Categories: ଖେଳ

ଇନ୍‌ଷ୍ଟାଗ୍ରାମ୍‌ରେ କୋହଲିଙ୍କ ଅନୁସରଣକାରୀ ସର୍ବାଧିକ

ନୂଆଦିଲ୍ଲୀ, ୩ା୩ (ପି.ଟି.)-ଭାରତୀୟ ଅଧିନାୟକ ବିରାଟ କୋହଲି ହେଉଛନ୍ତି ପ୍ରଥମ କ୍ରିକେଟର, ଯାହାଙ୍କର ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ୍‌ରେ ଅନୁସରଣକାରୀଙ୍କ ସଂଖ୍ୟା ପ୍ରାୟ ୧୦୦ ନିୟୁତ। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଏକ ଟୁଇଟ୍‌ରେ ଏ ବିଷୟ କୁହାଯାଇଛି। ଏସିଆ-ପ୍ୟାସିଫିକ୍‌ ଅଞ୍ଚଳରେ ଏହି ସଫଳତା ହାସଲ କରିବାରେ ୩୨ବର୍ଷୀୟ କୋହଲି ହେଉଛନ୍ତି ପ୍ରଥମ ବ୍ୟକ୍ତି। ପୁନଶ୍ଚ ଇନ୍‌ଷ୍ଟାଗ୍ରାମ୍‌ରେ ଅଧିକ ଅନୁସରଣକାରୀ ଥିବା କ୍ରୀଡ଼ାବିତ୍‌ ତାଲିକାରେ କୋହଲି ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି। ପର୍ତ୍ତୁଗାଲ ଫୁଟ୍‌ବଲ ଷ୍ଟାର ଖ୍ରିଷ୍ଟିଆନୋ ରୋନାଲ୍‌ଡୋ ୨୬୫ ନିୟୁତ ଅନୁସରଣକାରୀଙ୍କ ସହ ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି। ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିବା ଆର୍ଜେଣ୍ଟିନା ଫୁଟ୍‌ବଲ ଅଧିନାୟକ ତଥା ଏଫ୍‌ସି ବାର୍ସିଲୋନା କିମ୍ବଦନ୍ତୀ ଲିଓନେଲ ମେସି ଏବଂ ବ୍ରାଜିଲର ନେମାରଙ୍କ ଅନୁସରଣକାରୀଙ୍କ ସଂଖ୍ୟା ଯଥାକ୍ରମେ ୧୮୬ ନିୟୁତ ଓ ୧୪୭ ନିୟୁତ ରହିଛି। ୧୦୦ ନିୟୁତ କ୍ଲବରେ ଅନ୍ୟମାନଙ୍କ ମଧ୍ୟରେ ରହିଛନ୍ତି ହଲିଉଡ୍‌ ଅଭିନେତା ତଥା ପୂର୍ବତନ ପ୍ରଫେସନାଲ ରେସ୍‌ଲର ଡ୍ବେନ୍‌ (ଦି ରକ୍‌) ଜନସନ, ଆମେରିକୀୟ କଣ୍ଠଶିଳ୍ପୀ ଓ ଗୀତିକାର ବେୟନ୍ସ ଓ ଆରିଆନା ଗ୍ରେଣ୍ଡ୍‌। କୋହଲିଙ୍କୁ ବର୍ତ୍ତମାନ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିବେଚନା କରାଯାଉଛି। ଇତିମଧ୍ୟରେ ଟେଷ୍ଟରେ ସେ ୨୭ ଏବଂ ଅନ୍ତର୍ଜାତୀୟ କ୍ରିକେଟରେ ୪୩ ଶତକ ହାସଲ କରିସାରିଛନ୍ତି। ଭାରତରେ ଇନ୍‌ଷ୍ଟାଗ୍ରାମ୍‌ରେ କ୍ରମାଗତ ୨ ବର୍ଷ ଧରି କୋହଲିଙ୍କ ଅନୁସରଣକାରୀଙ୍କ ସଂଖ୍ୟା ସର୍ବାଧିକ ରହିଛି।

Share