ଆଫଗାନ୍‌ ମାଟିରେ ଆମେରିକାର ଶେଷ ଦିନ

କାବୁଲ/ଓ୍ବାଶିଂଟନ୍‌, ୩୧ା୮: ଆଫଗାନିସ୍ତାନରେ ଦୁଇ ଦଶକର ଲମ୍ବା ଯୁଦ୍ଧ ଶେଷ କରିଛି ଆମେରିକା। ଅଗଷ୍ଟ ୩୧ ଡେଡ୍‌ଲାଇନ ପରେ ଆଫଗାନିସ୍ତାନ ମାଟିକୁ ନିଜ ଅକ୍ତିଆରରେ ଆଉ ରଖିପାରିବେନି ଆମେରିକା ସୈନ୍ୟ। ହେଲେ ବିଡମ୍ବନାର କଥା ଯେ, ଯେଉଁ ତାଲିବାନ୍‌କୁ ହରାଇବା ପାଇଁ ଓ୍ବାଶିଂଟନ୍‌ ୨୦ ବର୍ଷ ହେଲା ନିଜର ସବୁ ସାମର୍ଥ୍ୟ ଲଗାଇଥିଲା ଯୁଦ୍ଧ ଶେଷ ବେଳକୁ ତା’ରି ସହ ବୁଝାମଣା କରିଛି। ବିଶ୍ୱର ସୁପରପାଓ୍ବାର କୁହାଯାଉଥିବା ଆମେରିକା ନିକଟରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ଉନ୍ନତ ତାଲିମପ୍ରାପ୍ତ ସେନା, ସବୁଠାରୁ ଆଧୁନିକ ଟେକ୍ନୋଲୋଜି ଥିବା ସତ୍ତ୍ୱେ ତାଲିବାନ୍‌କୁ କାହିଁକି ମାତ୍‌ ଦେଇପାରିଲାନି ତାହାକୁ ନେଇ ସୃଷ୍ଟି ହୋଇଛି ବିରାଟ ପ୍ରଶ୍ନବାଚୀ ।

ଅଗଷ୍ଟ ୩୧ ପରେ ଆଫଗାନିସ୍ତାନ ମାଟିରେ ଆଉ ଦେଖିବାକୁ ମିଳିବେନି ସଶସ୍ତ୍ର ଆମେରିକୀୟ ସୈନ୍ୟ। ତାଲିବାନ୍‌ ଗୋଷ୍ଠୀ ଆଫଗାନିସ୍ତାନକୁ ନିଜ ଅକ୍ତିଆରକୁ ନେବା ପରେ ଆମେରିକା ନେତୃତ୍ୱାଧୀନ ନାଟୋ ସାମରିକ ମେଣ୍ଟର ସେନା ପ୍ରତ୍ୟାହାର କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଆମେରିକା ନିଜ ନାଗରିକଙ୍କ ସମେତ ଆଫଗାନ୍‌ ସହଯୋଗୀଙ୍କୁ ମଧ୍ୟ ଆଫଗାନିସ୍ତାନରୁ ଉଦ୍ଧାର କରିସାରିଥିବା କହିଛି। ଉଦ୍ଧାର କାମ ପାଇଁ କାବୁଲ ବିମାନବନ୍ଦରକୁ ଆମେରିକା ନିଜ କବ୍‌ଜାରେ ରଖିଥିବାବେଳେ ଅଗଷ୍ଟ ୩୧ ଡେଡ୍‌ଲାଇନ ପରେ ତାଲିବାନ୍‌ ତାହାକୁ ନିୟନ୍ତ୍ରଣକୁ ଆଣିବାକୁ ବହୁ ସଂଖ୍ୟାରେ ତାଲିବାନୀ ଲଢ଼ୁଆଙ୍କୁ ମୁତୟନ କରିଛି।
୨୪ ଘଣ୍ଟାରେ ଯୁଦ୍ଧକାଳୀନ ଭିତ୍ତିରେ ଆମେରିକା ଏହାର ତିନି ଶହ ନାଗରିକଙ୍କ ସମେତ ପ୍ରାୟ ୨ ହଜାର ଲୋକଙ୍କୁ ଉଦ୍ଧାର କରିଛି। ଅଗଷ୍ଟ ୧୫ରେ ତାଲିବାନ୍‌ କାବୁଲ ଦଖଲ କରିବା ପରଠାରୁ ଆମେରିକା ପ୍ରାୟ ୧ ଲକ୍ଷ ୧୩ ହଜାର ୫ ଶହ ଜଣଙ୍କୁ ଆଫଗାନିସ୍ତାନରୁ ଇଭାକ୍ୟୁଏଟ କରିଛି। ଧାର୍ଯ୍ୟ ସମୟ ପୂର୍ବରୁ ଆମେରିକୀୟ ସୈନ୍ୟ ସଫଳତାର ସହ ଉଦ୍ଧାର କାର୍ଯ୍ୟ ଶେଷ କରିଥିବା ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତା ଜାକି ସୁଲିଭାନ କହିଛନ୍ତି। ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ପରେ ଆଫଗାନିସ୍ତାନରେ ଆମେରିକା ଦୂତାବାସ ରହିବ ନାହିଁ ବୋଲି ଜୋ ବାଇଡେନ୍‌ଙ୍କ ପ୍ରଶାସନ ନିଷ୍ପତ୍ତି ନେଇଛି। ତେବେ ଆଫଗାନିସ୍ତାନ ଛାଡ଼ିବା ପୂର୍ବରୁ ଆମେରିକା କାର୍ଯ୍ୟରେ ବାଧା ଉପୁଜାଇଥିବା ଏବଂ ୧୩ ସୈନ୍ୟଙ୍କ ବଳିଦାନର କାରଣ ପାଲଟିଥିବା ଆତଙ୍କବାଦୀ ସଙ୍ଗଠନ ଆଇଏସ୍‌-ଖୋରାସାନ୍‌କୁ ଛଡ଼ାଯିବ ନାହିଁ ବୋଲି ବାଇଡେନ୍‌ ଶପଥ ନେଇଛନ୍ତି। ଆଫଗାନିସ୍ତାନ ମାଟିରେ ବିନା ଉପସ୍ଥିତିରେ ମଧ୍ୟ ଆମେରିକା ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରିବାକୁ ସକ୍ଷମ। ଆଗକୁ ଏହି ଲଢ଼େଇ ଜାରି ରହିବ ବୋଲି ସୁଲିଭାନ୍‌ କହିଛନ୍ତି।
ଆଫଗାନିସ୍ତାନରେ ଶାନ୍ତି ସ୍ଥାପନ ସହ ଗଣତନ୍ତ୍ର ପ୍ରତିଷ୍ଠାର ପ୍ରତିଶ୍ରୁତି ଦେଇ ଆମେରିକା ସୈନ୍ୟ ମୁତୟନ କରିଥିଲା। କିନ୍ତୁ ଆଫଗାନିସ୍ତାନ ସେନାକୁ ସଶକ୍ତ କରିବା ଏବଂ ସେଠାରେ ନାଗରିକ ସରକାରର ସ୍ଥାୟିତ୍ୱକୁ ସୁନିଶ୍ଚିତ ନ କରି ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତିକୁ ବିଶ୍ୱ ନେତା ସମାଲୋଚନା କରିଥିଲେ। ଶାସନରୁ ହଟାଇଥିବା ତାଲିବାନ୍‌ ହାତରେ ପୁଣି କ୍ଷମତା ଦେଇ ଆମେରିକା ଆଫଗାନିସ୍ତାନବାସୀଙ୍କ ସହ ପ୍ରତାରଣା କରିଛି ବୋଲି କୁହାଯାଉଛି। ଏପରିକି ନିଜ ପ୍ରତିଶ୍ରୁତି ଆମେରିକା ରଖି ନ ଥିବା ଚର୍ଚ୍ଚା ହେଉଥିବାବେଳେ ଏହାକୁ ଖଣ୍ଡନ କରିଛି ଆମେରିକା। ତାଲିବାନ୍‌ ହାତକୁ ଆଫଗାନିସ୍ତାନ ଯିବା ପଛରେ ସମ୍ପୂର୍ଣ୍ଣ ଭାବେ ସେଠାକାର ସରକାର ଦାୟୀ ବୋଲି କହି ଆମେରିକା ନିଜ ହାତ ଝାଡ଼ି ଦେଇଛି। ସ୍ଥାୟୀ ସରକାର ନୁହେଁ ବରଂ ସେଠାରେ ଅଲକାଏଦା ଆତଙ୍କବାଦୀଙ୍କୁ ସମୂଳେ ଧ୍ୱଂସ କରିବାକୁ ଆମେରିକା ସୈନ୍ୟ ଆଫଗାନିସ୍ତାନରେ ମୁତୟନ ଥିଲେ ବୋଲି ଆମେରିକା ସଫେଇ ଦେଇଛି।

ଡ୍ରୋନ୍‌ ଷ୍ଟ୍ରାଇକ୍‌ରେ ମରିଛନ୍ତି ୧୦ ନାଗରିକ

କାବୁଲ ବିମାନବନ୍ଦରରେ ଆଇଏସ୍‌-ଖୋରାସାନ୍‌ର ବିସ୍ଫୋରଣ ଉଦ୍ୟମ ପଣ୍ଡ କରିବାକୁ ଯାଇ ରବିବାର ଆମେରିକା କରିଥିବା ଡ୍ରୋନ୍‌ ଷ୍ଟ୍ରାଇକ୍‌ରେ ୧୦ ଆଫ୍‌ଗାନ୍‌ଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ ବର୍ଷୀୟା ଶିଶୁଙ୍କଠାରୁ ଆରମ୍ଭ କରି ୪୦ ବର୍ଷ ବୟସର ନାଗରିକ ରହିଛନ୍ତି। ଆକ୍ରମଣରେ ଗୋଟିଏ ପରିବାରର ୧୦ ଜଣ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୬ ଶିଶୁ ରହିଥିବା ମୃତକ ପରିବାରର ଜଣେ ମହିଳା କହିଛନ୍ତି। ଆମେରିକାର ଏହି ଆକ୍ରମଣକୁ ତାଲିବାନ୍‌ ନିନ୍ଦା କରିଛି। ତାଲିବାନ୍‌ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍‌ କହିଛନ୍ତି, ଆଫଗାନିସ୍ତାନରେ ବିଦେଶୀ ଶକ୍ତି ଆକ୍ରମଣ କରିବା ବେଆଇନ। ଯଦି ସେଭଳି କୌଣସି ବିପଦ ସମ୍ପର୍କରେ ଆମେରିକା ନିକଟରେ ସୂଚନା ଥିଲା ତେବେ ତାଲିବାନ୍‌କୁ ଏ ନେଇ ଆଗୁଆ ଜଣାଯିବା ଉଚିତ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?