Categories: ଫୁରସତ

କଳା ମୁଗୁନିପଥର ଆଣିବା ଦାୟିତ୍ୱରେ ଥିଲେ ଖେମୁଣ୍ଡି ରାଜା

ପୁରୁଷୋତ୍ତମ କ୍ଷେତ୍ର ପୁରୀରୁ କୋଣାଦିତ୍ୟ (କୋଣାର୍କ) କ୍ଷେତ୍ରକୁ ଯିବାଆସିବା କରିବା ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣ ସମୟରେ ଆଜିପରି ସହଜ ନ ଥିଲା। ପୂର୍ବରୁ ଆମେ ଜାଣିଛେ କେଉଁଠି ବାଲିପନ୍ତରା, କେଉଁଠି ଅଗନାଅଗନି ବନସ୍ତ, ନଈନାଳ ପୁଣି ତା’ ଭିତରେ ଜନ୍ତୁଜୁନ୍ତା ଭୟ। ସବୁଠାରୁ ସମସ୍ୟା ରାସ୍ତା ଚିହ୍ନଟ କରି ଗଲେ ମଧ୍ୟ ବାଟରେ ପାଣିର ସୁବିଧା ସେପରି ନ ଥିଲା। ଏଥିପାଇଁ ଦୁଇଟି ପୋଖରୀ ଆବଶ୍ୟକତା ଅନୁଯାୟୀ ଖୋଳାଯାଇଥିଲା।
ମନ୍ଦିର ନିର୍ମାଣ ସମୟରେ ବିଭିନ୍ନ ଦାୟିତ୍ୱ ଭିନ୍ନ ଭିନ୍ନ ବ୍ୟକ୍ତିବିଶେଷଙ୍କୁ ଦିଆଯାଇଥିଲା। ‘ଚିଟାଉକରଣ’ ଭାବରେ ୧୧ ଜଣ ନିଯୁକ୍ତି ପାଇଥିଲେ ଚିଠି (ଚିଟାଉ) ଆଦାନପ୍ରଦାନ ପାଇଁ। ପୋଖରୀ ଖୋଳିବା କାର୍ଯ୍ୟ ହେଉ କିମ୍ବା ଅସ୍ଥାୟୀ କେନାଲ ଖୋଳା ପାଇଁ ହେଉ ଚିଟାଉବାହକଙ୍କ ଭୂମିକା ଏଥିରେ ରହୁଥିଲା। ଏମାନେ ସୂତ୍ରଧର ମାର୍ଫତରେ କାର୍ଯ୍ୟ କରୁଥିଲେ। ଚିଟାଉ ନେଇ ଶିଳ୍ପୀମାନଙ୍କ ଘରକୁ ଏଇମାନେ ଯାଉଥିଲେ, ଫେରି ଆସି କାମରେ ଯୋଗ ଦେବାପାଇଁ। ସୂତ୍ରଧରଙ୍କ ମାର୍ଫତରେ ସିଧାସଳଖ ୬ ଜଣ କାର୍ଯ୍ୟକର୍ତ୍ତା ରହୁଥିଲେ। ଯେଉଁମାନେ କି ସୂତ୍ରଧରଙ୍କ ଜରିଆରେ ସେମାନଙ୍କ ପାଉଣା ପାଉଥିଲେ। ସେମାନେ ହେଲେ- ଉପାଧି ନାୟକ, ମୁଖ୍ୟ ଭାସ୍କର୍ଯ୍ୟ ଶିଳ୍ପୀ ମୂର୍ତ୍ତିକାର ନାୟକ, ଅଙ୍ଗାଇ ନାୟକ, ଚିଟାଉକରଣ, ସୁନାପଥୁରିଆଣି (ଯେଉଁମାନେ ଭାସ୍କର୍ଯ୍ୟ ଖୋଦେଇ କରୁଥିଲେ) ଏବଂ ମୁଖ୍ୟ ହାତୀଆଳ (ମାହୁନ୍ତ)।
