ଚିହ୍ନା ପୋଖରୀ, ଅଚିହ୍ନା ନଈ

ରଞ୍ଜନ କୁମାର ଦାସ

 

ନୂଆ ବାହାଘର ପରେ ସମସ୍ତେ ଆମକୁ ପଚାରିଲେ ହନିମୁନ୍‌ରେ କୁଆଡ଼େ ଯିବ? ଆମ ସମୟରେ ହନିମୁନ୍‌ କଥା ଶୁଣିଲେ ଲାଜ ମାଡୁଥିଲା। ତା’ଛଡ଼ା ଦୂର ଜାଗାକୁ କୁଆଡ଼େ ଯିବାକଥା ମଧ୍ୟ ପ୍ରାୟତଃ ଅସମ୍ଭବ ଲାଗୁଥିଲା। ବିଦେଶ ଯିବା ତ ତହୁଁବଳି। ଯାଇ ଯାଇ ଅତି ବେଶିରେ ପୁରୀ-କୋଣାର୍କ। ପ୍ରଥମକଥା ଆଜିକାଲି ଭଳି ସେତେବେଳେ ଗମନାଗମନର ମାଧ୍ୟମ ଏତେ ସରଳ ଓ ବହୁଳ ନ ଥିଲା, ଦ୍ୱିତୀୟରେ ପାଖରେ ଏତେ ପଇସା ନ ଥିଲା। ତେଣୁ ଆମେ ଚିନ୍ତାକଲୁ ଏଇ ପୁରୀ-କୋଣାର୍କରେ ଚଳେଇ ଦବା। ପୁରୀରେ ଆମେ ସମୁଦ୍ରକୂଳିଆ ଗୋଟେ ପରିଚ୍ଛନ୍ନ ହୋଟେଲରେ ଯାଇ ରହିଲୁ। ଦିନଟିଏ ସେଠି ରହିଲା ପରେ ମୋର ହୃଦ୍‌ବୋଧ ହେଲା ଯେମିତି ପୁରୀ ଆଉ ଓଡ଼ିଶା ଭିତରେ ନାହିଁ। କାରଣଟି ହେଲା ଆମେ ଯେବେ କିଛି ଖାଇବାକୁ ବସୁ, ସେ ହୋଟେଲର ବୟ ଏଭଳି ଏକ ମେନୁ ଆଣି ଥୁଏ ଯୋଉଥିରୁ ଅଧେ ବୁଝି ହୁଏନାହିଁ। ଆମେ ଭାବୁ ହାଏରେ ଓଡ଼ିଶାରେ ଥାଇ ବି ଆମେ ପୁରୀ ଉପମା ବରା ସିଙ୍ଗଡ଼ା ଆଳୁଚପ ଖୋଜିଲେ ପାଉନୁ। ସବୁଦିନ ସେ ଆମକୁ ନୂଆ ନୂଆ ଖାଦ୍ୟ ଖୁଆଏ। ଦିନେ ସେ ଗାଡୁ ଗାଡୁ ବୋଲି ଗୋଟିଏ ଖାଦ୍ୟ ଚାଖନ୍ତୁ ବୋଲି କହିଲା। ଆମେ ତାକୁ କହିଲୁ ହଉ ଦେ। ଯୋଉ ଥାଳିଟି ଆଣି ସେ ଥୋଇଲା ୧୯୯୦ ମସିହାରେ ତା’ର ମୂଲ୍ୟ ଥିଲା ଶହେ ଟଙ୍କା। ଆମ ଦରମା ଥିଲା ପନ୍ଦର ଶହ, ଷୋଳ ଶହ ଟଙ୍କା। ଥାଳିରେ ଥିଲା କିଛି ଭିଜା ହୋଇଥିବା ଚୁଡ଼ା, କିଛି ମିକ୍‌ସଚର, ଆପଲ କଟା, ଡାଳିମ୍ବ ମଞ୍ଜି, ଅଣ୍ଡା ଭୁଜିଆ, କାଜୁ, କିସ୍‌ମିସ ଓ ଚାଟ୍‌ ମସଲା। ମୁଁ ଭାବିଥିଲି କିଛି ଅପୂର୍ବ ଥିବ। ମାତ୍ର ୟାକୁ ଦେଖି ମୁଁ ହତୋତ୍ସାହିତ ହୋଇପଡ଼ିଲି। ମାତ୍ର ଖାଦ୍ୟ ନଷ୍ଟ ନ କରିବା ପାଇଁ ବାଧ୍ୟ ହୋଇ ସବୁ ଖାଇଲୁ। ତା’ର ପ୍ରକ୍ରିୟାରେ ମୋର ପତଳା ଝାଡ଼ା ଫିଟିଲା। ବାଧ୍ୟ ହୋଇ ଡାକ୍ତର ଡାକି ଚିକିତ୍ସା ହେଲୁ। ଦୁଇଦିନ ଯାଏ କୁଆଡ଼େ ବୁଲିବାକୁ ଯାଇ ହେଲାନି। ହୋଟେଲରେ ବସି ବସି ଦୁଇ ଦିନ ପରେ ଘରକୁ ଫେରିଲୁ। ଗାଡ଼ୁ ଗାଡ଼ୁ ଖାଦ୍ୟ କଥା କହି ବହୁ ବର୍ଷ ଯାଏ ଆମ ଘରେ ମତେ ସମସ୍ତେ ଚିଡ଼ାନ୍ତି। ସେଇଦିନୁ ମୁଁ ପ୍ରତିଜ୍ଞା କଲି ଜାଣି ନ ଥିବା ଶୁଣି ନ ଥିବା ଖାଦ୍ୟ ଖାଇବା ଉଚିତ ନୁହେଁ।
ବହୁ ବର୍ଷ ପରେ ଥରେ ମାଲେସିଆ ଯାଇଥିଲା ବେଳେ ଗୋଟେ ରେଷ୍ଟୁରାଣ୍ଟରେ ମେନୁ ଦେଖୁ ଦେଖୁ ଗାଡ଼ୁ ଗାଡ଼ୁ ସହ ପୁଣି ଭେଟ ହେଲା। ସେଇଠୁ ଜାଣିଲି ଗାଡ଼ୁ ଗାଡ଼ୁ ହେଲା ଗୋଟେ ଇଣ୍ଡୋନେସିଆନ୍‌ ସାଲଡ; ଯେଉଁଥିରେ ଦରସିଝା ପରିବା, ଅଣ୍ଡା ସିଝା, ସିଝା ଆଳୁ, ଫ୍ରାଏଡ ଟୋଫୁ, ଟେମ୍ପେ ଓ ଲଙ୍ଗଟଙ୍ଗ ଆଦି ପଡ଼ିଥାଏ। ଟେମ୍ପେ ହେଲା ସୋୟାବିନରେ ପ୍ରସ୍ତୁତ ଏକ ପିଠା ଏବଂ ଲଙ୍ଗଟଙ୍ଗ ହେଲା କଦଳୀ ପତ୍ର ଭିତରେ ଭାତ ପୁର ଦିଆହୋଇ ରନ୍ଧା ହୋଇଥିବା ଗୋଟେ ପ୍ରକାର ପିଠା। କିନ୍ତୁ ଗାଡ଼ୁ ଗାଡ଼ୁ ପ୍ରତି ମୋର ଏତେ ବିରକ୍ତି ଭରି ରହିଥିଲା ଯେ ମୁଁ ଅନ୍ୟବନ୍ଧୁମାନଙ୍କୁ ମୋର ପୂର୍ବାନୁଭୂତି କଥା କହି ତାକୁ ନ ଖାଇବାକୁ କହିଲି। ଫିଲିପାଇନ୍‌ସରେ ଥରେ ସେମିତି କିଛି ବନ୍ଧୁଙ୍କ କଥାରେ ପଡ଼ି ସ୍କ୍ବିଡ଼ ଖାଇ ଯୋଉ ହଟହଟା ହୋଇଥିଲି ତାହା କହିଲେ ନ ସରେ। ସେଥିପାଇଁ ଆମ ଓଡ଼ିଆରେ ସବୁବେଳେ କୁହାଯାଏ ନିଜ ରୁଚିରେ ଖାଇବ, ପର ରୁଚିରେ ପିନ୍ଧିବ। ଆଜିକାଲି ସମୟ ବଦଳିବା ସଙ୍ଗେ ସଙ୍ଗେ ରୁଚି ମଧ୍ୟ ବଦଳୁଚି। ବିଦେଶୀ ଖାଦ୍ୟ, ବିଦେଶୀ ପୋଷାକ, ବିଦେଶୀ ବୋହୂ, ବିଦେଶ ଭ୍ରମଣ, ବିଦେଶରେ ଚାକିରି ଆମକୁ ଅଧିକ ଆକର୍ଷିତ କରୁଚି। ଅଚିହ୍ନା, ଅଜଣା, ଅଦେଖାର ଆକର୍ଷଣ ତ କାଳେ କାଳେ ଥିଲା ଓ ରହିବ। ମାତ୍ର ଏହାର ଅନ୍ଧ ଆକର୍ଷଣକୁ ଏଡ଼ାଇ ନ ପାରି ବହୁଲୋକ ଜୀବନରେ ହଇରାଣ ହୋଇଛନ୍ତି। ପସ୍ତାଇଛନ୍ତି। ବିଦେଶରେ ଚାକିରି କଲେ ବହୁତ ରୋଜଗାର ହୁଏ। ବହୁତ ସଞ୍ଚୟ ହୁଏ। ବହୁତ ନୂଆ ଜିନିଷ ଦେଖିବାର ଜାଣିବାର ସୁଯୋଗ ମିଳେ, ଜୀବନ ଆହୁରି ରସମୟ ହୁଏ ବୋଲି ଆମର ବିଶ୍ୱାସ । ମାତ୍ର ଏ ବିଦେଶ ମାୟାରେ ଯିଏ ଯାଇ ଆଫଗାନିସ୍ତାନ, ସିରିଆରେ ରହିଥିବ ଏବେ ତା’ ଅବସ୍ଥା କ’ଣ ହଉଥିବ। ନିଜ ଦେଶରେ ତା’ ଅପେକ୍ଷା ଛୋଟ ଚାକିରିଟିଏ କରିବା ବରଂ ବହୁଗୁଣେ ଭଲ। ଅନ୍ତତଃ ଜୀବନ ତ ସୁରକ୍ଷିତ। ଚାହିଁଲେ ତ ନିଜ ଲୋକଙ୍କଠାରୁ ସହାୟତା ଆହା ପଦ ଟିକେ ମିଳିପାରିବ। ମାତ୍ର ଆଫଗାନିସ୍ତାନ, ସିରିଆ ଭଳି ଦେଶରେ ଯିଏ ଏଠୁ ଯାଇ ଚାକିରି କରୁଥିବ ତା’ର ଜୀବନ କେତେ ଅସ୍ଥିର ଅସହାୟ ଲାଗୁଥିବ।
ବେଳେବେଳେ ଆମକୁ ଗାଁର ପୋଖରୀ ଗୋଳିଆ ଲାଗେ। ପାଖ ଗାଁର ନଈ ଅଧିକ ନୀଳ ଦିଶେ। ପୋଖରୀ ଅପେକ୍ଷା ସେ ନଈରେ ଅଧିକ ମାଛ ମିଳିବ ଏ ବିଶ୍ୱାସ ଥାଏ। ସେ ନଈରେ ନଉକା ମେଲି ବୁଲିବାର ଆକର୍ଷଣ ଆମକୁ ହାତଠାରି ଡାକେ। ପୋଖରୀର ପଙ୍କୁଆ ଗୋଳିପାଣି ଅପେକ୍ଷା ସେ ନଈର ସ୍ବଚ୍ଛ ଜଳରେ ସ୍ନାନ କରିବାର ଆକର୍ଷଣକୁ ଏଡ଼େଇ ହୁଏନି। ମାତ୍ର ସେ ନଈରେ କୋଉଠି ଗଭୀରତା କେତେ ଆମକୁ ଜଣା ନ ଥାଏ। କୋଉଠି ଗଣ୍ଡ ଥାଏ, କୋଉଠି କୁମ୍ଭୀର ଥାଏ ତା’ର ହିସାବ ଆମ ପାଖରେ ନ ଥାଏ। ତେଣୁ ସେ ଅଚିହ୍ନା ନଈ କେବେକେବେ ଘାତକ ସାବ୍ୟସ୍ତ ହୁଏ। ହେଲେ ଗାଁର ଚିହ୍ନା ଜଣା ପୋଖରୀରେ ଯେତେ ଡୁବ ନ ମାରିଲେ ବି ଭୟ ନ ଥାଏ। ତେଣୁ ଚିହ୍ନା ଶତ୍ରୁ ବି ବେଳେବେଳେ ଅଚିହ୍ନା ବନ୍ଧୁଠାରୁ ସ୍ପୃହଣୀୟ ବୋଲି କୁହାଯାଏ। ହେଲେ ଦୂର ପର୍ବତର ଆକର୍ଷଣରେ ଏବେ ଆମେ ଗାଁ ମାଟିକୁ ଭୁଲି ବସିଲୁଣି। ନିକଟରେ ଦିନେ ଜଣେ ବନ୍ଧୁ ମତେ କହିଲେ ଏଇଠୁ ଏତେ ଦାମ ଦେଇ ଫୁଲଗଛ ସବୁ କିଣୁଚ, ଆମାଜନ ଫ୍ଲିପକାର୍ଟରେ ବହୁତ କମ୍‌ ଦାମରେ ବହୁତ ପ୍ରକାରର ଗଛ ମିଳୁଚି। ଆମାଜନ ଓ ଫ୍ଲିପକାର୍ଟ ଦେଖିଲି। ବହୁତ ସୁନ୍ଦର ସୁନ୍ଦର ଫୁଲର ପ୍ରତିଶ୍ରୁତି ଥିଲା ତା’ ଭିତରେ। ଆଠ ଦଶ ପ୍ରକାର ଅଶ୍ରୁତପୂର୍ବ ରଙ୍ଗର ମନ୍ଦାର ସହ କିଛି ଆମ୍ବ, ଲିଚୁ ଆଦି ଗଛ ମଗେଇଥିଲି। ଆମ୍ବ ଓ ଲିଚୁ ଗଛ ଯାହା ଗୋଟା ପାଞ୍ଚଶହ ଲେଖା ଦେଇ କିଣିଥିଲି ତାହା ପାଞ୍ଚ ଦିନ ବି ବଞ୍ଚତ୍ଲାନି। ତା’ ଅପେକ୍ଷା ଏଠି ତିନିଶହ ଟଙ୍କାରେ ବରଂ ବହୁତ ସୁସ୍ଥସବଳ ଚାରା ମିଳୁଚି। ଭିନ୍ନଭିନ୍ନ ରଙ୍ଗର ମନ୍ଦାର ଯୋଉ ମଗେଇଥିଲି ଛଅମାସ ଅପେକ୍ଷା କଲା ପରେ ଯାହା ଫୁଟିଲା ତାକୁ ଦେଖି ମୁଣ୍ଡରେ ହାତ ଦେବାକୁ ପଡ଼ିଲା। ଭଳି ଭଳି ନୂଆ ରଙ୍ଗ ନ ଥିଲା। ବରଂ ସବୁଗୁଡ଼ିକ ସୁଦୁ ନାଲିମନ୍ଦାର ଯାହା ଗାଁ ଗହଳରେ ବାଡ଼ କଡ଼େ ଫୁଟିଥାଏ। ଛଅମାସ ପରେ ଫ୍ଲିପକାର୍ଟକୁ କହିବାକୁ ଆଉ ସୁଯୋଗ ବି ନ ଥାଏ। କହିଲେ ଆଉ ପଇସା ଫେରିବାର ସମ୍ଭାବନା ବି ନ ଥାଏ। ଘର ପାଖ ନର୍ସରିରୁ ଆଣିଥିଲେ ତା’ ବେକରେ ଗାମୁଚ୍ଛା ପକେଇ ହୁଅନ୍ତା। ମାତ୍ର ଆମାଜନରୁ କିଣିଥିବା ଗଛ ପାଇଁ କାହା ବେକରେ ଗାମୁଚ୍ଛା ପକେଇବେ? ସେ ବେକଟି ତ ଆଦୌ ଦୃଶ୍ୟମାନ ହୁଏନାହିଁ କେବେହେଲେ। ଆପଣା ହସ୍ତେ ଜିହ୍ବା ଛେଦି। ଦୋଷ ଦେବି କାହାକୁ? ଗାଡ଼ୁ ଗାଡ଼ୁ ଖାଇ ଭାଇ ଭଉଣୀଙ୍କ ପାଖରେ ଯେମିତି ଉପହାସର ପାତ୍ର ହେବାକୁ ପଡ଼ିଥିଲା। ଆମାଜନରୁ ଗଛ କିଣି ସେମିତି ପୁଣି ଥରେ ଉପହସିତ ହେବାକୁ ପଡ଼ିଲା ସ୍ତ୍ରୀଙ୍କ ପାଖରେ। ଅଜ୍ଞାତକୁଳଶୀଳ ଲୋକଙ୍କ ସହ ସମ୍ପର୍କ ବଢ଼େଇବା ବିଷୟରେ ଆମ ଲୋକ କଥାରେ ଆମ ପୁରାଣ ଭାଗବତରେ
ଅନେକ ଉପଦେଶ ଅଛି। ହେଲେ ବେଳେବେଳେ ସେ ଉପଦେଶର ଲକ୍ଷ୍ମଣରେଖା ଟପି ଆମକୁ ହଟହଟା ହେବାକୁ ପଡୁଚି। ଦୂରପର୍ବତର ଆକର୍ଷଣରେ, ଅଚିହ୍ନା ନଈର ମୋହରେ,ଫେସବୁକ ବନ୍ଧୁର କପଟାଚାରରେ ଆମ ଜୀବନ ବାରମ୍ବାର ଝୁଣ୍ଟୁଚି। ଫେସବୁକ୍‌ ବନ୍ଧୁମାନଙ୍କ ପ୍ରେମରେ ପଡ଼ି ବହୁ ସମର୍ଥ ପୁରୁଷ ତାଙ୍କ ଅର୍ଥ ଓ ସମ୍ମାନ ହରେଇଥିବାର ରୋଚକ ଖବର ମଝିରେ ମଝିରେ ଦୃଷ୍ଟିଗୋଚର ହୁଏ। ସେଇଭଳି ବହୁ ନାରୀ ନିଜ ଘରଦ୍ୱାର ସ୍ବାମୀ ସଂସାର ଛାଡ଼ି ଫେସବୁକ୍‌ ବନ୍ଧୁଙ୍କ ସହ ପଳାୟନ କରିଥିବାର ଓ ପରେ ଘରକୁ ଫେରି ହଟହଟା ହୋଇଥିବାର କାହାଣୀ ମଧ୍ୟ ବିରଳ ନୁହେଁ। ମାତ୍ର ଆମେ ବୁଦ୍ଧି ଶିଖି ପାରୁ ନାହୁଁ। ଗାଁ କନିଆ ସିଙ୍ଘାଣିନାକୀ ବୋଲି ଭାବି କେଉଁ ବିଦେଶିନୀର ମାୟାରେ ଆମେ ବାରମ୍ବାର ଦିଗଭ୍ରାନ୍ତ ହେଉଚୁ। ଚିହ୍ନା ପୋଖରୀର ଆତ୍ମୀୟତାକୁ ଆଡ଼ କରି ଅଚିହ୍ନା ନଈରେ ଆମେ ଜଳସମାଧି ନେଉଚୁ। ତଥାପି ଆମେ ଚେତୁ ନାହୁଁ।
ନିର୍ଦ୍ଦେଶକ, ସଂସ୍କୃତି ବିଭାଗ
ମୋ:୯୪୩୭୨୮୬୫୧୨


Enter your email to get our daily news in your inbox.

All Right Reserved By Dharitri.Com

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri