ଭାଷା-ସାହିତ୍ୟ ଓ ଜାତିର ଭବିଷ୍ୟତ

ଉପେନ୍ଦ୍ର ବିଶ୍ୱାଳ

 

‘ଧିକ ତା’ ଜୀବନ ଯିଏ ଓଡ଼ିଆ ହୋଇ, କିଣେ ନାହିଁ ଖଣ୍ଡେ ଓଡ଼ିଆ ବହି।’ ଏ କଥା କିଏ କହିଥିଲେ ଜଣାନାହିଁ କିନ୍ତୁ ଜାତିପ୍ରାଣ ଏହି ବିଭୁତି ଜଣଙ୍କ ଓଡ଼ିଆ ଜାତିର ଚିର ନମସ୍ୟ ନିଶ୍ଚିତ। ସଭିଙ୍କୁ ଜଣା, ”ଭାଷା ହିଁ ମାଆର ମାନ, ଭାଷା ହିଁ ଜାତିର ପ୍ରାଣ। ଜାତିର ଟେକ ଓ ଭେକ ହେଉଛି ମାତୃଭାଷା।“ ଏହି କଥାକୁ ଜାଣି ମଧ୍ୟ ଓଡ଼ିଶା ଭୂଇଁରେ ଜନ୍ମନେଇ ମାତୃଭାଷାକୁ ଭଲ ନ ପାଇବା, ଓଡ଼ିଆ ବହି ଖଣ୍ଡେ କିଣି ନ ପଢ଼ିବା, ଏପରି କି ଓଡ଼ିଆ ଖବରକାଗଜ ଖଣ୍ଡେ ନ କିଣିବା, ଆମ ଜାତିପ୍ରେମର ପରିଚାୟକ କି? ମାତ୍ର ଅଭାବୀ ଦୁନିଆର ଏଭଳି କିଛି ଲୋକ ଅଛନ୍ତି, ଯେଉଁମାନଙ୍କ ଚିନ୍ତା-ଚେତନା, ବିଚାର-ଭାବନା ଆମଠାରୁ ବହୁ ଊଦ୍ଧର୍‌ବରେ; ଯାହା କି ଏ ଜାତି ପାଇଁ ଅନେକ ଆଶ୍ୱାସନାର ବିଷୟ। ଯେଉଁଠି ଓଡ଼ିଆ ଆଇଏଏସ୍‌, ଆଇପିଏସ୍‌, ଓଏଏସ୍‌, ଅଧ୍ୟାପକମାନଙ୍କ ପରି ଲକ୍ଷାଧିକ ଟଙ୍କାର ବେତନଭୋଗୀମାନେ ଖଣ୍ଡେ ଓଡ଼ିଆ ଖବରକାଗଜ ବି କିଣି ପଢିବାକୁ ନାରାଜ, ସେଇଠି ଆଜି ଦାରିଦ୍ର୍ୟ ପ୍ରପୀଡ଼ିତ ଓ ନାମମାତ୍ର ଶିକ୍ଷା ଗ୍ରହଣ କରିଥିବା ପଠନପ୍ରିୟ,ମାତୃଭାଷାପ୍ରେମୀ ମଣିଷଙ୍କ କଥା ଶୁଣିଲେ ସ୍ବତଃ ନଇଁଯାଏ ମଥା।
କନ୍ଧମାଳ ଜିଲା ଜି. ଉଦୟଗିରି ବ୍ଲକସ୍ଥ କଳିଙ୍ଗିଆ ଗ୍ରାମର ବିକ୍ରମ ନାୟକ ହେଉଛନ୍ତି ବୃତ୍ତିରେ ଜଣେ ଦରଜୀ। ମାତ୍ର ୮ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ା। ବହୁକୁଟୁମ୍ବୀ ଅଭାବୀ ପରିବାରରେ ବଡ଼ ପୁଅଟି ମୂଲ ଲାଗେ। ତଥାପି ଖବରକାଗଜ ଖଣ୍ଡେ ମଗାନ୍ତି ଓ ସମ୍ପାଦକୀୟ ପୃଷ୍ଠାରେ ପ୍ରକାଶିତ ଲେଖାକୁ ପଢ଼ି ଲେଖକ/ଲେଖିକାଙ୍କୁ ଉତ୍ସାହିତ କରିଥାନ୍ତି। ଅନ୍ୟାୟ, ଅନୀତି, ଦୁର୍ନୀତି ଆଦି