କାର୍ଯ୍ୟ ପରିଚାଳନା ପାଇଁ ଶୃଙ୍ଖଳିତ ବ୍ୟବସ୍ଥା ଚାଲିଥିବାବେଳେ ପଥର ଓ ପଥୁରିଆ ଉଭୟେ ପହଞ୍ଚୁଥିଲେ କାର୍ଯ୍ୟସ୍ଥଳରେ।
– କେରାଣ୍ଡିମାଳ ଓ ଘଣ୍ଟଶିଳା ପାହାଡ଼ ଖଣିରୁ ପଥର ଆସିବା ଦାୟିତ୍ୱ ନେଇଥିଲେ ବୁଢ଼ାଲେଙ୍କା।
– ତଦନୁଯାୟୀ ଘଣ୍ଟଶିଳାରୁ ଆସିଲା ୧୩୦ ଶଗଡ଼ ପଥର। ମଲାଗୁଣି ନଦୀପଥରେ ଆସି ପହଞ୍ଚତ୍ଲା।
ପଥର ଆସିବାର ପ୍ରମାଣ ତ ଆମେ ଆଲୋଚନା କରିବା। କିନ୍ତୁ ଜାଣିବା ପଥର ଆସିବା ପୂର୍ବରୁ ପଥରଖଣି ଚିହ୍ନଟ ଓ ଆସିବା ରାସ୍ତା ଚିହ୍ନଟ କାର୍ଯ୍ୟ ପ୍ରଥମେ ହେବାପରେ ପଥର କାଟିବା ଲୋକେ ଯାଉଥିଲେ। ଯେଉଁମାନେ ପଥର ଚିହ୍ନଟ କରିବାକୁ ଯାଉଥିଲେ, ସେମାନଙ୍କ ପରିଚୟ ହେଉଥିଲା ‘ରାଜପ୍ରତିନିଧି’। ଦାମୋଦର ଜେନା, ଅଙ୍ଗାଇ ନାୟକ, ପରମ ବିଶୋଇ ଓ ମଣି ବିଶୋଇ ଏଇ ଚାରିଜଣ ମୁଖ୍ୟ ପଥର ଚିହ୍ନଟକାରୀ ଥିଲେ। ଚିହ୍ନଟକାରୀଙ୍କ ସମ୍ମତିକ୍ରମେ ପଥରକଟାଳି ଦଳ ପହଞ୍ଚୁଥିଲେ ଚିହ୍ନିତ ପାହାଡ଼ ପାଖରେ।
– ତାପଙ୍ଗରେ ପଥରକଟାଳି ପଥର ବୋଝେଇ କଲେ ୪୧ଟି ଚାପରେ।
– ତା’ ପରେ ପରେ ଅରାଗଡ଼ ପାହାଡ଼ରୁ ୪୦୦ ଚାପ ଓ ୪ଟି ବୋଇତରେ ଆସି ପହଞ୍ଚିଲା ୮୨୮ ପଥର।
ପଥରକଟାଳି ପଥର ବୋଝେଇ କରୁ ନ ଥିଲେ। ବୋଝେଇବାଲା ଚାପ ବାହୁ ନ ଥିଲେ। ବାହିବାବାଲା କୂଳରେ ଚାପ ଲାଗିବା ପରେ ପଥର ବୋହୁ ନ ଥିଲେ। ବୋହିବା ପାଇଁ ଅଲଗା ଶଗଡ଼ିଆ। କେବଳ ପଥର ପହଞ୍ଚତ୍ବା ବେଳକୁ- ପଥର ଚିହ୍ନଟକାରୀ,ପଥର କଟାଳି,ପଥର ବୋଝିଆ, ପଥର ଚାପ ବାହକ, ପଥରବୁହା ଶଗଡ଼ିଆ ଏହିପରି ୫ଟି ଗୋଷ୍ଠୀ ଜଡ଼ିତ ରହୁଥିଲେ। ଏହି କାର୍ଯ୍ୟଗୁଡ଼ିକ ଗୋଷ୍ଠୀଗତ କାର୍ଯ୍ୟ। ମିଳିତ ଭାବରେ ସମାନ ଭାବନାରେ କାର୍ଯ୍ୟ ସମାପ୍ତ କରିବାକୁ ହୁଏ।
