ହସ ଥେରାପି

ଜଣେ ଧନୀ ଏବଂ ପ୍ରତିଷ୍ଠିତ ବ୍ୟକ୍ତି ମାନସିକ ବିଷାଦରୁ ମୁକ୍ତି ପାଇବା ପାଇଁ ମନୋବିଶେଷଜ୍ଞଙ୍କ ସହିତ ଦେଖା କରିବାକୁ ଆବଶ୍ୟକ ମଣିଲେ। ବିଶେଷଜ୍ଞଙ୍କ ସହିତ କିଛି ସମୟର କଥୋପକଥନ ପରେ ସେ ବ୍ୟକ୍ତିଙ୍କୁ କହିଲେ ଯେ ତାଙ୍କର କିଛି ବି ହୋଇନି, ସେ ସମ୍ପୂର୍ଣ୍ଣ ସୁସ୍ଥ। ବ୍ୟସ୍ତବିବ୍ରତ ହୋଇ ବ୍ୟକ୍ତି ଜଣକ ଡାକ୍ତରଙ୍କ ପାଖରେ ନେହୁରା ହେଲେ କିଛି ଔଷଧ ଲେଖିଦେବା ପାଇଁ, ଯାହାକୁ ସେବନ କଲେ ସେ ମାନସିକ ବିଷାଦରୁ ମୁକ୍ତି ପାଇପାରିବେ। ଗତ କିଛିଦିନ ହେଲା ସେ ଭଲରେ ଶୋଇ ମଧ୍ୟ ପାରୁନାହାନ୍ତି, ଏହା ଥିଲା ତାଙ୍କର ଅଭିଯୋଗ। ଡାକ୍ତର ମହାଶୟ ସ୍ମିତ ହସଟିଏ ହସି ରାଇଟିଂ ପ୍ୟାଡ୍‌ରୁ କାଗଜଟିଏ ବାହାରକରି ଔଷଧ ନାଁ ଲେଖି ଭଦ୍ରବ୍ୟକ୍ତିଙ୍କ ଆଡକୁ ବଢ଼େଇଦେଲେ। କାଗଜ ଖଣ୍ଡକରେ ଲେଖାଥିବା ଔଷଧର ନାଁ ପଢ଼ି ବ୍ୟକ୍ତି ଖୁସି କ’ଣ ହେବେ ଆଶ୍ଚର୍ଯ୍ୟ ହେଲେ। କାଗଜରେ ଲେଖାଥିଲା, ‘ଯେତେ ଅଧିକ ପାରୁଛ ହସ’ l
‘ହସ’ ୟାକୁ ମୁଖମଣ୍ଡଳରେ ଧରି ରଖିବା ପାଇଁ ଟଙ୍କା ଗୋଟାକର ଆବଶ୍ୟକତା ହୁଏ ନାହିଁ, ହେଲେ କାହାକୁ ଦେଖି ମୁହଁରେ ହସଟିଏ ଫୁଟେଇବା ପାଇଁ ଆଜିକାଲି ସମସ୍ତେ ଭାରି କାମ୍ପି।ହସ ଏମିତି ଗୋଟିଏ ଔଷଧ ଯାହା ରାଗ, ଅଭିମାନ, ଅସନ୍ତୋଷ ଭଳି ବଡ଼ ବଡ଼ ରୋଗକୁ ସହଜରେ ଦୂର କରିବାର କ୍ଷମତା ରଖେ। ସେଥିପାଇଁ ତ ବିଖ୍ୟାତ ଲେଖକ ମାର୍କ ଟେୱନ କହିଛନ୍ତି, ‘ମାନବ ଜାତି ପାଖରେ ଗୋଟିଏ ବହୁ ପ୍ରଭାବୀ ଅସ୍ତ୍ର ରହିଛି ଏବଂ ତାହା ହଉଛି ହସ l’ କିନ୍ତୁ ବିନା ମୂଲ୍ୟର ଏହି ଔଷଧର ପ୍ରୟୋଗ ସମସ୍ତଙ୍କ କ୍ଷମତା ଭିତରର କଥା ନୁହେଁ!
ହସକୁ ମୁହଁରେ ଫୁଟେଇବା ପାଇଁ ଉଦାର ମନ ସହ ଧୈର୍ଯ୍ୟ ଓ କ୍ଷମା ଭଳି ଦୁଇଟି ବିଶେଷ ଗୁଣର ଅଧିକାରୀ ହେବା ବ୍ୟକ୍ତି ପାଇଁ ନିହାତି ଆବଶ୍ୟକ।
ହସିବା ଦ୍ୱାରା ନିଜ ମନର ଦୁଃଖ ଦୂର ହେବା ସହିତ ଆପଣଙ୍କ ସହିତ ମିଶୁଥିବା ବ୍ୟକ୍ତି ଉପରେ ଏହାର ସକାରାତ୍ମକ ପ୍ରଭାବ ପଡ଼େ। କହିବାକୁ ଗଲେ ଉଭୟ ମାନସିକ ଏବଂ ଶାରୀରିକ ଅସୁସ୍ଥତାକୁ ଦୂର କରିବା ପାଇଁ ଏହା ସବୁଠାରୁ ଶସ୍ତା, ସହଜ ଓ ସୁଲଭ ଔଷଧ। ଥରେ ମନେପକାନ୍ତୁନା, ଆମେ ପିଲାବେଳେ କେତେ ହସୁଥିଲେ! ମାତ୍ର ଏବେ, ଆମେ ସବୁ ଯେମିତି ହସିବା ଭୁଲି ଯାଇଛେ।ବୋଧହୁଏ ସେଇଟା ଆମର ଜଟିଳ ଏବଂ ସମସ୍ୟାବହୁଳ ଜୀବନ ବଞ୍ଚିବାର ମୁଖ୍ୟ କାରଣ। ପରସ୍ପର ମଧ୍ୟରେ ସୁନ୍ଦର ସମ୍ପର୍କ ଗଢି ତୋଳିବା ସକାଶେ ହସର ଗୁରୁତ୍ୱ କିଛି କମ୍‌ ନୁହେଁ l
ଅନୁଶୀଳନ କରାଯାଇଛି ଯେ, ଦିନକୁ ୧୦ – ୧୫ ମିନିଟ୍‌ ହସିବା ଦ୍ୱାରା ଶରୀରର ପ୍ରାୟ ୪o କ୍ୟାଲୋରି ହ୍ରାସ ପାଇଥାଏ। ଯାହା ଶରୀରର ଓଜନ କମେଇବା ସହିତ ଦୀର୍ଘଜୀବନ ପାଇଁ ମଧ୍ୟ ପଥ ଉନ୍ମୋଚନ କରେ। ହସିବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ପ୍ରକ୍ରିୟା ଉନ୍ନତ ହୁଏ, ଏଣୁ ହୃଦୟଜନିତ ରୋଗ ଏବଂ ଆକସ୍ମିକ ହୃଦ୍‌ଘାତରୁ ମଧ୍ୟ ରକ୍ଷା ମିଳିଥାଏ। ଆବେଗାତ୍ମକ ଓ ମାନସିକ ସୁସ୍ଥତା ଦୃଷ୍ଟିକୋଣରୁ ମଧ୍ୟ ହସ ମାନବ ଶରୀରକୁ ପ୍ରଭାବିତ କରେ। ଏହା ବ୍ୟତୀତ ହସ ମୃତକୋଷକୁ ଜୀବନ୍ତ କରି ନୂତନକୋଷ ଉତ୍ପନ୍ନ କରିବାରେ ସହାୟକ ହୁଏ। ସୁସ୍ଥ ବ୍ୟକ୍ତିଟିଏ ଦିନକୁ ୪oo ଥର ହସୁଥିବା ବେଳେ ଅସୁସ୍ଥ ବ୍ୟକ୍ତି ହସେ ମାତ୍ର ୧୫ ଥର।
କେବଳ ଯେ ଥଟ୍ଟାମଜା କଲେ ଏବଂ କୌତୁକିଆ କଥା କହିଲେ ହିଁ ଯେ ହସିହେବ, ତା ନୁହେଁ।ନିଜକୁ ଖୁସି ଏବଂ ଆତ୍ମତୃପ୍ତି ଦେଉଥିବା କୌଣସି କାମ କଲେ ମୁହଁରେ ସ୍ବତଃ ଧାରେ ହସ ଖେଳିଯିବ। ମଣିଷ ସୃଷ୍ଟିର ଏକମାତ୍ର ପ୍ରାଣୀ ଯେ ହସିପାରେ। ହସ ଶତ୍ରୁକୁ ମଧ୍ୟ ଆପଣାର କରିଦିଏ। ଏ ସନ୍ଦର୍ଭରେ ପ୍ରସିଦ୍ଧ ହାସ୍ୟ ଅଭିନେତା ଚାର୍ଲି ଚାପଲିନଙ୍କ ଉକ୍ତିଟିଏ ମନେପଡ଼ିଯାଏ- ‘ସେହିଦିନଟି ମୋର ମୂଲ୍ୟହୀନ ଯେଉଁଦିନ ମୁଁ ହସିନାହିଁ l’ ତେବେ ଚିନ୍ତା କରନ୍ତୁ, ଆମେ ବଞ୍ଚୁଥିବା ଜୀବନକାଳରେ କେତୋଟି ଦିନକୁ ଆମେ ମୂଲ୍ୟହୀନ କରିସାରିଛେ। କିନ୍ତୁ ଏବେ ବି ଡେରି ହୋଇନାହିଁ, ବଞ୍ଚିଥିବା ବାକି ଦିନତକ ଆମେ ମୂଲ୍ୟବାନ୍‌ କରିପାରିବା। ଆସନ୍ତୁ, ପ୍ରତିଦିନ ଖୋଲା ହସ ହସି ନିଜ ସହ ଅନ୍ୟମାନଙ୍କୁ ମଧ୍ୟ ଆନନ୍ଦିତ ହେବାର ସୁଯୋଗ ଦେବା।
ପୁଣି ପ୍ରଶ୍ନ ଉଠେ କ’ଣସବୁ କଲେ ମନକୁ ହସ ଆସିବ! ଏମିତି ବି ହୁଏ ବେଳେବେଳେ ହସିବାକୁ ଇଚ୍ଛା କରି ଆମେ ଆଦୌ ହସିପାରୁନା।ତା’ ପାଇଁ ପ୍ରଥମେ ନିଜ ଅନ୍ତରରେ ଥିବା ନକାରାତ୍ମକ ଚିନ୍ତାଗୁଡିକୁ ଭୁଲେଇଦେବାକୁ ହେବ। ତା’ ପାଇଁ ଆମେ ଜୀବନର ଭଲ ମୁହୂର୍ତ୍ତଗୁଡିକୁ ମନେପକେଇବା, ଭଲ ସାଙ୍ଗମାନଙ୍କ ସହିତ ସମୟ ବିତେଇବା, ଖୁସି ଓ ମଜା ଦେଉଥିବା କାର୍ଯ୍ୟ କରିବା। ନିଜ ଭିତରେ ଲୁଚି ରହିଥିବା ଛୋଟ ପିଲାଟିକୁ ଯଦି ପୁଣିଥରେ ଖୋଜି ଅଣାଯାଏ, ତା’ ହେଲେ ହସିବା ଆହୁରି ସହଜ ହୋଇଯିବ। ଦେଖାଯାଏ ଯେ ଆଖିରେ ଲୁହ ଖୁବ୍‌ଶୀଘ୍ର (ବେଳେ ବେଳେ ବିନା କାରଣରେ) ଜକେଇ ଆସୁଥିବା ବେଳେ ହସ ଚେଷ୍ଟା କରି ମଧ୍ୟ ଆସେ ନାହିଁ। ଏଥିରୁ ପ୍ରମାଣିତ ହୁଏ ଯେ ହସିବା ଓ ହସେଇବା ଗୋଟିଏ ଖୁବ୍‌ ସହଜ କଥା ନୁହେଁ। ବିଶିଷ୍ଟ ଆମେରିକାନ ଲେଖକ କର୍ଟ ଭୋନଗଟ କୁହନ୍ତି,‘ହସ ଓ ଲୁହ; ଉଭୟ ହିଁ ନିରାଶା ଓ ଥକ୍କାପଣର ପ୍ରତିକ୍ରିୟା, ମାତ୍ର ମୁଁ ହସିବାକୁ ପସନ୍ଦ କରେ କାରଣ ତା’ ପରେ ଚେହେରାକୁ ସଫା କରିବାର ଆବଶ୍ୟକତା ରହେ ନାହିଁ l’ କହିବାର ଅର୍ଥ କୌଣସି ପରିସ୍ଥିତିର ପ୍ରତିକ୍ରିୟା ସ୍ବରୂପ ଲୁହ ଧାରେ ବାହାରିବା ଅପେକ୍ଷା ହସଟିଏ ବାହାରିଲେ ସମସ୍ତଙ୍କ ପାଇଁ ଭଲ ଏବଂ ତାରି ଭିତରେ ନିଜକୁ ବୋଧ ଦେବା, ସଜା ନେବା, ସୁଧାରି ନେଇ ପୁଣିଥରେ ପ୍ରସ୍ତୁତ ରହିବା କଳାଟି ଆୟତ୍ତ କରିନେବା ଉଚିତ।
ପାଠକ ବନ୍ଧୁ, ହସ ବିଷୟରେ ଏତେସବୁ ଜାଣିବା ପରେ ବି ଯଦି ହସିବା ସମ୍ଭବ ହେଉନାହିଁ, ତା’ହେଲେ ଯୋଗାଭ୍ୟାସ ଓ ହସ କ୍ଲବରେ ଯୋଗଦେଇ ହସିବା ଶିଖିବାକୁ ହେବ। ବିଶ୍ୱାସ କରନ୍ତୁ ଥରେ ଏହି ‘ହସ ଥେରାପି’ କାମ କରିବା ଆରମ୍ଭ କଲେ ଆଉ କୌଣସି ପ୍ରକାର ଔଷଧର ବିଶେଷ ପ୍ରୟୋଜନ ରହିବ ନାହିଁ। ଜୀବନରେ ନିତି ଆସୁଥିବା ଦୁଃଖ, ସମସ୍ୟା ଓ ଜଟିଳତା ସବୁକୁ ଚୁଟକିରେ ଦୂର କରିଦେଇପାରିବ ଏହି ‘ହସ ଥେରାପି’!!
ମୋ: ୬୩୭୦୫୧୬୪୭୮


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri