ବରଗଡ଼,୭।୮(ପ୍ରେମାନନ୍ଦ ଖମାର):ବରଗଡ଼ କୋର୍ଟ ସମ୍ମୁଖରେ ଗୁରୁବାର ଜିଲା ଓକିଲ ସଂଘ ସଭାପତି ଭୀଷ୍ମଦେବ ସରାଫଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ ବରଗଡ଼ ଟାଉନ ଥାନା ପୋଲିସ ଏହି ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ବରଗଡ଼ ଏସ୍ପି ରବୀନ୍ଦ୍ରନାଥ ଶତପଥୀ ଡାକ୍ତରଖାନାକୁ ଯାଇ ସରାଫଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।
ସୂଚନା ଅନୁଯାୟୀ, ଅପରାହ୍ନରେ ଓକିଲ ସଂଘ ସଭାପତି ସରାଫ ନିଜ କାର୍ ଯୋଗେ କୋର୍ଟକୁ ଆସୁଥିଲେ। ସେହି ସମୟରେ କୋର୍ଟ ସମ୍ମୁଖ ରାସ୍ତା ଉପରେ ୩ ବାଇକ୍ ଆରୋହୀ ପଡ଼ିଯିବାରୁ ସରାଫ କାର୍ରୁ ଓହ୍ଲାଇ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଘଟଣାସ୍ଥଳକୁ ଯାଇଥିଲେ। କିନ୍ତୁ ସେହି ୩ ଆରୋହୀ ବାଇକ୍ ଡିକିରୁ ମଦ ବୋତଲ ବାହାର କରି ସରାଫଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। କୋର୍ଟ ପରିସରରେ ରହିଥିବା ଅନ୍ୟ ଓକିଲମାନେ ସେଠାକୁ ପହଞ୍ଚତ୍ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ। ଏହି ଘଟଣାକୁ ନେଇ ଓକିଲ ସଂଘ ଉଦ୍ବେଗ ପ୍ରକାଶ କରିଛି।
Dharitri – Odisha’s No.1 Odia Daily

