Categories: ଫୁରସତ

ଲେଡ଼ି ବାଇକର୍ସ

ରୟାଲ ଏନ୍‌ଫିଲ୍ଡ, କେଟିଏମ୍‌, କାଓ୍ବାସାକି ପରି ବାଇକ୍‌କୁ ଭ୍ରୁମ୍‌.. ଭ୍ରୁମ୍‌.. କରି ଯେବେ ଏମାନେ ରାସ୍ତାରେ ଚାଲିଯାଆନ୍ତି ଲୋକେ ଘଡ଼ିଏ ବୁଲି ବୁଲି ଚାହାନ୍ତି। କାରଣ ଏସବୁ ବାଇକ୍‌ ଉପରେ ଦିନେ ଥିଲା ପୁରୁଷଙ୍କର ଏକଚାଟିଆ ରାଜତ୍ୱ। ହେଲେ ଏବେ ଲେଡି ବାଇକର୍‌ମାନେ ସମାଜର କଟକଣା ଓ କଟାକ୍ଷକୁ ପାଦରେ ଦଳି ଏହାକୁ ଚଲାଉଛନ୍ତି ବେଶ୍‌ ବିନ୍ଦାସ୍‌ରେ…

ଦିନେ ବାଇକ୍‌ କଥା ଉଠିଲେ ପ୍ରଥମେ ପୁରୁଷଙ୍କର ଛବି ହିଁ ମନକୁ ଆସୁଥିଲା। ଆଉ ସ୍ପୋର୍ଟସ୍‌ ବାଇକ୍‌, ସୁପର୍‌ ବାଇକ୍‌ ତ ଯେମିତି କେବଳ ପୁରୁଷଙ୍କ ପାଇଁ ହିଁ ତିଆରି। ତେଣୁ ଯେବେ ଯେବେ ଝିଅଟିଏ ଚାହିଁଛି ଏହାକୁ ଚଲାଇବାକୁ ସମାଜ ତାକୁ ଗ୍ରହଣ କରିନି। ସେଥିପାଇଁ ଉଠୁଥିବା ପାଦ କେବେ ପଛକୁ ଘୁଞ୍ଚତ୍ଛି ତ ଆଉ କେବେ ଲୋକଲଜ୍ଜା ଭୟରେ ଲୁଚି ଲୁଚି ଚଲାଇ ମନର ଇଛାକୁ ପୂରଣ କରିଛି। ହେଲେ କେତେଜଣ ମହିଳା ଖାତିର୍‌ କରି ନାହାନ୍ତି ସମାଜର ଏଇ କଟକଣାକୁ। ଖୋଲାଖୋଲି ବାଇକ୍‌ ଚଲଉଛନ୍ତି। ତା’ସହ ଅନ୍ୟ ଝିଅଙ୍କୁ ପ୍ରୋତ୍ସାହିତ କରିବା ଲାଗି ‘ଓମେନ୍‌ ବାଇକର୍‌ ଗ୍ରୁପ୍‌’ ବି ଗଢିଛନ୍ତି। ଏଇ ଗ୍ରୁପ୍‌ ମାଧ୍ୟମରେ ସେମାନେ କେବଳ ସ୍ବାଧିନଭାବେ ବାଇକ୍‌ ଚଲାଇବାର ଇଛାକୁ ପୂରଣ କରୁ ନାହାନ୍ତି ବରଂ ଏମିତି ଅନେକ କାମ କରୁଛନ୍ତି ଯେଉଁଥିପାଇଁ ସେମାନେ ରାଜ୍ୟ ଓ ଦେଶର ଗର୍ବ ପାଲଟିଛନ୍ତି..
‘ବାଇକ୍‌ ବାଲୀ’ ମନୀଷାଙ୍କ ‘ଓଡ଼ିଶା ବାଇକର୍ନି’ ଗ୍ରୁପ୍‌: ସାରା ଓଡ଼ିଶାରେ ସେ ପରିଚିତା ‘ବାଇକ୍‌ ବାଲୀ’ ଭାବେ। ଲେଦର ଜ୍ୟାକେଟ୍‌ ସାଙ୍ଗକୁ ଗ୍ଲୋଭ୍‌ସ, ବୁଟ୍ସ ଓ ହେଲମେଟ୍‌ ଲଗାଇ ୟାମାହା ଆର୍‌୩ ସୁପର୍‌ ବାଇକ୍‌କୁ ୧୨୦ ସ୍ପିଡ୍‌ରେ ଚଲାଇ ସେ ଯେବେ ଯାଆନ୍ତି ସମସ୍ତେ ତାଙ୍କୁ ଘଡ଼ିଏ ଅନାନ୍ତି। ଖାଲି ଯେ ନିଜ ସଉକ ପାଇଁ ସେ ବାଇକ୍‌ ଚଲାନ୍ତି ତାହା ନୁହେଁ, ଝିଅମାନଙ୍କୁ ବାଇକ ରାଇଡିଂ ପ୍ରତି ଅଧିକରୁ ଅଧିକ ଆକର୍ଷିତ କରିବା ଲାଗି ‘ଓଡ଼ିଶା ବାଇକର୍ନି’ ନାମକ ଗ୍ରୁପ୍‌ ବି ଗଢ଼ିଛନ୍ତି। ସେ ହେଉଛନ୍ତି ଖୋର୍ଦ୍ଧାର ମନୀଷା ବେହେରା। ମନୀଷା କୁହନ୍ତି,‘ପିଲାଟିଦିନରୁ ମୁଁ ଦେଖିଆସିଛି ବାଇକ ଚଲଉଥିବା ଝିଅଙ୍କୁ ଅନେକେ ଖରାପ ନଜରରେ ଦେଖନ୍ତି। ସେମାନଙ୍କୁ ଅନେକ ଖରାପ କଥା ବି କୁହନ୍ତି। ତେଣୁ ସ୍ଥିର କରିଥିଲି ସମାଜର ଏଇ କୁତ୍ସିତ ମନୋଭାବକୁ ବଦଳାଇବି। ଚାକିରି କରୁଥିବା ସମୟରେ ମୁଁ ଜାଣିବାକୁ ପାଇଲି ‘ଦ ବାଇକର୍ନି’:ଆସୋସିଏଶନ୍‌ ଅଫ୍‌ ଫିମେଲ ବାଇକର୍ସ ଅଫ୍‌ ଇଣ୍ଡିଆ ନାମକ ଏକ ଗ୍ରୁପ୍‌ ଅଛି। ଏହି ଗ୍ରୁପ୍‌ର ପ୍ରତି ରାଜ୍ୟରେ ଚାପ୍ଟର୍ସ ବା ଶାଖା ଅଛି। ହେଲେ ଓଡ଼ିଶାରେ ଏହାର ଶାଖା ନ ଥିଲା। ତେଣୁ ଭାବିଲି ଓଡ଼ିଶାରେ କାହିଁକି ଓମେନ ରାଇଡର୍‌ ଗ୍ରୁପ୍‌ ହେଇପାରିବନି? ତେଣୁ ସେମାନଙ୍କୁ ଏ ସମ୍ପର୍କରେ ମେଲ୍‌ କରି ଜଣାଇଲି। ସେମାନେ ମତେ ଫିମେଲ ରାଇଡର୍‌ ଏକାଠି କରି ରେଜିଷ୍ଟ୍ରେଶନ୍‌ କରିବାକୁ କହିଲେ। ହେଲେ ସେତେବେଳେ ମୁଁ କୌଣସି ଫିମେଲ୍‌ ରାଇଡର୍‌ଙ୍କୁ ଜାଣି ନ ଥିଲି। ତେଣୁ ମୁଁ ଓଡ଼ିଶାକୁ ଆସିଥିବା ଇଟାଲିର ଜଣେ ଫିମେଲ ରାଇଡର୍‌ ଓ ପ୍ରୋସିଜ ଗଲ୍ୟାଣ ନାମ୍ନୀ ଆଉ ଜଣେ ରାଇଡର୍‌ଙ୍କ ସହ ସମ୍ପର୍କ କରି ପ୍ରଥମେ ତାଙ୍କ ସହ ରାଇଡ୍‌ କଲି। ଆଉ ପ୍ୟାନ୍‌ ଇଣ୍ଡିଆ ଗ୍ରୁପ୍‌ରେ ରେଜିଷ୍ଟ୍ରେଶନ୍‌ କରି ୨୦୧୫ରେ ‘ଓଡିଶା ବାଇକର୍ନି’ ଗ୍ରୁପ୍‌ ଗଢ଼ିଲି। ଏହାପରେ ଜଣ ଜଣ କରି ଲେଡି ବାଇକର୍‌ ଆମ ଗ୍ରୁପ୍‌ରେ ଯୋଗଦେଲେ। ଏବେ ଓଡିଶା ବାଇକର୍ନି ଗ୍ରୁପ୍‌ରେ ଅମିତା ସିଂ, ସୋନାଲି ଶିବାଂଶିକା, ଶୁଭସ୍ମିତା ପଟ୍ଟନାୟକ, ଶତଦ୍ରୁ ଶତପଥୀ, ଶିଖାୟତ ଛାଟୋଇ, ଫରହିନ ହୁସେନ ପ୍ରମୁଖଙ୍କୁ ମିଶାଇ ୧୨ ସଦସ୍ୟ ଅଛନ୍ତି। ଆଉ ସମସ୍ତେ ଓଡ଼ିଆ। ଆମେ ଚାରିଟି ରାଇଡ୍‌ ସହ ବିଭିନ୍ନ ସାମାଜିକ ସମସ୍ୟା ଉପରେ ସଚେତନତା ସୃଷ୍ଟି କରିବା ଲାଗି କଜ୍‌ ରାଇଡ୍‌ କରୁଛୁ। ଯେମିତିକି ମୋଲେଷ୍ଟେଶନ୍‌ ରାଇଡ, ରେପ୍‌ ଭିକ୍ଟିମ୍‌ଙ୍କୁ ଗ୍ରହଣ କରିବା ଲାଗି ରାଇଡ୍‌ ଆଦି। ନିକଟରେ କମିଶନରେଟ୍‌ ପୋଲିସ ଓ ରକ୍ଷକ ଫାଉଣ୍ଡେଶନ ଦ୍ୱାରା ଆୟୋଜନ କରାଯାଇଥିବା ‘ଗୋଲ୍ଡେନ ଆଓ୍ବାର’ ଇଭେଣ୍ଟରେ ମଧ୍ୟ ଆମ ଗ୍ରୁପ୍‌ ରାଇଡ୍‌ କରିଥିଲା। ଆଉ ଏଥିରେ ଆମକୁ ସମ୍ମାନିତ ବି କରାଯାଇଛି। ମୁଁ ଜଣେ ସରକାରୀ କର୍ମଚାରୀ। ହାଉସିଂ ଆଣ୍ଡ ଅର୍ବାନ ଡେଭେଲପ୍‌ମେଣ୍ଟ ବିଭାଗରେ ଆସିଷ୍ଟାଣ୍ଟ ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟର ଭାବେ କାମ କରେ। ଛୁଟି ବହୁତ କମ୍‌ ମିଳେ। ସେଥିରେ ବି ମୁଁ ଚେଷ୍ଟାକରେ କିଭଳି ବାଇକ୍‌ ରାଇଡ୍‌ କରିପାରିବି। ତେବେ ଏଇ ବାଇକ୍‌ ନିଶା ମୋର ପିଲାଟିଦିନରୁ ଥିଲା। ସପ୍ତମ ଶ୍ରେଣୀରେ ପଢ଼ିବାବେଳେ ବାପାଙ୍କ ବାଇକ୍‌କୁ ଧରି ନିଜେ ନିଜେ ଗଡ଼ଉଥିଲି। ଗାଁର ଜଣେ ଦାଦା ମୋର ଏଇ ଆଗ୍ରହ ଦେଖି ମତେ ବାଇକ୍‌ ଚଲେଇବା ଶିଖେଇଥିଲେ। ପରେ ଘରେ କିଛି ଜିନିଷ ଦରକାର ହେଲେ ମୁଁ ବାଇକ୍‌ ନେଇ ବଜାର ପଳଉଥିଲି। ବାଇକ୍‌ରେ ଗଲାବେଳେ ଲୋକେ ବଲବଲ କରି ଅନଉଥିଲେ। କେତେଜଣ ତ ଘରେ ଆସି କହିଲେ ଝିଅ ତମର ଅଣ୍ଡିରାଚଣ୍ଡୀ ଭଳି ଗାଡି ଚଲେଇ ବୁଲୁଛି। ତାକୁ ମନା କରୁନ। ମାମା ବି ସେମାନଙ୍କ କଥାରେ ପଡ଼ି ମତେ ମନାକଲା ଗାଡ଼ି ଚଲେଇବାକୁ। କହିଲା ଗାଁଗଣ୍ଡାରେ ଝିଅମାନେ ଏମିତି ଗାଡ଼ି ଚଲାନ୍ତିନି। ଏମିତି କଲେ ଆମେ ଲୋକହସା ହେବୁ। ହେଲେ ମୁଁ ମା’ କଥା ନ ମାନି ବେଶି ବାଇକ୍‌ ଚଲେଇଲି। ଲୋକ ମତେ ବାରମ୍ବାର ଦେଖି ତାଙ୍କର ଦେହସୁହା ହେଇଗଲା। ଆଉ କେହି କିଛି କହିଲେନି। ଧୀରେ ଧୀରେ ମୁଁ ଲଙ୍ଗ୍‌ ରାଇଡ୍‌ କରିବାକୁ ଲାଗିଲି। ଅନେକ ସମୟରେ ମୁଁ ବାପାଙ୍କୁ ପଛରେ ବସାଇ ବାଇକ୍‌ ଚଳାଇ ଯାଉଥିଲି। ସେତେବେଳେ ଲୋକେ ଅଧିକ ଅନାଉଥିଲେ। ଲୋକଙ୍କର ଏଭଳି ଅନେଇବା ହିଁ ମୋ ବାଇକ୍‌ ଚଲେଇବାର ଆଗ୍ରହକୁ ବଢ଼ାଉଥିଲା। ବୟସ ବଢ଼ିବା ସହ ମୁଁ ଅନୁଭବ କଲି ଯେ, ସମାଜ ଝିଅଙ୍କ ପାଇଁ ନିର୍ଦ୍ଧାରଣ କରିଥିବା ସୀମା ପାଇଁ ହିଁ ଝିଅଙ୍କ ଗାଡି ଚଳାଇବାକୁ ଖରାପ ବୋଲି କୁହାଯାଉଛି। ତା’ଛଡା ଆଉ କିଛି ନୁହେଁ। ତେଣୁ ଏହି ଭାବଧାରାକୁ ଭାଙ୍ଗିବାକୁ ଯାଇ ମୁଁ ଅଧିକରୁ ଅଧିକ ବାଇକ୍‌ ଚଳାଇଲି। ଆଉ ‘ଓଡ଼ିଶା ବାଇକର୍ନି’ ଗ୍ରୁପ୍‌ ଗଢ଼ିଲି। ୟା’ମଧ୍ୟରେ ବାଇକ୍‌ ଚଳାଇ ମୁଁ ସାରା ଓଡ଼ିଶା ଏକାକୀ ବାଇକ୍‌ରେ ବୁଲିସାରିଲିଣି। ଓଡ଼ିଶା ବାହାରେ କଲିକତା ଓ ବିଶାଖାପାଟଣା ରାଇଡ୍‌ କରି ଯାଇଛି। ତେବେ ଓଡ଼ିଶା ଭିତରେ ବାଇକ୍‌ ଚଳାଇବା ଅଧିକ ଚ୍ୟାଲେଞ୍ଜିଂ। ଗାଁ ଗହଳିର ଖରାପ ରାସ୍ତାରେ ଏକୁଟିଆ ଝିଅ ବାଇକ୍‌ ଚଳାଇ ଯିବାରେ ରିସ୍କ ଯେତିକି, ରୋମାଞ୍ଚ ବି ସେତିକି ଥାଏ। ଅନେକ ସମୟରେ ଅସାମାଜିକ ଲୋକ ହଇରାଣ କରିଛନ୍ତି।
