କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି ବୋଝେଇ ଟ୍ରାକ୍ଟର ବାଇକକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ବାଟିଗୁଡ଼ାର ନରେନ୍ଦ୍ର ନାଗଙ୍କ ସ୍ତ୍ରୀ ଦେବନ୍ତୀ ନାଗ ବୋଲି ଚିହ୍ନଟ ହୋଇଛନ୍ତି।
ସୂଚନା ଅନୁଯାୟୀ, ଦେବନ୍ତୀ ନିଜ ସ୍ୱାମୀ ଓ ୧ ବର୍ଷର ପୁଅ ସହିତ ବାଇକ ଯୋଗେ ଚାରବାହାଲ ଯାଉଥିବା ସମୟରେ ମୋଟେର ଛକ ନିକଟରେ ଏକ ବାଲି ବୋଝେଇ ଟ୍ରାକ୍ଟର ସେମାନଙ୍କ ବାଇକକୁ ପଛପଟୁ ଧକ୍କା ଦେଇଥିଲା। ଧକ୍କା ଫଳରେ ସମସ୍ତେ ବାଇକରୁ ଛିଟିକି ପଡ଼ିଥିବା ବେଳେ ଦେବନ୍ତୀଙ୍କ ଉପରେ ଟ୍ରାକ୍ଟର ଚକ ଚଢ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।
ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ମୋଟେର ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପଟେ କ୍ଷତିପୂରଣ ଦାବିରେ ମୃତକଙ୍କ ପରିବାର ଓ ସମ୍ପର୍କୀୟମାନେ ରାସ୍ତା ଉପରେ ଶବ ରଖି ଅପରାହ୍ନ ୫.୩୦ରୁ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଏହି ରାସ୍ତାରୋକ ଯୋଗୁ ଭବାନୀପାଟଣା-ଜୟପୁର ଏବଂ ମୁଖିଗୁଡ଼ା ମଧ୍ୟରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି ଓ ରାଜପଥର ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହନ ଅଟକି ରହିଛି। ଶେଷ ଖବର ମିଳିବା ସୁଦ୍ଧା ଅବରୋଧ ହଟିନଥିବା ବେଳେ ସ୍ଥିତି ଅପରିବର୍ତ୍ତିତ ରହିଛି।