– ଗଞ୍ଜାମର ଖେମୁଣ୍ଡି ରାଜା ମଧ୍ୟ ପଥର ସଂଗ୍ରହ କାର୍ଯ୍ୟରେ ସହଯୋଗର ହାତ ବଢ଼ାଇଥିବା ପୋଥିରୁ ମିଳେ। ସେ ନୀଳଗିରିରୁ କଳା ମୁଗୁନି ପଥର ଆଣିବା ଦାୟିତ୍ୱ ନେଇଥିଲେ। ୩୩ଟି ବଡ଼ କଳା ମୁଗୁନି ପଥର ସେ ଲୋକ ଲଗାଇ ଆଣି କୋଣାର୍କରେ ପହଞ୍ଚାଇଲେ। ସେ ଖର୍ଚ୍ଚ ବାବଦ ଯାହା ନେଇଥିଲେ (୨,୧୧୦ ମାଢ଼ ସୁନା) ତାହା ଅନୁଶୀଳନ କଲେ ଜଣାପଡ଼ୁଛି କେତେ ଶ୍ରମ ଲାଗିଥିବ ବଡ଼ ବଡ଼ କଳା ମୁଗୁନି ଆସି ପହଞ୍ଚତ୍ବାକୁ!
– ସେହିପରି ଆଉ ଏକ କିସମର ପଥର ହେଲା ରେଗେଡ଼ା କୁଣ୍ଡା ଅର୍ଥାତ୍‌ କୁଣ୍ଡା ପଥର (ଶିଳ୍ପୀଙ୍କ ଭାଷାରେ ବାଲୁକା ଶିଳା)। ୨୭୦ ଖଣ୍ଡ ରେଗେଡ଼ା କୁଣ୍ଡା ପଥର ଗୋପୀନାଥ ବଡ଼ଜେନା ତାପଙ୍ଗ ଗଡ଼ରୁ ପଠାଇଥିଲେ।
ପାଇଟିଆଳଙ୍କ ସାଙ୍ଗରେ ଗଡ଼ନାୟକଙ୍କ ବାରିକ ଆସିଥିଲେ ମଣତି ଦେବାକୁ। ତାଙ୍କୁ ସସମ୍ମାନେ ରଖାଗଲା। ଗଡ଼ନାୟକଙ୍କ ପାଇଁ ଉପହାର ପଠାଗଲା ବାରିକ ହାତରେ ଏକଯୋଡ଼ା ପାଟ, ହଳେ ସୁନାର ଫୁଲଝରି ଓ ବାରିକକୁ ପାଛୁଡ଼ା ସହ ଧୋତି।
ବିଚାର କରିବା କଥା ଗଜପତିଙ୍କ କାର୍ଯ୍ୟ ଏହା ନ ଥିଲା। ସହଯୋଗ ସମସ୍ତଙ୍କର। ସେ ହେଲେ ଉଦ୍ୟୋକ୍ତା। ଖବର ପାଇ ଚିଟାଉକରଣଠାରୁ ଗଡ଼ନାୟକେ ଯେମିତି ସହଯୋଗ କଲେ, ଠିକ୍‌ ସେମିତି ତାଙ୍କୁ ସମ୍ମାନ ଦେବାରେ ଊଣା କରାଯାଇ ନ ଥିଲା। ଓଡ଼ିଶାର ଏହା ମହନୀୟ ପରମ୍ପରାର ଗୋଟିଏ ଧାଡ଼ି ମାତ୍ର।

ଡ. ସୁରେନ୍ଦ୍ର କୁମାର ମିଶ୍ର

Share