ବିକାଶ ନାମରେ ଲକ୍ଷେ ବୃକ୍ଷ ବଳି

ଅନୁଗୋଳ, ୧ା୭(ଅମିତ କୁମାର ସାମଲ): ୨୦୧୭ରୁ ୨୦୨୩ ମଧ୍ୟରେ ଅନୁଗୋଳ ଜିଲାର ଶତାଧିତ୍କ ହେକ୍ଟର ଜଙ୍ଗଲ ଜମିରୁ ହୋଇଛି ବ୍ୟାପକ ବୃକ୍ଷ ଛେଦନ। ତାଳଚେର-ବିମଳାଗଡ଼ ଓ ଅନ୍ୟ ରେଳପଥ ପାଇଁ କଟାଯାଇଛି ୭ ହଜାର ୯୩୫ ଗଛ। ଜାତୀୟ ଓ ରାଜ୍ୟ ରାଜପଥ ନିମନ୍ତେ ୧୯ ହଜାର ୧୮୫ ବୃକ୍ଷ କାଟ ହୋଇଥିବା ବେଳେ ଗେଲ୍‌ ଇଣ୍ଡିଆର ଗ୍ୟାସ୍‌ ପାଇପ୍‌ ଲାଇନ୍‌ ପାଇଁ ୩ ହଜାର ୪୮୯, ନାଲ୍‌କୋ କୋଲ୍‌ ମାଇନିଂ ପାଇଁ ୫ ହଜାର ୭୩୦, ଏମ୍‌ସିଏଲ୍‌ର ଜଗନ୍ନାଥ ଖଣି ପାଇଁ ୧୮ ହଜାର ୨୨୧, ହିଙ୍ଗୁଳା ଓସିପି ପାଇଁ ୩୬ ହଜାର ୭୩୮ ଗଛ କଟାଯାଇଛି। ସେହିପରି ତାଳଚେରରେ ନିର୍ମାଣ ଚାଲିଥିବା ତାଳଚେର ଫର୍ଟିଲାଇଜର ଲିମିଟେଡ୍‌ (ଟିଏଫ୍‌ଏଲ୍‌) ପାଇଁ ୧୦ ହଜାର ୫୦୦, ଏନ୍‌ଟିପିସି/ଟିଟିପିଏସ୍‌ ପାଇଁ ୧୩ ହଜାର ୧୩୨ ବୃକ୍ଷ ଉଚ୍ଛେଦ ହୋଇଛି। ଏଥିସହ ଅନ୍ୟାନ୍ୟ କାରଣ ପାଇଁ ଅବଶିଷ୍ଟ ଗଛ କଟାଯାଇଥିବା ଓଡ଼ିଶା ଫରେଷ୍ଟ ଡେଭଲପମେଣ୍ଟ କର୍ପୋରେଶନ ଲିମିଟେଡ୍‌ (ଓଏଫ୍‌ଡିସିଏଲ୍‌) ପକ୍ଷରୁ କୁହାଯାଇଛି।
ଏ ନେଇ ଓଏଫ୍‌ଡିସିଏଲ୍‌ ଖଣ୍ଡୀୟ ପରିଚାଳକ ପ୍ରଦୀପ କୁମାର ଧଳ କହିଛନ୍ତି, ଶିଳ୍ପ, ଖଣି ଓ ରେଳପଥ ଆଦିର ବିକାଶ କାର୍ଯ୍ୟ ପାଇଁ ଅନୁଗୋଳ ଜିଲାରେ ଗତ ୬ ବର୍ଷ ମଧ୍ୟରେ କଟାଯାଇଥିବା ଗଛ ତୁଳନାରେ ଯଥେଷ୍ଟ ଅଧିକ ପରିମାଣରେ ଚାରା ରୋପଣ କରାଯାଉଛି। ଗ୍ରାମ୍ୟ ଜଙ୍ଗଲ, ପତ୍ରା ଜଙ୍ଗଲ, ଜଙ୍ଗଲ-୨ କିସମ ଅଞ୍ଚଳରେ ଏହି ଚାରା ଲଗାଯାଉଛି। କିନ୍ତୁ ରାଜସ୍ବ ବିଭାଗ ପକ୍ଷରୁ ଜାଗା ନ ମିଳିବାରୁ ୨୦୨୨-୨୩ ବର୍ଷରେ ଆଦୌ ଚାରା ରୋପଣ ହୋଇପାରି ନାହିଁ। ଆବଶ୍ୟକ ପଡ଼ୁଥିବା ଜାଗା ଅଭାବ ଦୂର କରିବାକୁ ପ୍ରତ୍ୟେକ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଲ୍ୟାଣ୍ଡ ବ୍ୟାଙ୍କ ପ୍ରସ୍ତୁତ କରି ଓଏଫ୍‌ଡିସିଏଲ୍‌କୁ ପ୍ରଦାନ ନିମନ୍ତେ ପରାମର୍ଶ ଦିଆଯାଇଥିବା ଓଏଫ୍‌ଡିସିଏଲ୍‌ ଖଣ୍ଡୀୟ ପରିଚାଳକ ଧଳ ପ୍ରକାଶ କରିଛନ୍ତି। ଅନୁଗୋଳ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି, ଖଣି