ଘଟଣା ତାଙ୍କ ହୃଦୟକୁ ଖୁବ୍‌ ବିଦୀର୍ଣ୍ଣ କରେ। ଏ ସମ୍ପର୍କିତ ଲେଖା ଯେବେ ପଢ଼ନ୍ତି, ନିଜକୁ ନିୟନ୍ତ୍ରଣ କରି ନ ପାରି ଭୋ ଭୋ ହୋଇ ସେ କାନ୍ଦିପକାନ୍ତି। ସାଲେପୁରର ଦୟାନିଧି ଭୋଇ ଜଣେ କୃଷି ଶ୍ରମିକ। ପର ବିଲରେ ମୂଲ ଲାଗିଲେ ପେଟ ପୋଷିବା ହୁଏ। ଅର୍ଥାଭାବରୁ ସିନା କାଗଜ ଖଣ୍ଡେ କିଣି ପାରନ୍ତି ନାହିଁ। କିନ୍ତୁ ମାଲିକଙ୍କ ଘରୁ ସାରେ କାଗଜ ଆଣି ନ ପଢ଼ିଲେ, ରାତିରେ ତାଙ୍କୁ ନିଦ ହୁଏନାହିଁ। ଭଦ୍ରକ ଜିଲା ଭଣ୍ଡାରିପୋଖରୀସ୍ଥ ନପଙ୍ଗ ଗାଁର ଧନେଶ୍ୱର ନାୟକ। ମଟ୍ରିକ ଯାଏ ପଢ଼ା। ନିଜର କେଇଗୁଣ୍ଠ ଚାଷଜମି ସମେତ ଅନ୍ୟମାନଙ୍କ ଜମି ଚାଷକରି ବହୁକଷ୍ଟରେ ପରିବାର ପୋଷିଥା’ନ୍ତି। କିନ୍ତୁ ସେ ଦିନକୁ ୩/୪ଖଣ୍ଡ କାଗଜ ପଢ଼ିବେ ହିଁ ପଢ଼ିବେ। ଘରକୁ ଖଣ୍ଡିଏ କାଗଜ ମଗାଉଥିଲେ ବି ପାଖ ବଜାରକୁ ଯାଆନ୍ତି ଅନ୍ୟ କାଗଜ ପଢ଼ିବାକୁ। ଅଭାବ ଓ ଅନଟନ ଭିତରେ ରହି ମଧ୍ୟ ପୁସ୍ତକ, ପତ୍ରପତ୍ରିକା କିଣିବାକୁ ସେ ପଛାନ୍ତି ନାହିଁ। ଓଡ଼ିଶାର ସେ ଜଣେ ବିରଳ ପାଠକ, ଯିଏ କି ୫୦ବର୍ଷ ହେଲା ପଢୁଛନ୍ତି ଖବରକାଗଜ, ଓଡ଼ିଆ ପୁସ୍ତକ ଓ ପତ୍ରପତ୍ରିକା ଆଦି। ଘରେ ବି ସଂରକ୍ଷିତ ଅନେକ ପତ୍ରପତ୍ରିକା, ପୁସ୍ତକମାନ; ଯାହା କି ଏକପ୍ରକାର ଛୋଟ ଲାଇବ୍ରେରି।
ଲେଖକ ବା ବକ୍ତାଟିଏ ହେବାକୁ ଯେମିତି ସାଧନା ଓ ଯୋଗ୍ୟତା ଲୋଡ଼ା, ସେମିତି ବି ଯୋଗ୍ୟତା ଲୋଡ଼ା ଶ୍ରୋତା ଅବା ପାଠକଟିଏ ହେବାକୁ। ସେଥିପାଇଁ ଧୈର୍ଯ୍ୟ ଓ ଆଗ୍ରହ ଦରକାର। ଧୈର୍ଯ୍ୟ ଧରିବା ବି ହେଉଛି ଏକପ୍ରକାର ସାଧନା। ପୁଣି ଗୁଣଗ୍ରାହୀ ପାଠକଟିଏ ହେବା ବି କାଠିକର ପାଠ। ସେଥିପାଇଁ ଲୋଡ଼ା ଯୋଗ୍ୟତା। ଶିକ୍ଷାଗତ ଯୋଗ୍ୟତା ଯେତେ ନୁହେଁ, ତାହାଠାରୁ ବେଶି ଲୋଡ଼ା ରୁଚିବୋଧ, ନିଷ୍ଠା, ଜିଜ୍ଞାସା ମନୋଭାବ। ବିଦ୍ୱାନ ହେବା ଯେତିକି ଆବଶ୍ୟକ, ତତୋଧିକ ଆବଶ୍ୟକ ଜଣେ ବିବେକଯୁକ୍ତ ବା ବିଶାଳହୃଦୟର ମଣିଷ ହେବା। ଏହା ସେତେବେଳେ ସମ୍ଭବ ହୁଏ ଯେବେ ଚେତନାର ବିକାଶ ଘଟେ, ପଢ଼ିବା-ଜାଣିବା-ବୁଝିବା ଦ୍ୱାରା। ଚିନ୍ତା ଓ ଚେତନା, ଭାଷା ଓ ଭୂମିପ୍ରତି ପ୍ରୀତିଭାବ ଦୃଷ୍ଟିରୁ ସମାଜର ତଳ ଶ୍ରେଣୀରେ ଥିବା ଉପରୋକ୍ତ ବ୍ୟକ୍ତିଙ୍କ ସହିତ ଆମ୍ଭେ ଆଗଧାଡ଼ି ବାବୁମାନେ ଯେବେ ନିଜକୁ ତୁଳନା କରୁ, ସେତେବେଳେ ଖୁବ୍‌ ଲଜ୍ଜିତ ହେବାକୁ ପଡ଼େ। ଆଜି ଯେଉଁଠି ପ୍ରାୟ ୭୫/୮୦ ଭାଗ ଓଡ଼ିଆ ଆଇଏଏସ୍‌/ ଆଇପିଏସ୍‌, ୬୦ ଭାଗ ଓଏଏସ୍‌, ୫୦ ଭାଗରୁ ଊର୍ଦ୍ଧ୍ୱ ଅଧ୍ୟାପକମାନେ ଓଡ଼ିଆ ଖବରକାଗଜ କି ଓଡ଼ିଆ ପତ୍ରପତ୍ରିକା ପଢ଼ନ୍ତି ନାହିଁ, ସେଇଠି ସ୍ବଳ୍ପ ଶିକ୍ଷିତ ଏପରି ଦରିଦ୍ରଜନଙ୍କ ଓଡ଼ିଆଭାବ ଓ ଜାତୀୟ ଚେତନା ଆମ ସଭିଙ୍କ ପାଇଁ ଅଜସ୍ର ପ୍ରେରଣାର ଉତ୍ସ ନୁହେଁ କି?
ଲୋକମୁଖରେ ବୋଲା ଯାଉଥିବା ବହୁ ପ୍ରଚଳିତ ପ୍ରବାଦଟିଏ -‘ଚାଷୀ ହୁଡ଼ିଲେ ବରଷେ, ଭାଷା ହୁଡ଼ିଲେ ପୁରୁଷେ।’ ଅର୍ଥାତ୍‌ ଚାଷକାମରେ ଜଣେ ବିଫଳ ହେଲେ ବା ଚାଷପ୍ରତି ବିମୁଖ ହେଲେ, ଚାଷୀକୁ ବର୍ଷଟିଏ ଦୁର୍ଦ୍ଦଶା ଭୋଗିବାକୁ ପଡ଼ିଥାଏ, ମାତ୍ର ଭାଷା ବିମୁଖତା ବା ଅବହେଳା ପାଇଁ ଗୋଟେ ପୁରୁଷ ପର୍ଯ୍ୟନ୍ତ ଦୁର୍ଦ୍ଦିନକୁ ସାମ୍ମା କରିଥାଏ ଜାତି। ପୁସ୍ତକ, ପତ୍ରପତ୍ରିକା, ଖବରକାଗଜ ଆଦି ହେଉଛି ଭାଷାର କବାଟ। ଭାଷା ପ୍ରତି ଯେତେ ଅନୁରାଗ ବଢ଼ିବ, ଭାଷାର ବ୍ୟବହାର ସେତେ ବଢ଼ିବ। ଭାଷାର ବ୍ୟବହାର ଯେତେ ବ୍ୟାପକ ହେବ, ଭାଷା ସେତେ ବିକଶିତ ହେବ। ଭାଷା ଯେତେ ଉଦ୍ଭାସିତ ହେବ, ସାହିତ୍ୟ-ସଂସ୍କୃତି ସେତେ ଐଶ୍ୱର୍ଯ୍ୟମୟ ହେବ। ସାହିତ୍ୟ-ସଂସ୍କୃତି ସମୃଦ୍ଧ ହେଲେ, ଭୂମିର ଭାଗ୍ୟ ଓ ଭବିଷ୍ୟତ ଐଶ୍ୱର୍ଯ୍ୟମୟ ହେବ। ସଂସ୍କୃତି ଯେମିତି ମାଟିର ସୁରଭି, ମାତୃଭାଷା ବି ସେମିତି ଭୂମିର ବିଭବ। ଭାଷା ଓ ସଂସ୍କୃତି କେବଳ ଗୋଟେ ଜାତିର ପରିଚୟ ଫର୍ଦ୍ଦ ନୁହେଁ ବରଂ ପ୍ରଗତିର ପରିମାପକ। ଜାତିକୁ ଗଢ଼ିବାକୁ ହେଲେ ମାଆ, ମାଟି ଓ ମାତୃଭାଷା ପ୍ରତି ମମତ୍ୱଭାବ ଏକାନ୍ତ ଜରୁରୀ। ଯେଉଁ ମାଟିର ମଣିଷଙ୍କ ଭିତରେ ପଠନପ୍ରତି ରୁଚି ଯେତେ ଅଧିକ, ସେ ଜାତି ସେତିକି ସମୃଦ୍ଧ ଓ ମହିମାନ୍ବିତ। ଫିନ୍‌ଲାଣ୍ଡ, ଇସ୍ରାଏଲ, ନେଦରଲାଣ୍ଡ ପରି କ୍ଷୁଦ୍ରାତିକ୍ଷୁଦ୍ର ଦେଶଗୁଡ଼ିକ ଶାନ୍ତ, ସମୃଦ୍ଧ, ସଫଳ ଓ ସମର୍ଥ ଦେଶ ଭାବେ ବିଶ୍ୱବିଦିତ; ସେ ମାଟିର ସନ୍ତାନଗଣଙ୍କ ସଂସ୍କାର ମନୋଭାବ ଓ ମାଟିମନସ୍କ ପଣିଆ ଯୋଗୁ। ମାଟିମନସ୍କ ପଣିଆ ସମ୍ଭବ ହୋଇଛି ସେମାନଙ୍କ ଅଧ୍ୟୟନ ପିପାସା ଓ ସାହିତ୍ୟମନସ୍କ ପଣିଆ ଯୋଗୁ। ସାହିତ୍ୟ ଓ ସଂସ୍କୃତି ହିଁ ଜାତିକୁ ବାନ୍ଧି ରଖେ, ମାଟିକୁ ମହିମାନ୍ବିତ କରେ। ନିଜ ଭାଷା, ସାହିତ୍ୟ ଓ ସଂସ୍କୃତିଠାରୁ ଦୂରେଇ ରହିବା ଅର୍ଥ ଅମଙ୍ଗଳକୁ ଆମନ୍ତ୍ରଣ କରିବା। ଯେଉଁ ସମାଜ ନିଜ ଭାଷା, ନିଜ ସଂସ୍କୃତି, ନିଜ ଇତିହାସଠାରୁ ଦୂରେଇ ଯାଏ ବା ବିଚ୍ଛିନ୍ନ ହୁଏ, ସେ ସମାଜର ଭୂଗୋଳ ବଦଳିବାକୁ ବେଶି ସମୟ ଲାଗେନାହିଁ। ଜାତିର ଅସ୍ମିତା ପ୍ରତି ବିପଦ ଘନେଇ ଆସେ। ମାତୃଭୂମି ଓ ମାତୃଭାଷା ପ୍ରତି ପ୍ରୀତିଭାବ ନ ରହିଲେ ଜାତିର ନନ୍ଦିଘୋଷ ବିଶେଷ ଅଗ୍ରଗତି କରିପାରେନା। ଆମ ଚିନ୍ତା, ଚେତନା, ଚରିତ୍ର ହିଁ ଲେଖିବ ଏ ଜାତିର ଜାତକ। ନିର୍ଦ୍ଧାରଣ କରିବ ଭୂମିର ଭାଗ୍ୟ ଓ ଭବିଷ୍ୟତ। ଅତଏବ ଆସନ୍ତୁ, ଭାଷା-ସାହିତି୍ୟକୁ ବିଭୂଷିତ କରିବାକୁ ସମସ୍ତେ ସଂକଳ୍ପବଦ୍ଧ ହେବା ଏବଂ ଜାତିକୁ ଜାଜ୍ୱଲ୍ୟମୟ କରିବା। ପ୍ରତିଟି ଓଡ଼ିଆପ୍ରାଣରୁ ଗୁଞ୍ଜରିତ ହେଉ, ‘ମାତୃଭୂମି ମାତୃଭାଷାର ବଦନ, ବ୍ୟାପ୍ତ କର ଦେଇ ଧନ ଧ୍ୟାନ ମନ“।
ଗୋଡିଶୁଳ, ସଜନାଗଡ଼, ବାଲେଶ୍ୱର
ମୋ: ୯୪୩୭୪୩୬୦୭୩


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

ଅପହୃତ କଳାକୃତି

ଆମ ରାଜ୍ୟର ଶିଳ୍ପୀମାନେ ନିପୁଣ କାରିଗରି କୌଶଳ ପ୍ରୟୋଗକରି ନିହାଣ ମୁନରେ ପଥର ଦେହରେ ଜୀବନ୍ତ କଳାକୃତି ନିର୍ମାଣ କରିପାରୁଥିଲେ। ସେଥିରେ ଦୈନନ୍ଦିନର ଜୀବନଶୈଳୀ ସହ ଆମ…

ସ୍ଥିରତାକୁ ଗୁରୁତ୍ୱ

ସିବିଆଇ ନିର୍ଦ୍ଦେଶକ ଭାବରେ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ ଆଉ ୧ବର୍ଷ ବଢ଼ିିବା ଅପ୍ରତ୍ୟାଶିତ ନ ଥିଲା। ଔପଚାରିକ ଭାବରେ, ସରକାର ନିରନ୍ତରତା ଏବଂ ସ୍ଥିରତା ନାମରେ ଏହି…

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

ପରିସ୍ଥିତିର ଦାସ ମଣିଷ

ମହାନ୍‌ ମାନବବାଦୀ ନେତା ଆବ୍ରାହମ୍‌ ଲିଙ୍କନ ଥରେ କହିଥିଲେ, ”ମୁଁ ମୋର ସାମ୍ନା କରିଥିବା ପରିସ୍ଥିତିର ଫଳ“ ଅର୍ଥାତ୍‌ ସେ ଯେଉଁ ଆସନରେ ମଣ୍ଡିତ ଥିଲେ ତାହା…

ଜୀବନ ନଦୀର ଦୁଇ କୂଳ

ଶ୍ରଦ୍ଧାବାନ୍‌ ଲଭ୍ୟତେ ଜ୍ଞାନମ୍‌ ଓ ସଂଶୟାତ୍ମା ବିନଶ୍ୟତି’ର ମହତ୍ତ୍ୱ ହୃଦୟଙ୍ଗମ କରିବା ଉଚିତ। ଜ୍ଞାନ ପାଇଁ ସଂଶୟହୀନତା ଓ ଶ୍ରଦ୍ଧା ଉଭୟ ଆବଶ୍ୟକ, ଠିକ୍‌ ଯେପରି ଆଲୋକ…

ରଣନୀତିରୁ ଲାଭ

ଆମେରିକା ପୃଥିବୀର ଯେ କୌଣସି ସ୍ଥାନରେ ସାମରିକ ଆକ୍ରମଣ କରିବାକୁ ସକ୍ଷମ। ଏହାସହ ଅନ୍ୟ ଦେଶ ଉପରେ କ୍ଷତିକାରକ ଟାରିଫ୍‌ ଓ ପ୍ରତିବନ୍ଧକ ଲଗାଇବା ଏବଂ ସହଯୋଗୀଙ୍କ…

ରତନପୁରର ରାବଣ

ଛତିଶଗଡ଼ ବିଳାସପୁର ନିକଟରେ ଥିବା ରତନଗଡ଼ ବା ରତନପୁର ଦୁର୍ଗ ଏକଦା ମଧ୍ୟପ୍ରଦେଶର ଏକ ଅଂଶ ଥିଲା। ଏହି ଦୁର୍ଗରେ ରାବଣର ଏକ ବିରଳ ତଥା ଚମତ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri