ଆମେ କିଛି ଅନ୍ୟାୟ, ଅନୀତି, ଦୁର୍ନୀତି ସମ୍ପର୍କରେ ବିଭିନ୍ନ ଖବରକାଗଜ କିମ୍ବା ପତ୍ରପତ୍ରିକାରୁ, ଟିଭି ପରଦାରୁ, ସାମାଜିକ ଗଣମାଧ୍ୟମରୁ, ବିଭିନ୍ନ ସଭାସମିତିରୁ ଅବଗତ ହେଉ। କିନ୍ତୁ ଜାଣିବା ପରେ ମଧ୍ୟ ଆମେ ନୀରବତା ଅବଲମ୍ବନ କରୁ ଏବଂ ଏହା ପଛରେ ଅନେକଗୁଡ଼ିଏ କାରଣ ଥାଏ। ପ୍ରଥମତଃ ଆମେ ନିଜକୁ ଅସହାୟ ମଣୁ ଏବଂ ଭାବୁ ଏଥିରେ ଆମେ କ’ଣ କରିବୁ। ଦ୍ୱିତୀୟରେ ଆମେ ଯଦି ବିରୋଧରେ ମୁହଁ ଖୋଲିବୁ ତେବେ ନାନାଦି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। କାଦୁଅରେ ପଶିଲେ ସିନା ଗୋଡ଼ ଧୋଇବାକୁ ହେବ! ତୃତୀୟରେ ଏହି ଅନ୍ୟାୟ ଅତ୍ୟାଚାର ଦ୍ୱାରା ଆମର ତ କିଛି କ୍ଷତି ହେଉ ନାହିଁ, ଏଣୁ କହିବା କ’ଣ ଦରକାର। ଚତୁର୍ଥରେ ଦେଶରେ ଏତେ ଲୋକ ଥାଉଁ ଥାଉଁ ମୋର କହିବା କ’ଣ ଦରକାର। ପଞ୍ଚମରେ ସେମାନେ ବଡ଼ଲୋକ। ସାତ ଖୁଣ୍ ମାଫ୍। ସରଗକୁ ନିଶୁଣି ନାହିଁ କି ବଡ଼ ଲୋକଙ୍କୁ ଉତ୍ତର ନାହିଁ। ଷଷ୍ଠରେ ଆମ ଭିତରେ ଏମିତି ଏକ ଧାରଣା ସୃଷ୍ଟି ହୋଇଯାଇଛି ଯେ ଆଉ ନୀତି ନୈତିକତାକୁ ଧରି ବସିଲେ ଚଳିବନି। ଲଙ୍କାକୁ ଯିଏ ଯିବ ସେ ହେବ ଅସୁର ସମାନ। ସମସ୍ତେ ଜାଣି ଅଜଣା। ଆଉ କିଛି ଲୋକ ସହଜେ ବିଶ୍ୱାସ କରନ୍ତିି ନାହିଁ।
କହିଲେ ଦେଖି କିଏ ନ ଜାଣିଛି, ଆମ ଦେଶର ହାଲଚାଲ। ବିଭିନ୍ନ ସମସ୍ୟାରେ ଜର୍ଜରିତ ଲୋକମାନେ। ଦରବୃଦ୍ଧିଜନିତ ସମସ୍ୟା କାହାକୁ ବାଧୁ ନାହିଁ? ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍, ଅନ୍ୟାନ୍ୟ ନିତ୍ୟବ୍ୟବହାର୍ଯ୍ୟ ଜିନିଷର ମୂଲ୍ୟ ଅନିୟନ୍ତ୍ରିତ। ଗରିବ, ମଧ୍ୟବିତ୍ତ ସମସ୍ତେ ଅତିଷ୍ଠ। ଅଥଚ କେହି ମୁହଁ ଖୋଲୁଛନ୍ତି? ଅଳ୍ପ କିଛି ସଚେତନ ଲୋକ ପ୍ରତିବାଦ କରିବା ଦେଖାଯାଏ। ସେମାନେ ଆମକୁ ସାଙ୍ଗରେ ଯିବାକୁ ଡାକନ୍ତିି। ଏହିସବୁ କାରଣ ପାଇଁ ଆମେ ସାଥି ହେଉନା ବରଂ କହିଥାଉ ‘କିଏ ଏମାନଙ୍କ କଥା ଶୁଣିବ?’ ଯିଏ ଯେତେବେଳେ ଶାସନର ମଙ୍ଗ ଧରିଲା ସେ ଦରବୃଦ୍ଧି ସପକ୍ଷରେ କହିଲା। କାହିଁକି ନା ଏମାନଙ୍କୁ ଦରବୃଦ୍ଧି ବାଧେନା।
ସବୁ ଜିନିଷ କ୍ରମଶଃ ମହଙ୍ଗା ହେଉଥିବାବେଳେ ଆମ ଦେଶର ଗୋଟିଏ ଜାଗାରେ ମହଙ୍ଗା ଛାଟ ଆଦୌ ବାଜେନା। ଏହି ଜାଗାଟି ହେଉଛି ଦିଲ୍ଲୀରେ ଥିବା ସାଂସଦ ଭବନର କ୍ୟାଣ୍ଟିନ୍। ଏଠାରେ ସବୁ ସୁସ୍ବାଦୁ ଖାଦ୍ୟ ପରିବେଷଣ ହୁଏ ସବୁଠାରୁ ଶସ୍ତାରେ। ଆମ ଦେଶରେ ଅଧିକାଂଶ ଗରିବ ଲୋକ ସକାଳେ ଚା’ ପିଇ ଚଳିଯାଆନ୍ତି। ଏବେ ଏକ କପ୍ ଚା’ର ମୂଲ୍ୟ ଦଶଟଙ୍କା। କିନ୍ତୁ ସେହି ଶସ୍ତା ଇଲାକାରେ ଏକ କପ୍ ଚା’ ମାତ୍ର ଏକ ଟଙ୍କାରେ ମିଳେ ତାହା ପୁଣି ଗୁଣାତ୍ମକ ଦୃଷ୍ଟିରୁ ଅନ୍ୟ ଯେକୌଣସି ଠାରେ ବିକ୍ରି ହେଉଥିବା ଚା’ କପ୍ ଠାରୁ ଢେର ଭଲ। କେବଳ ଚା’ କପ୍ କଥା ନୁହେଁ ବାର ଟଙ୍କା ପଚାଶ ପଇସାରେ ଭାତ ତରକାରି, ତେର ଟଙ୍କାରେ ମାଛ ଭାତ, ଚିକେନ୍ ମିଲ୍ କୋଡ଼ିଏ ଟଙ୍କା ପଚାଶ ପଇସା, ଦହି ଭାତ ଏଗାର ଟଙ୍କାରେ, ଦୋସା ଚାରି ଟଙ୍କାରେ ମିଳେ। ଏମିତି ଅନ୍ୟାନ୍ୟ ସବୁ ପ୍ରକାର ଖାଦ୍ୟର ମୂଲ୍ୟ ଏଠାରେ ବହୁତ କମ୍। ହେଲେ ସାଧାରଣ ଲୋକଙ୍କ ପାଇଁ ନୁହେଁ। ଯେଉଁମାନେ ଆମ ଦେଶର ଭାଗ୍ୟବିଧାତା, ସାଧାରଣ ଲୋକଙ୍କ ପାଇଁ ନିୟମ ଗଢ଼ନ୍ତି, ଲୋକଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ଈଶ୍ୱରଙ୍କ ନାମରେ ଶପଥ ନେଇଥାନ୍ତି ସେହି ସାଂସଦମାନଙ୍କ ପାଇଁ ଭାରତର ପର୍ଯ୍ୟଟନ ବିଭାଗ ତରଫରୁ ଏଭଳି ସୁନ୍ଦର ବ୍ୟବସ୍ଥା କରାଯାଇଥାଏ। ଆପଣ ଜାଣନ୍ତି ତ ୫୪୩ ଜଣ ସାଂସଦଙ୍କ ମଧ୍ୟରୁ ୫୦୪ ଜଣ ସାଂସଦ କୋଟିପତି ତାଲିକାରେ।