ଅଞ୍ଚଳ ହୋଇଥିବାରୁ ଚାରା ରୋପଣ ପାଇଁ ଆବଶ୍ୟକ ଜାଗାର ଅଭାବ ରହୁଛି। ରାଜସ୍ବ ବିଭାଗକୁ ହଠାତ୍‌ ବିଭିନ୍ନ ସମୟରେ ଜାଗା ଆବଶ୍ୟକ ପଡ଼ୁଛି। ତଥାପି ଯେଉଁଠାରେ ସମ୍ଭବ ହେଉଛି, ସେଠାରେ ନୂଆ ଚାରା ରୋପଣ ନିମନ୍ତେ ଜାଗା ପ୍ରଦାନ କରାଯାଉଛି।
ପରିବେଶବିତ୍‌ ପ୍ରସନ୍ନ ବେହେରା କହିଛନ୍ତି, ଅନୁଗୋଳ ଜିଲାରେ ଆଖିବୁଜା ଜଙ୍ଗଲ ଧ୍ବଂସ କରାଯାଉଛି। ଏପରିକି ସରକାରୀ ରେକର୍ଡ ବାହାରେ ମଧ୍ୟ ସରକାରୀ ଓ ବେସରକାରୀ ସ୍ତରରେ ବ୍ୟାପକ ଗଛ କଟାଯାଉଛି। କିନ୍ତୁ ନୂଆ ଜଙ୍ଗଲ ସୃଷ୍ଟି ପାଇଁ ବନୀକରଣ ସେହି ତୁଳନାରେ ହେଉନାହିଁ। କେବଳ ସରକାରୀ ରେକର୍ଡ ଓ କାଗଜ କଲମରେ ଏହା ଦେଖାଯାଉଛି। ପରିବେଶବିତ୍‌ ଅଶୋକ ଶତପଥୀ କହିଛନ୍ତି, ବୃହତ୍‌ ତଥା ପୁରୁଣା ଗଛଗୁଡ଼ିକୁ କାଟିବା ଦ୍ୱାରା ପରିବେଶ ଉପରେ ବିଶେଷ ପ୍ରଭାବ ପଡ଼ୁଛି। ଜିଲାରେ ପ୍ରଦୂଷଣର ମାତ୍ରା ବଢ଼ି ବଢ଼ି ଚାଲିଛି। ନୂତନ ଚାରା ରୋପଣର ପ୍ରକୃତ ସ୍ଥିତି ନେଇ ଅନେକ ସନ୍ଦେହ ରହିଛି। ପୁରାତନ ଗଛଗୁଡ଼ିକୁ ନ କାଟି ବୈଷୟିକ ଜ୍ଞାନକୌଶଳର ସହାୟତା ନିଆଯାଇ ସ୍ଥାନାନ୍ତର କରାଗଲେ ପରିବେଶକୁ କମ୍‌ କ୍ଷତି ପହଞ୍ଚିପାରନ୍ତା। ପରିବେଶବିତ୍‌ ସ୍ବପ୍ନା ଷଡ଼ଙ୍ଗୀ କହିଛନ୍ତି, ପ୍ରକୃତି ବିନା କୌଣସି ଅର୍ଥନୈତିକ ଅଗ୍ରଗତି ସମ୍ଭବ ନୁହେଁ। କିନ୍ତୁ କେବଳ ଅର୍ଥନୈତିକ ଅଭିବୃଦ୍ଧିକୁ ଧ୍ୟାନରେ ରଖି ଏପରି ଭାବେ ଜଙ୍ଗଲ ଧ୍ୱଂସ ବର୍ତ୍ତମାନର ପିଢ଼ି ନୁହେଁ, ଭବିଷ୍ୟତର ପିଢ଼ିକୁ ମଧ୍ୟ ପ୍ରଭାବିତ କରିବ। ଏହି ପ୍ରାକୃତିକ ସମ୍ବଳ ପୂର୍ବ ପୁରୁଷମାନଙ୍କ ଠାରୁ ଉତ୍ତରାଧିକାରୀ ସୂତ୍ରରେ ମିଳିଥିବା ସମସ୍ତେ ଭୁଲି ଯାଉଛନ୍ତି। ସେଥିପାଇଁ ଖଣି ଖାଦାନ, କଳକାରଖାନା, ରାସ୍ତା ନିମନ୍ତେ ଅନେକ ଲକ୍ଷ ବୃକ୍ଷକୁ ବଳି ପକାଯାଉଛି। ପ୍ରାକୃତିକ ଜଙ୍ଗଲ କାଟି ପଦା କରିବା ଦ୍ୱାରା ଏମିତି ବିପର୍ଯ୍ୟୟକୁ ଡାକି ଆଣିବା, ଯାହାର ପ୍ରତିକାର କରିବା ସମ୍ଭବ ହେବନାହିଁ। ବିକାଶ ନାମରେ ହେଉଥିବା ଏହି ବିନାଶକାରୀ କାର୍ଯ୍ୟକୁ ଅବିଳମ୍ବେ ବନ୍ଦ କରଯାଉ।