Categories: ଖେଳ

କୋଭିଡ୍‌-୧୯ ଲଢ଼େଇ: ଧାଓ୍ବନ, ପୁରନ, ଉନାଡକଟଙ୍କ ଆର୍ଥିକ ସହାୟତା

ନୂଆଦିଲ୍ଲୀ,୧।୫(ପି.ଟି.)-କୋଭିଡ୍‌-୧୯ ମହାମାରୀ ଲଢ଼େଇରେ ଏବେ ଜଣକ ପରେ ଜଣେ କ୍ରିକେଟର ସାମିଲ ହେବାକୁ ଆଗକୁ ବାହରିଛନ୍ତି। ପଞ୍ଜାବ କିଙ୍ଗ୍ସ ତଥା ଓ୍ବେଷ୍ଟ ଇଣ୍ଡିଜ ବ୍ୟାଟ୍ସମ୍ୟାନ ନିକୋଲା ପୁରନ କୋଭିଡ୍‌ ମୁକାବିଲା ପାଇଁ ନିଜ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପାଉଣାର କିଛିଅଂଶ ଦାନକରିବେ ବୋଲି କହିଛନ୍ତି। ଭାରତୀୟ ନାଗରିକମାନେ ଟିକା ନେବା ଉଚିତ ଓ ଟିକାକରଣରେ ନିଜକୁ ସାମିଲ କରନ୍ତୁ ବୋଲି ୨୫ ବର୍ଷୀୟ ପୁରନ ନିବେଦନ କରିଛନ୍ତି। ଭାରତରେ କରୋନା ସ୍ଥିତି ଉଦ୍‌ବେଗଜନକ ବୋଲି ସେ କହିଛନ୍ତି।
ସେହିପରି ରାଜସ୍ଥାନ ରୟାଲ୍ସ ଦ୍ରୁତ ବୋଲର ଜୟଦେବ ଉନାଡକଟ କରୋନା ଲଢ଼େଇରେ ସହାୟତା ପ୍ରଦାନ କରିବେ ବୋଲି କହିଛନ୍ତି। ସେ ତାଙ୍କ ଆଇପିଏଲ୍‌ ପାଉଣାର ୧୦ ପ୍ରତିଶତ ଦାନ କରିବେ ବୋଲି କହିଛନ୍ତି। ୨୯ ବର୍ଷୀୟ ଗୁଜରାଟର ଏହି ଦ୍ରୁତ ବୋଲର ଟୁଇଟ କରି ଏ ନେଇ ଜଣାଇଛନ୍ତି। ଭାରତରେ କରୋନା ସ୍ଥିତି ଏବେ ଉଦ୍‌ବେଗଜନକ ରହିଛି। ତେଣୁ ସମସ୍ତେ ଏକାଠି ହୋଇ ଏହି ମହାମାରୀ ବିରୋଧରେ ଲଢେଇ ଜାରିରଖିବା ଉଚିତ ବୋଲି ସେ ମତ ଦେଇଛନ୍ତି।
ଅଭିଜ୍ଞ ଭାରତୀୟ ତଥା ଦିଲ୍ଲୀ କ୍ୟାପିଟାଲ୍ସ ଓପନର ଶିଖର ଧାଓ୍ବନ ୨୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଅକ୍ସିଜେନ ସିଲିଣ୍ଡର କିଣିବା ପାଇଁ ସେ ଏକ ଏନ୍‌ଜିଓକୁ ଏହି ପରିମାଣର ଅର୍ଥ ପ୍ରଦାନ କରିଛନ୍ତି। କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ମଧ୍ୟ ୧ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଧାଓ୍ବନ ମଧ୍ୟ ବିଭିନ୍ନ ଆଇପିଏଲ୍‌ ମ୍ୟାଚ୍‌ରେ ପାଇବାକୁ ଥିବା ସବୁ ପୁରସ୍କାର ରାଶି ଟୁର୍ନାମେଣ୍ଟ ଶେଷରେ ଦାନ କରିବେ ବୋଲି କହିଛନ୍ତି। କରୋନା ଲଢ଼େଇରେ ସାମିଲ ଥିବା ସବୁ ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀ ଓ ଅନ୍ୟମାନଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି। ଦେଶ ସ୍ବାସ୍ଥ୍ୟ ସଙ୍କଟ ଦେଇ ଗତି କରୁଥିବାରୁ ସମସ୍ତେ ଏକାଠି ହୋଇ ଲଢିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ପୂର୍ବରୁ ଅଷ୍ଟ୍ରେଲିଆର ପ୍ୟାଟ୍‌ କୁମିନ୍ସ ପିଏମ୍‌ କେୟାର୍ସ ଫଣ୍ଡକୁ ୫୦, ୦୦୦ ଆମେରିକୀୟ ଡଲାର ପ୍ରଦାନ କରିଛନ୍ତି। ସେହିପରି ଅଷ୍ଟ୍ରେଲିଆନ କ୍ରିକେଟ ମିଡିଆ (୪୨୦୦ ଡଲାର), ରାଜସ୍ଥାନ ରୟାଲ୍ସ (୭.୫ କୋଟି), ଦିଲ୍ଲୀ କ୍ୟାପିଟାଲ୍ସ (୧.୫ କୋଟି) ମଧ୍ୟ ସାହାଯ୍ୟ ପ୍ରଦାନ କରିଛନ୍ତି।

Share