ଲକ୍ଷ୍ମୀଛଡ଼ା ଉପାଖ୍ୟାନ

ଡ. ମନୋରଞ୍ଜନ ପ୍ରଧାନ

 

ପିଲାବେଳେ ଜେଜେମା’ଙ୍କ ମୁହଁରୁ ଲକ୍ଷ୍ମୀଛଡ଼ା ଶବ୍ଦଟି ବହୁବାର ଶୁଣିଛୁ। ସାମାନ୍ୟ ତ୍ରୁଟିବିଚ୍ୟୁତି ଦେଖିଲେ ବୁଢ଼ୀମା’ ତୁମେ ସବୁ ଲକ୍ଷ୍ମୀଛଡ଼ା ହୋଇଗଲଣି କହି ତାଗିଦ କରନ୍ତି। ବଡ଼ି ଭୋରରୁ ଉଠିବା ଜେଜେମା’ଙ୍କ ଅଭ୍ୟାସ, ତାହାକୁ ସେ ବ୍ରାହ୍ମ ମୁହୂର୍ତ୍ତ ବୋଲି କହେ। ସୂର୍ଯ୍ୟୋଦୟ ଢେର୍‌ ପୂର୍ବରୁ ସେ ଉଠି ବାସିକାମ ସାରି, ଛଡ଼ାପାଣି ପକାଇ, ଗୁହାଳ ସଫାକରି, ଠାକୁର ପୂଜା ପାଇଁ ଫୁଲତୋଳି, ଗାଧୁଆପାଧୁଆ ସାରି ପୂଜାଘରକୁ ପ୍ରବେଶ କରନ୍ତି। ତୁଳସୀ ମୂଳେ ପାଣି ଢାଳିବା ପୂର୍ବରୁ ସେ ଯେଉଁ ଘଣ୍ଟି ବଜାନ୍ତି ଆମେ ଚିଲର ପାର୍ଟି (ପିଲା ଦଳଙ୍କ) ପାଇଁ ସତର୍କ ଘଣ୍ଟି। ଘଣ୍ଟି ବାଜିବା ମାତ୍ରେ ଯଦି ଶଯ୍ୟା ତ୍ୟାଗ ନ କରିଛୁ ବୁଢୀମା’ ଲକ୍ଷ୍ମୀଛଡ଼ା କହି ଭୈରବ ରଡ଼ି ଛାଡ଼ିବେ। ଠିକ୍‌ ସମୟରେ ନ ଗାଧୋଇଲେ ଲକ୍ଷ୍ମୀଛଡ଼ା। ଖାଇବା ଠିକ୍‌ ସମୟରେ ନ କଲେ ଲକ୍ଷ୍ମୀଛଡ଼ା, ଇତ୍ୟାଦି। ସେତେବେଳେ ବୁଢ଼ୀମା’ଙ୍କ ଲକ୍ଷ୍ମୀଛଡ଼ା ଦର୍ଶନର ମହତ୍ତ୍ୱ ବୁଝିପାରୁ ନ ଥିଲୁ। କିନ୍ତୁ ତାହା ଜୀବନ ପାଇଁ ଅତ୍ୟନ୍ତ ପ୍ରୟୋଜନ ଥିଲା। ଏଠାରେ କେତୋଟି ଉଦାହରଣ ଉପସ୍ଥାପନ କରୁଛି।
ସୂର୍ଯ୍ୟୋଦୟ ପୂର୍ବରୁ ଶଯ୍ୟା ତ୍ୟାଗ କରି ଅଘଷା ଦାନ୍ତରେ ଢାଳେ ପାଣି ଚକାମାରି ବସି ଧୀରେଧୀରେ ପିଇବାକୁ ଜେଜେମା’ଙ୍କ ଫତୁଆ ସମସ୍ତଙ୍କ ପାଇଁ ଅନବାର୍ଯ୍ୟ ଥିଲା। ସେ ପାଣିକୁ ଖାଦ୍ୟ ଭଳି ଓ ଖାଦ୍ୟକୁ ପାଣି ଭଳି ଖାଇବାକୁ ଉପଦେଶ ଦେଉଥିଲେ। ମାନେ ଖାଦ୍ୟକୁ ଚୋବାଇ ଚୋବାଇ ପାଣିଭଳି କରି ଢୋକିବା ଓ ପାଣିକୁ ଢକ ଢକ ନ ପିଇ ଧୀରେ ଧୀରେ ମଜା ନେଇ ନେଇ ପିଇବାକୁ କହୁଥିଲେ। ଆମେ ପିଲାଦଳ ଟିକେ ଟିକେ ଅମଙ୍ଗ ହେଉ ଜେଜେମା’ଙ୍କ ଆଗରେ ନୁହେଁ ପଛରେ। କାରଣ ଠିଆରେ ଢକଢ଼କ ପିଇ ଖେଳିବାକୁ ଦୌଡ଼ି ପଳେଇବାକୁ ଆମର ଇଚ୍ଛା। କିନ୍ତୁ ଜେଜେମା’ ଉଦାହରଣ ସ୍ବରୂପ ବୁଝେଇ ଦିଅନ୍ତି – ଆରେ ଦେଖ କୋଉ ପଶୁପକ୍ଷୀ ସୂର୍ଯ୍ୟ ଉଦୟ ପରେ ଶୋଉଛି। ସେମାନେ ପଶୁପକ୍ଷୀ ହୋଇ ମଧ୍ୟ ପ୍ରକୃତିର ନିୟମ ମାନି ଚଳୁଥିବାରୁ ସେମାନଙ୍କୁ ବେଶି ରୋଗବ୍ୟାଧି ହୁଏ ନାହିଁ। ପ୍ରକୃତିଛଡ଼ା ମଣିଷ ପ୍ରକୃତିର ନିୟମ ମାନୁ ନ ଥିବାରୁ ଅଜଣା ରୋଗରେ ଘାଣ୍ଟି ହେଉଛି। କଥା ଛଳରେ ଜେଜେମା’ କହନ୍ତି ବଡ଼ି ଭୋର୍‌ରୁ ଉଠି ସୁଶୀତଳ ଜଳପାନ (ଉଷା ପାନ) କଲେ ପେଟରୋଗ ହୁଏ ନାହିଁ କି ଥଣ୍ଡା, କାଶ କେବେ ମଧ୍ୟ ହୁଏ ନାହିଁ। ଗାଧୋଇସାରି ଦୁଇ ତିନୋଟି ତୁଳସୀପତ୍ର ସେବନ କଲେ ଦେହ ନୀରୋଗ ରହେ। ଢଗ ଛଳରେ କହନ୍ତି ଗାଧୁଆ ଆଗରୁ ଲଗାଅ ତେଲ, ବଇଦ ସାଙ୍ଗରେ କରିବ ଗେଲ। ମାନେ ଶରୀରରେ ତୈଳ ମର୍ଦ୍ଦନ କରିବା ପରେ ସ୍ନାନ କଲେ ଡାକ୍ତରଖାନା ଯିବା ଦରକାର ନାହିଁ ବୋଲି ତାଙ୍କର ମତ ଥିଲା। ଖାଇବା ବେଳେ ପାଣି ପିଇଲେ ଜେଜେମା’ ଗାଳି ଦିଅନ୍ତି। ଡାକ୍ତରଙ୍କ ଭଳି ଉପଦେଶ ଦେଇ କହନ୍ତି ଖାଇଲା ବେଳେ ପାଣି ପିଇଲେ ଖାଦ୍ୟ ଜୀର୍ଣ୍ଣ ହେବନାହିଁ। ଆମେ ଭାବୁଥିଲୁ ଖାଦ୍ୟ ହଜମ ସହ ପାଣି ପିଇବା କି ସମ୍ପର୍କ! ସେମିତି ସପ୍ତାହରେ ଦିନେ କଞ୍ଚା ହଳଦୀ ଟେଳାଟି ଓ ନିମ୍ବବଟା ଗୁଳାଟି ଜବରଦସ୍ତ ଖୁଆଇବେ। ଏହାର ଉପାଦେୟତା ସମ୍ବନ୍ଧରେ ଆମକୁ ବୁଝେଇ କହିବେ ହଳଦୀ ଓ ନିମ୍ବ ଖାଇଲେ କାଛୁକୁଣ୍ଡିଆ ହେବନାହିଁ। ରକ୍ତ ପରିଷ୍କାର ରହିବ। ହଜମ ଶକ୍ତି ବଢ଼ିବ ଇତ୍ୟାଦି। ପ୍ରତିଦିନ ସକାଳୁ ଗୋବର ଲିପା ଅନ୍ତତଃ ଦାଣ୍ଡ ବାଡ଼ିରେ। ଚୈତ୍ର ମାସ ଆସୁ ଆସୁ ନିମ୍ବ ଡାଳ ତୋରଣ ଭଳି ଦ୍ବାର ବନ୍ଧରେ ଲଗେଇ ଦେବେ। କହିବେ ବସନ୍ତ, ହାଡ଼ଫୁଟିକୁ ଏ ନିମ୍ବପତ୍ର ରୋକିଦେବ। ଅପରିଷ୍କାର ପୋଷାକ ପିନ୍ଧିଲେ ଘୋଷାପଦ ଲକ୍ଷ୍ମୀଛଡ଼ାର ଛାଟ। ଯଦି