Categories: ଖେଳ

ପେରେରା ଶ୍ରୀଲଙ୍କା ଦିନିକିଆ ଅଧିନାୟକ

କଲମ୍ବୋ, ୧୩।୫(ପି.ଟି.)- ଉଇକେଟ କିପର ବ୍ୟାଟ୍ସମ୍ୟାନ କୁଶାଲ ପେରେରା ଶ୍ରୀଲଙ୍କା ଏକଦିବସୀୟ କ୍ରିକେଟ ଦଳର ଅଧିନାୟକ ନିଯୁକ୍ତ ହୋଇଛନ୍ତି। ଦିମୁଥ କରୁଣାରନେତ୍ଙ୍କ ସ୍ଥାନରେ ପେରେରାଙ୍କୁ ଏହି ଗୁରୁଦାୟିତ୍ୱ ମିଳିଛି। ଚଳିତ ମାସରେ ହେବାକୁଥିବା ବାଂଲାଦେଶ ବିପକ୍ଷ ସିରିଜ ପାଇଁ କୁଶାଲ ମେଣ୍ଡିସଙ୍କୁ ପେରେରାଙ୍କ ଡେପୁଟି ଅର୍ଥାତ୍‌ ଉପ-ଅଧିନାୟକ ମନୋନୀତ କରାଯାଇଛି। ଶ୍ରୀଲଙ୍କା ପକ୍ଷରୁ ପେରେରା ୧୦୧ ଦିନିକିଆ, ୨୨ ଟେଷ୍ଟ ଓ ୪୭ ଦିନିକିଆ ଖେଳିଛନ୍ତି। ବିଦାୟୀ ଅଧିନାୟକ କରୁଣାରନେତ୍ଙ୍କ ସମେତ ସିନିୟର ଅଲ୍‌ରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସ, ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ ଲାହିରୁ ଥିରିମାନେ ଏବଂ ଉଇକେଟ କିପର ଦୀନେଶ ଚଣ୍ଡିମଲଙ୍କୁ ଦଳରୁ ବାଦ୍‌ ଦିଆଯାଇଛି। କେତେକ ନୂଆ ମୁହଁଙ୍କୁ ଦଳରେ ସାମିଲ କରାଯାଇଛି। ଦ୍ରୁତ ବୋଲର ଚାମିକା କରୁଣାରନେତ୍ ଓ ବ୍ୟାଟ୍ସମ୍ୟାନ ଶିରନ ଫର୍ନାଣ୍ଡୋ ପ୍ରଥମଥର ପାଇଁ ଦଳରେ ସ୍ଥାନ ପାଇଥିବାବେଳେ କେତେକ ଟି୨୦ ମ୍ୟାଚ ଖେଳିଥିବା ସ୍ପିଡ୍‌ଷ୍ଟର ବିନୁରା ଫର୍ନାଣ୍ଡୋଙ୍କୁ ମଧ୍ୟ ନିଆଯାଇଛି। ଶ୍ରୀଲଙ୍କା ଦଳ ଚଳିତ ମାସ ୧୬ ତାରିଖରେ ବାଂଲାଦେଶ ଗସ୍ତ କରି ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ। ଢାକାରେ ମ୍ୟାଚଗୁଡ଼ିକ ମେ’ ୨୩, ୨୫ ଓ ୨୮ ତାରିଖରେ ଖେଳାଯିବ।

Share