ବଞ୍ଚୋ, ୨୧/୦୬ (ପ୍ରଦୋଷ ବିଶ୍ୱାଳ): ଘସିପୁରା ଥାନାରେ ରୁଜୁ ହୋଇଥିବା କେସ୍ ନଂ–୪୪ରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍)ର ହତ୍ୟା ସମ୍ବନ୍ଧୀୟ ଧାରା ଅନୁଯାୟୀ ତଦନ୍ତ ଚାଲିଥିବା କୁନା ମୁଣ୍ଡା ହତ୍ୟା ମାମଲାରେ ପୋଲିସକୁ ବଡ଼ ସଫଳତା ମିଳିଛି। ଅଭିଯୋଗକାରିଣୀ ସରସ୍ୱତୀ ମୁଣ୍ଡାଙ୍କ ଏତଲା ଆଧାରରେ କୁନା ମୁଣ୍ଡାଙ୍କୁ ହତ୍ୟା କରାଯାଇଥିବା ନେଇ ମାମଲା ରୁଜୁ କରାଯାଇଥିଲା।
ଘଟଣାର ତଦନ୍ତ କାଳରେ ପୋଲିସ ପାଞ୍ଚ ଜଣ ଅଭିଯୁକ୍ତ ରଘୁ ମୁଣ୍ଡୁରୀ, ବାବୁଲି ସୋରେନ, ସାଲଖୁ ମୁର୍ମୁ, ବିସୁ ବିରୁଆ ଓ ଗୁରୁଚରଣ ପିଙ୍ଗୁଆଙ୍କୁ ଗିରଫ କରିଛି। ସମସ୍ତ ଅଭିଯୁକ୍ତଙ୍କୁ ରବିବାର ନ୍ୟାୟାଳୟରେ ହାଜର କରାଯାଇ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଏ ସମ୍ପର୍କରେ ଆନନ୍ଦପୁର ଏସ୍ଡିପିଓ କମଳ କୁମାର ପଣ୍ଡା ସୂଚନା ଦେଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା କହିଛନ୍ତି।