କୌତୂହଳରେ ଆମେ ପଚାରୁ କି ଲକ୍ଷ୍ମୀଙ୍କ ସହ ପରିଷ୍କାର ପରିଚ୍ଛନ୍ନ ପୋଷାକ, ଘରଦ୍ୱାର, ବଡ଼ିଭୋରରୁ ଉଠିବା, ଖାଇବା ବେଳେ ପାଣି ପିଇବା, ବସିକି ଧୀରେ ଧୀରେ ପାଣି ପିଇବା, ଖାଦ୍ୟ ଚୋବେଇ ଚୋବେଇ ଖାଇବା, ଠିକ୍‌ ସମୟରେ ଖାଇବା, ତୈଳ ମର୍ଦ୍ଦନ ହୋଇ ଗାଧୋଇବା, ନିମ୍ବ, ହଳଦୀ ଖାଇବା ଆଦିର କି ସମ୍ପର୍କ! ଜେଜେମା’ କହନ୍ତି – ଲକ୍ଷ୍ମୀ କାହାର ଦେବୀ? ଆମେ କହୁ ଧନ, ସମ୍ପତ୍ତି ଓ ଐଶ୍ବର୍ଯ୍ୟର। ଆଚ୍ଛା ଧନସମ୍ପଦ କେତେବେଳେ ବଢ଼ିବ? ଯଦି ଘରେ ସବୁ ଠିକ୍‌ଠାକ୍‌ ଥାଏ, ସମସ୍ତେ ପରିଶ୍ରମ କରନ୍ତି, ତା’ହେଲେ ଆମ ସ୍ବାସ୍ଥ୍ୟ ସହ ଧନସମ୍ପଦର ସମ୍ପର୍କ ଅଛି କି ନାହିଁ? ଆମେ କହୁ ଅଛି। ଯଦି ପ୍ରକୃତିଛଡ଼ା ହେବ ସ୍ବାସ୍ଥ୍ୟ ଠିକ୍‌ ରହିବ କି? ନାହିଁ। ଯଦି ଦେହ ଭଲ ନ ରହେ ଡାକ୍ତରଖାନାରେ ଟଙ୍କା ଖର୍ଚ୍ଚ ହେବ, ପରିବାର ଅଶାନ୍ତିରେ ରହିବ କି ନାହିଁ! ତେବେ ତୁମକୁ ଲକ୍ଷ୍ମୀଛଡ଼ା କୁହାଯିବ କି ନାହିଁ?
ଜେଜେମା’ଙ୍କ ଆଚରଣ ସମ୍ପୂର୍ଣ୍ଣ ବିଜ୍ଞାନସମ୍ମତ ଥିଲା। ତାଙ୍କର ପ୍ରତ୍ୟେକ କଥାରେ ଡାକ୍ତରୀ ବିଦ୍ୟା ନିହିତାର୍ଥ ଥିଲା ବୋଲି ଆଜି ହୃଦୟଙ୍ଗମ ହେଉଛି। ଖାଦ୍ୟ ନଷ୍ଟ ନ କରିବା, ରୋଷେଇ ଖାଦ୍ୟର ଆଦ୍ୟଭାଗ ପଶୁପକ୍ଷୀଙ୍କୁ ଦେବା, ଦୁଃଖୀରଙ୍କୀମାନଙ୍କୁ ଭୋଜନ ଦେବା ଆଦି ମହତ୍‌ କାର୍ଯ୍ୟ କେବଳ ଘରର ଶ୍ରୀ ବୃଦ୍ଧିରେ ସହାୟତା କରୁଥିଲା ତାହା ନୁହେଁ, ଶୃଙ୍ଖଳିତ ଜୀବନ, ମୂଲ୍ୟ ଆଧାରିତ ଜୀବନ ଅତିବାହିତ କରିବାର ପଥ ପ୍ରଦର୍ଶକ ଥିଲା।
ଆଜି କିନ୍ତୁ ଆଧୁନିକତା ଓ ବଡ଼ ପାଠୁଆମାନେ ଜେଜେମା’ଙ୍କ ଲକ୍ଷ୍ମୀଛଡ଼ା ଦର୍ଶନକୁ ଅନ୍ଧବିଶ୍ୱାସ ଓ କୁସଂସ୍କାର ସହ ଯୋଡୁଛନ୍ତି। ନିଶାର୍ଦ୍ଧ ଯାଏ ମୋବାଇଲ ଜପି ଜପି, ଦିନ ନଅଟା ପରେ ବହୁ କଷ୍ଟରେ ଶେଯ ପରିହାର। ସୁଷମ ପୁଷ୍ଟିସାର ଖାଦ୍ୟ ପରିବର୍ତ୍ତେ ଅଖାଦ୍ୟ ଭୋଜନ। ରୂପ ମଳିନ ଭୟରେ ଦେହ ମୁଣ୍ଡରେ ତେଲ ବାଜୁନାହିଁ। ଜୀବିକା ପଛରେ ଗୋଡ଼ାଇ ଗୋଡ଼ାଇ ସୁସ୍ଥ ଜୀବନ ପାଇଁ ବସିକି ଖାଦ୍ୟ ଖାଇବାକୁ ସମୟ ନାହିଁ। ପ୍ଲାଷ୍ଟିକ୍‌ ଜରି, ସୁନେଲି ରୁପେଲି ଜରି ଥାଳିରେ ଆମ ଜୀବନ ଚାଲିଛି। ଖାଇବାର ସମୟ କିଛି ନାହିଁ । ପେଟଟା ଡଷ୍ଟବିନ୍‌ ହୋଇଗଲାଣି। ଯେଉଁଠି ଯାହା ମିଳିଲା ଗିଳି ଚାଲିଛେ। ସାମାନ୍ୟ ଅସୁସ୍ଥ ଲାଗିଲେ ଅଥୟ ହୋଇ ଔଷଧ ଦୋକାନୀଙ୍କଠାରୁ ବଟିକା କିଣି ଗିଳି ପକାଉଛେ। ଠାକୁର ପୂଜା ଆମ ପାଇଁ ପୁରୁଣାକାଳିଆ କୁପ୍ରଥା ହୋଇଗଲାଣି। ଥଣ୍ଡା କାଶରେ ସୋରିଷଦିଆ ଆମ୍ବୁଲ ବେସର ଆଉ ଆମ ପାକଶାଳାରେ ପ୍ରସ୍ତୁତ ହେଉନାହିଁ। ଆମ ଡାଲମା, ଘାଣ୍ଟ ଆଜି ମିକ୍ସ ଭେଜ୍‌। ଏଣ୍ଡୁରି, ପୋଡ଼ପିଠା ଜାଗାରେ ପିଜା, ବର୍‌ଗରର ରାଜୁତି। ଆମେ ଲକ୍ଷ୍ମୀଛଡ଼ା ହେବାନି ଆଉ କିଏ ହେବ! ସା ଆଳତି ସମୟରେ ପାର୍କରେ ଚିତ୍ତବିନୋଦନ କରୁଛେ। ପିଲେ ଘରର ବୁଢ଼ୀବୁଢ଼ାଙ୍କଠାରୁ ଗପ ଶୁଣିବା ପରିବର୍ତ୍ତେ ଦିନରାତି ତଥ୍ୟ ରଟା ଚଷୁକୁଟା ପାଠରେ ଉବୁଟୁବୁ। ତେଣୁ ଛୋଟ ବୟସରୁ ସୋଡ଼ାକାଚ ଭଳି ଚଷମା। ଆମେ ଲକ୍ଷ୍ମୀଛଡା ହେବା ନି ତ ଆଉ କିଏ ହେବ! ତେଣୁ ଭଲ ଗତି ଯଦି ଅଛି ଜେଜେମା’ଙ୍କ ଲକ୍ଷ୍ମୀଛଡ଼ା ଉପାଖ୍ୟାନର ପ୍ରାସଙ୍ଗିକତାକୁ ହୃଦ୍‌ବୋଧ କରିବାର ସମୟ ଉପନୀତ। ନଚେତ୍‌ ଅଖା ଧୋଉଥିବା ଆଉ କପାଳ ନିନ୍ଦି ମରୁଥିବା। ଆସନ୍ତୁ ନିଜ ଦୈନନ୍ଦିନ ଜୀବନଚର୍ଯ୍ୟାକୁ ଆତ୍ମସମୀକ୍ଷା କରିବା ଏବଂ ଏକ ସୁସ୍ଥ ନିରାମୟ ଜୀବନ ଜିଇବାର ସଙ୍କଳ୍ପ ନେବା। ଆଶାକରେ ଜେଜେମା’ଙ୍କ କଥା ମାନିବା ଓ ଲକ୍ଷ୍ମୀଛଡ଼ା ନ ହୋଇ ଲକ୍ଷ୍ମୀବନ୍ତ ହେବା।
ସହକାରୀ ପ୍ରାଧ୍ୟାପକ, ବିକ୍ରମ ଦେବ ବିଶ୍ବବିଦ୍ୟାଳୟ, ଜୟପୁର, କୋରାପୁଟ
ମୋ:୯୪୩୭୯୧୪୮୧୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

