ଭୁବନେଶ୍ବର, ୨୪।୫(ସୁନିତ୍ ମିଶ୍ର): ଶନିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଆଲୋଚନାକରିବା ପରେ ରାତିରେ ଆଇପିଏସ୍ ଅଫିସର ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ୧୦ ପୋଲିସ ଜିଲାର ଆଇପିଏସ୍ ଅଫିସରଙ୍କୁ ବଦଳି ସହ ୪ଜଣ ଓପିଏସ୍ଙ୍କୁ ବଦଳି କରାଯାଇଥିବା ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ବିଜ୍ଞପ୍ତି ଅନୁଯାୟୀ, ନବରଙ୍ଗପୁର ଏସ୍ପି ତଥା ୨୦୧୨ ବ୍ୟାଚ୍ ଆଇପିଏସ୍ ଅଫିସର ମଡକର ସନ୍ଦୀପ ସମ୍ପଦଙ୍କୁ କ୍ରାଇମବ୍ରାଞ୍ଚର ଡିଆଇଜି ଭାବରେ ନିଯୁକ୍ତି ମିଳିଛି। ୨୦୧୩ ବ୍ୟାଚ୍ ଆଇପିଏସ୍ ଅଫିସର ତଥା କ୍ରାଇମବ୍ରାଞ୍ଚ ଏସ୍ପିି ଥିବା ପରମାର ସ୍ମିତ୍ ପରଷୋତ୍ତମଦାସଙ୍କୁ ନୟାଗଡ଼ ଏସ୍ପି ଭାବରେ ନିଯୁକ୍ତି ମିଳିଛି। ଖୋର୍ଦ୍ଧା ଏସ୍ପି ଥିବା ୨୦୧୪ ବ୍ୟାଚ୍ ଆଇପିଏସ୍ ବିବେକାନନ୍ଦ ଶର୍ମାଙ୍କୁ କ୍ରାଇମବ୍ରାଞ୍ଚ ଏସ୍ପି ଭାବରେ ନିଯୁକ୍ତି ଦିଆଯାଇଛି। ସେହିପରି ରାୟଗଡ଼ା ଏସ୍ପି ଥିବା ୨୦୧୭ ବ୍ୟାଚ୍ ଅଫିସର୍ ସ୍ବାଥୀ ଏସ୍ କୁମାରଙ୍କୁ ଏସ୍ଟିଏଫ୍ର ଏସ୍ପି ଭାବରେ ନିଯୁକ୍ତି ମିଳିଛି। ବରଗଡ଼ ଏସ୍ପି ଥିବା ପ୍ରହ୍ଲାଦ ସହାୟ ମୀନାଙ୍କୁ ଗଜପତି ଏସ୍ପି ଭାବେ ନିଯୁକ୍ତି ଦିଆଯାଇଛି। ନୟାଗଡ଼ ଏସ୍ପି ଥିବା ଏସ୍. ସୁଶ୍ରୀଙ୍କୁ ଭିଜିଲାନ୍ସ ଏସ୍ପି ଭାବେ ନିଯୁକ୍ତି ମିଳିଛି। ସ୍ପେଶାଲ ବ୍ରାଞ୍ଚ ଏସ୍ପି ଥିବା ରାଜପ୍ରସାଦଙ୍କୁ ରାୟଗଡ଼ା ଏସ୍ପି ଭାବେ ଦାୟିତ୍ୱ ଦିଆଯାଇଛି। ଗଞ୍ଜାମ ଏସ୍ପି ଥିବା ଶୁଭେନ୍ଦୁ କୁମାର ପାତ୍ରଙ୍କୁ ଖୋର୍ଦ୍ଧା ଏସ୍ପି ଭାବେ ଦାୟିତ୍ୱ ମିଳିଛି।
ସେହିପରି ବୌଦ୍ଧ ଏସ୍ପି ଥିବା ରାହୁଲ ଗୋୟଲଙ୍କୁ ସ୍ପେଶାଲ ବ୍ରାଞ୍ଚ ଏସ୍ପି ଭାବେ ନିଯୁକ୍ତି ଦିଆଯାଇଛି। କନ୍ଧମାଳ ଏସ୍ପିି ଥିବା ହରିଶ ବି.ସି.ଙ୍କୁ ଗଞ୍ଜାମ ଏସ୍ପିି ଭାବେ ଦାୟିତ୍ୱ ଦିଆଯାଇଛି। ଭଦ୍ରକ ଅତିରିକ୍ତ ଏସ୍ପିି ଥିବା କାଶ୍ୟପ ପାର୍ଥ ଜଗଦୀଶଙ୍କୁ ନବରଙ୍ଗପୁର ଏସ୍ପି ଦାୟିତ୍ୱ ମିଳିଛି। ରାଜ୍ୟପାଳଙ୍କ ଏଡିସି ଥିବା କୁଳଦୀପ ମୀନାଙ୍କୁ ବୌଦ୍ଧ ଏସ୍ପି ଦାୟିତ୍ୱ ମିଳିଥିବା ବେଳେ ରାୟଗଡ଼ାର ଅତିରିକ୍ତ ଏସ୍ପି ରମେନ୍ଦ୍ର ପ୍ରସାଦଙ୍କୁ କନ୍ଧମାଳ ଏସ୍ପି ଭାବେ ଅବସ୍ଥାପିତ କରାଯାଇଛି। କଟକ ୟୁପିଡି ଏସ୍ପି ଅନନ୍ୟା ଅଶ୍ୱସ୍ତୀଙ୍କୁ ରାଜ୍ୟପାଳଙ୍କ ଏଡିସି କରାଯାଇଛି। କ୍ରାଇମ୍ବ୍ରାଞ୍ଚ ସିଆଇଡି ଏସ୍ପି ଥିବା କୃଷ୍ଣପ୍ରସାଦ ପଟ୍ଟନାୟକଙ୍କୁ ଏସ୍ପି ସିଗ୍ନାଲ୍ସ ଦାୟିତ୍ୱ ମିଳିଛି। ଏସ୍ଟିଏଫ୍ ଏସ୍ପି ରବୀନ୍ଦ୍ରନାଥ ଶତପଥୀଙ୍କୁ ବରଗଡ଼ ଏସ୍ପି, ସ୍ପେଶାଲ ବ୍ରାଞ୍ଚ ଏସ୍ପିି ଥିବା କୃଷ୍ଣପ୍ରସାଦ ଦାସଙ୍କୁ ଏସ୍ଆର୍ପି, ରାଉରକେଲା ଏସ୍ପି ଭାବେ ଦାୟିତ୍ୱ ମିଳିଛି। ସେହିପରି ଟୁଇନ୍ସିଟି ଡିସିପି ଥିବା କିଶୋର ଚନ୍ଦ୍ର ମୁଣ୍ଡଙ୍କୁ ଦେବଗଡ଼ ଏସ୍ପି ଭାବେ ନିଯୁକ୍ତି ଦିଆଯାଇଛି।