ଏହା ବାଦ୍ ସାଂସଦମାନେ ମାସକୁ ଦରମା ନିଅନ୍ତି ଏକ ଲକ୍ଷ ଚବିଶ ହଜାର ଟଙ୍କା, ନିର୍ବାଚନମଣ୍ଡଳୀ ଗସ୍ତ ପାଇଁ ମାସକୁ ୮୭ ହଜାର ଟଙ୍କା, ଅଫିସ ଖର୍ଚ୍ଚ ବାବଦରେ ମାସକୁ ୫୦ ହଜାର ଟଙ୍କା। ସଭା ଚାଲିବା ସମୟରେ ଦୈନିକ ୨୫୦୦ ଟଙ୍କା ମିଳିବା ସହିତ ଦିଲ୍ଲୀରେ ଦେୟମୁକ୍ତ ବାସ ଭବନ, ବର୍ଷକୁ ୫୦ ହଜାର ୟୁନିଟ୍ ବିଦ୍ୟୁତ୍ ଏବଂ ଚାରି ହଜାର କିଲୋଲିଟର ପାଣି ମାଗଣାରେ ଯୋଗାଇ ଦିଆଯାଏ। ବିଡ଼ମ୍ବନା ହେଉଛି ସେବକ ବୋଲାଉଥିବା ସାଂସଦମାନେ ଏଭଳି ମୋଟା ଅଙ୍କର ଦରମା ଓ ଭତ୍ତା ନେଉଥିବା ବେଳେ ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି ପାଇଁ ଏମାନେ ମୁହଁ ଖୋଲନ୍ତିି ନାହିଁ।
ସାଧାରଣ ଲୋକଙ୍କୁ ହୁଏତ ଏସବୁ କଥା ଜଣା ଥାଇ ନ ପାରେ। କିନ୍ତୁ ସମସ୍ତ ଶିକ୍ଷାବିତ୍, ବୁଦ୍ଧିଜୀବୀ, ସାମ୍ବାଦିକ, ଓକିଲ, ଲେଖକଙ୍କୁ ନିଶ୍ଚୟ ଏହା ଜଣାଥିବ। କିନ୍ତୁ ସଭିଏଁ ଗାନ୍ଧିଜୀଙ୍କ ତିନି ମାଙ୍କଡ଼ ଭଳି ଆଖି, କାନ, ମୁହଁରେ ହାତ ଦେଇ ବସିଛନ୍ତି। ଏ ଦେଶରେ ନିର୍ବାଚିତ ଜନପ୍ରତିନିଧିମାନେ ଈଶ୍ୱରଙ୍କ ନାମରେ ଶପଥ କରି ଏହି ସମସ୍ତ ସୁବିଧା ସୁଯୋଗ ହାତେଇ ଚାଲିଛନ୍ତି। ଆଉ ଦେଶର ଶିକ୍ଷିତ ମଣିଷମାନେ ନିଜ ବିବେକ ନାମରେ ଶପଥ କରିଛନ୍ତି ବୋଧହୁଏ ଆଖି ସାମ୍ନାରେ ଯେତେ ଅନ୍ୟାୟ, ଅତ୍ୟାଚାର ହେଉ ପଛକେ କିଛି ଦେଖିବେ ନାହିଁ। ଯିଏ ଯେତେ ଆକୁଳ ଚିତ୍କାର କରୁଛି କରୁ, କିଛି ଶୁଣିବେ ନାହିଁ। ଆଉ ସବୁ କିଛି ଦେଖି, ଶୁଣି, ଜାଣି ମଧ୍ୟ ମୁହଁରେ ହାତ ଦେଇ ବସିଛନ୍ତି। ପଣ କରିଛନ୍ତି ମୁଁହ ଖୋଲିବେ ନାହିଁ। ଏ ଦେଶରେ ଯେତେ ବଡ଼ ବଡ଼ ଦୁର୍ନୀତି ହୋଇଛି, ବଳାତ୍କାର ହୋଇଛି, ବର୍ବରୋଚିତ ହତ୍ୟାକାଣ୍ଡ ହୋଇଛି କେଉଁ କଥା ଆମେ ଜାଣିନେ ? ବାଲି, ଗୋଡ଼ି, ପଥର, ଖଣିଜ ପଦାର୍ଥ ଚାଲାଣ ଚାଲିଛି ସ୍ପଷ୍ଟ ଦିବାଲୋକରେ। ଅନ୍ଧବିଶ୍ୱାସକୁ ନେଇ ପ୍ରତିଦିନ କେଉଁଠି ନା କେଉଁଠି ଲୋମହର୍ଷଣ ଘଟଣାମାନ ଘଟୁଛି। ପଶୁବଳିଠାରୁ ନରବଳି ଚାଲିଛି ବେଧଡ଼କ। ଆମେ ଦେଖୁଛୁ, ଜାଣୁଛୁ। କିନ୍ତୁ ସୁବିଧାବାଦର ଅନ୍ଧପୁଟୁଳି ବନ୍ଧା ହୋଇଛି ଆମ ଆଖିରେ। ଦୁର୍ଯ୍ୟୋଧନର ପାପ ଅନ୍ନରେ ପ୍ରତିପାଳିତ ମହାଜ୍ଞାନୀ ଭୀଷ୍ମ, ଦ୍ରୋଣ, କର୍ଣ୍ଣ ଯେମିତି ବିବେକଶୂନ୍ୟ ହୋଇ ଦ୍ରୌପଦୀଙ୍କ ବସ୍ତ୍ରହରଣକୁ ବିରୋଧ କରିପାରି ନ ଥିଲେ ସେମିତି କିଛି କିଛି ସ୍ବାର୍ଥ, ଟିକିଏ ଲୋଭ, ମୋହ ଆମକୁ ମୂକ କରିଦେଇଛି। ଆମେ ନିଜ ପାଖରେ ଅଟକି ଯାଇଛୁ।
ଯେତେବେଳେ ଲୋକମାନେ ଅତ୍ୟଧିକ ସ୍ବାର୍ଥପର ହୋଇ ଉଠନ୍ତି ସେତେବେଳେ ପ୍ରତ୍ୟକ୍ଷ କ୍ଷତି ବ୍ୟତୀତ ପରୋକ୍ଷ କ୍ଷତି ଦେଖିପାରନ୍ତି ନାହିଁ। ନିଜ ପାଖରେ ଥିବା ଧନ ସମ୍ପତ୍ତି କେବଳ ନିଜର, ମାତ୍ର ନିଜ ଟିକସରେ ସମୃଦ୍ଧ ହୋଇଥିବା ଦେଶର ସମ୍ପଦ ନିଜର ବୋଲି ଭାବିପାରନ୍ତି ନାହିଁ। ଫଳରେ ଟିକସ ବୃଦ୍ଧି ହେଉ କିମ୍ବା ଟିକସରୁ ଆସୁଥିବା ଅର୍ଥର ବିନିର୍ବ୍ୟୟକୁ ଖୋଲାଖୋଲି ବିରୋଧ କରନ୍ତି ନାହିଁ। କିନ୍ତୁ ପ୍ରତିବାଦ ଓ ପ୍ରତିରୋଧ ନ କଲେ ଅନୀତି ବଢ଼ି ବଢ଼ି ଚାଲିବ। ବହୁ ଆଶା ଆକାଂକ୍ଷା ନେଇ ଯେଉଁମାନଙ୍କୁ ଆମେ ନିର୍ବାଚିତ କରିଛେ ସେମାନେ ଯାହା ପାରିବେ ତାହା ହିଁ କରିବେ। ଭୟ, ଭ୍ରାନ୍ତିି, ଭକ୍ତି ନ ଥିବା ଏକ ସ୍ବେଚ୍ଛାଚାରୀ ଶାସକ ପାଲଟି ଯିବେ। ମନେରଖିବା ଉଚିତ ଅନ୍ୟାୟ କରିବା ଯେତିକି ଅପରାଧ, ଅନ୍ୟାୟକୁ ଦେଖି ଚୁପ୍ ରହିବା ଏବଂ ଏହାକୁ ବିରୋଧ ନ କରିବା ସମପରିମାଣ ଅପରାଧ। ଜାଣି ଅଜଣା ରହିବା ସମାଜ ପାଇଁ ସବୁଠାରୁ ମାରାତ୍ମକ। ଚେଇଁ ଶୋଇଥିବ ଯିଏ ତାକୁ ଉଠେଇବ କିଏ?
ଅକ୍ଷୟ କୁମାର ମିଶ୍ର
ସଭାପତି, ଓଷ୍ଟା
ମୋ: ୯୯୩୮୭୬୩୨୩୭