ଲକ୍ଷ୍ମଣରେଖା ଏକ ବହୁପ୍ରଚଳିତ ପୁରାଣ ବର୍ଣ୍ଣିତ ଶବ୍ଦ। ରାମାୟଣରେ ରାବଣର ନିର୍ଦ୍ଦେଶରେ ମାରିଚ ମାୟା ସୁବର୍ଣ୍ଣ ମୃଗ ହୋଇ ଶ୍ରୀରାମଙ୍କୁ ଭ୍ରମିତ କରାଇ ଘନ ଅରଣ୍ୟକୁ ନେଇଗଲା। ଶ୍ରୀରାମଙ୍କ ଦ୍ୱାରା ଶରବିଦ୍ଧ ହୋଇ ମୃତ୍ୟୁ ପୂର୍ବରୁ ତ୍ରାହି ଲକ୍ଷ୍ମଣ ବୋଲି ଉଚ୍ଚ ସ୍ବରରେ ଡାକ ଦେଇଥିଲା। ଶ୍ରୀରାମ ବିପଦଗ୍ରସ୍ତ କହି ସୀତା ଶୀଘ୍ର ଯିବାକୁ କହିବାରେ ଲକ୍ଷ୍ମଣ ଏହା ଆସୁରିକ ସ୍ବର ବୋଲି ଯେତେ କହିଲେ ବି ସୀତା ତାଙ୍କର ଉଦ୍ଦେଶ୍ୟ ମନ୍ଦ କହି ଭର୍ତ୍ସନା କରିଥିଲେ। ଲକ୍ଷ୍ମଣ ନିରୁପାୟ ହୋଇ ଶର ମୁନରେ ଆଶ୍ରମ ସାମ୍ନାରେ ତିନି ଗୋଟି ଗାର ଟାଣି ସୀତାଙ୍କୁ କୌଣସି ପରିସ୍ଥିତିରେ ତାକୁ ଅତିକ୍ରମ ନ କରିବାକୁ ଅନୁରୋଧ କରି ଜଙ୍ଗଲ ମଧ୍ୟକୁ ଗଲେ। ତା’ପରେ ରାବଣ ତପସ୍ବୀ ବେଶରେ ଆସି ଭିକ୍ଷା ମାଗିବା ଏବଂ ଲକ୍ଷ୍ମଣଙ୍କ ଅଙ୍କିତ ତିନି ଗାର ଅତିକ୍ରମ କରି ସୀତା ଭିକ୍ଷା ଦେବାବେଳେ ତାଙ୍କୁ ଅପହରଣ କରିବା ସମସ୍ତେ ଜାଣନ୍ତି। ସେବେଠାରୁ ଲକ୍ଷ୍ମଣରେଖା ଗୋଟିଏ ଆଭିଧାନିକ ଶବ୍ଦ ହୋଇଗଲା। ଏହାର ପ୍ରୟୋଗ ମଧ୍ୟ ବିଭିନ୍ନ ସ୍ଥାନ କାଳ ପାତ୍ର ଅନୁଯାୟୀ ଭିନ୍ନ ଭାବେ ଦେଖିବାକୁ ମିଳିଲେ ମଧ୍ୟ ଏହା ଗୋଷ୍ଠୀ, ସମ୍ପ୍ରଦାୟ ଓ ନାଗରିକଙ୍କ ପାଇଁ ଅନୁଶାସନର ଏକ ଫର୍ଦ୍ଦ, ଏଥିରେ ଦିରୁକ୍ତି ନାହିଁ। କେଉଁଠି ସାମାଜିକ ଚଳଣିରେ ଅଲିଖିତ ପରମ୍ପରାକୁ ଲକ୍ଷ୍ମଣରେଖା ଭାବରେ ବିବେଚିତ ହୁଏ। କେଉଁଠି ଜାତି, ସମ୍ପ୍ରଦାୟ ବା ଗୋଷ୍ଠୀ ପାଇଁ ଅଲଗା ଅଲଗା ସାମାଜିକ ବିଧିବିଧାନ ସେମାନଙ୍କ ପାଇଁ ଲକ୍ଷ୍ମଣରେଖା, ଯାହାର ଉଲ୍ଲଂଘନ ସମାଜ ବା ସମ୍ପ୍ରଦାୟ ସହଜରେ ଗ୍ରହଣ କରିପାରେ ନାହିଁ।
ସରକାରୀ କର୍ମଚାରୀଙ୍କ ପାଇଁ ସେବା ସଂହିତା ଓ ଆଚରଣ ସଂହିତାକୁ ଲକ୍ଷ୍ମଣରେଖା ଭାବରେ ବିବେଚିତ କରାଯାଏ । ଧାର୍ମିକ ବ୍ୟବସ୍ଥାରେ ମଧ୍ୟ କିଛି କଟକଣା ଲକ୍ଷ୍ମଣରେଖା ଭାବରେ ବିବେଚିତ ହୁଏ। ଦେଶର ସୀମା, ପଡ଼ୋଶୀ ଦେଶର ଲୋକଙ୍କ ପାଇଁ ଲକ୍ଷ୍ମଣରେଖା ଯାହା ବିନାନୁମତିରେ ଅଲଙ୍ଘନୀୟ। ଠିକ୍ ସେପରି ଦେଶବାସୀଙ୍କ ପାଇଁ ଲକ୍ଷ୍ମଣରେଖା ହେଉଛି ଦେଶର ସମ୍ବିଧାନ। ସମ୍ବିଧାନର ଅବମାନନା ବା ଉଲ୍ଲଂଘନକାରୀଙ୍କୁ ଦେଶଦ୍ରୋହୀ କୁହାଯାଏ। ସେଥିପାଇଁ ଏହା ସ୍ବୀକାର କରିବାକୁ ହେବ ଯେ ଲିଖିତ ବା ଅଲିଖିତ ହେଲେ ବି ପ୍ରତ୍ୟେକଙ୍କ ପାଇଁ ରହିଥିବା ସାମାଜିକ, ଧାର୍ମିକ, ଆଇନଗତ ବିଧି ବ୍ୟବସ୍ଥାର ସୀମା ପରିସୀମା ଲକ୍ଷ୍ମଣରେଖା ଭାବରେ ସ୍ବୀକୃତ। ଆମର ଗଣତାନ୍ତ୍ରିକ ରାଷ୍ଟ୍ରରେ ସର୍ବୋଚ୍ଚ ପଦବୀ ଅଳଙ୍କୃତ କରିଥିବା ବ୍ୟକ୍ତିବିଶେଷଙ୍କଠାରୁ ସାମ୍ବିଧାନିକ ପଦବୀରେ ଥିବା ସମସ୍ତ ବର୍ଗ ଓ ସବୁ ସ୍ତରରେ ଥିବା ନାଗରିକଙ୍କ ପାଇଁ ଲକ୍ଷ୍ମଣରେଖା ନିର୍ଣ୍ଣିତ ହୋଇଛି। ସେପରି ଧାର୍ମିକ ଗୁରୁଙ୍କ ପାଇଁ ମଧ୍ୟ ଲକ୍ଷ୍ମଣରେଖା ରହିଛି। ଉଦାହରଣ ସ୍ବରୂପ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ସାଗର ଅତିକ୍ରମ କରି ବିଦେଶ ନ ଯିବାକୁ ଅଲିଖିତ ଲକ୍ଷ୍ମଣରେଖା ରହିଛି। ଯେଉଁଠାରେ ବିଶ୍ୱାସ ଓ ସଦ୍ଭାବନା ଓ ଧାର୍ମିକ ଆଧାରରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଆଚରଣ ପାଇଁ କୌଣସି ସୀମା ପରିସୀମା ଲିଖିତ ହୋଇନାହିଁ ସେଠାରେ ଲକ୍ଷ୍ମଣରେଖା ଭାବରେ ସେମାନଙ୍କ ଉପରେ ନ୍ୟସ୍ତ କର୍ତ୍ତବ୍ୟ ଆଧାରରେ ବିବେକ ବା ଅନ୍ତରାତ୍ମାର ନିର୍ଦ୍ଦେଶ ବା ପରମ୍ପରା ହିଁ ଲକ୍ଷ୍ମଣରେଖା ବୋଲି ବିବେଚିତ ହୋଇଥାଏ।
ଗଣତାନ୍ତ୍ରିକ ରାଷ୍ଟ୍ରରେ ପ୍ରତ୍ୟେକେ ପାଇଥିବା ଅଧିକାର କେବେ ବି ଅପରିସୀମ, ଚିରସ୍ଥାୟୀ ବା ସ୍ବେଚ୍ଛାଚାର ହୋଇ ନ ପାରେ। କିନ୍ତୁ ଏବେ ସମାଜରେ ଲକ୍ଷ୍ମଣରେଖା ଉଲ୍ଲଂଘନ ସବୁଠାରେ ଦେଖିବାକୁ ମିଳୁଛି। କେହି ଅବଶ୍ୟ ଏଥିପାଇଁ ଆଇନ ପରିସରଭୁକ୍ତ ହେଉଛନ୍ତି ବା କେହି ସାମାଜିକ ସ୍ତରରେ ସାମୂହିକ ନିଷ୍ପତ୍ତିର ସାମ୍ନା କରୁଛନ୍ତି। କିନ୍ତୁ ଯେଉଁଠାରେ ଏ ସମ୍ପର୍କରେ କୌଣସି ଲିଖିତ ଦସ୍ତାବିଜ ନାହିଁ ସେଠାରେ ପରମ୍ପରାର ସ୍ବାଭିମାନ ବଜାୟ ରଖିବା ସମ୍ପୃକ୍ତ ବ୍ୟକ୍ତିମାନଙ୍କ ନୈତିକ କର୍ତ୍ତବ୍ୟ। କିନ୍ତୁ ଆମର ମାନସିକତା ଏତେ ଋଗ୍ଣ ତଥା ସ୍ବାର୍ଥାନ୍ବେଷୀ ଯେ ଆମେ ପାଇଥିବା ଦାୟିତ୍ୱ ବା ନ୍ୟସ୍ତ କର୍ତ୍ତବ୍ୟର ସୁଯୋଗରେ ନିଜକୁ ସର୍ବେସର୍ବା ଭାବିଥାଉ। ଏଥିପାଇଁ ଆମେ ସବୁକିଛି ଜଳାଞ୍ଜଳି ଦେଇ ସ୍ବାର୍ଥ ଓ ଆତ୍ମପ୍ରଚାରକୁ ଏତେ ମାତ୍ରାରେ ଗ୍ରହଣ କରୁ ଯେ ଏହା ଦ୍ବାରା ବ୍ୟକ୍ତି, ସମାଜ ବା ଧାର୍ମିକ ଭାବନା କିଭଳି ପ୍ରଭାବିତ ହେଉଛି ତା’ ପ୍ରତି ନଜର ଦେଇ ନ ଥାଉ। ଯାହାର ସଦ୍ୟ ଉଦାହରଣ ହେଉଛି ଶ୍ରୀଜଗନ୍ନାଥ ମନ୍ଦିରରେ ସେବା ପାଇଁ ନିୟୋଜିତ ଆଦ୍ୟଠାରୁ ପ୍ରାନ୍ତ କିଛି ସେବକଙ୍କର ଆଚରଣ। ସେମାନେ ଭୁଲି ଯାଉଛନ୍ତି ଯେ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦ୍ବାରା ନିଯୁକ୍ତ ଛତିଶା ନିଯୋଗ କେବଳ ଶ୍ରୀମନ୍ଦିର ଓ ଶ୍ରୀଜୀଉମାନଙ୍କ ସେବା ପାଇଁ ଉଦ୍ଦିଷ୍ଟ ଥିଲା। ଏହା ସତ୍ୟ ଏବଂ ଇତିହାସ ସିଦ୍ଧ ଯେ ଶ୍ରୀମନ୍ଦିର ପରିଚାଳନା ଯେ ପର୍ଯ୍ୟନ୍ତ ରାଜତନ୍ତ୍ର ଆଧାରିତ ଥିଲା ସେତେବେଳେ ରାଜଗୁରୁ ହାତରେ ସୁନାବେତ ଧରି ସେବାରେ ବିଶୃଙ୍ଖଳା ଅବହେଳା କରୁଥିବା ସେବକଙ୍କୁ ଆକଟ କରୁଥିଲେ। ସେତେବେଳେ ସେବକମାନଙ୍କର ନିତ୍ୟ ଚଳଣି ପାଇଁ କ୍ଷେୟୀ ଓ ବାର୍ଷିକ ଚଳଣି ପାଇଁ ଯାତ୍ରୀ ପରିଚର୍ଯ୍ୟା ବ୍ୟବସ୍ଥା ଥିଲା। ସମଗ୍ର ଦେଶର ବିଭିନ୍ନ ଅଞ୍ଚଳକୁ ସେବକଙ୍କ ମଧ୍ୟରେ ବିଭକ୍ତୀକରଣ ହୋଇଥିଲା। ସେ ଅଞ୍ଚଳର ଯାତ୍ରୀଙ୍କ ଦର୍ଶନ ଏବଂ ମହାପ୍ରସାଦ ସେବନ ସମ୍ପୃକ୍ତ କୌଳିକ ପଣ୍ଡାଙ୍କ ଦ୍ବାରା କରାଯାଉଥିଲା। ସେଥିପାଇଁ ଯାତ୍ରୀମାନେ କିଛି ଦକ୍ଷିଣା ଦେଉଥିଲେ। ଏଥିରେ ଆୟ ଯାହା ହେଉଥିଲେ ମଧ୍ୟ ସେମାନେ ନିଶ୍ଚିତ ଅତ୍ୟନ୍ତ ନିଷ୍ଠାର ସହ ଶ୍ରୀଜୀଉମାନଙ୍କ ସେବା କରୁଥିଲେ। ଦେଶ ସ୍ବାଧୀନ ହେବା ପରେ ଶ୍ରୀମନ୍ଦିର ପରିଚାଳନା ଭାର ସରକାର ହାତକୁ ନେଲେ। ତତ୍କାଳିକ ପରିସ୍ଥିତିରେ ସେବା ସମର୍ପିତ ସେବକମାନଙ୍କ ପାଇଁ କୌଣସି ଲକ୍ଷ୍ମଣରେଖା ନିର୍ଦ୍ଧାରଣ ବୋଧହୁଏ ଆବଶ୍ୟକ ନ ଥିଲା। କିନ୍ତୁ ସମୟକ୍ରମେ ପରିସ୍ଥିତିର ଅବକ୍ଷୟ ହୋଇଛି।
ଏବେ ସେବାକୁ ସମର୍ପଣ ବଦଳରେ କ୍ଷମତା ଓ ଧନର ମୋହ ଏପରି କବଳିତ କରିଛି ଯେ ଧାମର ମହାତ୍ମ୍ୟ ଅପହୃତ ହେଉଛି। ଶ୍ରୀଜଗନ୍ନାଥ ଆଦିଙ୍କ ବିଗ୍ରହ ନିର୍ମାଣର ଧାର୍ମିକ ବିଧି ମଧ୍ୟ ଗୌଣ କରାଯାଉଛି। ଯଦି ଜଣେ ସରକାରୀ କର୍ମଚାରୀ ଅନ୍ୟତ୍ର ବା କୌଣସି ଅର୍ଥକରୀ ବ୍ୟବସାୟିକ କର୍ମର଼େ ନିୟୋଜିତ ହୋଇପାରିବେ ନାହିଁ ତେବେ ରାଜନୈତିକ ପୃଷ୍ଠପୋଷକତାରେ ପଦବୀପ୍ରାପ୍ତ ହେବା ବା ଅର୍ଥକରୀ ବ୍ୟବସାୟରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଯୋଗୁ ସେବା ସମର୍ପଣକୁ ଗୌଣ କରାଯାଉନାହିଁ କି? ସେଥିପାଇଁ ପରିବର୍ତ୍ତିତ ସମୟକୁ ଦୃଷ୍ଟି ଦେଇ ନିର୍ଦ୍ଦିଷ୍ଟ ଲକ୍ଷ୍ମଣରେଖା ନିର୍ଣ୍ଣୟ ଜରୁରୀ ମନେହୁଏ। ଏହି ଲକ୍ଷ୍ମଣରେଖା ନିର୍ଣ୍ଣୟକୁ ନିଶ୍ଚିତ ସଂଖ୍ୟାଧିକ ସେବକଙ୍କ ସମ୍ମତି ମିଳିବ, କାରଣ ଏବେ ନିଷ୍ଠା ଓ ସମର୍ପଣ ଭାବନା ଅନେକ ସେବକଙ୍କ ସ୍ବାଭିମାନ ହୋଇ ରହିଛି। ପ୍ରଶାସନର ବିନା ଅନୁମୋଦନରେ ସେବା ଓ ଶ୍ରୀମନ୍ଦିର ସମ୍ପର୍କିତ ତଥ୍ୟ ଗଣମାଧ୍ୟମରେ ପ୍ରକାଶ କରିବା ସେବା ବିରୋଧୀ ବୋଲି ବିବେଚିତ ହେବା ଜରୁରୀ। ‘ସେବା ସମର୍ପିତ’ ଓ ‘ସେବା ଅଧିକାର’ ମଧ୍ୟରେ ଅନେକ ତଫାତ ରହିଛି। କିନ୍ତୁ ସ୍ବାର୍ଥ ପାଇଁ ସମର୍ପଣକୁ ଜଳାଞ୍ଜଳି ଦେଇ ଅଧିକାରକୁ ଗୁରୁତ୍ୱ ଦେବାର ନଜିର ରହିଛି। ଶ୍ରୀମନ୍ଦିର ପରିଚାଳନାରେ ସ୍ବଚ୍ଛତା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ କିଛି ନିର୍ଦ୍ଦେଶ ଦେଇଥିଲେ। ତନ୍ମଧ୍ୟରୁ ବଂଶାନୁକ୍ରମିକ ସେବା ଉଚ୍ଛେଦ ଅନ୍ୟତମ ଥିଲା। ଆଶ୍ଚର୍ଯ୍ୟର କଥା ଯେ ପରିଚାଳନା କମିଟିର ଯେଉଁମାନେ ଏହାକୁ ତର୍ଜମା କରିଥିଲେ ପ୍ରାୟ ସମସ୍ତେ ବଂଶାନୁକ୍ରମିକ ସେବକ ଥିଲେ। ତେଣୁ ତାହା ବଜାୟ ରଖି ସଂଖ୍ୟା ହ୍ରାସ ପାଇଁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ଏହା ମାତ୍ର ଗୋଟିଏ ଉଦାହରଣ। ଏବେ ଶ୍ରୀମନ୍ଦିର ପରିଚାଳନାରେ ସଂସ୍କାର ଜରୁରୀ ମନେହେଉଛି। ତାହାକୁ ରାଜନୀତିରୁ ଊର୍ଦ୍ଧ୍ୱରେ ରଖି ଏବଂ ଧାର୍ମିକ ଭାବନା ଆଧାରରେ ସେବା ସମର୍ପଣ ପାଇଁ ନିର୍ଦ୍ଦିଷ୍ଟ ଆଚରଣ ସଂହିତା ପ୍ରଣୟନ ହେଉ। ସେଇ ଲକ୍ଷ୍ମଣରେଖା ନିର୍ଦ୍ଧାରଣ ନ ହେଲେ ଦିନ ଆସିବ ଶ୍ରୀମନ୍ଦିର ପରିଚାଳନା ନିୟନ୍ତ୍ରଣ ବାହାରକୁ ଚାଲିଯିବ ଓ ଭବିଷ୍ୟତ ନିଶ୍ଚିତ ସରକାରଙ୍କ ଅପାରଗତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବ।
ହରିଶଙ୍କର ମିଶ୍ର
୧୧୩-ଗୁଣ୍ଡିଚା ବିହାର, ପୁରୀ
ମୋ: ୭୯୭୮୭୮୫୪୭୮


