
ମୁମ୍ବାଇ,୧୩।୧୨: ଦକ୍ଷିଣ ଆଫ୍ରିକା ଗସ୍ତକୁ ଦୃଷ୍ଟିରେ ରଖି ଟିମ ଇଣ୍ଡିଆ ଆଜିକାଲି ମୁମ୍ବାଇରେ ଟ୍ରେନିଂ ନେଉଛି। ବିରାଟ କୋହଲିଙ୍କୁ ଛାଡି ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ମନୋନୀତ ହୋଇଥିବା ସମସ୍ତ ଖେଳାଳି ଜୋରଦାର ଅଭ୍ୟାସ କରୁଛନ୍ତି। ତେବେ ବିରାଟ କାହିଁକି ତାଲିମ ଶିବିରରେ ଯୋଗ ଦେଇନାହାଁନ୍ତି ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଗତ ସପ୍ତାହରେ ବିସିସିଆଇ ବିରାଟ କୋହଲିଙ୍କୁ ଦିନିକିଆର ଅଧିନାୟକତ୍ୱରୁ ହଟାଇ ରୋହିତ ଶର୍ମାଙ୍କୁ ଦାୟିତ୍ୱ ଦେଇଥିଲା। ବିରାଟ ବହୁ ପୂର୍ବରୁ ଇଚ୍ଛା ପ୍ରକାଶ କରିଥିଲେ ଯେ ଟି -୨୦ ଅଧିନାୟକତ୍ୱ ଛାଡିବା ପରେ ସେ ଦିନିକିଆ ଏବଂ ଟେଷ୍ଟରେ ଅଧିନାୟକ ଭାବରେ କାର୍ଯ୍ୟ କରିବେ। କିନ୍ତୁ ବିସିସିଆଇ ତାଙ୍କ ନିଷ୍ପତ୍ତିରେ ସହମତ ନ ଥିଲା ଏବଂ ତାଙ୍କୁ ଦିନିକିଆ ଅଧିନାୟକତ୍ୱରୁ ହଟାଇ ଦେଇଥିଲା। କୁହାଯାଉଛି ଯେ ବିସିସିଆଇର ଏହି ନିଷ୍ପତ୍ତି ବିରାଟଙ୍କୁ ବହୁତ ଆଘାତ ଦେଇଛି। ଏହି କାରଣରୁ ସେ ଅଭ୍ୟାସ ଶିବିରରେ ଯୋଗ ଦେଇନାହାନ୍ତି।
ଭାରତୀୟ କ୍ରିକେଟ ଦଳ ଡିସେମ୍ବର ୧୬ରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବେ। ଏହାପୂର୍ବରୁ ମୁମ୍ବାଇରେ ପ୍ରଶିକ୍ଷଣ ଶିବିର ସମାପ୍ତ ହେବା ପରେ ଭାରତୀୟ ଦଳକୁ ୧୬ ପର୍ଯ୍ୟନ୍ତ ରଖାଯିବ। ଏଥି ସହିତ, ଦକ୍ଷିଣ ଆଫ୍ରିକାରେ ପହଞ୍ଚିବା ପରେ ମଧ୍ୟ ଟିମ ଇଣ୍ଡିଆ କ୍ୱାରାଣ୍ଟାଇନ୍ରେ ରହିବ ଏବଂ କେବଳ ବାୟୋ-ବବୁଲରେ ଅଭ୍ୟାସ କରିବ।
ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତ ବେଶ୍ ଚ୍ୟାଲେଞ୍ଜିଂ ହେବ। ସେ ଏହି ଗସ୍ତରେ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ ଜିତି ନ ନାହିଁ। ଐହି ଧାରାକୁ ଭାରତ ଭାଙ୍ଗିବାକୁ ଚେଷ୍ଟା କରିବ। ଦୁଇ ଦେଶ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ୨୬ ଡିସେମ୍ବରରୁ ସେଞ୍ଚୁରିଆନରେ ଖେଳାଯିବ।