ମହିଳା ବାଇକର୍‌ଙ୍କୁ ପୋଲିସ୍‌ର ବି ସହଯୋଗ ମିଳେନା। ଯେତେଥର ହଇରାଣ ହୋଇ ପୋଲିସ୍‌ର ସାହାଯ୍ୟ ଲୋଡିଛି ସେମାନେ ଉତ୍ତର ଦେଇଛନ୍ତି, ‘ଝିଅପିଲା ହେଇ ଏକୁଟିଆ ହମ ହମ ହେଇ ବାଇକ୍‌ ଧରି କାହିଁକି ବାହାରୁଥିଲ?’ ସେଥିପାଇଁ ମୁଁ ରାତିରେ କେବେ ଟ୍ରାଭେଲ କରେନି କି ପୋଲିସ୍‌ ସହାୟତା ନିଏନା। ଅସୁବିଧାବେଳେ ବାଇକ୍‌ର ସ୍ପିଡ୍‌ ବଢ଼େଇ ଖସିଯିବାକୁ ଚେଷ୍ଟାକରେ। ସୋଲୋ ରାଇଡ୍‌ କଲାବେଳେ ମୁଁ ମୋ ରୁଟ୍‌ ପରିବାର ଲୋକ, ବିଭିନ୍ନ ଜିଲାରେ ଥିବା ମୋ ସହକର୍ମୀ ଓ ବିଭିନ୍ନ ବାଇକର୍‌ ଗ୍ରୁପ୍‌ଙ୍କୁ ଜଣାଇ ରଖେ। କିଛି ଅସୁବିଧା ହେଲେ ସେମାନେ ସାହାଯ୍ୟ କରନ୍ତି। ଏମିତିରେ ଓଡିଶାର ନୂଆପଡା ଜିଲାକୁ ଛାଡ଼ି ସବୁ ଜିଲାକୁ ରାଇଡ କରିସାରିଲିଣି। ମୁଁ ଏବେ ‘ବାଇକ୍‌ ବାଲୀ’ଭାବେ ବେଶ୍‌ ପରିଚିତା। ଆଉ ଏଇ ପରିଚୟକୁ ନେଇ ହିଁ ସବୁବେଳେ ବଞ୍ଚତ୍ବାକୁ ଚାହେଁ।
ମହିଳା ବାଇକର୍‌ଙ୍କ ମର୍ଯ୍ୟାଦା ବଢ଼ାଇବାର ପଣରେ ଅମିତା : ଅନେକେ କୁହନ୍ତି, ‘ଯାହାର କିଛି କାମ ନ ଥାଏ କି ଦାୟିତ୍ୱ ନ ଥାଏ ସେ ମହିଳା ହିଁ ବାଇକ୍‌ ଧରି ଘିରି ଘିରି ବୁଲନ୍ତି।’ କେହି କେହି ତ ତାଙ୍କୁ ଲଗାମ୍‌ଛଡା ମହିଳାର ବି ଆଖ୍ୟା ଦେଇଦିଅନ୍ତି। ବାସ୍‌ ଏଇ କଥାକୁ ଭୁଲ୍‌ ପ୍ରମାଣିତ କରିବା ଲାଗି ବାଇକର୍‌ ଅମିତା ସିଂହ ପଣ କରିଥିଲେ। ସେ ନିଜେ ଜଣେ ସୁଗୃହିଣୀ। ଘରକାମ ସହ ପିଲାଙ୍କୁ ପଢ଼ାନ୍ତି। ତା’ସହ ରିୟଲ ଇଷ୍ଟେଟ ବିଜନେସ୍‌ କରନ୍ତି, ଇଣ୍ଡଲ୍ଜ ବ୍ରାଇଡାଲ ମଲ୍‌ର ସେ ମାଲିକ, ବେଲି ମିନେରାଲ ଓ୍ବାଟର୍‌ର ମାନୁଫାକ୍ଚରିଂ ୟୁନିଟ୍‌ର ସବୁ ଦାୟିତ୍ୱ ସେ ବୁଝନ୍ତି। ତାଙ୍କର ଏକ ଡିଜିଟାଲ ମାର୍କେଟିଂ ଅଫିସ୍‌ ବି ଅଛି। ଏସବୁର ଦାୟିତ୍ୱକୁ ସୁଚାରୁରୂପେ ତୁଲାଇବା ସହ ବ୍ଲାଇଣ୍ଡ ଆସୋସିଏଶନ୍‌ର ଭଲ୍ୟୁଣ୍ଟିୟର ଭାବେ କାମ କରି ଦୃଷ୍ଟିବାଧିତଙ୍କ ପାଇଁ ବିଭିନ୍ନ ପାଠ୍ୟକ୍ରମକୁ ରେକର୍ଡ କରି ପଠାନ୍ତି, ସୋସିଆଲ ଓ୍ବାର୍କ ବି କରନ୍ତି। ୟା’ ଭିତରେ ସମୟ ବାହାର କରି ସେ ସାରା ଭାରତରେ ଜଣେ ପ୍ରସିଦ୍ଧ ଫିମେଲ ବାଇକର୍‌ ଭାବେ ମଧ୍ୟ ନାଁ କମେଇବାରେ ସଫଳ ହୋଇଛନ୍ତି। ସେ ହେଉଛନ୍ତି ‘ଓଡ଼ିଶା ବାଇକର୍ନି’ ଗ୍ରୁପ୍‌ର ଅମିତା ସିଂହ। ବୟସ ତାଙ୍କୁ ୪୫ ବର୍ଷ। କାଓ୍ବାସାକି ୩୦୦, କେଟିଏମ୍‌ ୩୯୦, ବୁଲେଟ୍‌, ରୟାଲ ଏନଫିଲ୍ଡ କ୍ଲାସିକ୍‌ ୫୦୦ ଭଳି ବାଇକ୍‌ରେ ବିଭିନ୍ନ ସର୍ବଭାରତୀୟ ବାଇକ୍‌ ରାଇଡ କରି ସେ ଓଡ଼ିଶାର ନାଁ ରଖିଛନ୍ତି। ଭାରତର ବିଭିନ୍ନ ରାଜ୍ୟର ବାଇକର୍‌ ଗ୍ରୁପ୍‌ରେ ସେ ସଦସ୍ୟ ଥିବା ସହ ଅନେକ ଅନ୍ତର୍ଜାତୀୟ ଗ୍ରୁପ୍‌ରେ ବି ସାମିଲ ଅଛନ୍ତି। ବାଇକ୍‌ରେ ସାରା ଭାରତକୁ ଭ୍ରମଣ ବି କରିସାରିଛନ୍ତି। ଅମିତା କୁହନ୍ତି, ‘ବିଶାଖାପାଟଣା ମୋର ଘର। ଗାଡ଼ି ପ୍ରତି ଆଗ୍ରହ ଥିବାରୁ ନବମ ଶ୍ରେଣୀରେ ପଢ଼ିବାବେଳେ ବାପା ମତେ ତାଙ୍କ ଚେତକ ସ୍କୁଟର ଚଲାଇବା ଶିଖେଇଥିଲେ। ଦ୍ୱାଦଶ ପଢ଼ିବାବେଳେ ମୁଁ ରାଜଦୂତ ଓ ଡିଗ୍ରୀ କଲାବେଳେ ସୁଜୁକି ଗାଢ଼ି ଚଳାଇଲି। ବାହାଘର ମୋର ଓଡ଼ିଶାରେ ହେଲା। ବାହାଘରର କିଛିଦିନ ପର୍ଯ୍ୟନ୍ତ ଗାଡି ଚଳାଇବା ମୋର ବନ୍ଦ ହେଇଯାଇଥିଲା। ଶାଶୁଘରେ କେହି ଜାଣି ନ ଥିଲେ ମୁଁ ବାଇକ ଚଲାଏ ବୋଲି। ହେଲେ ବାଇକ୍‌ ଦେଖିଲେ ମତେ ଚଲେଇବାକୁ ଭାରି ଇଚ୍ଛା ହେଉଥିଲା। ଶେଷରେ ଆଉ ରହିପାରିଲିନି। ୨୦୧୫ରେ ଥରେ ମୁଁ ମୋ ଷ୍ଟାଫ୍‌ଙ୍କ ବାଇକ୍‌କୁ କିଛି ସମୟ ପାଇଁ ଚଲେଇଲି। ଏହାପରେ ବାଇକ୍‌ ନିଶା ପୁଣିଥରେ ବଢ଼ିଲା। ଥରେ ଏକ ରାଲିରେ ଓଡିଶା ବାଇକର୍ନି ଗ୍ରୁପ୍‌ର ସଦସ୍ୟଙ୍କୁ ଭେଟିଲି। ଆଉ ସେଥିରେ ସାମିଲ ହେଇଗଲି। ସେତେବେଳେ ଓଡ଼ିଶା ବାଇକର୍ନି ଗ୍ରୁପ୍‌କୁ କେହି ଜାଣି ନ ଥିଲେ। ମୁଁ ଭାବିଲି ଏଇ ଗ୍ରୁପ୍‌କୁ କେମିତି ସାରା ଭାରତ ଜାଣିବ ସେଭଳି କିଛି କାମ କରିବାକୁ ହେବ। ତେଣୁ ଯେତେବେଳେ ଷ୍ଟେଟ୍‌ ବାଇକ୍‌ ରାଇଡ୍‌ ହେଉଥିଲା ଓ ବାଇକରମାନେ ଓଡ଼ିଶା ଦେଇ ଯାଉଥିଲେ ମୁଁ ସେମାନଙ୍କ ସହ ଦେଖା କରୁଥିଲି। ଏମିତିରେ ଅନେକ ବାଇକର୍‌ଙ୍କ ସହ ମୋର ପରିଚୟ ହେଲା। ଆଉ ଯେବେ ସରକାରଙ୍କ ତରଫରୁ କିଛି ଇଭେଣ୍ଟର ଆୟୋଜନ ହେଲା ସେମାନେ ମତେ ଯୋଗାଯୋଗ କଲେ। ଆଉ ମୁଁ ଓଡ଼ିଶାକୁ ପ୍ରତିନିଧିତ୍ୱ କରି ବାଇକ୍‌ ରାଇଡ୍‌ରେ ଗଲି। ପ୍ରଥମେ ମତେ ମଧ୍ୟପ୍ରଦେଶ ଟୁରିଜମ୍‌ର ରାଇଡ୍‌ ମିଳିଥିଲା। ସବୁ ରାଜ୍ୟରୁ ୧୫ ରାଇଡର୍‌ ଏଥିରେ ସିଲେକ୍ଟ ହୋଇଥିଲେ। ସେଥିରେ ମୋତେ ବି ଚୟନ କରାଯାଇଥିଲା। ସେଠି ମତେ ‘ଏମ୍‌ପି ଟୁରିଜମ୍‌ ଟାଇଗ୍ରେସ୍‌’ ଟାଇଟଲ ପ୍ରଦାନ କରାଯାଇଥିଲା। ପରେ ଭାରତ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜନ କରାଯାଇଥିବା ‘ୟୁନିଟି ରାଇଡ୍‌’ର ‘୭୫ ରାଇଡର୍ସ, ୭୫ ଡେଜ୍‌, ୭୫ ସିଟିଜ୍‌ କାର୍ଯ୍ୟକ୍ରମରେ ମୁଁ ସିଲେକ୍ଟ ହେଇଥିଲି। ଏଥିରେ କେବଳ ୧୧ଜଣ ଝିଅ ଚୟନ ହୋଇଥିଲେ, ଯେଉଁଥିରେ ଓଡ଼ିଶାରୁ ମୁଁ ଥିଲି। ୨୪୦୦୦ କି.ମି.ର ଏହି ରାଇଡ୍‌ ପାଇଁ ପୂରା ୩ ମାସ ମତେ ଘର ପରିବାର ଛାଡ଼ିବାକୁ ପଡ଼ିଥିଲା। ଆଉ କନ୍ୟାକୁମାରୀରୁ ବାରାଣସୀ ଏବଂ ଗାନ୍ଧୀନଗରରୁ ସିଲଂ ବାଇକ୍‌ରେ ଟ୍ରାଭେଲ କରିଥିଲି। ଏହି ରାଇଡ୍‌ ବହୁତ କଷ୍ଟକର ଓ ଚ୍ୟାଲେଞ୍ଜିଂ ଥିଲା। ହେଲେ ଓଡ଼ିଶା ଝିଅଙ୍କର ନାଁ ରହିବ ବୋଲି ତାକୁ ମୁଁ କରିଥିଲି। ଏଥିରେ ମୋ ପରିବାର ସଦସ୍ୟ ବି ବହୁତ ସପୋର୍ଟ କରିଥିଲେ। ଏହାପରେ ଲେହ-ଲଦାଖ ଅଲ୍‌ ଇଣ୍ଡିଆ ଓମେନ ରାଇଡ୍‌ରେ ବି ଚୟନ ହେଇଥିଲି। ସେହି ରାଇଡ୍‌ ପାଇଁ କାର୍ଗିଲ ଓ କଶ୍ମୀରରେ ମତେ ସାର୍ଟିଫିକେଟ୍‌ ଦିଆଯାଇଥିଲା। ସିଆଚେନ୍‌ ଓ ଉତ୍ତରପୂର୍ବ ଭାରତର ବିଭିନ୍ନ ଦୁର୍ଗମ ରାସ୍ତାରେ ବି ମୁଁ ବାଇକ୍‌ ରାଇଡ୍‌ କରିଛି। ମୁଁ କେବଳ ରାଜ୍ୟ ଓ କେନ୍ଦ୍ର ସରକାର ଆୟୋଜନ କରୁଥିବା ବିଭିନ୍ନ ରାଇଡ୍‌ରେ ଅଂଶଗ୍ରହଣ କରିଥାଏ। ଯେମିତିକି ଓଡ଼ିଶାର ନାଁ ରହିବ ଏବଂ ଓଡ଼ିଶା ଝିଅଙ୍କ ନାମ ରହିବ। ଆସନ୍ତା ଜୁନ୍‌ ୨୫ରେ କେନ୍ଦ୍ର ସରକାରଙ୍କ ନାର୍କୋଟିକ୍‌ ବିଭାଗ ତରଫରୁ ‘ନୋ ଟୁ ଡ୍ରଗସ୍‌’ ରାଇଡ୍‌ ହେବାକୁ ଯାଉଛି। ଏଥିରେ ମତେ ଷ୍ଟେଟ୍‌ ହେଡ୍‌ କରାଯାଇଛି। ସାରା ଭାରତର ବାଇକର୍‌ମାନେ ବିଭିନ୍ନ ସ୍ଥାନରେ ଥାଇ ଏକା ସମୟରେ ଉକ୍ତ ରାଇଡ୍‌ ଆରମ୍ଭ ହେବ। ୪୦.କି.ମିର ଉକ୍ତ ରାଇଡ୍‌କୁ ଏକ ଆପ୍‌ ଯୋଗେ ଟ୍ରାକ୍‌ କରାଯିବ। ଏହା ଗିନିଜ ବୁକ୍‌ ଅଫ୍‌ ଓ୍ବାର୍ଲଡ ରେକର୍ଡରେ ସବୁଠୁ ବଡ଼ ବାଇକ୍‌ ରାଇଡ୍‌ ଭାବେ ସ୍ଥାନ ପାଇବ। ଏଭଳି ଏକ ଇଭେଣ୍ଟରେ ଓଡ଼ିଶାର ଲେଡି ବାଇକର୍ସ ସାମିଲ ହେବା ନିଶ୍ଚିତଭାବେ ଗର୍ବର କଥା ହେବ। ମତେ ସବୁବେଳେ ଚ୍ୟାଲେଞ୍ଜ ପସନ୍ଦ। ତେଣୁ ରାସ୍ତା ଯେତେ ଦୁର୍ଗମ ହୁଏ ବାଇକ୍‌ ଚଲାଇବାକୁ ସେତେ ଅଧିକ ମଜାଲାଗେ। ଅନେକଥର ପଡ଼ିଛି ପୁଣି ଉଠି ଗାଡ଼ି ଚଲେଇଛି ଓ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ଛି। ହେଲେ କେବେ କାହାରି ସାହାଯ୍ୟ ନେଇନି। ଆଉ ପ୍ରମାଣିତ କରିଛି ଝିଅମାନେ ସବୁ କରିପାରିବେ। ଥରେ ମେଘାଳୟର ଆଇଜଲ ଗଲାବେଳେ ତ ଗିୟର ପାଖ ଫୁଟ୍‌ରେଷ୍ଟ ଭାଙ୍ଗିଗଲା। ତା’ସହ ପ୍ରବଳ ବର୍ଷାରେ ରାସ୍ତା ବି ଦେଖାଯାଉ ନ ଥିଲା। ଏତିକିବେଳେ ଆଗରୁ ଏକ ଟ୍ରକ୍‌ ଆସିଥିଲା। ଟ୍ରକ ଲାଇଟ୍‌ ଆଖିରେ ପଡ଼ିଲା। କିଛି ଦେଖାଗଲାନି। ସେତେବେଳେ ଭାବିଥିଲି ଆଜି ମୁଁ ବଞ୍ଚତ୍ବିନି। ବାଇକ୍‌ ଛାଡ଼ି ମୁଁ ରାସ୍ତାକଡକୁ ଡେଇଁପଡ଼ିଥିଲି। ସେଠାରେ ଥିଲା ବଡ଼ ଘାଇ। ଆଉ ପାଦେ ଯଦି ଆଗକୁ ଡେଇଁଥାନ୍ତି ତେବେ ଘାଇରେ ପଡ଼ି ମରିଥାନ୍ତି। ହେଲେ ଠାକୁରଙ୍କ ଦୟାରୁ ବଞ୍ଚତ୍ୟାଇଥିଲି। ତା’ପରେ ଫୁଟ୍‌ରେଷ୍ଟ ନ ଥିବା ଗାଡ଼ିକୁ ଉଠାଇ ଗୋଟିଏ ଗିୟର ଦେଇ ପ୍ରବଳ ବର୍ଷାରେ ଗାଡି ଚଲେଇ ୪୦ କି.ମି. ଯାଇଥିଲି। ସବୁବେଳେ ଭାବେ ମୁଁ ନିଜକୁ ନୁହେଁ ଓଡ଼ିଶାର ଲେଡି ବାଇକର୍‌ ଗ୍ରୁପ୍‌ଙ୍କୁ ରିପ୍ରେଜେଣ୍ଟ କରୁଛି। ତେଣୁ ସବୁ ଚ୍ୟାଲେଞ୍ଜକୁ ଦୃଢ଼ତାର ସହ ଗ୍ରହଣ କରି ଆଗେଇଥାଏ। ଓଡ଼ିଶାରୁ ମୁଁ ବହୁତ କିଛି ପାଇଛି, ତେଣୁ ଓଡ଼ିଶାକୁ ମୁଁ କ’ଣ ଦେଇପାରିବି ସେଇ ପ୍ରୟାସ ମୁଁ କରିଥାଏ।
ବାଇକ୍‌ ରାଇଡ୍‌ ବେଳେ ହଜିଯାଇଥିଲି: ବାଇକର୍ନି ଗ୍ରୁପ୍‌ର ଆଉ ଜଣେ ସକ୍ରିୟ ସଦସ୍ୟା ହେଉଛନ୍ତି ଭୁବନେଶ୍ୱରର ଶୁଭସ୍ମିତା ପଟ୍ଟନାୟକ। ତିନିଦିନରେ ସାତୋଟି ରାଜ୍ୟକୁ ବାଇକ୍‌ ରାଇଡ୍‌ କରିବାର ଗୌରବ ସେ ଅର୍ଜନ କରିଛନ୍ତି। ବାଇକିଂ ଅନୁଭୂତି ସମ୍ପର୍କରେ ଶୁଭସ୍ମିତା କୁହନ୍ତି, ‘ମୋ ସାନଭାଇର ବାଇକ ଚଳାଇବା ଦେଖି ମୋର ବି ଚଳାଇବାକୁ ଇଚ୍ଛା ହେଇଥିଲା। ଆଉ ଦଶମ ଶ୍ରେଣୀରେ ପଢିବାବେଳେ ସାନଭାଇ ହିଁ ମତେ ବାଇକ୍‌ ଚଲାଇବା ଶିଖେଇଲା। କଲେଜ୍‌କୁ ମୁଁ ବାଇକ୍‌ ନେଇକି ଯାଉଥିଲି। ଏବେ ମୋ ପାଖରେ ଭିକ୍ଟର, ପଲ୍‌ସର୍‌, ରୟାଲ ଏନ୍‌ଫିଲ୍ଡ ୩୫୦, ଥଣ୍ଡରବର୍ଡ ୫୦୦ ଆଦି ବାଇକ୍‌ ଅଛି। ବିପିୟୁଟିରେ ମେକାନିକାଲ ଇଞ୍ଜିନିୟରିଂ କରିବା ପରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଏଲ୍‌ଏଲ୍‌ବି ଓ ଏବେ ଏଲ୍‌ଏଲ୍‌ଏମ୍‌ କରୁଛି। ତେବେ ମଝିରେ ମୁଁ ୪ ବର୍ଷ BOSCH କମ୍ପାନୀରେ ଆସିଷ୍ଟାଣ୍ଟ ମ୍ୟାନେଜର୍‌ ଭାବେ କାମ କରୁଥିଲି। ସେତେବେଳେ ମୁଁ ରାଜସ୍ଥାନରେ ରହୁଥିଲି। ସେଠି ଦ ବାଇକର୍ନିର ରାଜସ୍ଥାନ ଚାପ୍ଟର ‘ପିଙ୍କ୍‌ ସିଟି ବାଇକର୍ନି’ ଗ୍ରୁପ୍‌ ଅଛି। ସେଇ ଗ୍ରୁପ୍‌ରେ ମୁଁ ଜଏନ୍‌ ହେଇଥିଲି। ଆଉ ସେଠି ବିଭିନ୍ନ କଜ୍‌ ରାଇଡ୍‌ କରିଥିଲି। ପରେ ମୁଁ ଭୁବନେଶ୍ୱର ଆସିଯାଇଥିଲି। ତେଣୁ ପିଙ୍କ୍‌ ସିଟି ବାଇକର୍ନି ଗ୍ରୁପ୍‌ ମତେ କହିଥିଲେ ଓଡ଼ିଶା ବାଇକର୍ନିରେ ଜଏନ୍‌ ହେବାକୁ। ୨୦୧୬ରେ ମୁଁ ଓଡ଼ିଶା ବାଇକର୍ନିରେ ଯୋଗଦେଲି। ଏଠି ମୁଁ ବିଭିନ୍ନ କଜ୍‌ ରାଇଡ୍‌ରେ ଯୋଗଦେଇଛି। ନିକଟରେ ‘ଗୋଲ୍ଡେନ୍‌ ଆଓ୍ବାର’ ରାଇଡ୍‌ ବି କରିଥିଲୁ। ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କ ଲାଗି ସାଧାରଣ ବ୍ୟକ୍ତି ସାଙ୍ଗେସାଙ୍ଗେ କ’ଣ ପଦକ୍ଷେପ ନେବା ଜରୁରୀ ସେ ସମ୍ପର୍କରେ ସଚେତନତା ସୃଷ୍ଟି କରାଇବା ପାଇଁ ଏହି ରାଇଡ୍‌ର ଆୟୋଜନ ହୋଇଥିଲା। ଏହାବାଦ୍‌ ଆମେ ସ୍ବାଧୀନତା ଦିବସ, ଗଣତନ୍ତ୍ର ଦିବସ, ଓମେନ୍ସ ଡେ’ଭଳି ବିଭିନ୍ନ ଖାସ୍‌ ଦିନରେ ବାଇକ୍‌ ରାଇଡ୍‌ କରିଥାଉ। ତେବେ ମୁଁ ରାଜସ୍ଥାନରେ ଥିବାବେଳେ ଥରେ ଘରେ ନ ଜଣେଇ ଜୟପୁରରୁ ଓଡ଼ିଶା ୨୧୦୦ କି.ମି. ରାସ୍ତାକୁ ବାଇକ୍‌ ରାଇଡ୍‌ କରିଥିଲି। ତିନିଦିନରେ ମୁଁ ସାତୋଟି ରାଜ୍ୟ କଭର୍‌ କରି ଓଡ଼ିଶାରେ ପହଞ୍ଚତ୍ଥିଲି। ଏଇ ରାଇଡ୍‌ ବେଳେ ଥରେ ଭୁଲ ରୁଟ୍‌ରେ ଯାଇ ବୋକାରୋ ପୂର୍ବର ଏକ ନକ୍ସଲପ୍ରବଣ ଅଞ୍ଚଳର ଜଙ୍ଗଲିଆ ରାସ୍ତାରେ ପହଞ୍ଚତ୍ ଯାଇଥିଲି। ସେତେବେଳେ ଗାଡ଼ିରେ ତେଲ ଅଳ୍ପ ଥାଏ, ମୋବାଇଲରେ ଚାର୍ଜ ନ ଥାଏ, ଆଖପାଖରେ ବି କେହି ଦେଖାଯାଉ ନ ଥାନ୍ତି। ସନ୍ଧ୍ୟା ହେଇଯାଇଥାଏ। ଗୋଟେପଟେ ଜଙ୍ଗଲି ଜୀବଜନ୍ତୁଙ୍କ ଭୟ, ଅନ୍ୟପଟେ ନକ୍ସଲଙ୍କ ଆକ୍ରମଣ। ରାସ୍ତା ଖୋଜିବା ପାଇଁ ଘୂରି ବୁଲିଲେ ତେଲ ସରିଯିବ। ତେଣୁ କିଛି ନ କରି ଗାଡିର ଷ୍ଟାଣ୍ଡ ମାରି ଗାଡ଼ି ଉପରେ ବସି ହନୁମାନ ଚାଳିଶା ପଢ଼ିଲି। କିଛି ସମୟ ପରେ ଜଣେ ବ୍ୟକ୍ତି ଲୁନାରେ ଆସୁଥିବା ଦେଖିଲି। ତାଙ୍କୁ ଅଟକାଇ କହିଲି ଭାଇ ତମେ ନକ୍ସଲ ନୁହଁ ତ? ସେ କହିଲେ ନା, ମୁଁ ପାଖ ଗାଁର। ତା’ପରେ ମୁଁ ତାଙ୍କ ଲୁନା ପଛେ ପଛେ ୧୦ କି.ମି. ଆସି ବୋକାରୋ ସହରରେ ପହଞ୍ଚିଲି। ସେ ଲୋକ ଜଣକ କହିଲେ ରାତିରେ କୁଆଡେ ନ ଯାଇ ଏଇଠି ରହିଯାଅ। କାରଣ ରାତିରେ ଗଲେ ନକ୍ସଲ ଗୁଳି ମାରିଦେବେ। ସେଠାକାର ଏକ ହୋଟେଲରେ ରାତିରେ ରହିଗଲି। ସକାଳେ ଜାମସେଦ୍‌ପୁର ଦେଇ କେନ୍ଦୁଝର ରୁଟ୍‌ରେ ଘରକୁ ଆସିଲି। ଏହାବାଦ୍‌ ବି ଅନେକ ସମୟରେ ଏକୁଟିଆ ବାଇକ୍‌ ରାଇଡ୍‌ କଲାବେଳେ ଲୋକ ଯଦି ଜାଣିଯାଆନ୍ତି ମୁଁ ଝିଅ ବୋଲି ପିଛାକରି ହଇରାଣ ମଧ୍ୟ କରିଛନ୍ତି। ଏସବୁକୁ ସାମ୍‌ନା କରି ହିଁ ବାଇକ୍‌ ଚଲେଇବାକୁ ହୁଏ। ଓମେନ୍‌ ବାଇକର୍‌ଙ୍କୁ ନିଜ ସୁରକ୍ଷା କଥା ନିଜେ ଭାବିବାକୁ ହୁଏ। ସେଥିପାଇଁ ସବୁବେଳେ ସତର୍କ ରହିବା ଜରୁରୀ। ଆଉ ସବୁଠୁ ବଡ଼କଥା ହେଲା ପରିବାରର ସହଯୋଗ ବି ଦରକାର। ସେମାନେ ସାଥିରେ ଥିଲେ କାହାରିକୁ ଡର ରହେନା। ’
ସଙ୍ଗୀତାଙ୍କ ‘ଉଇ ଦ ରୋଡ୍‌ କୁଇନ୍‌ସ’: ଅଧିକରୁ ଅଧିକ ଝିଅଙ୍କୁ ବାଇକ୍‌ ରାଇଡ୍‌ ପାଇଁ ପ୍ରୋତ୍ସାହିତ କରିବା ଓ ମହିଳା ବାଇକର୍‌ଙ୍କୁ ସମାଜରେ ଉଚିତ ସମ୍ମାନ ଦେବା ଉଦ୍ଦେଶ୍ୟ ନେଇ ୨୦୧୬ରେ ଭୁବନେଶ୍ୱରର ସଙ୍ଗୀତା ସାହୁ ଗଢ଼ିଥିଲେ ‘ଉଇ ଦ ରୋଡ୍‌ କୁଇନ୍ସ’ ନାମକ ଫିମେଲ୍‌ ବାଇକର୍‌ ଗ୍ରୁପ୍‌। ‘ବାଇକିଂ ବାଏ ପ୍ୟାଶନ୍‌ ଆଣ୍ଡ ସୋସିଆଲ ଓ୍ବାର୍କ ବାଏ କମ୍ପାସନ୍‌’ ହେଉଛି ତାଙ୍କ ଗ୍ରୁପ୍‌ର ମୋଟୋ। ତେଣୁ ବାଇକ୍‌ ଚଳାଇ ସେମାନେ କରିଛନ୍ତି ଅନେକ ସମାଜ ସେବାମୂଳକ କାର୍ଯ୍ୟ। ସଙ୍ଗୀତା କୁହନ୍ତି, ‘ପିଲାଦିନୁ ମତେ ରାଜଦୂତର ଶବ୍ଦ ଓ ତା’ର ମାଚୋ ଲୁକ୍‌ ବହୁତ ପସନ୍ଦ ଥିଲା। ପରେ ଅଷ୍ଟମ ଶ୍ରେଣୀ ବେଳେ ମୁଁ ବୁଲେଟ୍‌ ଚଲାଇବା ଶିଖିଲି। ଆର୍ମି ଘରର ଝିଅ ମୁଁ, ହଟାକଟା ଶରୀର। ତେଣୁ ଗାଡ଼ି ଚଳାଇବାରେ ବେଶି କଷ୍ଟ ହେଇ ନ ଥିଲା। ସ୍କୁଲ, କଲେଜ ମୁଁ ବାଇକ୍‌ରେ ଯାଉଥିଲି। ସେତେବେଳେ ମୁଁ ସାଙ୍ଗସାଥୀ, ଭାଇମାନଙ୍କଠୁ ଗାଡ଼ି ମାଗିକି ଚଲଉଥିଲି। ଆଉ ମୁଁ ଗାଡି ଚଲାଇବାବେଳେ ଲୋକେ ମତେ ଡବ ଡବ କରି ଅନଉଥିଲେ। ଅନେକ କଥା ବି କହୁଥିଲେ। ପରେ ମୁଁ ଇମିଗ୍ରେଶନ୍‌ ଚାକିରି କରି ଦୁବାଇ ଚାଲିଯାଇଥିଲି। ସେଠି ମଧ୍ୟ ଗାଡି ଭଡାରେ ଆଣି ଚଲାଇଛି। ଓ୍ବାର୍କ ଟ୍ରିପ୍‌ ଓ ପର୍ସନାଲ ଟ୍ରିପ୍‌କୁ ମିଶାଇ ମୁଁ ୧୪ଟି ଦେଶ ବୁଲିଛି। ଆଉ ସବୁଠି ବାଇକ୍‌ ରାଇଡ୍‌ର ମଜା ବି ଉଠାଇଛି। ଓମାନ ପରି ମୁସଲମାନ ଦେଶରେ ବି ବାଇକ୍‌ ଚଳାଇଛି। ଭାରତର ମନାଲି- ଲେହ ରୁଟ୍‌ରେ ଚଲାଇବାର ଅନୁଭୂତି ଥିଲା କିଛି ଭିନ୍ନ। ଭୁବନେଶ୍ୱରକୁ ମୁଁ ୨୦୧୦ରେ ଫେରିଥିଲି। ପରେ ବାହାଘର ହେଲା। ମୁଁ ଦୁଇମାସର ଗର୍ଭବତୀ ଥିବାବେଳେ ଥରେ ମୁଁ ଏକ ଗ୍ଲାଡିଏଟର୍‌ ବାଇକ୍‌ ଚଲାଉଥାଏ। ଦୁଇଜଣ ପୁଅ ମତେ ଦେଖି ଝିଅଟେ କହି କମେଣ୍ଟ କଲେ। ବହୁତ ଖରାପ ଭାଷାରେ ଅନେକ କଥା କହିଲେ। ମୋ ଆଗରେ ପଛରେ ଗାଡି ଚଳାଇବାକୁ ଲାଗିଲେ। ଆକ୍ସିଡେଣ୍ଟର ଡର ଥିଲା। ଶେଷରେ ରନିଂ ବାଇକ୍‌ରେ ହିଁ ମୁଁ ତାଙ୍କ ପାଖକୁ ଯାଇ ଜଣଙ୍କର କଲାର୍‌ ଧରିନେଲି। କହିଲି, ‘ବାଇକ୍‌ ରଖ। ଦମ୍‌ ଅଛି ଯଦି ମତେ ଏବେ ସାମ୍‌ନା ସାମ୍ନି କହ କ’ଣ କହିବାର ଅଛି।’ ମୁଁ ତାକୁ ତାରି ଭାଷାରେ ଅନେକ କଥା ବି କହିଲି। ଏମିତି ବାଇକ୍‌ ଚାଲିଥାଏ। ସେମାନେ ଯେତେବେଳେ ଜାଣିଲେ ମୁଁ ଓଡ଼ିଆ ମତେ ସରି କହିଲେ। ହେଲେ ସେତେବେଳକୁ ରାଗ ପଞ୍ଚମକୁ ଉଠି ଯାଇଥାଏ। ଗୋଟେ ଗୋଇଠା ମାରିଦେଲି ସେମାନେ ପଡ଼ିଗଲେ। ସେତେବେଳେ ମୁଁ ଭାବିଲି ଏପର୍ଯ୍ୟନ୍ତ ଲୋକଙ୍କ ମନରେ ବାଇକ୍‌ ଚଲଉଥିବା ଝିଅଙ୍କ ପ୍ରତି ସେଇ ଖରାପ ଭାବନା ଅଛି। କିଛି ବଦଳିନି। ତେଣୁ ଝିଅମାନେ ବାଇକ୍‌ ଚଳାଇବାକୁ ସାଧାରଣ କଥାରେ ପରିଣତ କରିବା ତଥା ସମାଜ ଏହାକୁ ଗ୍ରହଣ କରିବା ଲାଗି ଅଧିକରୁ ଅଧିକ ଝିଅ ବାଇକ୍‌ ଚଳାଇବା ନିହାତି ଜରୁରୀ। ସେଥିପାଇଁ ଏକ ଗ୍ରୁପ୍‌ ଗଢ଼ିବାର ଆବଶ୍ୟକତା ଅଛି। ହେଲେ ମୁଁ ଗର୍ଭବତୀ ଥିବାରୁ ସେତେବେଳେ କିଛି କରିପାରିଲିନି। ଛୁଆ ହେବାର ୨-୩ ବର୍ଷ ପରେ ୨୦୧୬ରେ ମୁଁ ଗାଡି ଚଲଉଥିବା ଝିଅମାନଙ୍କୁ ଏକାଠି କଲି। ସେଥିରେ ସମାଜ ଓ ପରିବାର ଭୟରେ ଲୁଚି ଲୁଚି ଗାଡି ଚଲଉଥିବା ଅନେକ ଝିଅ ବି ସାମିଲ ହେଲେ। ଆଉ ଆମ ଗ୍ରୁପ୍‌ର ନାଁ ଦେଲି ‘ଉଇ ଦି ରୋଡ୍‌ କୁଇନ୍‌ସ’। ଆମ ଗ୍ରୁପ୍‌ର ମର୍ଯ୍ୟାଦା ବଢାଇବା ଲାଗି ବିଭିନ୍ନ ସୋସିଆଲ କଜ୍‌ ନେଇ ରାଇଡ୍‌ ଆରମ୍ଭ କଲି। ଏସିଡ ଆଟାକ୍‌ ଭିକ୍ଟିମ୍‌ଙ୍କୁ ସହାୟତାଠାରୁ ଆରମ୍ଭକରି ବୃକ୍ଷରୋପଣ ପାଇଁ ଆମେ ଅନେକ ବାଇକ୍‌ ରାଇଡ କରିଛୁ। ଏମିତିରେ ୨୦୧୨ରେ ଏସିଡ୍‌ ଆଟାକ୍‌ର ଶିକାର ହୋଇଥିବା ଏକ ଝିଅକୁ ଚିକିତ୍ସା ଯୋଗାଇବା ଲାଗି ୨୦୨୧ରେ ମୁଁ ନିଜେ ଭୁବନେଶ୍ୱରର ଶିଖରଚଣ୍ଡୀ ମନ୍ଦିରରୁ ବିରଜା ମନ୍ଦିର ଯାଏ ଦଶହରା ଦିନ ଦୁର୍ଗା ରୂପରେ ନାଲି ଶାଢ଼ି, ଗହଣା ଓ ମୁକୁଟ ପିନ୍ଧି ବାଇକ୍‌ ଚଲେଇ ଯାଇଥିଲି। ଗଲାବେଳେ ଟ୍ରାଫିକ୍‌ ପୋଲିସ୍‌ ମତେ ନମସ୍କାର କରିଥିଲେ। ଲୋକେ ଅଟକାଇ ଫଟୋ ଉଠାଉଥିଲେ। ସେଦିନ ଅନେକ ଲୋକ ସେହି ଝିଅ ପାଇଁ ଟଙ୍କା ଦାନ କରିଥିଲେ। ସେଇ ଟଙ୍କାରେ ସେ ଝିଅର ଅପରେଶନ୍‌ ବି ହେଲା। ସାଧାରଣ ବାଇକ୍‌ ଚଲେଇ ଗୋଟେ ଝିଅର ଜୀବନକୁ ସୁଧାରିପାରିଥିବାରୁ ବହୁତ ଖୁସି ଲାଗିଥିଲା। ଏହାବାଦ୍‌ ଆମେ ବିଭିନ୍ନ ସାମାଜିକ ସଚେତନତାମୂଳକ ବାର୍ତ୍ତା ନେଇ ବାଇକ୍‌ ରାଇଡ୍‌ କରିଛୁ। ଅନେକ ସ୍ଥାନରେ ବାଇକ୍‌ ରାଇଡ କରି ବୃକ୍ଷରୋପଣ ବି କରିଛୁ। ଯେମିତିକି ନିଆଳିରେ ଆମେ ଶହୀଦ ମନୋଜ ବେହେରାଙ୍କ ଉଦ୍ଦେଶ୍ୟରେ ୪୦ଟି ଗଙ୍ଗଶିଉଳି ଗଛ ଲଗେଇଥିଲୁ। ଏଭଳି ରାଇଡ ଦେଖି ଅନ୍ୟ ଝିଅମାନେ ବି ପ୍ରେରଣା ପାଉଛନ୍ତି। ଅଧିକରୁ ଅଧିକ ଝିଅ ବାଇକ୍‌ ଚଲେଇବାକୁ ଆଗେଇ ଆସୁଛନ୍ତି। ଟ୍ରାଫିକ୍‌ ନିୟମକୁ ନେଇ ଆମେ ଏକ ଆନ୍ଥେମ୍‌ ଭିଡିଓ ବି କରିଥିଲୁ। ତାହା ଏକ ର଼୍ୟାପ୍‌ ସଙ୍ଗ୍‌ ଭଳି ଥିଲା। ଆମ ଗ୍ରୁପ୍‌ରେ ଏବେ ୧୨ ସଦସ୍ୟ ଅଛନ୍ତି। ମୋ ସ୍ବାମୀଙ୍କର ନିକଟରେ ଲକ୍ଷ୍ନୌ ବଦଳି ହୋଇଯାଇଛି। ତେଣୁ ମୁଁ ଲକ୍ଷ୍ନୌ ଚାଲିଆସିଛି। ପିଲାମାନେ ଛୋଟ ଅଛନ୍ତି। ସେମାନଙ୍କ ଲାଗି ମୁଁ କିଛି ସମୟ ପାଇଁ ବାଇକ୍‌ ଚଳାଇବାଠୁ ବିରତି ନେଇଛି। ତେବେ ମୁଁ ଏତିକି କହିବି ମହିଳା ରାଇଡର୍‌ଙ୍କ ଜୀବନ ଏତେଟା ସହଜ ନୁହେଁ। ସେମାନେ ଆଗେଇବାକୁ ହେଲେ ପ୍ରଥମେ ପରିବାରର ସହଯୋଗ ନିହାତି ଜରୁରୀ।
ପଢ଼ା ସହ ଚାଲିଛି ବାଇକ୍‌ ରାଇଡ୍‌: ସୁପ୍ରିୟା ଜେନା, ରୋଡ୍‌ କୁଇନ୍ସ ଗ୍ରୁପ୍‌ର ଜଣେ ସଦସ୍ୟା। ଘର ହାଉସିଂବୋର୍ଡ ଚନ୍ଦ୍ରଶେଖର ପୁରରେ। ସେ କୁହନ୍ତି, ‘ରମାଦେବୀରେ ପଢ଼ିବାବେଳେ କେତେଜଣ ଝିଅ ବାଇକ୍‌ ଚଲଉଥିଲେ। ତାଙ୍କୁ ଦେଖି ମୋର ବି ଇଚ୍ଛା ହେଲା। ପ୍ରଥମେ ଜଣେ ଭାଇ ମତେ କିଛିଟା ଗାଡ଼ି ଶିଖେଇଥିଲେ। ତା’ପରେ ନିଜେ ଚେଷ୍ଟାକରି ଗାଡ଼ିଚଲା ଭଲଭାବେ ଶିଖିଗଲି। ଘରେ ଜାଣି ନ ଥିଲେ ମୁଁ ବାଇକ୍‌ ଚଲେଇପାରେ। ଯେଉଁଦିନ ମୁଁ ପ୍ରଥମେ କଲୋନୀରେ ଚଲେଇଲି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କଲୋନୀର ଆଣ୍ଟିମାନେ ବୁଲି ବୁଲି ଅନଉଥିଲେ। କିଏ ଭଲ କହୁଥିଲେ ତ କିଏ ଖରାପ କହୁଥିଲେ। ନିଜ ଭଉଣୀ ତ କହିଲା ପୁଅପିଲା ପରି କ’ଣ ବାଇକ୍‌ ଚଲଉଛୁ। ହେଲେ ମୁଁ ମୋ ପ୍ୟାଶନ୍‌କୁ ଛାଡିପାରିନି। ପରେ କଲେଜରେ ସ୍ବୀକୃତି ଦିଦି ରୋଡ କୁଇନ୍ସର ସଙ୍ଗୀତା ଦିଦିଙ୍କ ନମ୍ବର ମତେ ଦେଇଥିଲେ। ଏଇ ଗ୍ରୁପ୍‌ ଅନେକ କଜ୍‌ ରାଇଡ୍‌ ଯେମିତିକି ଏସିଡ୍‌ ଆଟାକ୍‌, ରେପ୍‌ ଭିକ୍ଟିମ୍‌ଙ୍କ ପାଇଁ ରାଇଡ୍‌ କରନ୍ତି। ସେଇ ଗ୍ରୁପ୍‌ରେ ମୁଁ ଯୋଗ ଦେଲି। ଟ୍ରାଫିକ୍‌ ନିୟମକୁ ନେଇ କରାଯାଇଥିବା ଆଲବମ୍‌ରେ ମୁଁ ବି ସାମିଲ ହେଇଥିଲି। ଏବେ ମୁଁ ଓୟୁଏଟିରେ ଏମ୍‌ଏସ୍‌ସି କରୁଛି। ପଢ଼ାରେ ବହୁତ ସମୟ ଦେବାକୁ ହେଉଛି। ତେଣୁ ଲଙ୍ଗ୍‌ ଡିଷ୍ଟାନ୍ସ ରାଇଡ୍‌ କରିପାରୁନି। ପଢ଼ାସରିଲା ପରେ ମୁଁ ଲଙ୍ଗ୍‌ ରାଇଡ୍‌ କରିବି। ବାଇକ୍‌ ଉପରେ ଯୋଗ କରିବାକୁ ମତେ ଭଲ ଲାଗେ। ଆଉ ଜୀବନସାଥୀ ବି ଏମିତି ଚାହେଁ, ଯିଏ କି ମୋ ସହ ବାଇକ୍‌ ରେସ୍‌ କରିପାରିବ।
ଓଡ଼ିଶାର ଏଇ ଓମେନ ବାଇକର୍‌ ଗ୍ରୁପ୍‌ ପରି ସାରା ଭାରତରେ ଦ ବାଇକର୍ନି, ବେଙ୍ଗଲ ଲେଡି ବାଇକର୍ସ, ରାଇଡର୍ନି, ହପ୍‌ ଅନ୍‌ ଗର୍ଲସ୍‌, ଲେଡି ରାଇଡର୍ସ ଅଫ୍‌ ଇଣ୍ଡିଆ, ରେଗାଲସ୍‌, ବାଇକିଂ କୁଇନ୍ସ, ବାଇକର୍‌ ବେବ୍‌ଜ ନାମକ ଅନେକ ଓମେନ ବାଇକର୍‌ ଗ୍ରୁପ୍‌ ଅଛି। ଆଉ ନିଜ ଗ୍ରୁପ୍‌ ମାଧ୍ୟମରେ ସେମାନେ ନାରୀର ଶକ୍ତି ଓ ସାମର୍ଥ୍ୟ ଯେ ଅସୀମିତ ତାହା ପ୍ରମାଣ କରୁଛନ୍ତି।
-ଶିବାନୀ ମହାନ୍ତି

Share