ବିଷାକ୍ତ ହସ

ଟ୍ରାଫିକ ଛକର ଲାଲବତୀ ସେଦିନ ବାଧ୍ୟ କରିଥିଲା ଦଣ୍ଡେ ଅଟକିଯିବାକୁ। ଇତ୍ୟବସରରେ ହଠାତ୍‌ ଦୃଷ୍ଟିବଦ୍ଧ ହେଲା ଏକ ବିଷମ ବାକ୍ୟ ଉପରେ, ‘ସୁନ୍ଦରୀ ଝିଅଙ୍କ ହସ, ତମ୍ପ…

ସଚ୍ଚୋଟତା: ଏକ ସ୍ବତଃସ୍ଫୂର୍ତ୍ତ ଅଭିବ୍ୟକ୍ତି

ଆଜିର ଦୁନିଆରେ ଅସାଧୁ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ସଚ୍ଚୋଟ ବା ସାଧୁ ବ୍ୟକ୍ତିଙ୍କ ସଂଖ୍ୟା କମ୍‌ ହେଲେ ମଧ୍ୟ ସେମାନେ ଅଛନ୍ତି ବୋଲି ସଂସାର ଚାଲିଛି।…

ନଗଦକୁ ଫେର

ନଗଦ ଅର୍ଥ କାରବାର ପୁରୁଣାକାଳିଆ ଦେଣନେଣ ବ୍ୟବସ୍ଥା ବୋଲି ଅଭିହିତ କରି ଭାରତ ସରକାର ଡିଜିଟାଲ ପେମେଣ୍ଟକୁ ତ୍ୱରାନ୍ବିତ କରିବା ଲାଗି ଦଶନ୍ଧି ଧରି ଜନସାଧାରଣଙ୍କୁ ଉତ୍ସାହିତ…

ଏଇ ଭାରତରେ

ଅନେକ ସମୟରେ ଜଣେ ମହିଳା ପରିବାର ପ୍ରତିପୋଷଣର ଦାୟିତ୍ୱ ବହନ କରିବା ଲାଗି ଏକ ପୁରୁଷକୈନ୍ଦ୍ରିକ ପେସାକୁ ଆଦରିନେବାକୁ ବାଧ୍ୟ ହୋଇଥାନ୍ତି, ଯାହା ଘଟିଛି ଜାନ୍‌ସୀ ବି.ଭି.ଙ୍କ…

ବୈଦିକ ଶିକ୍ଷା ବ୍ୟବସ୍ଥା

ବୈଦିକ ଯୁଗର ଶିକ୍ଷା ପଦ୍ଧତି ନୈତିକ ମୂଲ୍ୟବୋଧ ଉପରେ ଆଧାରିତ ଥିଲା। ଶିକ୍ଷାର କୌଣସି ବ୍ୟବସାୟୀକରଣ ନ ଥିଲା। ବିଦ୍ୟାର୍ଥୀମାନେ ଆବାସିକ ଗୁରୁକୁଳରେ ରହି ଶିକ୍ଷା ଗ୍ରହଣ…

ଏଠି କିଛି ବି ହୋଇପାରେ

କିଛିବର୍ଷ ପୂର୍ବେ ଓଡ଼ିଶାର ଏକ ବୃହତ୍‌ ଜନଜାତି ଶିକ୍ଷାନୁଷ୍ଠାନରେ ଅଧ୍ୟାପନା କରୁଥିଲି। ସେସମୟରେ ସେଠାରେ ଆୟୋଜିତ ହୋଇଥିଲା ଏକ ବିଶେଷ କାର୍ଯ୍ୟକ୍ରମ। ସେହି ଅବସରରେ ହିନ୍ଦୀ ଚଳଚ୍ଚିତ୍ର…

କେବଳ ନଜର ନୁହେଁ

ପଶ୍ଚିମ ଏସିଆରେ ଉତ୍ତେଜନା କମୁନାହିଁ। ଆମେରିକା ଓ ଇସ୍ରାଏଲ ଆଗରେ ଇରାନ୍‌ ନଇଁବାକୁ ନାରାଜ। ବରଂ ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ସାମରିକ ଘାଟି ଉପରେ ତେହରାନ ଆକ୍ରମଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri