ଦାହ ବେଳେ ହସୁଛନ୍ତି

ଏପ୍ରିଲ ୨୦୨୨ରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ରାଜସ୍ବ ସଂଗ୍ରହ ୧ ଲକ୍ଷ ୬୮ ହଜାର କୋଟି ଟଙ୍କା ଅତିକ୍ରମ କରିଛି। ବିଗତ ୧୦ ମାସ ହେବ ଜିଏସ୍‌ଟି ସଂଗ୍ରହ ୧ ଲକ୍ଷ କୋଟି ଟଙ୍କା ଉପରେ ରହିଥିବାରୁ ତାହା ଭାରତର ରାଜସ୍ବ ଅଭିବୃଦ୍ଧିରେ ସହାୟକ ହୋଇଛି। ଅନ୍ୟପକ୍ଷରେ ବିଭିନ୍ନ ପ୍ରକାର ସାମଗ୍ରୀର ଦର ଆକାଶଛୁଆଁ ହୋଇଥିବାରୁ ରିଟେଲ୍‌ ଇନ୍‌ଫ୍ଲେଶନ ବା ଖୁଚୁରା ମୁଦ୍ରାସ୍ଫୀତି ବହୁତ ବୃଦ୍ଧି ପାଇଛି। ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଦ୍ୱାରା ଖୁଚୁରା ମୁଦ୍ରାସ୍ଫୀତି ଆକଳନ କରାଯାଇଥାଏ। ମାର୍ଚ୍ଚରେ ଏହା ୬.୯୫ ପ୍ରତିଶତ ରହିଥିଲା। ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପୂର୍ବରୁ ଖୁଚୁରା ମୁଦ୍ରାସ୍ଫୀତି ସୀମା ୬ ପ୍ରତିଶତ ସ୍ଥିର କରିଥିବା ବେଳେ ଏହା ତାହାକୁ ଯଥେଷ୍ଟ ଅତିକ୍ରମ କରିଯାଇଥିବାରୁ ଖାଦ୍ୟଶସ୍ୟ ଓ ଅନ୍ୟାନ୍ୟ ଦ୍ରବ୍ୟର ମୂଲ୍ୟ ବହୁ ପରିମାଣରେ ବଢ଼ିଯାଇଥିବା ସୂଚାଇ ଦେଉଛି। ଏଭଳି ସ୍ଥଳେ କିଭଳି ପଦକ୍ଷେପ ନିଆଗଲେ ଅର୍ଥନୀତି ଉପରେ ସକାରାତ୍ମକ ପ୍ରଭାବ ପଡ଼ିବ ଓ ଜନସାଧାରଣଙ୍କ ଆର୍ଥିକ ଦିଗକୁ ସୁସଂହତ କରାଯାଇପାରିବ ତାହା ସରକାର ଚିନ୍ତା କରିବା ଦରକାର। କେତେକେ ଯୁକ୍ତି ବାଢ଼ିପାରନ୍ତି, କଠୋର ତଥା ବାସ୍ତବ ଅର୍ଥନୈତିକ ପଦକ୍ଷେପ ଦେଶର ଅର୍ଥନୀତିକୁ ସ୍ଥିର ସ୍ତରରେ ରଖିବାରେ ସହାୟକ ହେବ। ତେଣୁ ସରକାର ଟିକସ ପରିମାଣ ହ୍ରାସ ନ କରି ଅନ୍ୟାନ୍ୟ ଅର୍ଥନୈତିକ ପଦକ୍ଷେପ ନିଅନ୍ତୁ। କିନ୍ତୁ ସେହି ଅନ୍ୟାନ୍ୟ ପଦକ୍ଷେପ କ’ଣ ହେବା ଦରକାର ତାହା ଉପରେ ସ୍ପଷ୍ଟ ଭାବେ କେହି କହିପାରୁନାହାନ୍ତି।
ଏପ୍ରିଲ୍‌ ୨୭ରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସ ଯୋଗେ ଆଲୋଚନା କଲାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ଯେଉଁ ରାଜ୍ୟଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ୍‌ କମାଇ ନ ଥିଲେ ତୁରନ୍ତ ଟିକସ ହ୍ରାସ କରନ୍ତୁ। କୋଅପରେଟିଭ୍‌ ଫେଡେରାଲିଜମ୍‌ ବା ସହଯୋଗୀ ସଂଘୀୟବାଦରେ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ମିଳିତ ପ୍ରୟାସ କରିବା ଦରକାର ବୋଲି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ। ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବ ଗ୍ରହଣୀୟ ହେଉନାହିଁ। ପ୍ରଥମେ ଏହି ସମ୍ମିଳନୀର ମୁଖ୍ୟ ବିଷୟ ଥିଲା କୋଭିଡ୍‌ ସଂକ୍ରାନ୍ତ ଆଲୋଚନା। ତାହା ଯାଇ ପଡ଼ିଲା ତେଲ ଦର ତାତିରେ। ଉଲ୍ଲେଖଯୋଗ୍ୟ ଯେ, ଅଧିକାଂଶ ଅଣଭାଜପା ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରିବା ସହିତ କେନ୍ଦ୍ର ତା’ର ଟିକସ ପରିମାଣ ହ୍ରାସ କରୁ ବୋଲି ଦାବି କରିଥିଲେ। ସ୍ବାଭାବିକ ଭାବେ ଭାଜପା ମୁଖ୍ୟମନ୍ତ୍ରୀମାନେ ଏହି ବିଷୟରେ ନୀରବ ରହିଥିଲେ, କାରଣ ମୋଦିଙ୍କ ମନ୍ତବ୍ୟକୁ ବିରୋଧ କରି ଭାଜପା ଭିତରେ ତିଷ୍ଠି ରହିବା ସେମାନଙ୍କ ପାଇଁ ସମ୍ଭବପର ହେବ ନାହିଁ। ଅଣଭାଜପା ରାଜ୍ୟଗୁଡ଼ିକ ମଧ୍ୟରୁ ଓଡ଼ିଶା ଅନ୍ୟତମ। ବିଧାନସଭାର ଗତ କେତୋଟି ଅଧିବେଶନରେ ବିଜୁ ଜନତା ଦଳର ସଦସ୍ୟମାନେ ଜିଏସ୍‌ଟି ପ୍ରାପ୍ୟ ରାଜ୍ୟକୁ ମିଳୁନାହିଁ ବୋଲି ଭାଷଣ ଦେଇ ଭାଜପା ସଦସ୍ୟମାନଙ୍କୁ ନୀରବ କରାଇଦେଇପାରୁଛନ୍ତି। ଯଦି ଏହି ଆକ୍ଷେପମୂଳକ ଭାଷଣଗୁଡ଼ିକ ଅସତ୍ୟ ଉପରେ ଆଧାରିତ ହୋଇଥାଆନ୍ତା, ତେବେ ଭାଜପା ବିଧାୟକମାନେ ତତ୍‌କ୍ଷଣାତ୍‌ ଚିତ୍କାର କରିଥାଆନ୍ତେ। ଓଡ଼ିଶାବାସୀ ସେଭଳି ପ୍ରତିକ୍ରିୟା ଦେଖିବାରୁ ବଞ୍ଚତ୍ତ ହୋଇଛନ୍ତି। କିନ୍ତୁ କେବଳ ରାଜନୈତିକ ହିସାବନିକାସ ଯୋଗୁ ଓଡ଼ିଶା ତାହାର ବାସ୍ତବ ଦାବିକୁ କେନ୍ଦ୍ର ଆଗରେ ରଖିବାକୁ ଚାହୁଁନାହିଁ। ଏହାର ଅର୍ଥ ନୁହେଁ ଓଡ଼ିଶା ପ୍ରବଳ ମାତ୍ରାରେ କ୍ଷତିଗ୍ରସ୍ତ ହେଉନାହିଁ।
ପେଟ୍ରୋଲିୟମ୍‌ଜାତ ପଦାର୍ଥ ଉପରୁ ଆଦାୟ କରାଯାଉଥିବା ଟିକସରୁ ରାଜ୍ୟଗୁଡ଼ିକ ତୁଳନାରେ ବହୁ ପରିମାଣର ଅଧିକ ଅଂଶ କେନ୍ଦ୍ରକୁ ଯାଉଛି। ସେଥିପାଇଁ ସବୁଠାରୁ ଉତ୍ତମ ପଦକ୍ଷେପ ହୋଇପାରନ୍ତା ଯଦି ପେଟ୍ରୋଲିୟମ୍‌ଜାତ ଦ୍ରବ୍ୟକୁ ଜିଏସ୍‌ଟି ପରିସରଭୁକ୍ତ କରିଦିଆଯାଇପାରନ୍ତା। ଦ୍ୱିତୀୟରେ କୁହାଯାଇପାରେ ଯେ, ରାଜ୍ୟଗୁଡ଼ିକର ଆୟକୁ ସଂକୁଚିତ କରିଦିଆଯାଉଥିବାରୁ ପେଟ୍ରୋଲିୟମ୍‌ ଦ୍ରବ୍ୟ ଉପରେ କେନ୍ଦ୍ର ଟିକସର ପରିମାଣ ତୁରନ୍ତ ହ୍ରାସ କରାଯିବା ଉଚିତ। ଦେଖିବାକୁଗଲେ ୩ ନଭେମ୍ବର ୨୦୨୧ରେ କେନ୍ଦ୍ର ସରକାର ପେଟ୍ରୋଲ ଉପରୁ ୫ ଟଙ୍କା ଓ ଡିଜେଲ ଉପରୁ ୧୦ ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ। ପରବର୍ତ୍ତୀ ସମୟରେ ତାହାଠାରୁ ଯଥେଷ୍ଟ ଅଧିକ ମୂଲ୍ୟ ବୃଦ୍ଧି କରିଦିଆଗଲାଣି। ସେଥିପାଇଁ ସେହି ପୁରୁଣା ହ୍ରାସକୁ ଦର୍ଶାଇ ଏବେ ନୂତନ ଦାବି କରିବା ଯଥାର୍ଥ ହେଉନାହିଁ। ଉଲ୍ଲେଖଯୋଗ୍ୟ ଯେ, ଇନ୍ଧନ ଦର ବୃଦ୍ଧି ପାଇବା ଫଳରେ ତାହା ଅତ୍ୟାବଶ୍ୟକ ସାମଗ୍ରୀ ସହ ବିଭିନ୍ନ ଦ୍ରବ୍ୟର ମୂଲ୍ୟକୁ ଘନ ଘନ ବଢ଼ାଇ ଦେଉଛି। ଏଭଳି ପରିପ୍ରେକ୍ଷୀରେ ଯେହେତୁ ଉପଭୋକ୍ତା ସାମଗ୍ରୀ ଦର ବହୁମାତ୍ରାରେ ବଢ଼ିଯାଇଛି ସେହେତୁ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନେଇ ଆବଶ୍ୟକତା ଅନୁଯାୟୀ ଟିକସ କମାଇବା ଦରକାର। ବର୍ତ୍ତମାନ ସ୍ଥିତିରେ ତ୍ରୁଟିପୂର୍ଣ୍ଣ ସରକାରୀ ନୀତି ଯୋଗୁ ଦେଶବାସୀ ଘୋର ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କୋଭିଡ୍‌-୧୯ ଯୋଗୁ ଦେଶ ଯେଉଁ ଆର୍ଥିକ କ୍ଷତି ସହିଛି ତାହାକୁ ଭରଣା କରିବା ଲାଗି ୨୦୩୫ ଯାଏ ସମୟ ଲାଗିଯିବ ବୋଲି ଆର୍‌ବିଆଇ ଆକଳନ କରିଛି। ଏଥିରୁ ବୁଝାପଡୁଛି ଯେ ମୋଦି ସରକାରଙ୍କ ଦ୍ୱାରା ନିଆଯାଉଥିବା ପ୍ରତ୍ୟେକଟି ପଦକ୍ଷେପର ସୁଫଳ ସାଧାରଣ ଲୋକ ପାଖରେ ୨୦୩୫ ପୂର୍ବରୁ ପହଞ୍ଚି ପାରିବ ନାହିଁ। ରିଜର୍ଭ ବ୍ୟାଙ୍କର ଏଭଳି ଘୋଷଣା ନିଶ୍ଚିତ ଭାବେ ହାସ୍ୟାସ୍ପଦ। ଏହି ଗୋଟିଏ ବାକ୍ୟ କହି କେବଳ ଯେ ସରକାରଙ୍କୁ ମୁକ୍ତି ମିଳିଗଲା ତାହା ନୁହେଁ, ରିଜର୍ଭ ବ୍ୟାଙ୍କ ନିଜର ମୁଦ୍ରାନୀତି ସଂକ୍ରାନ୍ତ ଦାୟିତ୍ୱକୁ ଚତୁରତାର ସହ ଏଡ଼ାଇଦେଲେ। ଅର୍ଥାତ୍‌ ଏବେଠାରୁ ୨୦୩୫ ମଧ୍ୟରେ ଘଟିବାକୁ ଥିବା ପ୍ରତ୍ୟେକଟି ଜନବିରୋଧୀ ଅର୍ଥନୈତିକ ନିଷ୍ପତ୍ତି ପାଇଁ ସରକାରୀ ସ୍ତରରେ କେହି ଦାୟୀ ରହିବେ ନାହିଁ। ଶେଷରେ ଏହା କୁହାଯାଇପାରେ ଯେ ଆଜିର ପରିସ୍ଥିତି ଦେଖିଲେ, ଅତ୍ୟଧିକ ପରିମାଣର ଜିଏସ୍‌ଟି ସଂଗ୍ରହର ଅନ୍ୟ ଦିଗ ହେଉଛି ଜନସାଧାରଣଙ୍କ ଜୀବନଜୀବିକାରେ ଘୋର ଆଘାତ।
ହିନ୍ଦୁ ଧର୍ମରେ ଶବଦାହ ବେଳେ ସାଧାରଣରେ କେହି ହସନ୍ତି ନାହିଁ। ଅତ୍ୟଧିକ ଜିଏସ୍‌ଟି ସଂଗ୍ରହରେ ସରକାର ଯେଉଁ ଉତ୍‌ଫୁଲ୍ଲତା ପ୍ରକାଶ କରୁଛନ୍ତି ସେଥିରୁ ମନେହେଉଛି ସାଧାରଣ ମଣିଷର ଜୁଇ ଜଳିଲା ବେଳକୁ ଆଜିର ଗଣତାନ୍ତ୍ରିକ ସରକାର ଆତ୍ମସନ୍ତୁଷ୍ଟି ଓ ସୁଖ ଲାଭ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?