁ ଆବଶ୍ୟକତାଠାରୁ ଅଧିକ ସମ୍ବଳ ବ୍ୟବହାର ନ କରିବା, ନିଜ ଚାରିପାଖକୁ ସଫାସୁତୁରା ରଖିବା ଏବଂ ଅଧିକରୁ ଅଧିକ ଚାରାରୋପଣ କରିବା ଦିଗରେ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ବୋଲି ସେ ନିଜ ବକ୍ତବ୍ୟରେ କହିଛନ୍ତି।
ନିର୍ମାତା ସୁଶାନ୍ତ ମିଶ୍ର ଜୁରି ସଦସ୍ୟ ଭାବେ ଯୋଗଦେଇ କହିଲେ, ଚଳିତ ବର୍ଷ ଯୁବପିଢ଼ିଙ୍କ ମଧ୍ୟରେ ପରିବେଶକୁ ନେଇ ଅନେକ ସଚେତନତା ବଢ଼ିଛି। ସିନେମା ମାଧ୍ୟମରେ ଭିନ୍ନ ଭିନ୍ନ ଶୈଳୀରେ ପରିବେଶ ସୁରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି। ସ୍ବଳ୍ପ ସମୟସୀମା ମଧ୍ୟରେ ଚଳଚ୍ଚିତ୍ର ପ୍ରଦର୍ଶିତ କରିବା କଷ୍ଟକର, ତଥାପି ବହୁତ ଭଲ ସିନେମା ଆସିଥିଲା। ସେଥିରୁ ପ୍ରଦର୍ଶନ ଓ ପୁରସ୍କାରଯୋଗ୍ୟ ବାଛିବା କଷ୍ଟକର ଥିଲା। ଧରିତ୍ରୀର ଏଭଳି ପ୍ରୟାସ ପାଇଁ ଯୁବପିଢ଼ିଙ୍କ ସମେତ ସବୁ ବର୍ଗର ଲୋକେ ପରିବେଶ ସମ୍ବନ୍ଧରେ ବହୁତ କିଛି ଶିଖିବାକୁ ପାଉଛନ୍ତି ବୋଲି ସେ କହିଛନ୍ତି। ଏହି ଫିଲ୍ମ ଫେଷ୍ଟରେ ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ସ୍ବାଗତ ଭାଷଣ ଦେଇଥିବାବେଳେ ସମ୍ପାଦକ ତଥାଗତ ସତପଥୀ ଅତିଥିଙ୍କୁ ସମ୍ବୋଧିତ କରିଥିଲେ।
ଅବସରରେ ପରିବେଶ ଆଧାରିତ ବିଷୟବସ୍ତୁକୁ ନେଇ ମନୋନୀତ ଓଡ଼ିଆ, ଇଂଲିଶ, ହିନ୍ଦୀ ଭାଷାର ୯ଟି କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ଫିଲ୍ମ ଫେଷ୍ଟରେ ସାମିଲ ହେବାକୁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଯୁବ ପରିବେଶବିତ୍ମାନେ ନିଜ ପ୍ରୟାସରେ ୨୫ଟି କ୍ଷୁଦ୍ର ଚଳଚ୍ଚିତ୍ର ପଠାଇଥିଲେ। ଏଥିରୁ ଚଳିତବର୍ଷର ଶ୍ରେଷ୍ଠ ପରିବେଶ ସଚେତନଧର୍ମୀ ବାର୍ତ୍ତା ପ୍ରଦାନ କରିଥିବା ୯ଟି କ୍ଷୁଦ୍ର ଚଳଚ୍ଚିତ୍ରକୁ ପ୍ରଦର୍ଶନ ପାଇଁ ଜୁରି ସଦସ୍ୟମାନେ ଚୟନ କରିଥିଲେ। ଦେବାଶିଷ ପ୍ରତିହାରୀଙ୍କ କ୍ଷୁଦ୍ର ପରିବେଶ ଚଳଚ୍ଚିତ୍ର ‘ଉପାୟ’କୁ ପ୍ରଥମ ଶ୍ରେଷ୍ଠ ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି କଳ୍ପିତ ମହାନ୍ତିଙ୍କ ‘ଆଇଜାକ୍’କୁ ଦ୍ୱିତୀୟ ଶ୍ରେଷ୍ଠ ପୁରସ୍କାର ପ୍ରଦାନ କରାଯାଇଛି। ପୁରସ୍କାର ବାବଦକୁ ବିଜେତାଙ୍କୁ ଯଥାକ୍ରମେ ୧୫ହଜାର ଏବଂ ୧୦ହଜାର ଲେଖାଏ ଅର୍ଥରାଶି ପ୍ରଦାନ କରାଯାଇଛି। ସେହିଭଳି ଅନ୍ୟ ପ୍ରଦର୍ଶିତ ଫିଲ୍ମ ମଧ୍ୟରେ ଅରୁଣ ମହାରଣାଙ୍କ ‘ପାଣି’, ଜୟନ୍ତ ଜନପ୍ରିୟାଙ୍କ ‘ଆର୍ଥ ଟିୟର’, କିର୍ଷନବୋରଲାଙ୍ଗ ଖାରଦେୱସାଙ୍କ ‘ଦ ରିଭର’, ନତାସା ନାୟକଙ୍କ ‘ୟୁ ଫର୍ଗଟ’, ସିତିକାନ୍ତ ସ୍ବାଇଁଙ୍କ ‘ଅଗ୍ନି’, ସୌରଭ ବେହେରାଙ୍କ ‘ଦି ସାଇଲେଣ୍ଟ ଗଡ୍’ ଏବଂ ତ୍ରିଲୋଚନ ସାହୁଙ୍କ ‘ଚାରିନାଳିଆ’ ରହିଥିଲା।