ବଣାଇଁ, ୯।୬ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ବନଖଣ୍ଡ ଅନ୍ତର୍ଗତ ଜାମୁଡ଼ିହି ସେକ୍ସନର ଝିରପାଣି ଗ୍ରାମରୁ ସୋମବାର ଏକ କୁଟୁରା ଛୁଆକୁ ବନ ବିଭାଗ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା କୁଟୁରା ଛୁଆଟି ପ୍ରାୟ ଦୁଇ ମାସ ପୂର୍ବରୁ ଜଙ୍ଗଲରେ ଚରୁଥିବା ଛେଳିପଲ ସହ ଗାଁକୁ ଚାଲିଆସିଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଝିରପାଣି ଗ୍ରାମର ଜଣେ ଛେଳିପାଳକ ଜଙ୍ଗଲରେ ଛେଳି ଚରାଉଥିବା ବେଳେ କୁଟୁରା ଛୁଆଟି ଛେଳି ଏ ସମ୍ପର୍କରେ ଖବର ପାଇବା ପରେ ବଣାଇଁ ବନଖଣ୍ଡର ଡିଏଫଓ ଯଶୋବନ୍ତ ସେଠୀଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ବନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଝିରପାଣି ଗ୍ରାମରେ ପହଞ୍ଚି ଚଢ଼ାଉ କରି କୁଟୁରା ଛୁଆଟିକୁ ଉଦ୍ଧାର କରିଥିଲେ।
ଡିଏଫଓ ସେଠୀଙ୍କ କହିବା ଅନୁସାରେ, ଉଦ୍ଧାର ହୋଇଥିବା କୁଟୁରା ଛୁଆଟି ସମ୍ପୂର୍ଣ୍ଣ ସୁସ୍ଥ ରହିଛି। ଏହାର ସୁରକ୍ଷା ଓ ଯତ୍ନ ନିମନ୍ତେ ଅସ୍ଥାୟୀ ଭାବେ ରାଉରକେଲାସ୍ଥିତ ଆଇଜି ପାର୍କରେ ରଖିବା ପାଇଁ ବ୍ୟବସ୍ଥା କରାଯାଉଛି। ପରବର୍ତ୍ତୀ ସମୟରେ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ଏହାର ଦେଖାଶୁଣା ଓ ପୁନର୍ବାସ ବ୍ୟବସ୍ଥା କରାଯିବ।
ବନ ବିଭାଗର ଏହି ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ସ୍ୱାଗତ କରାଯାଇଥିବା ବେଳେ ବନ୍ୟପ୍ରାଣୀ ସୁରକ୍ଷା ପ୍ରତି ସଚେତନତା ବୃଦ୍ଧି କରିବାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

